କାହା କବଜାରେ କୋଟିଆ:SIR ପରେ ବି ଡବଲ୍ ଭୋଟ୍

କୋଟିଆକୁ କବ୍‌ଜା କରିବାକୁ ଆନ୍ଧ୍ରର ନୂଆ ଚାଲ୍। ନଭେମ୍ବର ୨୯ରେ ସରପଞ୍ଚ ନିର୍ବାଚନ କରିବ ଆନ୍ଧ୍ରପ୍ରଦେଶ। କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ପୁଣି ଆରମ୍ଭ ହେବ ଶକ୍ତି ପରୀକ୍ଷା। ଜିଲ୍ଲା ପରିଷଦ ନିର୍ବାଚନ ପରେ ଏବେ ସରପଞ୍ଚ ନିର୍ବାଚନ ଜରିଆରେ କୋଟିଆ ଉପରେ ନିଜର ଦବ୍‌ଦବା ଜାହିର କରିବାକୁ ଆନ୍ଧ୍ରର ନୂଆ ରଣନୀତି। ନଭେମ୍ବର ୨୯ରେ ଆନ୍ଧ୍ର କରିବାକୁ ଯାଉଛି ସରପଞ୍ଚ ଓ ୱାର୍ଡସଭ୍ୟ ନିର୍ବାଚନ। ଏଥର ଶତ ପ୍ରତିଶତ ଭୋଟ ହାତେଇବାକୁ ଆନ୍ଧ୍ର ଚଳାଇଛି କସରତ। ଅନ୍ୟପଟେ ଆନ୍ଧ୍ରର ଏହି ନିର୍ବାଚନୀ ଚାଲ୍‌କୁ ପଣ୍ଡ କରିବାକୁ ଓଡ଼ିଶା ମଧ୍ୟ ଆରମ୍ଭ କରିଛି ରଣନୀତି। ଫଳରେ କୋଟିଆକୁ ନେଇ ରାଜନୈତିକ ଛକାପଞ୍ଝା ଏବେ ଆହୁରି ରୋଚକ ହେବାକୁ ଯାଉଛି। ଆସନ୍ତା ୧୬ ତାରିଖରେ ଆନ୍ଧ୍ରପ୍ରଦେଶରେ ସରପଞ୍ଚ ଓ ୱାର୍ଡସଭ୍ୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ୨୦ ତାରିଖରେ ନାମାଙ୍କନ ଏବଂ ୨୪ ତାରିଖରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ନଭେମ୍ବର ୨୯ରେ ମତଦାନ ସହ ଫଳାଫଳ ଘୋଷଣା କରାଯିବ। ଓଡ଼ିଶାର କୋଟିଆ ପଞ୍ଚାୟତକୁ ତିନି ଭାଗରେ ବିଭକ୍ତ କରି ଆନ୍ଧ୍ର ଗଞ୍ଜେଇପଦର, ଫାଟୁସିନେରି ଓ ଫଗୁଣସିନେରି ନାମରେ ପଞ୍ଚାୟତ ଗଠନ କରିଛି। ଏହି ତିନି ପଞ୍ଚାୟତରେ ମଧ୍ୟ ନିର୍ବାଚନ କରାଇବାକୁ ଯୋଜନା ରହିଛି।ନଭେମ୍ବର ୫ ତାରିଖରେ ହୋଇଥିବା ଜିଲ୍ଲା ପରିଷଦ ନିର୍ବାଚନରେ ଓଡ଼ିଶାର ତୀବ୍ର ବିରୋଧ ଯୋଗୁଁ ଆନ୍ଧ୍ରକୁ ଆଶାନୁରୂପ ସଫଳତା ମିଳିନଥିଲା। କୋଟିଆ ଭୋଟରଙ୍କୁ ସାରିକି, କୋଡ଼ାମ ଓ ଟୋନାମ ବୁଥ୍‌କୁ ନେଇ ମତଦାନ କରାଇଥିଲେ ମଧ୍ୟ ଭୋଟ ହାର ଆଶାଠାରୁ କମ୍ ରହିଥିଲା। ତେଣୁ ଏଥର ଭୋଟରଙ୍କୁ ପ୍ରଭାବିତ, ପ୍ରଲୋଭିତ କିମ୍ବା ଭୟଭୀତ କରି ଅଧିକରୁ ଅଧିକ ଭୋଟ ହାତେଇବାକୁ ଆନ୍ଧ୍ର ନୂଆ ରଣନୀତି କରୁଥିବା ଆକଳନ କରାଯାଉଛି।

ଏପରିକି ଓଡ଼ିଶାର ବିରୋଧ ଯଦି ପୂର୍ବଭଳି ଜୋରଦାର ହୁଏ, ତେବେ ମନୋନୟନ ଜରିଆରେ ସରପଞ୍ଚ ଓ ୱାର୍ଡସଭ୍ୟ ଚୟନ କରିବାର ବିକଳ୍ପ ଉପରେ ମଧ୍ୟ ଆନ୍ଧ୍ର ବିଚାର କରିପାରେ। ଅନ୍ୟପଟେ କୋଟିଆବାସୀ ଯଦି ଆନ୍ଧ୍ର ନିର୍ବାଚନରେ ଅଧିକ ସଂଖ୍ୟାରେ ପ୍ରାର୍ଥିପତ୍ର ଦାଖଲ କରନ୍ତି, ତେବେ କିଭଳି ରଣନୀତି ଆପଣାଇବ ଆନ୍ଧ୍ର, ସେନେଇ ମଧ୍ୟ ପ୍ରସ୍ତୁତି ଚାଲିଛି।ଏପଟେ ଆନ୍ଧ୍ରର ଏହି ଯୋଜନାକୁ ପଣ୍ଡ କରିବାକୁ ଓଡ଼ିଶା ମଧ୍ୟ ପୂରା ଦମ୍‌ରେ ପ୍ରସ୍ତୁତି ଚଳାଇଛି। କୋଟିଆର ସୁରକ୍ଷା ପାଇଁ ଓଡ଼ିଶାର ସମସ୍ତ ରାଜନୈତିକ ଦଳ ପୁଣି ଏକାଠି ହେବାର ସୂଚନା ମିଳିଛି। କୋରାପୁଟ ଜିଲ୍ଲାପାଳ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଆନ୍ଧ୍ରର ସରପଞ୍ଚ ନିର୍ବାଚନକୁ ଜୋରଦାର ବିରୋଧ କରାଯିବ। ନିର୍ବାଚନ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ସୁଚିନ୍ତିତ ରଣନୀତି ପ୍ରସ୍ତୁତ କରୁଛି। ଏହି ରାଜନୈତିକ ଛକାପଞ୍ଝା ମଧ୍ୟରେ ଏସ୍‌ଆଇଆର୍‌ର ସ୍ୱଚ୍ଛତାକୁ ନେଇ କଂଗ୍ରେସ ମଧ୍ୟ ପ୍ରଶ୍ନ ଉଠାଇଛି। ଏସ୍‌ଆଇଆର୍‌ ପରେ ଜଣେ ଭୋଟର କିପରି ଦୁଇଟି ରାଜ୍ୟରେ ମତଦାନ କରୁଛନ୍ତି, ତାହାକୁ ନେଇ ଦଳ ପ୍ରଶ୍ନ କରିଛି।

Visited 1 times, 1 visit(s) today
Share this post

Leave A Comment

Your email address will not be published. Required fields are marked *