ଜୟଙ୍କୁ BJP ଟିକେଟ, ପାୱାର ରେସରେ ପଛରେ ରହିବେ କି ପଣ୍ଡା ଫ୍ୟାମିଲି

ନୂଆପଡ଼ା ଉପନିର୍ବାଚନ ପାଇଁ BJPର ପ୍ରାର୍ଥୀ ଘୋଷଣା ସରିଛି । ଜୟ ଢୋଲକିଆଙ୍କୁ  BJP ଟିକେଟ ଦେଇଛି । ୧୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ  ଜୟ ଢୋଲକିଆ ନାମାଙ୍କନ ଦାଖଲ କରିବେ । ଜୟଙ୍କ ପାଇଁ ମାରାଥନ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । ବିଜେପିରୁ ଜୟ, କଂଗ୍ରେସରୁ ଘାସିରାମ ମାଝୀ ପ୍ରାର୍ଥୀ ହୋଇଥିଲା ବେଳେ ବିଜେଡିର ପ୍ରାର୍ଥୀ ଗଣିତ ଛିଡ଼ୁନି । ତେବେ ଗତ ନିର୍ବାଚନରେ ବିଜେପି ଟିକେଟରୁ ଲଢିଥିବା ଅଭିନନ୍ଦନ ପଣ୍ଡାଙ୍କ ରାଜନୈତିକ ଭବିଷ୍ୟତ କଣ ହେବ ତାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ।

ସବୁ ଚର୍ଚ୍ଚାର ଅନ୍ତ ଘଟାଇ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିଛି ବିଜେପି। ସେପ୍ଟେମ୍ବର 8 ତାରିଖରେ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡ଼ା ଆସନ ଖାଲି ପଡ଼ିଛି । ନଭେମ୍ବର 11 ତାରିଖରେ ଏ ସିଟ୍ ପାଇଁ ଉପନିର୍ବାଚନ ହେବ । ରାଜୁ ଢୋଲକିଆ ବିଜୁ ଜନତା ଦଳରୁ ବିଧାୟକ ଥିଲେ, ତାଙ୍କର ଦେହାନ୍ତ ପରେ ପୁଅ ଜୟ ଢୋଲକିଆଙ୍କୁ ଅସ୍ତ୍ର କରି ନିର୍ବାଚନ ପାର ହେବାର ସ୍ୱପ୍ନ ଦେଖିଥିଲା ବିଜେଡି । ମାତ୍ର ଅକ୍ଟୋବର ୧୧ ତାରିଖରେ ନୂଆପଡ଼ା ରାଜନୀତିରେ ଏକ ବଡ଼ ହଟଚମଟ ଦେଖିବାକୁ ମିଳିଥିଲା। ନୂଆପଡ଼ା ଉପନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହେବାକୁ ଆଶା ବାନ୍ଧି ପ୍ରଚାର କରୁଥିବା ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ‌ଢୋଲକିଆ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ବିଜେପିରେ ଯୋଗ ଦେଇଥିଲେ। ନୂଆପଡ଼ା ଉପନିର୍ବାଚନରେ ଜୟଙ୍କୁ ପ୍ରାର୍ଥୀ କରିବାକୁ ବିଜେଡି ଏକପ୍ରକାର ନିଶ୍ଚିତ କରିଥିଲା ଓ କେବଳ ଘୋଷଣା ବାକି ଥିଲା। କିନ୍ତୁ ଜୟ ଶଙ୍ଖ ଶିବିର ଛାଡ଼ି ପଦ୍ମ ଧରିଥିଲେ। ବିଜେପିରେ ସେ ମିଶିବା ଦିନଠୁ ହିଁ ତାଙ୍କୁ ଟିକେଟ ମିଳିବା ନେଇ ଅନୁମାନ କରାଯାଉଥିଲା । ଯାହା ସତରେ ପରିଣତ ହୋଇଛି । ବସନ୍ତ ପଣ୍ଡାଙ୍କ ମାନଭଞ୍ଜନ କରିବାରେ ସଫଳ ହୋଇଛି ବିଜେପି। ସେ ସିଟରୁ 2024 ନିର୍ବାଚନରେ ବସନ୍ତଙ୍କ ପୁଅ ଅଭିନନ୍ଦନ ପଣ୍ଡା ପ୍ରତିଦ୍ୱନ୍ଦିତା କରିଥିଲା ବେଳେ ଉପନିର୍ବାଚନରେ ବିଜେପି ଟିକେଟରୁ ଲଢିବେ ଦିବଂଗତ ବିଜେଡି ବିଧାୟକ ରାଜୁ ଢୋଲକିଆଙ୍କ ପୁଅ ଜୟ ଢୋଲକିଆ।

