Posts tagged Odisha Education

ୟୁନିଭରସିଟିରେ ଅଧ୍ୟାପକ ମରୁଡ଼ି, ୭୦% ପୋଷ୍ଟ ଖାଲି

ବିପର୍ଯ୍ୟସ୍ତ ଅବସ୍ଥାରେ ଓଡ଼ିଶାର ଉଚ୍ଚଶିକ୍ଷା। ଓଡ଼ିଶାର ୧୭ଟି ସରକରୀ ବିଶ୍ୱବିଦ୍ୟାଳୟରେ ଫାକଲ୍ଟି ସମସ୍ୟା ଜଟିଳ। ୩୦% ଅଧ୍ୟାପକଙ୍କ ଭରସାରେ ଚାଲିଛି ପାଠ ପଢା। ମଞ୍ଜୁରପ୍ରାପ୍ତ ପୋଷ୍ଟ ମଧ୍ୟରୁ ପ୍ରାୟ ୭୦% ଖାଲି ପଡ଼ିଛି। ଅଗଷ୍ଟ ୩୧ ସୁଦ୍ଧା ୨,୦୮୬ଟି ମଞ୍ଜୁରପ୍ରାପ୍ତ ଲେକଚର ପୋଷ୍ଟରୁ ୧,୪୫୦ ଓ ନନ୍ ଟିଚିଂ ପୋଷ୍ଟରୁ ୨,୧୫୦ରୁ ଅଧିକ ଭାକାଣ୍ଟ ଥିବା ତଥ୍ୟ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ। ରାଜ୍ୟର ପ୍ରମୁଖ ବିଶ୍ୱବିଦ୍ୟାଳୟ ଉତ୍କଳ ୟୁନିଭରସିଟିରେ ମୋଟ ସବୁଠାରୁ ଅଧିକ ପୋଷ୍ଟ ଫାଙ୍କା ପଡ଼ିଛି। ୪୬ଟି ପ୍ରଫେସର ପୋଷ୍ଟରୁ ୩୯ ପୋଷ୍ଟ ଖାଲି। ୭୫ ଟି ଆସୋସିଏଟ ପ୍ରଫେସର ପୋଷ୍ଟରୁ ୫୨ଟି ଖାଲି ପଡ଼ିଛି, ୧୨୩ ଆସିଷ୍ଟାଣ୍ଡ ପ୍ରଫେସର ପୋଷ୍ଟରୁ ୫୧ ପୋଷ୍ଟ ଖାଲି। ଷ୍ଟୁଡେଣ୍ଟ ଟିଚର ରେସିଓ ରହିଛି ୨୨.୧। ରେଭେନ୍ସା ୟୁନିଭରସିଟିର ମଧ୍ୟ ସମାନ ଅବସ୍ଥା। ୨୯ଟି ପ୍ରଫେସର ପୋଷ୍ଟରୁ ୨୨, ୭୧ ଆସିଷ୍ଟାଣ୍ଟ ପ୍ରଫେସରରୁ ୫୫ଟି ୧୬୭ଟି ଆସୋସିଏଟ ପ୍ରଫେସର ପୋଷ୍ଟରୁ ୯୦ ପୋଷ୍ଟ ଫାଙ୍କା ପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଜ ଜିଲ୍ଲାରେ ବି ୟୁନିଭସରିଟିର ଅବସ୍ଥା ଭଲ ନାହିଁ। ଷ୍ଟୁଡେଣ୍ଟ ଟିଚର ରେସିଓ ରହିଛି ୪୦:୧। ଧରଣୀଧର ୟୁନିଭରସିଟିରେ ୧୮ଟି ସାଙ୍କସନ୍ ପ୍ରଫେସର ପୋଷ୍ଟରୁ ଗୋଟାଏ ବି ପୂରଣ ହୋଇନି। ୩୭ଟି ଆସିଷ୍ଟାଣ୍ଡ ପ୍ରଫେସର ପୋଷ୍ଟରୁ ଜଣେ ମାତ୍ର ଅଛନ୍ତି, ବାକି ୩୬ ପୋଷ୍ଟ ଫାଙ୍କା। ସେହିଭଳି ୭୩ ଆସୋସିଏଟ ପ୍ରଫେସର ପୋଷ୍ଟରୁ ୬୯ ଫାଙ୍କା। ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ସ୍ଥିତି ଅସମ୍ଭାଳ। ଲଜ୍ଜାଜନକ ଘଟଣାଟି ହେଉଛି ମଧୁସୂଦନ ଦାସଙ୍କ ନାଁରେ ନାମିତ ଆଇନ ବିଶ୍ୱବିଦ୍ୟାଳୟକୁ ସରକାରଙ୍କର ଦୃଷ୍ଟି ନାହିଁ। ସବୁତକ ସାଙ୍କସନ ପୋଷ୍ଟ ଫାଙ୍କା ପଡ଼ିଛି। ଠିକାରେ ଚାଲିଛି ଆଇନ ଶିକ୍ଷା। ଅସ୍ମିତାର କଥା କହୁଥିବା ବିଜେପି ସରକାରରେ ଓଡ଼ିଆ ବିଶ୍ୱବିଦ୍ୟାଳୟରେ କୌଣସି ମଞ୍ଜୁରପ୍ରାପ୍ତ ପୋଷ୍ଟ ପୂରଣ ହୋଇନି।

ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ସବୁଠାରୁ ଅଧିକ ଅଭାବ ମଧ୍ୟମ ଏବଂ କନିଷ୍ଠ ସ୍ତରର ଫ୍ୟାକଲ୍ଟି ପଦରେ ରହିଛି। ମୋଟ ୫୯୩ଟି ମଞ୍ଜୁରପ୍ରାପ୍ତ ଆସୋସିଏଟ୍ ପ୍ରଫେସର ପୋଷ୍ଟରୁ ମଧ୍ୟରୁ ୪୭୦ଟି (୭୯%) ଖାଲି ଅଛି। ସେହିପରି ୧,୧୯୪ଟି ମଞ୍ଜୁରପ୍ରାପ୍ତ ଆସିଷ୍ଟାଣ୍ଟ ପ୍ରଫେସର ପୋଷ୍ଟରୁ ୭୧୫ଟି (୬୦%) ଖାଲି ଅଛି। ଏମିତି ହେବା ଦ୍ୱାରା ଟିଚର ଷ୍ଟୁଡେଣ୍ଟ ରେସିଓ ପ୍ରଭାବିତ ହେଉଛି। ଫ୍ୟାକଲ୍ଟି ଅଭାବରେ ଶିକ୍ଷା ମଧ୍ୟ ପ୍ରଭାବିତ ହେଉଛି। ଖଲ୍ଲିକୋଟ ୟୁନିଟାରୀ ବିଶ୍ୱବିଦ୍ୟାଳୟ- ୪୪:୧, ମା‘ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ- ୩୮:୧  ,ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ-୩୮:୧, ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ-୩୮:୧, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ-୩୫:୧ ରହିଛି ଶିକ୍ଷକ ଛାତ୍ର ଅନୁପାତ।

ନିୟମିତ ନିଯୁକ୍ତି ନହେବା ପର୍ଯ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ୪୨୫ ଜଣ ଅତିଥି ଅଧ୍ୟାପକ (Guest Faculty) ନିୟୋଜିତ ହୋଇଛନ୍ତି। ସରକାର OPSC ଜରିଆରେ ୩୮୫ଟି ପୋଷ୍ଟ ସହ ୩୦୪ଟି ପୋଷ୍ଟ ପାଇଁ Requisition ପଠାଇଥିବା ଚର୍ଚ୍ଚା। ଖୁବ୍ ଶୀଘ୍ର ପୋଷ୍ଟ ପୂରଣ ନ ହେଲେ ଉଚ୍ଚଶିକ୍ଷାର ସ୍ଥିତି ନୀଚ୍ଚ ପ୍ରମାଣିତ ହୋଇଯିବ।

