Posts tagged Law

ଓଡ଼ିଶା ହାଇକୋର୍ଟରେ ‘ତାରିଖ ପେ ତାରିଖ’

ସୁପ୍ରିମକୋର୍ଟ ଜଷ୍ଟିସ୍ ସଂଖ୍ୟା ବଢାଇବା ପାଇଁ ସଂସଦରେ ବିଲ୍ ପାସ୍ ହେଇଯାଇଛି। Supreme Court (Number of Judges) Amendment Bill, 2026 ଅନୁଯାୟୀ ସୁପ୍ରିମକୋର୍ଟର ବିଚାରପତି ସଂଖ୍ୟା 34ରୁ 38 ହେବ । ଅର୍ଥାତ୍ ଆଉ 4ଜଣ ଜଷ୍ଟିସ୍ ନିଯୁକ୍ତ ହୋଇପାରିବେ। କେସ୍ ପେଣ୍ଡେନ୍ସି କମାଇବା ପାଇଁ ସରକାର ଏ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଓଡ଼ିଶା ହାଇକୋର୍ଟର ସ୍ଥିତି ସାଙ୍ଗାତିକ, କେସ୍ ସଂଖ୍ୟା ବଢୁଛି, ଆଉ ଜଷ୍ଟିସଙ୍କ ସଂଖ୍ୟା କମୁଛି । ୩୭ ଜଣ ଜଷ୍ଟିସଙ୍କ ବଦଳରେ କାମ କରୁଛନ୍ତି ୧୭ ଜଣ,ଅଧାରୁ ବି କମ୍ ଜଷ୍ଟିସରେ ଓଡ଼ିଶାର ହାଇକୋର୍ଟ ଚାଲିଛି ।

ଓଡ଼ିଶାରେ ଯେତିକି ଦରକାର ତାର ଅଧା ଜଷ୍ଟିସ୍ ତ ନାହାନ୍ତି । ଅଗଷ୍ଟ 8 ତାରିଖରେ କେନ୍ଦ୍ର ସରକାର ଏକକାଳୀନ ୩୦ଜଣ ବିଚାରପତିଙ୍କୁ ନିଯୁକ୍ତି ଦେଲେ । ମାଡ୍ରାସା ହାଇକୋର୍ଟକୁ ସର୍ବାଧିକ 15 ଜଣ, କଲିକତା ହାଇକୋର୍ଟକୁ 8 ଜଣ, କର୍ଣ୍ଣାଟକ ହାଇକୋର୍ଟକୁ 6 ଜଣ ଏବଂ ମଧ୍ୟପ୍ରଦେଶ ହାଇକୋର୍ଟକୁ ଜଣେ ଜଷ୍ଟିସ ଆପଏଣ୍ଟ ହେଲେ । କିନ୍ତୁ ଓଡ଼ିଶା ଭାଗରେ ଜଣେ ବି ଜଷ୍ଟିସ୍ ପଡ଼ିଲେ ନାହିଁ । ଖାଲି ପଡ଼ିଥିବା ପୋଷ୍ଟ ପୂରଣ ହେବ କଣ ଓଲଟା ଦୁଇ ଜଣଙ୍କୁ ବାହାରକୁ ପଠା ହେବ। ଅଧାରୁ ବି କମ୍ ଜଷ୍ଟିସରେ ଓଡ଼ିଶାର ହାଇକୋର୍ଟ ଚାଲିଛି ।ଓଡ଼ିଶା ହାଇକୋର୍ଟରେ ସାଙ୍କସନ୍ ଜଷ୍ଟିସଙ୍କ ସଂଖ୍ୟା 37, 33 ପରମାନେଣ୍ଟ ଏବଂ 4 ଆଡିସନାଲ ଜଷ୍ଟିସ ପୋଷ୍ଟ ଅଛିମାତ୍ର ଏବେ ଅଛନ୍ତି 17 ଜଣ 2026 ନୂଆବର୍ଷ ଜାନୁଆରୀ 1 ତାରିଖରେ ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ସଙ୍ଗମ ସାହୁ ପାଟନା ହାଇକୋର୍ଟକୁ ମୁଖ୍ୟ ବିଚାରପତି ଭାବେ ବଦଳି ହେଲେ, ତାଙ୍କ ସ୍ଥାନରେ ଅନ୍ୟ କାହାରିକୁ ନିଯୁକ୍ତି ଦିଆଗଲା ନାହିଁ । ଏବେ ପୁଣି ହାଇକୋର୍ଟର ଦୁଇଜଣ ବରିଷ୍ଠ ବିଚାରପତି ଜଷ୍ଟିସ୍ ମାନସ ରଞ୍ଜନ ପାଠକଙ୍କୁ ଗୁଜୁରାଟ ହାଇକୋର୍ଟକୁ ଓ ଜଷ୍ଟିସ୍ କୃଷ୍ଣ ରାମ ମହାପାତ୍ରଙ୍କୁ ଛତିଶଗଡ଼ ହାଇକୋର୍ଟକୁ ବଦଳି ପାଇଁ ସୁପ୍ରିମ୍‌ କୋର୍ଟ କଲେଜିୟମ୍ ସୁପାରିସ୍ କରିଛନ୍ତି ତେଣୁ ଏବେ ଓଡ଼ିଶା ହାଇକୋର୍ଟରେ ରହିବେ ୧୫ ଜଣ ବିଚାରପତିନଭେମ୍ବର 11 ରେ ଜଷ୍ଟିସ ଚିତ୍ତରଞ୍ଜନ ଦାସ ରିଟାୟାର୍ଡ ହେବେନଭେମ୍ବର 15 ରେ ଓଡ଼ିଶା ହାଇକୋର୍ଟର ଚିଫ୍ ଜଷ୍ଟିସ ହରିଶ ଟଣ୍ଡନଙ୍କର କାର୍ଯ୍ୟକାଳ ସରୁଛିଚିଫ୍ ଜଷ୍ଟିସ ପୋଷ୍ଟ ତ ଯାହା ବି ହେଲେ ପୂରଣ ହେବ, କିନ୍ତୁ ବାକି ପୋଷ୍ଟ କଥା କଣ?  ବର୍ତ୍ତମାନ ଓଡ଼ିଶା ହାଇକୋର୍ଟରେ ବିଚାରାଧୀନ ମାମଲା ସଂଖ୍ୟା ୧ ଲକ୍ଷ ୭୦ ହଜାର ୭୦୧ଜଣେ ବିଚାରପତି କଣ ହଜାରରୁ ଅଧିକ କେସ୍ ସମାଧାନ କରିଦେବେ ? ଯଦି ଓଡ଼ିଶାରେ ନୂଆ ବିଚାରପତି ନିଯୁକ୍ତି ଦିଆନଯାଏ ତେବେ ଆଇନ୍ ବ୍ୟବସ୍ଥା ଉପରୁ ଲୋକଙ୍କର ଭରସା ତୁଟିଯିବ ।

ମଧ୍ୟସ୍ଥତା ଆଇନ 2023 : ବିବାଦ ସମାଧାନର ମହୌଷଧି !      

ଦୁଇ ପକ୍ଷଙ୍କ ମଧ୍ୟରେ ଉପୁଜୁଥିବା ବିବାଦର ସମାଧାନ, ମଧ୍ୟସ୍ଥତା ମାଧ୍ୟମରେ କରାଯିବାର ଆବଶ୍ୟକତା ଅଛି କି ? ବିବାଦ ସମାଧାନରେ ଆଇନଜୀବୀଙ୍କ କେଉଁ ଭୂମିକା ରହିବା ଉଚିତ ? ଭାରତର ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ସଦସ୍ୟ ସଞ୍ଜିବ ସାନ୍ୟାଲ କହିଲେଣି ଯେ ଶହେରୁ ଅନେଶତଟି ମଧ୍ୟସ୍ଥତା ପ୍ରକ୍ରିୟା ସଫଳ ହେଉନାହିଁ ଏଥିପାଇଁ ସେ ନ୍ୟାୟିକ ପ୍ରକ୍ରିୟାକୁ ସମୀକ୍ଷା କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ଏ ସମୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା 15 ସେପ୍ଟେମ୍ବର 2023ରେ ପ୍ରଣିତ ମେଡିଏସନ୍ ବା ମଧ୍ୟସ୍ଥତା ଆଇନର ସଫଳତା ସମ୍ପର୍କରେ ବିଚାର କରାଯିବାର ଆବଶ୍ୟକତା ରହିଛି।
