Posts tagged Utkal University

ୟୁନିଭରସିଟିରେ ଅଧ୍ୟାପକ ମରୁଡ଼ି, ୭୦% ପୋଷ୍ଟ ଖାଲି

ବିପର୍ଯ୍ୟସ୍ତ ଅବସ୍ଥାରେ ଓଡ଼ିଶାର ଉଚ୍ଚଶିକ୍ଷା। ଓଡ଼ିଶାର ୧୭ଟି ସରକରୀ ବିଶ୍ୱବିଦ୍ୟାଳୟରେ ଫାକଲ୍ଟି ସମସ୍ୟା ଜଟିଳ। ୩୦% ଅଧ୍ୟାପକଙ୍କ ଭରସାରେ ଚାଲିଛି ପାଠ ପଢା। ମଞ୍ଜୁରପ୍ରାପ୍ତ ପୋଷ୍ଟ ମଧ୍ୟରୁ ପ୍ରାୟ ୭୦% ଖାଲି ପଡ଼ିଛି। ଅଗଷ୍ଟ ୩୧ ସୁଦ୍ଧା ୨,୦୮୬ଟି ମଞ୍ଜୁରପ୍ରାପ୍ତ ଲେକଚର ପୋଷ୍ଟରୁ ୧,୪୫୦ ଓ ନନ୍ ଟିଚିଂ ପୋଷ୍ଟରୁ ୨,୧୫୦ରୁ ଅଧିକ ଭାକାଣ୍ଟ ଥିବା ତଥ୍ୟ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ। ରାଜ୍ୟର ପ୍ରମୁଖ ବିଶ୍ୱବିଦ୍ୟାଳୟ ଉତ୍କଳ ୟୁନିଭରସିଟିରେ ମୋଟ ସବୁଠାରୁ ଅଧିକ ପୋଷ୍ଟ ଫାଙ୍କା ପଡ଼ିଛି। ୪୬ଟି ପ୍ରଫେସର ପୋଷ୍ଟରୁ ୩୯ ପୋଷ୍ଟ ଖାଲି। ୭୫ ଟି ଆସୋସିଏଟ ପ୍ରଫେସର ପୋଷ୍ଟରୁ ୫୨ଟି ଖାଲି ପଡ଼ିଛି, ୧୨୩ ଆସିଷ୍ଟାଣ୍ଡ ପ୍ରଫେସର ପୋଷ୍ଟରୁ ୫୧ ପୋଷ୍ଟ ଖାଲି। ଷ୍ଟୁଡେଣ୍ଟ ଟିଚର ରେସିଓ ରହିଛି ୨୨.୧। ରେଭେନ୍ସା ୟୁନିଭରସିଟିର ମଧ୍ୟ ସମାନ ଅବସ୍ଥା। ୨୯ଟି ପ୍ରଫେସର ପୋଷ୍ଟରୁ ୨୨, ୭୧ ଆସିଷ୍ଟାଣ୍ଟ ପ୍ରଫେସରରୁ ୫୫ଟି ୧୬୭ଟି ଆସୋସିଏଟ ପ୍ରଫେସର ପୋଷ୍ଟରୁ ୯୦ ପୋଷ୍ଟ ଫାଙ୍କା ପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଜ ଜିଲ୍ଲାରେ ବି ୟୁନିଭସରିଟିର ଅବସ୍ଥା ଭଲ ନାହିଁ। ଷ୍ଟୁଡେଣ୍ଟ ଟିଚର ରେସିଓ ରହିଛି ୪୦:୧। ଧରଣୀଧର ୟୁନିଭରସିଟିରେ ୧୮ଟି ସାଙ୍କସନ୍ ପ୍ରଫେସର ପୋଷ୍ଟରୁ ଗୋଟାଏ ବି ପୂରଣ ହୋଇନି। ୩୭ଟି ଆସିଷ୍ଟାଣ୍ଡ ପ୍ରଫେସର ପୋଷ୍ଟରୁ ଜଣେ ମାତ୍ର ଅଛନ୍ତି, ବାକି ୩୬ ପୋଷ୍ଟ ଫାଙ୍କା। ସେହିଭଳି ୭୩ ଆସୋସିଏଟ ପ୍ରଫେସର ପୋଷ୍ଟରୁ ୬୯ ଫାଙ୍କା। ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ସ୍ଥିତି ଅସମ୍ଭାଳ। ଲଜ୍ଜାଜନକ ଘଟଣାଟି ହେଉଛି ମଧୁସୂଦନ ଦାସଙ୍କ ନାଁରେ ନାମିତ ଆଇନ ବିଶ୍ୱବିଦ୍ୟାଳୟକୁ ସରକାରଙ୍କର ଦୃଷ୍ଟି ନାହିଁ। ସବୁତକ ସାଙ୍କସନ ପୋଷ୍ଟ ଫାଙ୍କା ପଡ଼ିଛି। ଠିକାରେ ଚାଲିଛି ଆଇନ ଶିକ୍ଷା। ଅସ୍ମିତାର କଥା କହୁଥିବା ବିଜେପି ସରକାରରେ ଓଡ଼ିଆ ବିଶ୍ୱବିଦ୍ୟାଳୟରେ କୌଣସି ମଞ୍ଜୁରପ୍ରାପ୍ତ ପୋଷ୍ଟ ପୂରଣ ହୋଇନି।

ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ସବୁଠାରୁ ଅଧିକ ଅଭାବ ମଧ୍ୟମ ଏବଂ କନିଷ୍ଠ ସ୍ତରର ଫ୍ୟାକଲ୍ଟି ପଦରେ ରହିଛି। ମୋଟ ୫୯୩ଟି ମଞ୍ଜୁରପ୍ରାପ୍ତ ଆସୋସିଏଟ୍ ପ୍ରଫେସର ପୋଷ୍ଟରୁ ମଧ୍ୟରୁ ୪୭୦ଟି (୭୯%) ଖାଲି ଅଛି। ସେହିପରି ୧,୧୯୪ଟି ମଞ୍ଜୁରପ୍ରାପ୍ତ ଆସିଷ୍ଟାଣ୍ଟ ପ୍ରଫେସର ପୋଷ୍ଟରୁ ୭୧୫ଟି (୬୦%) ଖାଲି ଅଛି। ଏମିତି ହେବା ଦ୍ୱାରା ଟିଚର ଷ୍ଟୁଡେଣ୍ଟ ରେସିଓ ପ୍ରଭାବିତ ହେଉଛି। ଫ୍ୟାକଲ୍ଟି ଅଭାବରେ ଶିକ୍ଷା ମଧ୍ୟ ପ୍ରଭାବିତ ହେଉଛି। ଖଲ୍ଲିକୋଟ ୟୁନିଟାରୀ ବିଶ୍ୱବିଦ୍ୟାଳୟ- ୪୪:୧, ମା‘ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ- ୩୮:୧  ,ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ-୩୮:୧, ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ-୩୮:୧, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ-୩୫:୧ ରହିଛି ଶିକ୍ଷକ ଛାତ୍ର ଅନୁପାତ।

ନିୟମିତ ନିଯୁକ୍ତି ନହେବା ପର୍ଯ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ୪୨୫ ଜଣ ଅତିଥି ଅଧ୍ୟାପକ (Guest Faculty) ନିୟୋଜିତ ହୋଇଛନ୍ତି। ସରକାର OPSC ଜରିଆରେ ୩୮୫ଟି ପୋଷ୍ଟ ସହ ୩୦୪ଟି ପୋଷ୍ଟ ପାଇଁ Requisition ପଠାଇଥିବା ଚର୍ଚ୍ଚା। ଖୁବ୍ ଶୀଘ୍ର ପୋଷ୍ଟ ପୂରଣ ନ ହେଲେ ଉଚ୍ଚଶିକ୍ଷାର ସ୍ଥିତି ନୀଚ୍ଚ ପ୍ରମାଣିତ ହୋଇଯିବ।

ଉଚ୍ଚଶିକ୍ଷାକୁ ଶନିଦଶା : ୧୪ ସରକାରୀ ବିଶ୍ୱବିଦ୍ୟାଳୟରେ ନାହାନ୍ତି କୁଳପତି

ଦକ୍ଷିଣ ଆଫ୍ରିକାରେ ନେଲସନ ମଣ୍ଡେଲା କହୁଥିଲେ….
ଶିକ୍ଷା ବ୍ୟବସ୍ଥାର ବିନାଶ ହିଁ ଏକ ରାଷ୍ଟ୍ରର ପତନର ମୁଖ୍ୟ କାରଣ