କିଏ ସୁଧାରିବ ବହିର ଭୁଲ୍

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛପାଯାଇଥିବା ନୂଆ ବହିରେ ୧୬୭୮ ଭୁଲ୍ ରହିଛି । ନୂଆ ବହି ଛାପିବା ପରିବର୍ତ୍ତେ ବହିରେ ହେଇଥିବା ଭୁଲକୁ ସୁଧାରି ପାଠ ପଢେଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଯାହା ପରେ ବିବାଦ ଆହୁରି ବଢ଼ିଛି । ସରକାରୀ ତଥ୍ୟ ଅନୁସାରେ ୧୦୮୯ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ ମାତ୍ର ଜଣେ ଶିକ୍ଷକ ରହିଥିବାବେଳେ, ୧୯୦୦ଟି ସ୍କୁଲରେ କେବଳ ଗୋଟିଏ ଶ୍ରେଣୀଗୃହ ରହିଛି। ଅନ୍ୟପଟେ ଦେଢ଼ ଲକ୍ଷ ଶିକ୍ଷକ ପଦବି ମଧ୍ୟରୁ ୫୦ ହଜାରରୁ ଅଧିକ ପଦ ଖାଲି ପଡ଼ିଛି। ଅର୍ଥାତ ଏକ ତୃତୀୟାଂଶ ଶିକ୍ଷକ ନାହାନ୍ତି । ଏପରି ସ୍ଥିତିରେ ବହିରେ ଥିବା ଭୁଲ୍ ସଂଶୋଧନ କରି ଶିକ୍ଷକମାନେ ପଢ଼ାଇବାକୁ ଗଣଶିକ୍ଷା ବିଭାଗ କହୁଛି । ଯାହା କି ବାସ୍ତବରେ ସମ୍ଭବ ନୁହେଁ, ପ୍ରଶ୍ନ ଉଠୁଛି ଏତେ କମ୍ ଶିକ୍ଷକ ଥିବା ଶିକ୍ଷାନୁଷ୍ଠାନରେ ଏସବୁ ଭୁଲ୍ ସୁଧାରିବ କିଏ?

ଶିକ୍ଷାଦାନ ଅପେକ୍ଷା ଅଣଶିକ୍ଷା କାର୍ଯ୍ୟରେ ଅଧିକ ମାତ୍ରାରେ ଲିପ୍ତ ରଖୁଛନ୍ତି । ପାଠପଢ଼ା ସହ ଏସ୍ଆଇଆର୍, ବିଏଲ୍ଓ, ଜନଗଣନା, ଭଳି ଅନେକ କାମ ପ୍ରାଥମିକ ଶିକ୍ଷକଙ୍କ ମୁଣ୍ଡରେ ଲଦି ଦିଆଯାଉଛି । ଉଲ୍ଲାସ, ଟିଏଲ୍ଏମ୍, କୃମି ବଟିକା ବାଣ୍ଟିବାଠୁ ଆରମ୍ଭ କରି  ଆସ ସ୍କୁଲ ଯିବା କାର୍ଯ୍ୟକ୍ରମରେ ଘରକୁ ଘର ବୁଲି ସର୍ଭେ କରୁଛନ୍ତି ଶିକ୍ଷକ । ମଧ୍ୟାହ୍ନଭୋଜନର ହିସାବ, ଛାତ୍ରଛାତ୍ରୀଙ୍କ ଆଧାରକାର୍ଡ କରାଇବା, ଜାତି ପ୍ରମାଣପତ୍ର କରାଇବା କାମ ବି ଶିକ୍ଷକଙ୍କୁ କରିବାକୁ ପଡ଼ୁଛି।  ଏସବୁ କାମରେ ଅବହେଳା ହେଲେ ଟିଚରଙ୍କୁ ପନିସମେଣ୍ଟ ବି ମିଳୁଛି । ୧୬୭୮ ଭୁଲରୁ ଅଷ୍ଟମ ଶ୍ରେଣୀର ବହିରେ ୭୦୫ଟି ଭୁଲ୍ ଥିବା ଚିହ୍ନଟ କରାଯାଇଛି । ପ୍ରଥମ ଶ୍ରେଣୀରେ ୭ଟି ,ଦ୍ୱିତୀୟ ଶ୍ରେଣୀରେ ୧୨ଟି ଓ ଭୁଲ୍ ତୃତୀୟ ଶ୍ରେଣୀ ବହିରେ ୭୫ଟି, ଚତୁର୍ଥ ଶ୍ରେଣୀରେ ୧୩୧, ପଞ୍ଚମ ଶ୍ରେଣୀରେ ୭୫, ଷଷ୍ଠ ଶ୍ରେଣୀ ବହିରେ ୨୮୯, ସପ୍ତମଶ୍ରେଣୀ ବହିରେ ୩୮୭ ଭୁଲ୍ ରହିଛି  । ଏହାକୁ ଛାଡ଼ି ଆଉ ଅଧିକ ଭୁଲ୍ ବି ବାହାରି ପାରେ । ହେଭି ୱାର୍କଲୋଡରେ ଥିବା ଶିକ୍ଷକ ପାଠ୍ୟପୁସ୍ତକ ସଂଶୋଧନ କରି ପଢ଼ାଇବା କ’ଣ ସମ୍ଭବ? ତା ଛଡ଼ା ଶିକ୍ଷକ ମାନେ ତ୍ରୁଟି ସଂଶୋଧନ କରୁଛନ୍ତି କି ନାହିଁ ତାକୁ କିଏ ଅନୁଧ୍ୟାନ କରୁଛି? ଏ ଦିଗକୁ ସରକାର ଚିନ୍ତା ନ କଲେ ପ୍ରାଥମିକ ଶିକ୍ଷାର ବିଫଳତା ତାଙ୍କୁ ଭାରି ପଡ଼ିପାରେ  । ପିଲାଙ୍କୁ କ୍ୱାଲିଟି ଏଜୁକେସନ ଦେବାରେ ଫେଲ୍ ହେବେ ବିଜେପି ସରକାର