ମଧ୍ୟସ୍ଥତା ସ୍ୱେଚ୍ଛାକୃତ, ବାଧ୍ୟତା ମୂଳକ ନୁହେଁ (କେତେକ କମର୍ସିଆଲ ମାମଲା ବ୍ୟତୀତ)
ସିଙ୍ଗାପୁର କନଭେନସନ୍-2019ରେ ଭାରତ ପ୍ରଥମ ରାଷ୍ଟ୍ର ଭାବରେ ସ୍ୱାକ୍ଷର କଲା ପରେ ମେଡିଏସନ୍ ବା ମଧ୍ୟସ୍ଥତା ଆଇନକୁ ନେଇ ଅନେକ ଆଶା କରାଯାଉଥିଲା। ଏହି ଆଇନରେ ମଧ୍ୟସ୍ଥତାକୁ ସମ୍ପୂର୍ଣ୍ଣ ଭାବେ ସ୍ୱେଚ୍ଛାକୃତ ବୋଲି ବିବେଚନା କରାଯାଇଛି । ଅର୍ଥାତ୍ କୌଣସି ବ୍ୟକ୍ତି ମଧ୍ୟସ୍ଥତାକୁ ବାଧ୍ୟତା ମୂଳକ ଭାବେ ଗ୍ରହଣ କରିବାର ଆବଶ୍ୟକତା ନାହିଁ । ପୂର୍ବରୁ ଦେୱାନୀ ଓ କମର୍ସିଆଲ ବିବାଦ ପାଇଁ, ନିର୍ଦ୍ଧିଷ୍ଟ ମୂଲ୍ୟର ବିବାଦ ନିମନ୍ତେ ମଧ୍ୟସ୍ଥତା ବାଧ୍ୟତା ମୂଳକ ଥିଲା। ଯାହାର ଫଳସ୍ୱରୂପ, ଯେଉଁ ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟ ଅର୍ଥାତ୍ କମ୍ ସମୟ ମଧ୍ୟରେ କମର୍ସିଆଲ ବିବାଦ ଗୁଡ଼ିକର ସମାଧାନ ପାଇଁ କମର୍ସିଆଲ କୋର୍ଟ ଆଇନ ପ୍ରଣୟନ କରାଯାଇଥିଲା, ସେଗୁଡ଼ିକର ସମାଧାନ ପାଇଁ ମଧ୍ୟସ୍ଥତାକୁ ବାଧ୍ୟତା ମୂଳକ କରିବା ଫଳରେ ଦୀର୍ଘ ବର୍ଷ ଧରି କମର୍ସିଆଲ ବିବାଦ ଗୁଡ଼ିକ ମଧ୍ୟ ସଠିକ୍ ସମୟରେ ସମାଧାନ ହୋଇ ପାରୁନାହିଁ ।

ସମୟ ସୀମା : ମୂଳ 120 ଦିନ + ଅତିରିକ୍ତ 60 ଦିନ (ସମ୍ମତି ଅନୁସାରେ)
ସଠିକ୍ ସମୟରେ ମଧ୍ୟସ୍ଥତାକୁ ଶେଷ କରିବା ଲାଗି ନୂଆ ଆଇନରେ 120 ଦିନର ସମୟ ସୀମା ଧାର୍ଯ୍ୟ କରାଯାଇଛି କିନ୍ତୁ ଉଭୟ ପକ୍ଷର ସମ୍ମତି କ୍ରମେ ଏହି ସମୟ ସୀମା ମଧ୍ୟ ଆଉ 60 ଦିନ ବୃଦ୍ଧି କରା ଯାଇପାରେ କେଉଁ ମାମଲା ଗୁଡ଼ିକ ମଧ୍ୟସ୍ଥତାର ଅନ୍ତର୍ଭୁକ୍ତ ନୁହେଁ ସେଥିପାଇଁ ଏହି ଆଇନରେ ଗୋଟିଏ ତାଲିକା ପ୍ରସ୍ତୁତ କରାଯାଇଛି।