  • ୧୪ଟି ସରକାରୀ ବିଶ୍ୱବିଦ୍ୟାଳୟରେ ନାହାନ୍ତି ସ୍ଥାୟୀ କୁଳପତି
  • ରାଜ୍ୟରେ ଅଛି ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟ
  • ମଞ୍ଜୁରୀପ୍ରାପ୍ତ ଅଧ୍ୟାପକ ପଦ ୨୦୭୯
  • ୧୪୩୪ ଅଧ୍ୟାପକ ପଦ ଖାଲି
  • ଅର୍ଥାତ ୬୯% ପଦ ଖାଲି ପଡ଼ିଛି
  • ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦ ୨୯୪୦
  • ୨୧୭୧ ଅଣଶିକ୍ଷକ ପଦ ଖାଲି
    କିନ୍ତୁ ବଜେଟରେ ମୁଖ୍ୟମନ୍ତ୍ରୀ ଘୋଷଣା କରୁଛନ୍ତି, ରାଜ୍ୟରେ ଖୋଲିବ ଆଉ 4ଟି ବିଶ୍ୱବିଦ୍ୟାଳୟ (ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଝାରସୁଗୁଡ଼ା)

ନାହାଁନ୍ତି ସ୍ଥାୟୀ କୁଳପତି

  1. ଉତ୍କଳ ବିଶ୍ୱବିଦ୍ୟାଳୟ
  2. ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ
  3. ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ
  4. ମା‘ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ
  5. ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ
  6. ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ
  7. ଓଡ଼ିଆ ବିଶ୍ୱବିଦ୍ୟାଳୟ
  8. ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ
  9. ରେଭେନ୍ସା ବିଶ୍ୱବିଦ୍ୟାଳୟ
  10. ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ
  11. ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ
  12. ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ
  13. ଧରଣୀଧର ବିଶ୍ୱବିଦ୍ୟାଳୟ
  14. ଫକିର ମୋହନ ବିଶ୍ୱବିଦ୍ୟାଳୟ
  • ସର୍ବ ପୁରାତନ ଉତ୍କଳ ବିଶ୍ୱବିଦ୍ୟାଳୟକୁ ମିଳୁନି ସ୍ଥାୟୀ କୁଳପତି
  • ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରର ଧରଣୀଧର ବିଶ୍ୱବିଦ୍ୟାଳୟରେ ନାହାଁନ୍ତି କୁଳପତି
  • କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଲୋକସଭା କ୍ଷେତ୍ର– ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ନାହାଁନ୍ତି କୁଳପତି
  • ବିନା କୁଳପତିରେ ରାଜ୍ୟର ଏକମାତ୍ର ଆଇନ ବିଶ୍ୱବିଦ୍ୟାଳୟ-ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ
  • ବିନା କୁଳପତିରେ ରାଜ୍ୟର ଏକମାତ୍ର ଓଡ଼ିଆ ବିଶ୍ୱବିଦ୍ୟାଳୟ

ସ୍ଥାୟୀ କୁଳପତି

1-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ
2-ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାୟ (Odisha State Open University)
3-ସମ୍ବଲପୁର ବିଶ୍ୱବିଦ୍ୟାଳୟ