ରେଭେନ୍ସାକୁ ଅଣଦେଖା, ୟୁନିଭରସିଟି ନାଁ ରେ ଜମି ନାହିଁ

1868 ମସିହାରେ ପ୍ରତିଷ୍ଠା ହୋଇଥିଲା ରେଭେନ୍ସା କଲେଜ । ସ୍ୱାଧିନତା ପୂର୍ବରୁ ତିଆରି ଓଡ଼ିଶାର ପ୍ରଥମ କଲେଜ ରେଭେନ୍ସା। କଲେଜକୁ 158 ବର୍ଷ ୟୁନିଭରସିଟି ମାନ୍ୟତାକୁ 20 ବର୍ଷ ବିତି ଗଲାଣି । ମାତ୍ର ସବୁଠୁ ଦୁଃଖର କଥା ହେଉଛି ରେଭେନ୍ସା ୟୁନିଭରସିଟି ନାଁରେ ଜମି ନାହିଁ। ପୂର୍ତ୍ତ ବିଭାଗ ଜମି ଉପରେ ଠିଆ ହୋଇଛି ରେଭେନ୍ସା  । ସେ ୮୧ ଏକର ଜମିର ମାଲିକାନା ବଦଳି ପାରୁନି କି ରେଭେନ୍ସା ୟୁନିଭରସିଟି ନାଁ ରେ ହୋଇପାରୁନି ।