ନୂଆପଡ଼ାରେ ପ୍ରାର୍ଥୀ ଘୋଷଣାରେ ସବୁଠୁ ଆଗରେ ରହିଛି କଂଗ୍ରେସ। 2024 ନିର୍ବାଚନରେ ସ୍ୱାଧୀନ ଭାବେ ଲଢି ଦୁଇ ନମ୍ବରରେ ଥିବା  ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ନୂଆପଡ଼ାର 2024 ଇଲେକ୍ସନ୍ ରେଜଲ୍ଟ ଅନୁସାରେ ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ 61,822 ଭୋଟ୍ ମିଳିଥିଲା ବେଳେ ସ୍ୱାଧୀନ ପ୍ରାର୍ଥୀ ଘାସିରାମଙ୍କୁ 50,941 ଭୋଟ୍ ମିଳିଥିଲା । ବିଜେପି ପ୍ରାର୍ଥୀ ଅଭିନନ୍ଦନ ପଣ୍ଡାଙ୍କୁ 44,814 ଭୋଟ୍ ମିଳିଥିଲା ବେଳେ କଂଗ୍ରେସ ପ୍ରାର୍ଥୀ ଶରତ ପଟ୍ଟନାୟକ 15,501  ଭୋଟରେ ସୀମିତ ଥିଲେ । ସ୍ୱାଧିନ ପ୍ରାର୍ଥୀ ଭାବେ ଘାଷୀରାମ 50 ହଜାରରୁ ଅଧିକ ଭୋଟ୍ ହାତେଇଥିଲା ବେଳେ କଂଗ୍ରେସର ସମର୍ଥନ ତାଙ୍କର ଭୋଟ୍ ବଢେଇପାରେ  । ଅନ୍ୟ ପାର୍ଶ୍ୱରେ ଢୋଲକିଆଙ୍କ ଫ୍ୟାମିଲି ଭୋଟ୍ ସାଙ୍ଗକୁ ସିମ୍ପାଥୀ ଭୋଟ ହାତେଇବେ ଜୟ ଢୋଲକିଆ । ବିଜେପି ସରକାରରେ ଥିବା ହେତୁ ଗତ ନିର୍ବାଚନ ଅପେକ୍ଷା ଏଥର ଭୋଟ୍ ବଢିବାର ସମ୍ଭାବନା ବେଶୀ  । ତେବେ ଏ ପରିସ୍ଥିତିରେ ବିଜେଡି ପ୍ରାର୍ଥୀ ଅଙ୍କ ଛିଡ଼ୁ ନଥିଲା ବେଳେ ନୂଆପଡ଼ା ସିଟ୍ କିଏ ହାତେଇବ ତାକୁ ନେଇ ଚର୍ଚ୍ଚା । ଯଦିବା ସେଠି ବିଜେପି ଜିତୁଛି ତେବେ ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡାଙ୍କ ପଲିଟିକାଲ କ୍ୟାରିୟର କେଉଁ ମୋଡ଼ ନେବ ତାହା ଏବେ ବସନ୍ତ ପଣ୍ଡାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇପାରେ। ନୂଆପଡ଼ାରେ ବିଜେପିର ମଙ୍ଗ ଧରିଥିବା ପଣ୍ଡା ପରିବାର ଢୋଲକିଆ ଫ୍ୟାମିଲିଙ୍କ ଆଗରେ ପାୱାର ରେସରେ ପଛରେ ରହି ଯିବେନି ତ?

Visited 3 times, 1 visit(s) today
Share this post

Leave A Comment

Your email address will not be published. Required fields are marked *