ଲ‘ କଲେଜରେ ନାହାନ୍ତି ଆବଶ୍ୟକୀୟ ଲେକ୍ଚର। ଆଇନ ଶିକ୍ଷାକୁ ଅବହେଳା କରୁଛନ୍ତି ସରକାର।ସରକାର ବଦଳିଲେ ବି ବଦଳୁନି ପରିସ୍ଥିତି ।ଗେଷ୍ଟ ଲେକ୍ଚରରେ ଚାଲିଛି ପାଠପଢା।କୁଳପତିଙ୍କୁ ଛାଡ଼ି ନାହାନ୍ତି ଜଣେ ହେଲେ ପ୍ରଫେସର।ରାଜ୍ୟର ପୁରୁଣା ଲ ୟୁନିଭରସିଟିରେ ସାଙ୍ଘାତିକ ସ୍ଥିତିରେ ଚାଲିଛି ପାଠପଢା। ମହାପୁରୁଷ ମଧୁସୂଦନ ଦାସଙ୍କ ନାଁରେ 1869 ରେ ପ୍ରତିଷ୍ଠା ହୋଇଥିଲା ଲ କଲେଜ୍ । 2021 ଏପ୍ରିଲ 28 ରେ ମଧୁବାବୁଙ୍କ ଜନ୍ମଦିନରେ ୟୁନିଭରସିଟିର ମାନ୍ୟତା ପାଇଲା କଲେଜ। ମାତ୍ର ୟା ପରେ ସ୍ଥିତି ସୁଧୁରିବା ପରିବର୍ତ୍ତେ ବିଗିଡ଼ିବାରେ ଲାଗିଛି। ଅଧ୍ୟାପକ ସଂକଟ ଯୋଗୁ ପଛେଇଛି ପାଠପଢ଼ା । ଆଇନ ଶିକ୍ଷା କ୍ଷେତ୍ରରେ ଓଡ଼ିଶାର ସର୍ବପୁରାତନ ଶିକ୍ଷାନୁଷ୍ଠାନର ଏଭଳି ପରିସ୍ଥିତି ଶିକ୍ଷା ବ୍ୟବସ୍ଥାର ବିକଳ ଚିତର ସାମ୍ନାକୁ ଆଣିଛି । ମଧୁସୂଦନ ଲ ୟୁନିଭରସିଟିରେ ଏଲ୍ଏଲ୍ବିଠୁ ଆରମ୍ଭ କରି ଏଏଲ୍ଏମ୍, ୫ ବର୍ଷିଆ ‘ଇଣ୍ଟିଗ୍ରେଟେଡ୍ ଲ’ ସହ ପିଏଚ୍ଡି ପାଠ୍ୟକ୍ରମ ରହିଛି । ବିଭିନ୍ନ ପାଠ୍ୟକ୍ରମରେ ଥିବା ସିଟ୍ରେ ଶତାଧିକ ଛାତ୍ରଛାତ୍ରୀ ପଢୁଛନ୍ତି । ମାତ୍ର ଛାତ୍ରଛାତ୍ରୀଙ୍କୁ ପଢ଼ାଇବାକୁ ଲେକ୍ଚର ନାହାନ୍ତି ।

ଏପରିକି କୁଳପତିଙ୍କୁ ଛାଡ଼ି ବିଶ୍ବବିଦ୍ୟାଳୟରେ ଜଣେ ହେଲେ ପ୍ରଫେସର୍ ବି ନାହାନ୍ତି। ଯାହାଫଳରେ ପିଏଚ୍ଡି ତଥା ଗବେଷଣା ଆରମ୍ଭ ହୋଇପାରୁନାହିଁ। ସବୁଠୁ ଦୁଃଖର କଥା ହେଉଛି ୟୁନିଭରସିଟି ମାନ୍ୟତାକୁ ୪ ବର୍ଷ ବିତିଲାଣି ତଥାପି ନିଯୁକ୍ତି ହେଇ ପାରୁ ନାହାନ୍ତି ସ୍ଥାୟୀ ଅଧ୍ୟାପକ। ଗେଷ୍ଟ ଲେକ୍ଚରଙ୍କ ଭରସାରେ ଚାଲିଛି ପାଠପଢା।ଆଇନ ଭଳି ଗୁରୁତ୍ତର ଶିକ୍ଷାକୁ ହାଲକାରେ ନେଇ ମାତ୍ରାଧିକ ଅବହେଳା କରୁଛନ୍ତି ସରକାର। ପ୍ରଫେସର,ଲେକ୍ଚରଙ୍କ ଅଭାବରୁ ପାଠପଢାରେ ଉନ୍ନତି ଆସିପାରୁନାହିଁ ।