ଗୋଟାଏ ପଟେ ରେଭେନ୍ସା ୟୁନିଭରସିଟି ନାଁରେ ଜମି ନ ଥିବା ବେଳେ ବୋଝ ଉପରେ ଲଳିତା ବିଡ଼ା ପରି ସାଢ଼େ ୫ ଏକର ଜମି ସରକାର ଅନ୍ୟ ହାତକୁ ଟେକି ଦେଇଛନ୍ତି। ରେଭେନ୍ସା ବିଶ୍ୱବିଦ୍ୟାଳୟ ମୌଜା -ୟୁନିଟ୍‌-୨୪, କଲେଜ ଛକ, କଟକ ଅଧୀନରେ ଥିବା ୮୧.୦୪୩ ଡିସିମିଲ୍‌ ଜମି ଉପରେ ନିର୍ମାଣ ହୋଇଛି। ୟୁନିଭରସିଟି ନାଁରେ ଜମି ନ ଥିବାରୁ ଆର୍‌ଡିସିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ୮୧ ଏକର ଜମିକୁ ରେଭେନ୍ସା ନାମରେ କରିବା ସହିତ ସେକେଣ୍ଡ କ୍ୟାମ୍ପସ୍‌ -୧୨୬ ଏକର ଜମି ସିଡିଏ ଅଞ୍ଚଳରେ ଦେବାକୁ ନିଷ୍ପତ୍ତି ହୋଇଥିଲା। ଯେଉଁ ବୈଠକରେ ଉଚ୍ଚଶିକ୍ଷା ବିଭାଗ, ରାଜସ୍ୱ ବିଭାଗ, ଜିଲ୍ଲା ପ୍ରଶାସନ ସହିତ ରେଭେନ୍ସା ୟୁନିଭରସିଟିର ବହୁ ଅଧିକାରୀ ଉପସ୍ଥିତ ଥିଲେ। ନୂଆ କ୍ୟାମ୍ପସ୍‌ର ୧୨୬ ଏକର ଜମିକୁ ୯୯ ବର୍ଷ ପାଇଁ ଲିଜ୍‌ ଡିଡ୍‌ରେ ରେଭେନ୍ସାକୁ ଦିଆ ଯାଇଥିଲା। ମାତ୍ର ମୁଖ୍ୟ କ୍ୟାମ୍ପସ୍‌ର ଜମିକୁ ନେଇ ଦେଇଥିବା ପ୍ରତିଶ୍ରୁତି ଭୁଲିଗଲେ ଉଚ୍ଚଶିକ୍ଷା ଓ ରାଜସ୍ୱ ବିଭାଗ।

ବିଜେପି ସରକାରରେ 2024ରେ ରାଜସ୍ୱ ବିଭାଗର ନିର୍ଦ୍ଦେଶ ବି ପୂରଣ ହୋଇପାରୁନି। ଓଲଟା  ରେଭେନ୍ସା ନାଁରେ ଜମି ନ ଥିବାରୁ ରେଭେନ୍ସା ଜୁନିୟର କଲେଜ ପାଇଁ ପ୍ରସ୍ତାବିତ ଅ‌ଢ଼େଇ ଏକର ଓ ଅର୍ବାନ୍‌ ହାଟ ପାଇଁ ୩ ଏକରରୁ ଅଧିକ ଜମିକୁ ସରକାର ନେଇ ଯାଇଛନ୍ତି। ଯେଉଁ ଜମି ହୁଏତ ରେଭେନ୍ସା ନାଁରେ ଥିଲେ ଏମିତି ହୋଇ ପାରି ନ ଥାଆନ୍ତା। ରେଭେନ୍ସା ୟୁନିଭରସିଟି ନାଁରେ ଜମି କରିବାକୁ ଉଚ୍ଚଶିକ୍ଷା ବିଭାଗ, ରାଜସ୍ୱ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଚିଠି ହୋଇଥିଲେ ବି ଫଳ ଶୂନ। ମଧୁସୂଦନ ଦାସ, ବିଜୁ ପଟ୍ଟନାୟକ, ହରେକୃଷ୍ଣ ମହତାବଙ୍କ ଭଳି ପ୍ରମୁଖ ବ୍ୟକ୍ତି ପଢିଥିବା ଅନୁଷ୍ଠାନର ଏ ଅବସ୍ଥା ଲଜ୍ଜାଜନକ । ତେବେ ରେଭେନ୍ସାର ନାଁ ବଦଲାଇବାକୁ ପ୍ରସ୍ତାବ ଦେଉଥିବା ଓଡ଼ିଆ ପୁଅ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାଲିକାନା ବଦଳ ପ୍ରସଙ୍ଗରେ ଚୁପ୍ କାହିଁକି? 24 ବର୍ଷର ସରକାରଙ୍କୁ ବାରମ୍ବାର ଟାର୍ଗେଟ କରୁଥିବା ବିଜେପି ସରକାର ସମାଧାନ କରିବେ ତ ରେଭେନ୍ସା ସମସ୍ୟା ।

ଜଣେ ଶିକ୍ଷକରେ ଚାଲିଛି ସ୍କୁଲ!