ଅପରାଧିକ, ଟ୍ୟାକ୍ସ, ପରିବେଶ, ଜମି ଅଧିଗ୍ରହଣ ମାମଲାକୁ ବାଦ
ଅପରାଧ ମୂଳକ ବିବାଦ କିମ୍ବା କୌଣସି ସରକାରୀ କିମ୍ବା ଆଇନତଃ ଅଧିକୃତ କର୍ତ୍ତୃପକ୍ଷଙ୍କ ନିକଟରେ ଥିବା ବିବାଦ କିମ୍ବା କୌଣସି ବିବାଦ ଯେଉଁଥିରେ ତୃତୀୟ ପକ୍ଷର ଅଧିକାରର ଉଲ୍ଲଙ୍ଘନ ହେବ, ସେଗୁଡ଼ିକୁ ଏହି ମଧ୍ୟସ୍ଥତା ଆଇନର ପରିଧିରୁ ବାଦ୍ ଦିଆଯାଇଛି। ପରିବେଶ ସମ୍ପର୍କୀୟ ମାମଲା, ଟିକସ ସମ୍ପର୍କୀୟ ମାମଲା, ଇଲେକ୍ଟ୍ରିସିଟି ସମ୍ପର୍କୀୟ ଓ ଜମି ଅଧିଗ୍ରହଣ ସମ୍ପର୍କୀୟ ମାମଲା ଗୁଡ଼ିକୁ ମଧ୍ୟସ୍ଥତା ଅଯୋଗ୍ୟ ବିବାଦ ବୋଲି ଏହି ଆଇନରେ ଉଳ୍ଲେଖ କରାଯାଇଛି।
ଲୋକ ଅଦାଲତରେ ଲାଗୁ ନୁହେଁ
ଏହି ଆଇନ ଲୋକ ଅଦାଲତ କିମ୍ବା ଚିରସ୍ଥାୟୀ ଲୋକ ଅଦାଲତରେ କୌଣସି ବିଚାର କ୍ଷେତ୍ରରେ ଲାଗୁ ହେବନାହିଁ କିନ୍ତୁ ଏହି ନୂଆ ଆଇନକୁ ଅଧିକ ବିଶ୍ୱସନୀୟ କରିବା ପାଇଁ ସରକାରୀ ବିବାଦ ଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା ପାଇଁ ସଂସଦୀୟ କମିଟି ଦେଇଥିବା ପ୍ରସ୍ତାବକୁ ଏହି ଆଇନରେ ଆଂଶିକ ଭାବରେ ଗ୍ରହଣ କରାଯାଇଛି
ଏହି ଆଇନ କେବଳ ସରକାରଙ୍କ ବାଣିଜ୍ୟିକ ବିବାଦ ଗୁଡ଼ିକର ସମାଧାନ କ୍ଷେତ୍ରରେ ବ୍ୟବହାର କରାଯାଇ ପାରିବ କୋର୍ଟ କିମ୍ବା ଟ୍ରିବ୍ୟୁନାଲ୍ ଚାହିଁଲେ କୌଣସି ମାମଲାକୁ ମଧ୍ୟ ମକଦ୍ଦମାର ଶୁଣାଣୀର ଯେ କୌଣସି ସମୟରେ ଏହାକୁ ମଧ୍ୟସ୍ଥତା ଆଇନ 2023କୁ ବ୍ୟବହାର କରି ମଧ୍ୟସ୍ଥତା ପାଇଁ ପଠାଇ ପାରିବେ ସେ କ୍ଷେତ୍ରରେ କୋର୍ଟ ଗୁଡ଼ିକ ମଧ୍ୟ ଅନ୍ତରୀଣ ଆଦେଶ ନେଇ କୌଣସି ପକ୍ଷରୁ ଏହି ମଧ୍ୟସ୍ଥତାକୁ ମାନି ନେବା ପାଇଁ ବାଧ୍ୟ କରିପାରିବେ ନାହିଁ। ଏହି ଆଇନ୍ ଅନୁଯାୟୀ ଭାରତରେ ଗୋଟାଏ ମଧ୍ୟସ୍ଥତା ପରିଷଦ ଓ ରାଜ୍ୟସ୍ତରରେ ମଧ୍ୟ ମଧ୍ୟସ୍ଥତା ପରିଷଦ ଗଠନର ପରିକଳ୍ପନାକୁ ସ୍ଥାନ ଦିଆଯାଇଛି ।

