ଓଡ଼ିଶା ହାଇକୋର୍ଟରେ କିଏ କରିବେ ବିଚାର

ଓଡ଼ିଶା ହାଇକୋର୍ଟର ସ୍ଥିତି ଅସମ୍ଭାଳ। ଗୋଟାଏ ପଟେ ପେଣ୍ଡିଂ କେସ ବଢୁଥିଲା ବେଳେ ଆଉ ଗୋଟାଏ ପଟେ କମୁଛି ବିଚାରପତିଙ୍କ ସଂଖ୍ୟା। ହାଇକୋର୍ଟ ନ୍ୟାୟ ଦେବେ କ’ଣ ଓଲଟା ନିଜେ ନ୍ୟାୟ ଅପେକ୍ଷାରେ ବୋଲି ଚର୍ଚ୍ଚା। ଓଡ଼ିଶା ହାଇକୋର୍ଟର ମଞ୍ଜୁରୀପ୍ରାପ୍ତ ବିଚାରପତି ପଦର ଅଧା ବି ପୂରଣ ହୋଇପାରୁନି। 33 ବିଚାରପତିଙ୍କ ବଦଳରେ କାର୍ଯ୍ୟ କରୁଛନ୍ତି 13 ଜଣ ବିଚାରପତି। ଚିଫ୍ ଜଷ୍ଟିସ୍ ହରିଶ ଟଣ୍ଡନଙ୍କ ଅବସର ପରେ ବିଚାରପତିଙ୍କ ସଂଖ୍ୟା 13ରେ ସୀମିତ। ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ଦିନକୁ ଦିନ କମୁଛି। ନୂଆ ନିଯୁକ୍ତି ତ ଦୂରର କଥା ପୋଷ୍ଟ ଖାଲି ପଡ଼ିଲେ ବି କୌଣସି ଷ୍ଟେପ୍ ନିଆଯାଉନାହିଁ। ଏପରିକି ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ ଦାବିକୁ ବି ଅଣଦେଖା କରାଯାଉଛି। ଆଇନଜୀବୀଙ୍କ କୋର୍ଟ ବର୍ଜନ ଡାକରାକୁ ବି ହାଲକାରେ ନେଇଛନ୍ତି ସରକାର ।
ଡବଲ ଇଞ୍ଜିନ୍ ଡବଲ ଧୋକା
ଅଗଷ୍ଟ 8 ତାରିଖରେ କେନ୍ଦ୍ର ସରକାର ଏକକାଳୀନ ୩୦ଜଣ ବିଚାରପତିଙ୍କୁ ନିଯୁକ୍ତି ଦେଲେ। ମାଡ୍ରାସା ହାଇକୋର୍ଟକୁ ସର୍ବାଧିକ 15 ଜଣ, କଲିକତା ହାଇକୋର୍ଟକୁ 8 ଜଣ, କର୍ଣ୍ଣାଟକ ହାଇକୋର୍ଟକୁ 6 ଜଣ ଏବଂ ମଧ୍ୟପ୍ରଦେଶ ହାଇକୋର୍ଟକୁ ଜଣେ ଜଷ୍ଟିସ ଆପଏଣ୍ଟ ହେଲେ। ସେପ୍ଟେମ୍ବର 19 ତାରିଖରେ 14 ଜଣ ଜଷ୍ଟିସଙ୍କୁ ନିଯୁକ୍ତି ଦେଲେ କେନ୍ଦ୍ର ସରକାର। ମାତ୍ର ଦୁର୍ଭାଗ୍ୟ ଦୁଇ ଥର ଜାକ ଓଡ଼ିଶାର ଭାଗ ପଡ଼ିଲାନି। ଏମିତିକି ଅଗଷ୍ଟ 18 ତାରିଖରେ ସୁପ୍ରିମକୋର୍ଟ କଲେଜିୟମ୍, 4ଜଣ ଓଡ଼ିଆ ଆଇନଜୀବୀଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି କରିବାକୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ। ସସ୍ମିତା ତ୍ରିପାଠୀ, ଆଦିତ୍ୟ ନାରାୟଣ ଦାସ, ରଜିତ ରାୟ ଏବଂ ଗୌତମ ମିଶ୍ରଙ୍କୁ ବିଚାରପତି ଭାବେ ନିଯୁକ୍ତ କରିବାକୁ ସୁପାରିସ ହୋଇଥିଲା। ମାତ୍ର କୌଣସି ସକ୍ସେସ ମିଳିଲାନି। ଡବଲ ଇଞ୍ଜିନ୍ ସରକାରରେ ଓଡ଼ିଶାକୁ ମିଳିଲା ଡବଲ ଧୋକା।