  1. ୨୦୨୫ ଏପ୍ରିଲ ୧୪ରୁ ବିଶ୍ୱବିଦ୍ୟାଳୟ ଆଇନରେ ସଂଶୋଧନ
  2. ନୂଆ ଆଇନ ଅନୁସାରେ ଓଡ଼ିଶା ଲୋକସେବା ଆୟୋଗ ପ୍ରାଧ୍ୟାପକ ମନୋନୟନ କରି ସମ୍ପୃକ୍ତ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞ କମିଟି ଧାର୍ଯ୍ୟ ସମୟ ଭିତରେ ମନୋନୟନ କରିବାର ବ୍ୟବସ୍ଥା ରହିଛି
  3. କୁଳପତି ନିଯୁକ୍ତି ପାଇଁ ୨୦୨୫ ଜୁନରୁ ପର୍ଯ୍ୟାୟ କ୍ରମେ ସାକ୍ଷାତକାର
  4. ସଂକ୍ଷିପ୍ତ ସୂଚୀକୁ ମିଳୁନି ରାଜ୍ୟପାଳଙ୍କ ଅନୁମୋଦନ
    ରାଜ୍ୟ ମନୋନୟନ ବୋର୍ଡ ଅନଲାଇନ ଆବେଦନ ଆମନ୍ତ୍ରଣ କରାଯାଇଛି
    ୪୩୪ଟି ଜୁନିୟର ଆସିଷ୍ଟାଣ୍ଟ ପଦ ପୂରଣ କରିବ ରାଜ୍ୟ ମନୋନୟନ
    ଓଡ଼ିଶାରେ ଉଚ୍ଚଶିକ୍ଷା ସଙ୍କଟ
  • କୁଳପତି ନିଯୁକ୍ତିରେ ବିଳମ୍ବ: ରାଜ୍ୟର ୧୪ଟି ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି ପ୍ରକ୍ରିୟା ଗତ ବର୍ଷଠାରୁ ଅତି ମନ୍ଥର ଗତିରେ ଚାଲିଛି, ଯାହା ଶିକ୍ଷା ବ୍ୟବସ୍ଥାକୁ ପ୍ରଭାବିତ କରୁଛି।
  • ଅଧ୍ୟାପକ ପଦ ଖାଲି: ନିୟମିତ କୁଳପତି ନଥିବା ହେତୁ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ପ୍ରାୟ ୧୪୩୪ ଅଧ୍ୟାପକ ପଦ ଖାଲି ପଡ଼ିଛି।
  • ୨୦୨୦ ବିଶ୍ୱବିଦ୍ୟାଳୟ ଅଧିନିୟମ ସଂଶୋଧନ: ପୂର୍ବ ସରକାରଙ୍କ ସମୟରେ ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ଚୟନ କ୍ଷମତା କୁଳପତିଙ୍କ ହାତରୁ ନେଇ OPSC (ଓଡ଼ିଶା ଲୋକସେବା ଆୟୋଗ)କୁ ଦିଆଯାଇଥିଲା।
  • ଆଇନଗତ ବିବାଦ: ଏହି ସଂଶୋଧିତ ଆଇନକୁ କିଛି ଗୋଷ୍ଠୀ ବିରୋଧ କରି ପ୍ରଥମେ ଉଚ୍ଚ ନ୍ୟାୟାଳୟ ଓ ପରେ ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ, ଯାହାଫଳରେ ନିଯୁକ୍ତି ପ୍ରକ୍ରିୟା ଉପରେ ରହିତାଦେଶ (Stay order) ଜାରି ହୋଇଥିଲା।
  • ବିଭାଗୀୟ ଉଦାସୀନତା: ଉଚ୍ଚଶିକ୍ଷା ବିଭାଗର ଅବହେଳା ଯୋଗୁଁ ସର୍ବୋଚ୍ଚ ନ୍ୟାୟାଳୟରେ ରହିତାଦେଶ ଉଠାଇବା ପାଇଁ ଉପଯୁକ୍ତ ପଦକ୍ଷେପ ନିଆଗଲା ନାହିଁ, ଯାହା ଫଳରେ ୨୦୨୨ରୁ ୨୦୨୪ ପର୍ଯ୍ୟନ୍ତ ନିଯୁକ୍ତି ବନ୍ଦ ରହିଲା।
  • ୨୦୨୫ର ନୂତନ ସଂଶୋଧନ: ନୂତନ ସରକାର ଆସିବା ପରେ ୨୦୨୦ର ଆଇନକୁ ବାତିଲ କରି ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧିତ ଅଧିନିୟମ ୨୦୨୫ ପ୍ରଣୟନ କଲେ, ଯେଉଁଥିରେ ନିଯୁକ୍ତି କ୍ଷମତା ପୁଣିଥରେ କୁଳପତିଙ୍କୁ ପ୍ରଦାନ କରାଗଲା।
  • ପ୍ରଶାସନିକ ଜଟିଳତା: ପୂର୍ବରୁ ଏକାଧିକ ବିଶ୍ୱବିଦ୍ୟାଳୟ ପାଇଁ ଗୋଟିଏ ଚୟନ କମିଟିର ବ୍ୟବସ୍ଥା ଥିଲା, କିନ୍ତୁ ଏବେ ପ୍ରତିଟି ପାଇଁ ଅଲଗା କମିଟି ଗଠନ ହେଉଥିବାରୁ ପ୍ରକ୍ରିୟା ଅଧିକ ସମୟ ସାପେକ୍ଷ ହୋଇପଡ଼ିଛି।
  • ଶିକ୍ଷାଦାନରେ ବାଧା: ଉତ୍କଳ ବିଶ୍ୱବିଦ୍ୟାଳୟ ଭଳି ପ୍ରମୁଖ ଶିକ୍ଷାନୁଷ୍ଠାନର ଗୁରୁତ୍ୱପୂର୍ଣ୍ଣ ବିଭାଗ (ପଦାର୍ଥ ବିଜ୍ଞାନ, ଗଣିତ) ମାତ୍ର ଜଣେ ଲେଖାଏଁ ଅଧ୍ୟାପକରେ ଚାଲିଛି। ଠିକା ଅଧ୍ୟାପକଙ୍କ ଭରସାରେ ଶିକ୍ଷା ବ୍ୟବସ୍ଥା ବଞ୍ଚି ରହିଛି।
  • ବୌଦ୍ଧିକ ପୁଞ୍ଜିର ଅଭାବ: ସରକାର ବିଶ୍ୱବିଦ୍ୟାଳୟର ଅଟ୍ଟାଳିକା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ‘ବୌଦ୍ଧିକ ପୁଞ୍ଜି‘ ବା ଅଧ୍ୟାପକ ନିଯୁକ୍ତିକୁ ଗୁରୁତ୍ୱ ଦେଉନାହାନ୍ତି।
  • ଦୂରଗାମୀ କୁପ୍ରଭାବ: ଏହି ପରିସ୍ଥିତି ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ପଛୁଆ କରିଦେବ। ନେଲସନ ମଣ୍ଡେଲାଙ୍କ ଉକ୍ତି ଅନୁସାରେ, ଶିକ୍ଷା ବ୍ୟବସ୍ଥାର ବିନାଶ ହିଁ ଏକ ରାଷ୍ଟ୍ରର ପତନର ମୁଖ୍ୟ କାରଣ।