ବିଦେଶୀ ମଧ୍ୟସ୍ଥିଙ୍କ ପାଇଁ ନିର୍ଦ୍ଧିଷ୍ଟ ଶିକ୍ଷାଗତ ଯୋଗ୍ୟତା
ମଧ୍ୟସ୍ଥତା ଆଇନ, 2023 ଅନୁଯାୟୀ, ଜଣେ ଭାରତୀୟ ମଧ୍ୟସ୍ଥି ଭାବରେ କାର୍ଯ୍ୟ କରିପାରିବେ, କିନ୍ତୁ ବିଦେଶୀ ମଧ୍ୟସ୍ଥିଙ୍କ ପାଇଁ ନିର୍ଦ୍ଧିଷ୍ଟ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ ଏହି ଆଇନ ଅନୁଯାୟୀ ମଧ୍ୟସ୍ଥତା ସେବା ପ୍ରଦାନ କରୁଥିବା ଏକ ମେଡିଏସନ୍ ସର୍ଭିସ ପ୍ରୋଭାଇଡର ଥାଏ ଯେଉଁଠାରେ ବିବାଦର ସମାଧାନ ପାଇଁ ଉଭୟ ପକ୍ଷ ସହଯୋଗ କରିଥାନ୍ତି। ମଧ୍ୟସ୍ଥତା ସ୍ୱେଚ୍ଛାମୂଳକ ହେବା ଦରକାର ଓ ତାହା ଲିଖିତ ଆକାରରେ ହେବ ମଧ୍ୟସ୍ଥିଙ୍କୁ ମଧ୍ୟ ବିବାଦ ସହ ନିଜ ସ୍ୱାର୍ଥ ନଥିବା ବିଷୟରେ ଲିଖିତ ଘୋଷଣା ଦେବାକୁ ପଡିବ।
180 ଦିନ ମଧ୍ୟରେ ଅପିଲ/ଚ୍ୟାଲେଞ୍ଜ
ମଧ୍ୟସ୍ଥତାର ଫଳାଫଳ ଏକ ଚୁକ୍ତିନାମା ଭାବରେ ବିଚାର ହେବ ଓ ଏହାକୁ କୋର୍ଟର ଡିଗ୍ରୀ ବା ଜଜମେଣ୍ଟ ଭାବରେ ମାନ୍ୟତା ମିଳିପାରିବ। ଏହି ଚୁକ୍ତିନାମା କେବଳ ଠକେଇ, ଦୁର୍ନୀତି ବା ଅଯୋଗ୍ୟତା ଆଧାରରେ 180 ଦିନ ମଧ୍ୟରେ ଚ୍ୟାଲେଞ୍ଜ କରିହେବ।
ଆଇନ କାର୍ଯ୍ୟକାରିତା ନିରୀକ୍ଷଣ ସଂସ୍ଥା ଆବଶ୍ୟକତା
ଏହି ଆଇନ ଗୋଷ୍ଠୀଗତ ବିବାଦ (ଅଞ୍ଚଳ, ପରିବାର ବିବାଦ) ପାଇଁ ମଧ୍ୟ ସମ୍ମାନିତ ବ୍ୟକ୍ତି ବା ନିରପେକ୍ଷ ମଧ୍ୟସ୍ଥି ଦ୍ୱାରା ସମାଧାନର ଅବଧାନ ରଖେ। 15 ସେପ୍ଟେମ୍ବର 2023ରେ ଗେଜେଟରେ ପ୍ରକାଶିତ ହେଲେ ମଧ୍ୟ, ଏହାର କାର୍ଯ୍ୟକାରିତା ଉପରେ ସରକାର ଯଥେଷ୍ଟ ଧ୍ୟାନ ଦେଉନାହାନ୍ତି। ଫଳରେ, ଏହାର ସୁଫଳ ସାଧାରଣ ଲୋକଙ୍କ ପାଖରେ ପହଞ୍ଚୁନାହିଁ। ଅନ୍ୟ ଦେଶ ଗୁଡିକ ଯେପରି ଆଇନର କାର୍ଯ୍ୟକାରିତା ଉପରେ ନିରୀକ୍ଷଣ କରୁଥାନ୍ତି, ଭାରତରେ ମଧ୍ୟ ସେଭଳି ସଂସ୍ଥାର ଆବଶ୍ୟକ।
ଏ ଲେଖାଟି -ବିଭୁପ୍ରସାଦ ତ୍ରିପାଠୀ
(ବରିଷ୍ଠ ଆଇନଜୀବୀ, ଓଡ଼ିଶା ହାଇକୋର୍ଟ)