ଅବହେଳାର ଶିକାର ଓଡ଼ିଶା ହାଇକୋର୍ଟ
ପୂର୍ବରୁ ଖାଲି ପଡ଼ିଥିବା ପୋଷ୍ଟ ପୂରଣ ତ କଲେନି ଓଲଟା ଓଡ଼ିଶାରୁ ବିଚାରପତିଙ୍କୁ ବାହାରକୁ ପଠାଇଦେଲେ। 2026 ଜାନୁଆରୀ 1 ତାରିଖ ନୂଆବର୍ଷରେ ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ସଙ୍ଗମ ସାହୁ ପାଟନା ହାଇକୋର୍ଟକୁ ମୁଖ୍ୟ ବିଚାରପତି ଭାବେ ବଦଳି ହେଲେ, ତାଙ୍କ ସ୍ଥାନରେ ଅନ୍ୟ କାହାରିକୁ ନିଯୁକ୍ତି ଦିଆଯାଇ ନଥିଲା। ହାଇକୋର୍ଟର ଦୁଇଜଣ ବରିଷ୍ଠ ବିଚାରପତି ଜଷ୍ଟିସ୍ ମାନସ ରଞ୍ଜନ ପାଠକଙ୍କୁ ଗୁଜୁରାଟ ହାଇକୋର୍ଟକୁ ଓ ଜଷ୍ଟିସ୍ କୃଷ୍ଣ ରାମ ମହାପାତ୍ରଙ୍କୁ ଛତିଶଗଡ଼ ହାଇକୋର୍ଟକୁ ବଦଳି ପାଇଁ ସୁପ୍ରିମ୍‌ କୋର୍ଟ କଲେଜିୟମ୍ ସୁପାରିସ୍  କଲେ। ନଭେମ୍ବର 15 ତାରିଖରେ ଓଡ଼ିଶା ହାଇକୋର୍ଟର ପୂର୍ବତନ ଚିଫ୍ ଜଷ୍ଟିସ୍ ହରିଶ ଟଣ୍ଡନ ଅବସର ନେଲେ। ତାଙ୍କ ସ୍ଥାନରେ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ୍ ବିଭୁପ୍ରସାଦ ରାଉତରାୟ।  ନଭେମ୍ବର 11ରେ ଜଷ୍ଟିସ୍ ଚିତ୍ତରଞ୍ଜନ ଦାସଙ୍କ ଅବସର ପରେ ଆଶା ଥିଲା ହୁଏତ ତାଙ୍କ ସ୍ଥାନରେ  ନୂଆ ବିଚାରପତି ଆସିବେ । ତାହା ମଧ୍ୟ ହେଲା ନାହିଁ । ଓଲଟା ଅଗଷ୍ଟ 18 ତାରିଖରୁ ସୁପ୍ରିମକୋର୍ଟ କଲେଜିୟମ ଓଡ଼ିଶା ହାଇକୋର୍ଟର ବିଚାରପତି ପାଇଁ ରେକମେଣ୍ଡ କରିଥିବା 4 ନାଁ ଏବେ ବି ଆପ୍ରୁଭ୍ ହେଇନାହିଁ। ବର୍ତ୍ତମାନ ଓଡ଼ିଶା ହାଇକୋର୍ଟରେ ବିଚାରାଧୀନ ମାମଲା ସଂଖ୍ୟା 170000ରୁ ଅଧିକ। ଯଦି ଓଡ଼ିଶାରେ ନୂଆ ବିଚାରପତି ନିଯୁକ୍ତି ଦିଆନଯାଏ ତେବେ ଆଇନ୍ ବ୍ୟବସ୍ଥା ଉପରୁ ଲୋକଙ୍କର ଭରସା ତୁଟିଯିବ। ଏମିତିରେ ବି ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ (OHCBA) ପକ୍ଷରୁ ୨୦୨୬ ମସିହା ଅକ୍ଟୋବର ୧ ତାରିଖରେ କାର୍ଯ୍ୟବନ୍ଦ ଆନ୍ଦୋଳନ ହେବା ସହ ଆଇନଜୀବୀମାନେ ଭୁବନେଶ୍ୱର କ୍ଲବଠାରୁ ରାଜଭବନ (ଲୋକଭବନ) ପର୍ଯ୍ୟନ୍ତ ଏକ ଶାନ୍ତିପୂର୍ଣ୍ଣ ପଦଯାତ୍ରାରେ ଯାଇ ରାଜ୍ୟପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରି ପୋଷ୍ଟ ପୂରଣ ନ ହେଲେ କୋର୍ଟ ନ ଯିବାକୁ ଚେତାବନୀ ବି ଦେଇଥିଲେ। ଦେଖାଯାଉ ଆଗକୁ କ’ଣ ହେଉଛି।

 

 

Visited 2 times, 2 visit(s) today
Share this post

Leave A Comment

Your email address will not be published. Required fields are marked *