ସରୁନି ଶିକ୍ଷା ସମସ୍ୟା । ମାଷ୍ଟରଠାରୁ ଆରମ୍ଭକରି ହେଡ଼ ମାଷ୍ଟର ସବୁଠି ସଂଖ୍ୟା ସଟେଜ୍ । 80 % ସ୍କୁଲରେ ହେଡ଼ମାଷ୍ଟର ନଥିଲା ବେଳେ  ଜଣେ ଲେଖାଏଁ ଶିକ୍ଷକରେ ଚାଲିଛି 1100 ସ୍କୁଲ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଗଞ୍ଜାମରେ 450 ହେଡମାଷ୍ଟର ପୋଷ୍ଟ ପାଙ୍କା ପଡ଼ିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କେନ୍ଦୁଝର ଜିଲ୍ଲାରେ 300 ହେଡମାଷ୍ଟର ପୋଷ୍ଟ ପାଙ୍କା ପଡ଼ିଛି। ଦୁଇ ପ୍ରମୁଖ ରାଜନେତାଙ୍କ ଜିଲ୍ଲାରେ ଶିକ୍ଷାର ବିକଳ ଚିତ୍ରରୁ ଶିକ୍ଷାର ବିକଳ ଅବସ୍ଥା ଅନୁମାନ କରାଯାଇପାରେ । ରାଜ୍ୟରେ ଅନେକ ସ୍କୁଲ୍ ରହିଛି ଯୋଉଠି ଜଣେ ଲେଖାଏଁ ଶିକ୍ଷକ ଭରସା । ସେହି ଜଣେ ଟିଚର ପାଠ ପଢାଉଛନ୍ତି, ହେଡ଼ ମାଷ୍ଟର ଦାୟିତ୍ୱ ବି ତୁଲାଉଛନ୍ତି । ଶ୍ରେଣୀ ପିଛା ଅତି କମରେ ଜଣେ ଶିକ୍ଷକ ଯୋଗାଇଦେବା ବଦଳରେ ବିଦ୍ୟାଳୟ ପିଛା ନିଯୁକ୍ତି ପାଇଛନ୍ତି ଜଣେ ଟିଚର । ଯାହାକୁ ନେଇ ଚିନ୍ତାରେ ଅଭିଭାବକ ।  ରାଜ୍ୟର ଗୋଟିଏ କି ଦୁଇଟି ସ୍କୁଲରେ ଏପରି ଅବସ୍ଥା ନୁହେଁ। 1100 ସ୍କୁଲରେ ପ୍ରାଥମିକ ଶିକ୍ଷାର ଏ ବିକଳ ଚିତ୍ର ।

