ପୁରୀରେ ଭୂତଳ ଜଳ ଚିଡ଼ିଆଖାନା ଓ ବିଶ୍ୱସ୍ତରୀୟ ସାମୁଦ୍ରିକ ଆକ୍ଟେରିୟମ ପ୍ରତିଷ୍ଠା ହେବ। ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ଏନେଇ ପଦକ୍ଷେପ ନେଇଛି। ପ୍ରକଳ୍ପର ପରିକଳ୍ପନା, ପ୍ରତିଷ୍ଠା ଓ ପରିଚାଳନା ପ୍ରକ୍ରିୟା ଆରମ୍ଭ ହେଇଯାଇଛି। ସମୁଦ୍ରକୂଳ ନିକଟରେ ଏ ପ୍ରୋଜେକ୍ଟ କରିବାକୁ ପ୍ଲାନ୍ କରାଯାଇଛି। ନଭେମ୍ବର ୪ ତାରିଖରେ ପ୍ରୋଜେକ୍ଟ ଅନୁଧ୍ୟାନ କରାଯିବ ଓ ୧୫ ତାରିଖରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ବିଶ୍ୱ ପର୍ଯ୍ୟଟନ କ୍ଷେତ୍ର ପୁରୀକୁ ପ୍ରତିବର୍ଷ କୋଟିଏରୁ ଅଧିକ ଦେଶୀ ବିଦେଶୀ ପର୍ଯ୍ୟଟକ ଆସୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟନ ବିଭାଗ ପୁରୀରେ ଏକାଧିକ ପର୍ଯ୍ୟଟନ ଆକର୍ଷଣସ୍ଥଳ ନିର୍ମାଣ ପ୍ଲାନ୍ କରୁଛି।

ପ୍ରକଳ୍ପ ନିମନ୍ତେ ସରକାର କମ୍ ମୂଲ୍ୟରେ ଜମି ଯୋଗାଇଦେବେ। ଘରୋଇ ସଂସ୍ଥା ଏହି ପ୍ରକଳ୍ପ ପରିକଳ୍ପନା, ପ୍ରତିଷ୍ଠା ଓ ପରିଚାଳନା ଖର୍ଚ୍ଚ ଉଠାଇବ। ପ୍ରକଳ୍ପ କରିବାରେ ଆବଶ୍ୟକ ପାଣ୍ଠି ଯୋଗାଡ଼ରେ ମଧ୍ୟ ଆଗ୍ରହୀ ସଂସ୍ଥାକୁ ସରକାର ସାହାଯ୍ୟ କରିବେ। ପରିବେଶ ନିୟମକୁ ପାଳନ ସହ ପ୍ରକଳ୍ପ ପ୍ରତିଷ୍ଠା ଓ ପରିଦର୍ଶନ ବ୍ୟବସ୍ଥା କରିବାକୁ ହେବ ।
ପୁରୀ ରେଲୱେ ଷ୍ଟେସନ ପାଖ ନୀଳାଚଳ ଅର୍ବାନ ହାଟ ସାମ୍ନା ଜମିରେ ଏ ପ୍ରୋଜେକ୍ଟ ପାଇଁ ଭିତ୍ତିପ୍ରସ୍ତର ହୋଇଥିଲା । ୨୦୦୯ରେ ସେ ସମୟର ମୁଖ୍ୟମନ୍ତ୍ରୀ ତତା ଏବେକାର ବିରୋଧିଦଳ ନେତା ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର କରିଥିଲେ। ଦୁବାଇ ଭଳି ସହରରେ ଥିବା ସାମୁଦ୍ରିକ ମେରାଇ ଆକ୍ୱାରିୟମ ଭଳି ଓଡ଼ିଶାରେ କରିବାକୁ ଯୋଜନା ହୋଇଥିଲା । ସି ବିଚ୍ ଠାରୁ ମାତ୍ର ୨୦୦ ମିଟର ଦୂରରେ ଏ ପ୍ରୋଜେକ୍ଟ ପ୍ଲାନ୍ କରାଯାଇଥିଲା । ଏଥିପାଇଁ ନବୀନ ପଟ୍ଟନାୟକ ୫ କୋଟି ଟଙ୍କା ସାଙ୍କସନ୍ ମଧ୍ୟ କରିଥିଲେ । ମାତ୍ର 15 ବର୍ଷ ବିତିଯାଇଥିଲେ ସୁଦ୍ଧା ନବୀନ ପଟ୍ଟନାୟକଙ୍କ ସରକାର ଏ ପ୍ରକଳ୍ପ କାମ ଆଗକୁ ବଢାଇ ପାରିନଥିଲେ।