୨୦୨୭ ପରେ ନୂଆ ଜିଲ୍ଲା ଘୋଷଣା

ନୂଆ ଜିଲ୍ଲା ନିଷ୍ପତ୍ତିରେ ବିଳମ୍ବ । ପୂର୍ବ ସରକାର ଭଳି ନୂଆ ସରକାର ବି ନୂଆ ଜିଲ୍ଲା ଘୋଷଣାକୁ ନେଇ ଦେଇଥିବା ପ୍ରତିଶ୍ରୁତି ପୂରଣରେ ବିଳମ୍ବ କରୁଛନ୍ତି। ଉପନିର୍ବାଚନ ସମୟରେ ପଦମପୁରକୁ ଜିଲ୍ଲା ଘୋଷଣା କରିବାର ପ୍ରତିଶ୍ରୁତି ଦେଇ ନବୀନ ପଟ୍ଟନାୟକ ଠକି ଦେଇଥିଲେ । ନବୀନଙ୍କ ବାପା ବିଜୁ ପଟ୍ଟନାୟକ 13 ରୁ 30 ଜିଲ୍ଲା କରିଥିବା ବେଳେ ନବୀନ କିନ୍ତୁ 24 ବର୍ଷର ଶାସନକାଳ ଭିତରେ ଗୋଟାଏ ବି ଜିଲ୍ଲା ଘୋଷଣା କରିବାକୁ ସମର୍ଥ ହୋଇ ନଥିଲେ । ସେହିପରି  ବିଜେପି ସରକାରକୁ ଆସିବାକୁ ପୂର୍ବରୁ ପ୍ରଚାରରେ ଜିଲ୍ଲା ଘୋଷଣାକୁ ପ୍ରସଙ୍ଗ କରିଥିଲା । ମାତ୍ର ସରକାରକୁ ବର୍ଷେ ପରେ ବିତିଯାଇଥିଲେ ବି ସେ ନେଇ କୌଣସି ପଦକ୍ଷେପ ନିଆଯାଇ ପାରିନାହିଁ । ଉଭୟ ସରକାର ଜିଲ୍ଲା ଗଠନକୁ ନେଇ ଦେଇଥିବା କଥା ରଖିବାରେ ବିଫଳ ହୋଇଛନ୍ତି।

୨୦୨୭ ପରେ ନିଷ୍ପତ୍ତି..
ନୂଆ ଜିଲ୍ଲା, ବ୍ଲକ୍, ତହସିଲ ଏବେ ଘୋଷଣା ହେବନାହିଁ । ୧୬ଟି ଜିଲ୍ଲାକୁ ଭାଙ୍ଗି ୨୮ଟି ନୂଆ ଜିଲ୍ଲା ଗଠନ କରିବାକୁ ଦାବି ହେଉଛି। ବିଜେଡି ଶାସନରେ ଥିବା ବେଳେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବେ ବୋଲି ଘୋଷଣା କରିଥିଲେ ବି କଥା ରଖି ପାରି ନଥିଲେ। ବିଜେପି ନିର୍ବାଚନ ପୂର୍ବରୁ ଜିଲ୍ଲାକୁ ପ୍ରସଙ୍ଗ କରିଥିଲେ ବି ଏଯାବତ ଏନେଇ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଆସନ୍ତା ଦେଢ଼ ବର୍ଷ ପର୍ଯ୍ୟନ୍ତ ଅର୍ଥାତ୍ ମାର୍ଚ୍ଚ, ୨୦୨୭ ପର୍ଯ୍ୟନ୍ତ ରାଜ୍ୟ ସରକାର ଚାହିଁଲେ ବି ନୂଆ ଜିଲ୍ଲା ଗଠନ ନିଷ୍ପତ୍ତି କାର୍ଯ୍ୟକାରୀ କରିପାରିବେ ନାହିଁ। ଡିସେମ୍ବର ୩୧ ସୁଦ୍ଧା ସମସ୍ତ ଜିଲ୍ଲା, ତହସିଲ, ସହରାଞ୍ଚଳ, ଗ୍ରାମପଞ୍ଚାୟତ ଆଦିର ପ୍ରଶାସନିକ ସୀମା ଧାର୍ଯ୍ୟ କରିବାକୁ ଦିଆଯାଇଛି। ଏହି ସମୟରେ ରାଜ୍ୟ ସରକାର ଚାହିଁଥିଲେ ନୂଆ ଜିଲ୍ଲା ଗଠନ କରିପାରିଥାନ୍ତେ। କିନ୍ତୁ ଏଯାଏଁ ପ୍ରକ୍ରିୟା ଆରମ୍ଭ ହୋଇନାହିଁ ।  
       ପୂର୍ବରୁ ୨୮ଟି ଏନ୍‌ଏସି, ୭ଟି ମ୍ୟୁନିସିପାଲିଟି ଏବଂ ଗୋଟିଏ ମହାନଗର ନିଗମ ଘୋଷଣା ହୋଇଛି । ନୂଆ ୱାର୍ଡ, ବ୍ଲକ୍ କିମ୍ବା ତହସିଲ କରିବାକୁ ହେଲେ ତାର ରିପୋର୍ଟ ଓ ନୋଟିଫିକେସନ୍ ଜନଗଣନା ପ୍ରକ୍ରିୟାରେ ସାମିଲ କରିବାକୁ ପଡ଼ିବ । ୨୦୨୬ ଏପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନଗଣନା , ୨୦୨୭ଫେବ୍ରୁଆରି ୧ରୁ ଫେବ୍ରୁଆରି ୨୮ ମଧ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ଜନଗଣନା ସମୟରେ କେଉଁ ଗାଁ, ପଞ୍ଚାୟତ, ବ୍ଲକ୍, ତହସିଲ, ୱାର୍ଡ, ପୌରସଂସ୍ଥା, ଜିଲ୍ଲାରେ କଣ ଅଛି ତାର ଅନୁଧ୍ୟାନ ହେବ । ଜନଗଣନା ପ୍ରକ୍ରିୟା ଶେଷ ହେବା ପରେ ସରକାର ନୂଆ ନିଷ୍ପତ୍ତି ନେବେ । ଏବେ ଆଉ କୌଣସି ନୂଆ ଜିଲ୍ଲା, ତହସିଲ, ବ୍ଲକ୍‌ ଗଠନ ଯୋଜନା ନାହିଁ ବୋଲି ରାଜସ୍ୱ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି

Visited 12 times, 1 visit(s) today
Share this post

Leave A Comment

Your email address will not be published. Required fields are marked *