କୋରାପୁଟ ଜିଲ୍ଲାର କୋଟପାଡ଼ ଅଞ୍ଚଳରେ ୧୦ଟି ସ୍କୁଲରେ ଜଣେ ଶିକ୍ଷକରେ ସମ୍ପୂର୍ଣ ସ୍କୁଲ ପାଠପଢ଼ା ହେଉଛି I ପୁରୀ ଜିଲ୍ଲା ଗୋପରେ ୧୫ରୁ ଅଧିକ ସ୍କୁଲ, ସତ୍ୟବାଦୀ ବ୍ଲକ୍‌ରେ ୬ରୁ ଅଧିକ ସ୍କୁଲରେ ମଧ୍ୟ ସମାନ ଅବସ୍ଥା। ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଲକ୍‌ରେ ୪ ସ୍କୁଲ, ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ୨ଟି ସ୍କୁଲରେ ଜଣେ ଲେଖାଏ ଶିକ୍ଷକ ଅଛନ୍ତି । ଓଡ଼ିଶାରେ ୬୧,୫୬୫ ପ୍ରାଇମେରୀ ସ୍କୁଲରେ ୭୬,୪୪,୦୫୨ ପିଲା ପାଠ ପଢୁଛନ୍ତି । ୩,୪୪,୧୧୬ ଶିକ୍ଷକଙ୍କ ଭରସାରେ ସ୍କୁଲ ଚାଲୁଛି । ହାରାହାରି ୨୨ ଜଣ ପିଲାଙ୍କୁ ପାଠ ପଢ଼ାଇବାକୁ ଜଣେ ଶିକ୍ଷକ ଅଛନ୍ତି। ମାତ୍ର ଏମିତି ଅନେକ ସ୍କୁଲ ଅଛି ଯେଉଁଠି ମାତ୍ର ଜଣେ ଶିକ୍ଷକଙ୍କ ଭରସାରେ ପୁରା ସ୍କୁଲ୍ ଚାଲୁଛି । ଜଣେ  ଶିକ୍ଷକରେ ପୁରା ସ୍କୁଲ୍ ଚାଲିବା କଷ୍ଟକର ହୋଇପଡ଼ିଥିବା ବେଳେ ପିଲାଙ୍କ ପୋଷାକ ବଣ୍ଟନ, ମଧ୍ୟାହ୍ନ ଭୋଜନ ସହ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି । ଯାହା ଫଳରେ ଶିକ୍ଷାଦାନରେ ବାଧାପ୍ରାପ୍ତ ହେଉଛି।  ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ପ୍ରତି ସ୍କୁଲରେ ଶ୍ରେଣୀ ପିନ୍ଧା ଜଣେ ଲେଖାଏ ଶିକ୍ଷକ ନିଯୁକ୍ତି ସହ ଶିକ୍ଷକଙ୍କୁ ଅଣଶିକ୍ଷା କାର୍ଯ୍ୟରୁ ମୁକ୍ତ ମୁକ୍ତ କରିବାକୁ ଦାବି ହେଉଛି ।

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ହେଡ୍ ମାଷ୍ଟର ଅଭାବ

  • ଓଡ଼ିଶାରେ ଶିକ୍ଷାର ବିକଳ ଚିତ୍ର
  • ୮୦% ସ୍କୁଲରେ ନାହାନ୍ତି ପ୍ରଧାନ ଶିକ୍ଷକ
  • ଭାରପ୍ରାପ୍ତ ପ୍ରଧାନ ଶିକ୍ଷକରେ ଚାଲିଛି ବିଦ୍ୟାଳୟ
  • ପ୍ରଧାନ ଶିକ୍ଷକ ଦାୟିତ୍ୱ ନେବାକୁ ରାଜି ନୁହନ୍ତି ଶିକ୍ଷକ
  • ବିନା ପ୍ରଧାନ ଶିକ୍ଷକରେ ଚାଲୁଛି, ୧୮, ୨୦୯ ସ୍କୁଲ
    ବିଜେଡି ସରକାର ହେଉ କି, ବିଜେପିର ସରକାର, ଓଡ଼ିଶାର ଶିକ୍ଷାର ବିକଳ ଚିତ୍ରରେ ସୁଧାର ଆସୁନି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଗଞ୍ଜାମରେ ୪୫୦ ହେଡମାଷ୍ଟର ପୋଷ୍ଟ ପାଙ୍କା ପଡ଼ିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କେନ୍ଦୁଝର ଜିଲ୍ଲାରେ ୩୦୦ ହେଡମାଷ୍ଟର ପୋଷ୍ଟ ପାଙ୍କା ପଡ଼ିଛି । ଓଡ଼ିଶାର ୮୦ ପ୍ରତିଶତରୁ ଅଧିକ ପ୍ରାଥମିକ ସ୍କୁଲରେ ନାହାନ୍ତି ପ୍ରଧାନ ଶିକ୍ଷକ I ଭାରପ୍ରାପ୍ତ ପ୍ରଧାନ ଶିକ୍ଷକରେ ସ୍କୁଲ ଚାଲିଛି। ଶିକ୍ଷକଙ୍କୁ ବରିଷ୍ଠତା ଆଧାରରେ ପ୍ରଧାନ ଶିକ୍ଷକ ଦାୟିତ୍ୱ ଦିଆଯାଉ ଥିଲାବେଳେ ଅନେକ ସ୍ଥାନରେ ୱାର୍କ ଲୋଡ୍ ପାଇଁ  ଦାୟିତ୍ଵ ଗ୍ରହଣ କରିବାକୁ ରାଜି ହେଉନାହାନ୍ତି ।