ବାଣୀବିହାରରୁ କେବେ ବିଦା ହେବେ ଅଣଛାତ୍ର

ଉତ୍କଳ ୟୁନିଭରସିଟିରେ ଅଣଛାତ୍ରଙ୍କ ପତିଆରା ବଢିବାରେ ଲାଗିଛି। ଅଣଛାତ୍ରଙ୍କ କବଜାରେ କ୍ୟାମ୍ପସ୍ । ଯାହାକୁ ଏବେ ଗମ୍ଭୀରତାର ସହ ନେଇ ଆକ୍ଟିଭ୍ ହେଉଛି ୟୁନିଭରସିଟି । ସେପ୍ଟେମ୍ବର ୪ ସୁଦ୍ଧା ଭଲରେ ଭଲରେ ହଷ୍ଟେଲ୍‌ ନ ଛାଡ଼ିଲେ କଠୋର ପଦକ୍ଷେପ ନେବାକୁ ୱାର୍ଣ୍ଣିଂ ଦିଆଯାଇଛି । କେବଳ ସେତିକି ନୁହେଁ, ହଷ୍ଟେଲ୍‌ ରୁମ୍‌ ଆଲଟ୍‌ ହୋଇଥିବା ଛାତ୍ର ଯଦି ତାହାକୁ ଭଡ଼ା କିମ୍ବା ବିକ୍ରି କରିଥିବାର ଜଣାପଡ଼େ, ସେମାନଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ବୋଲି କଡ଼ା ଚେତାବନୀ ଦିଆଯାଇଛି। ମାତ୍ର  ନୋଟିସ୍‌ ଲାଗିବାର ୨୪ ଘଣ୍ଟା ନ ପୂରୁଣୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଣଛାତ୍ରଙ୍କ ଦୌରାତ୍ମ୍ୟ ଆରମ୍ଭ ହୋଇଛି। ଅଧିକାରୀଙ୍କୁ ପଥର ମାଡ଼ କରିଛନ୍ତି ଅଣଛାତ୍ର ।

