ବିପର୍ଯ୍ୟସ୍ତ ଅବସ୍ଥାରେ ଓଡ଼ିଶାର ଉଚ୍ଚଶିକ୍ଷା। ଓଡ଼ିଶାର ୧୭ଟି ସରକରୀ ବିଶ୍ୱବିଦ୍ୟାଳୟରେ ଫାକଲ୍ଟି ସମସ୍ୟା ଜଟିଳ। ୩୦% ଅଧ୍ୟାପକଙ୍କ ଭରସାରେ ଚାଲିଛି ପାଠ ପଢା। ମଞ୍ଜୁରପ୍ରାପ୍ତ ପୋଷ୍ଟ ମଧ୍ୟରୁ ପ୍ରାୟ ୭୦% ଖାଲି ପଡ଼ିଛି। ଅଗଷ୍ଟ ୩୧ ସୁଦ୍ଧା ୨,୦୮୬ଟି ମଞ୍ଜୁରପ୍ରାପ୍ତ ଲେକଚର ପୋଷ୍ଟରୁ ୧,୪୫୦ ଓ ନନ୍ ଟିଚିଂ ପୋଷ୍ଟରୁ ୨,୧୫୦ରୁ ଅଧିକ ଭାକାଣ୍ଟ ଥିବା ତଥ୍ୟ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ। ରାଜ୍ୟର ପ୍ରମୁଖ ବିଶ୍ୱବିଦ୍ୟାଳୟ ଉତ୍କଳ ୟୁନିଭରସିଟିରେ ମୋଟ ସବୁଠାରୁ ଅଧିକ ପୋଷ୍ଟ ଫାଙ୍କା ପଡ଼ିଛି। ୪୬ଟି ପ୍ରଫେସର ପୋଷ୍ଟରୁ ୩୯ ପୋଷ୍ଟ ଖାଲି। ୭୫ ଟି ଆସୋସିଏଟ ପ୍ରଫେସର ପୋଷ୍ଟରୁ ୫୨ଟି ଖାଲି ପଡ଼ିଛି, ୧୨୩ ଆସିଷ୍ଟାଣ୍ଡ ପ୍ରଫେସର ପୋଷ୍ଟରୁ ୫୧ ପୋଷ୍ଟ ଖାଲି। ଷ୍ଟୁଡେଣ୍ଟ ଟିଚର ରେସିଓ ରହିଛି ୨୨.୧। ରେଭେନ୍ସା ୟୁନିଭରସିଟିର ମଧ୍ୟ ସମାନ ଅବସ୍ଥା। ୨୯ଟି ପ୍ରଫେସର ପୋଷ୍ଟରୁ ୨୨, ୭୧ ଆସିଷ୍ଟାଣ୍ଟ ପ୍ରଫେସରରୁ ୫୫ଟି ୧୬୭ଟି ଆସୋସିଏଟ ପ୍ରଫେସର ପୋଷ୍ଟରୁ ୯୦ ପୋଷ୍ଟ ଫାଙ୍କା ପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଜ ଜିଲ୍ଲାରେ ବି ୟୁନିଭସରିଟିର ଅବସ୍ଥା ଭଲ ନାହିଁ। ଷ୍ଟୁଡେଣ୍ଟ ଟିଚର ରେସିଓ ରହିଛି ୪୦:୧। ଧରଣୀଧର ୟୁନିଭରସିଟିରେ ୧୮ଟି ସାଙ୍କସନ୍ ପ୍ରଫେସର ପୋଷ୍ଟରୁ ଗୋଟାଏ ବି ପୂରଣ ହୋଇନି। ୩୭ଟି ଆସିଷ୍ଟାଣ୍ଡ ପ୍ରଫେସର ପୋଷ୍ଟରୁ ଜଣେ ମାତ୍ର ଅଛନ୍ତି, ବାକି ୩୬ ପୋଷ୍ଟ ଫାଙ୍କା। ସେହିଭଳି ୭୩ ଆସୋସିଏଟ ପ୍ରଫେସର ପୋଷ୍ଟରୁ ୬୯ ଫାଙ୍କା। ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ସ୍ଥିତି ଅସମ୍ଭାଳ। ଲଜ୍ଜାଜନକ ଘଟଣାଟି ହେଉଛି ମଧୁସୂଦନ ଦାସଙ୍କ ନାଁରେ ନାମିତ ଆଇନ ବିଶ୍ୱବିଦ୍ୟାଳୟକୁ ସରକାରଙ୍କର ଦୃଷ୍ଟି ନାହିଁ। ସବୁତକ ସାଙ୍କସନ ପୋଷ୍ଟ ଫାଙ୍କା ପଡ଼ିଛି। ଠିକାରେ ଚାଲିଛି ଆଇନ ଶିକ୍ଷା। ଅସ୍ମିତାର କଥା କହୁଥିବା ବିଜେପି ସରକାରରେ ଓଡ଼ିଆ ବିଶ୍ୱବିଦ୍ୟାଳୟରେ କୌଣସି ମଞ୍ଜୁରପ୍ରାପ୍ତ ପୋଷ୍ଟ ପୂରଣ ହୋଇନି।

ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ସବୁଠାରୁ ଅଧିକ ଅଭାବ ମଧ୍ୟମ ଏବଂ କନିଷ୍ଠ ସ୍ତରର ଫ୍ୟାକଲ୍ଟି ପଦରେ ରହିଛି। ମୋଟ ୫୯୩ଟି ମଞ୍ଜୁରପ୍ରାପ୍ତ ଆସୋସିଏଟ୍ ପ୍ରଫେସର ପୋଷ୍ଟରୁ ମଧ୍ୟରୁ ୪୭୦ଟି (୭୯%) ଖାଲି ଅଛି। ସେହିପରି ୧,୧୯୪ଟି ମଞ୍ଜୁରପ୍ରାପ୍ତ ଆସିଷ୍ଟାଣ୍ଟ ପ୍ରଫେସର ପୋଷ୍ଟରୁ ୭୧୫ଟି (୬୦%) ଖାଲି ଅଛି। ଏମିତି ହେବା ଦ୍ୱାରା ଟିଚର ଷ୍ଟୁଡେଣ୍ଟ ରେସିଓ ପ୍ରଭାବିତ ହେଉଛି। ଫ୍ୟାକଲ୍ଟି ଅଭାବରେ ଶିକ୍ଷା ମଧ୍ୟ ପ୍ରଭାବିତ ହେଉଛି। ଖଲ୍ଲିକୋଟ ୟୁନିଟାରୀ ବିଶ୍ୱବିଦ୍ୟାଳୟ- ୪୪:୧, ମା‘ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ- ୩୮:୧ ,ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ-୩୮:୧, ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ-୩୮:୧, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ-୩୫:୧ ରହିଛି ଶିକ୍ଷକ ଛାତ୍ର ଅନୁପାତ।

ନିୟମିତ ନିଯୁକ୍ତି ନହେବା ପର୍ଯ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ୪୨୫ ଜଣ ଅତିଥି ଅଧ୍ୟାପକ (Guest Faculty) ନିୟୋଜିତ ହୋଇଛନ୍ତି। ସରକାର OPSC ଜରିଆରେ ୩୮୫ଟି ପୋଷ୍ଟ ସହ ୩୦୪ଟି ପୋଷ୍ଟ ପାଇଁ Requisition ପଠାଇଥିବା ଚର୍ଚ୍ଚା। ଖୁବ୍ ଶୀଘ୍ର ପୋଷ୍ଟ ପୂରଣ ନ ହେଲେ ଉଚ୍ଚଶିକ୍ଷାର ସ୍ଥିତି ନୀଚ୍ଚ ପ୍ରମାଣିତ ହୋଇଯିବ।