ସରକାରୀ ତଥ୍ୟ ଅନୁଯାୟୀ, ୨୦୨୫ ମେ ୩୧ ତାରିଖ ସୁଦ୍ଧା ପ୍ରାଥମିକ ବିଦ୍ୟାଳୟରେ ୬୭୮ଟି ବରିଷ୍ଠ ପ୍ରଧାନ ଶିକ୍ଷକ ପୋଷ୍ଟ ଖାଲି ପଡ଼ିଥିବା ବେଳେ ଉଚ୍ଚ ପ୍ରାଥମିକରେ ୧୨, ୫୨୫ଟି, ପ୍ରାଥମିକ ସ୍କୁଲରେ ୫୦୦୬ଟି ପ୍ରଧାନ ଶିକ୍ଷକ ପଦ ଖାଲି ରହିଛି । ମୋଟ ୧୮ ହଜାର ୨୦୯ଟି ପ୍ରଧାନଶିକ୍ଷକ ପୋଷ୍ଟ ଖାଲି ପଡ଼ିଛି । ଓଡ଼ିଶାରେ ୪୫ ହଜାରରୁ ଅଧିକ ସରକାରୀ ସ୍କୁଲ ରହିଛି । ଏଥିରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଏବଂ ମାଧ୍ୟମିକ ବିଦ୍ୟାଳୟ ଅନ୍ତର୍ଭୁକ୍ତ। ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଯେଉଁଠି ହାଇସ୍କୁଲ ରହିଛି ସେଠାରେ ଅଧିକାଂଶ ସ୍କୁଲରେ ସ୍ୱତନ୍ତ୍ର ପ୍ରଧାନ ଶିକ୍ଷକ ନିଯୁକ୍ତି ଦିଆଯାଇଛି । ଓଡ଼ିଶା ଶିକ୍ଷା ସେବା ରାଙ୍କର ଅଧିକାରୀଙ୍କୁ ନିଯୁକ୍ତି ମିଳିଛି । ଯେଉଁ ସ୍କୁଲ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ହାଇସ୍କୁଲ ମିଶି ରହିଛି ସେ ସ୍କୁଲରେ ଜଣେ ପ୍ରଧାନ ଶିକ୍ଷକ ଅଛନ୍ତି। ପ୍ରାଥମିକ, ଭଚ୍ଚ ପ୍ରାଥମିକ ସ୍କୁଲର ସ୍ୱତନ୍ତ୍ର ପ୍ରାଥମିକ ଶିକ୍ଷକ ନାହାନ୍ତି। ପ୍ରାଥମିକ ବିଦ୍ୟାଳୟରେ ସ୍ୱତନ୍ତ୍ର ପ୍ରଧାନଶିକ୍ଷକ ନିଯୁକ୍ତିର ପ୍ରାବଧାନ ନାହିଁ।

ଅନ୍ୟପଟେ ଓଟିଇଟି  ପାସ୍ କରି ପାରୁନଥିବାରୁ  ହେଡ୍ ସାର ପୋଷ୍ଟକୁ ପ୍ରମୋସନ୍ ହୋଇପାରୁନାହିଁ । ଅନେକ ସ୍ଥାନରେ ତ ବୁଝାଶୁଝା କରି ପ୍ରଧାନ ଶିକ୍ଷକ ଦାୟିତ୍ୱ ତୁଲାଇବାକୁ ରାଜି କରିବାକୁ ପଡ଼ୁଛି । ଅନେକ ସ୍କୁଲରେ ଗଣ ଶିକ୍ଷକ, ଶିକ୍ଷା ସହାୟକଙ୍କୁ ଏ ଗୁରୁ ଦାୟିତ୍ୱ ତୁଲାଇବାକୁ ପଡ଼ୁଛି।