1 ନମ୍ବର, 2 ନମ୍ବର ଓ 3 ନମ୍ବର ହଷ୍ଟେଲରେ ପ୍ରାୟ ୧୪୪ଟି ରୁମ୍‌ ଅଣଛାତ୍ରଙ୍କ କବ୍‌ଜାରେ । ବିଜ୍ଞପ୍ତି ଆଧାରରେ ହଷ୍ଟେଲ୍‌ ରୁମ୍‌ ଆଲଟ୍‌ ହୋଇଥିବା ଛାତ୍ରଙ୍କୁ ଏକ ନମ୍ବର ଛାତ୍ରାବାସରେ ରଖିବାକୁ ସ୍ଥିର ହୋଇଥିଲା। ସେହି ଅନୁଯାୟୀ ଡେପୁଟି ୱାର୍ଡେନ୍‌ ଓ ସୁପରିନ୍‌ଟେଣ୍ଡେଣ୍ଟ ଏକ ନମ୍ବର(ଗୋପବନ୍ଧୁ) ଛାତ୍ରାବାସ ଯାଇଥିବା ବେଳେ ସେଠାରେ ଥିବା ଅଣଛାତ୍ରମାନେ ସେମାନଙ୍କୁ ଅଟକ ରଖିଥିଲେ। ହ‌ଷ୍ଟେଲ୍‌ ଲାଇଟ୍‌କୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେଇଥିଲେ। ଅଣଛାତ୍ରମାନେ ଟେକାପଥର ମାଡ଼ କରିଥିଲେ। ପୁଲିସ ମଧ୍ୟ ସେମାନଙ୍କ ଆକ୍ରୋଶରୁ ବର୍ତ୍ତି ପାରି ନ ଥିଲା। ଘନ ଘନ ପଥର ମାଡ଼ କରିଥିଲେ। ଛାତ୍ରାବାସରେ ଦୌରାତ୍ମ୍ୟ କରିଥିବା ଅଣଛାତ୍ରଙ୍କ ମଧ୍ୟରେ ତିନି ରାଜନୈତିକ ଦଳର ଛାତ୍ରନେତା ରହିଛନ୍ତି। ଏକ ନମ୍ବର ଛାତ୍ରାବାସର ୨୪ଟି, ଦୁଇ ନମ୍ବର ଛାତ୍ରାବାସର ୩୬ଟି ଓ ତିନି ନମ୍ବର ଛାତ୍ରାବାସର ଶତାଧିକ ରୁମ୍‌ ଏବେ ଅଣଛାତ୍ରଙ୍କ କବ୍‌ଜାରେ ରହିଛି। ରୁମ୍‌ ଭଡ଼ାରେ ଦେଇ ସେମାନେ ପ୍ରଚୁର ଅର୍ଥ ଉପାର୍ଜନ କରୁଛନ୍ତି। ଶିକ୍ଷାବର୍ଷ ଅଧାରୁ ଯଦି ଅଣଛାତ୍ରଙ୍କୁ କଢ଼ାଯାଏ ତେବେ ସେମାନଙ୍କ ବେପାର ଠପ୍‌ ହୋଇଯିବ।ବସ୍ତି ହଟାଇଲେ ଆମେ ହଷ୍ଟେଲ୍‌ ଛାଡ଼ିବୁ ବୋଲି ଯୁକ୍ତି କରିଛନ୍ତି ଅଣଛାତ୍ର ।

ତେବେ ଅଣଛାତ୍ରଙ୍କ କବଳରୁ ଯଦି ଉତ୍କଳ ବିଶ୍ୱବିଦ୍ୟାଳୟକୁ ମୁକ୍ତ କରା ନ ଯାଏ ତାହେଲେ ବିଶ୍ୱବିଦ୍ୟାଳୟର ଅପାରଗତା ବାହାରେ ପଡ଼ିବା ସହ ଉପଯୁକ୍ତ ଛାତ୍ର ହଷ୍ଟେଲ ସୁବିଧାରୁ ବଞ୍ଚିତ ହେବେ ।