ଏମିତି ସ୍ଥିତିରେ ଆଇନ ଶିକ୍ଷାର ଅବନତି ହେବାରେ ଲାଗିଛି। ମହାପୁରୁଷ ମଧୁସୂଦନଙ୍କୁ ପରୋକ୍ଷରେ ଅପମାନ ଦେଉଛନ୍ତି ସରକାର। ବିଶ୍ୱବିଦ୍ୟାଳୟ ମାନ୍ୟତା ପରଠୁ କେବଳ କୁଳପତି ଏବଂ କୁଳସଚିବଙ୍କ ନିଯୁକ୍ତି ଛାଡ଼ି ଅନ୍ୟ କୌଣସି ନିଯୁକ୍ତି ହୋଇନାହିଁ। ଜଣେ ହେଲେ ପ୍ରଫେସର୍ ନିଯୁକ୍ତି ପାଇ ନାହାନ୍ତି । ୬ଟି ମଞ୍ଜୁରୀପ୍ରାପ୍ତ ପ୍ରାଧାପକ, ୧୨ଟି ସହଯୋଗୀ ଅଧ୍ୟାପକ ଏବଂ ୩୨ଟି ସହକାରୀ ଅଧ୍ୟାପକ ଭଳି ମୋଟ୍ ୫୦ଟି ପୋଷ୍ଟ ରହିଛି। ଏହି ପଦକୁ ସରକାରୀ ଅନୁମୋଦନ ମିଳିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଯୁକ୍ତି ଦିଆଯାଇନାହିଁ। ସ୍ଥାୟୀ ନିଯୁକ୍ତି ହୋଇ ନ ଥିବାରୁ ୪୦ ଜଣ ଅତିଥି ଅଧ୍ୟାପକଙ୍କ ଭରସାରେ ବିଶ୍ଵବିଦ୍ୟାଳୟରେ ପାଠପଢ଼ା ଚାଲିଛି। ସ୍ଥାୟୀ କୂଳପତି ନଥିବାରୁ ନିଯୁକ୍ତି ପ୍ରକ୍ରିୟା ଅଟକିଛି।

ଏପଟେ କୁଳପତି ତାଙ୍କ ୪ ବର୍ଷ ୬ ମାସ କାର୍ଯ୍ୟକାଳ ମଧ୍ୟରେ ମାତ୍ର ଗୋଟିଏ କ୍ଳାସ୍ ନେଇଥିବା ସୂଚନା । ଅଧ୍ୟାପକ ଅଭାବ ପାଇଁ ପାଠପଢ଼ା ବିଳମ୍ବ ହେଉଥିବାରୁ ୨ ବର୍ଷିଆ ଏଲ୍ଏଲ୍ଏମ୍ ପାଠ୍ୟକ୍ରମ ସରିବାକୁ ୩ ବର୍ଷରୁ ଅଧିକ ସମୟ ଲାଗୁଛି । ୨ ବର୍ଷରେ ଛାତ୍ର ଛାତ୍ରୀମାନେ ସାର୍ଟିଫିକେଟ୍ ପାଇପାରୁ ନାହାନ୍ତି। ଏପରିକି ଅତିଥି ଅଧ୍ୟାପକ ନିଜେ ଗୋଟିଏ ବର୍ଷ ଏଲ୍ ଏଲ୍ଏମ୍ କରି ୨ ବର୍ଷିଆ ଏଲ୍ ଏଲ୍ ଏମ୍ ଛାତ୍ର ଛାତ୍ରୀଙ୍କୁ ପଢ଼ାଉଥିବା ଅଭିଯୋଗ ହେଉଛି । ଛାତ୍ର ଛାତ୍ରୀ ପିଏଚ୍ ଡି ପାଇଁ ଇଚ୍ଛୁକ ଥାଇ ମଧ୍ୟ ଏପରି ସ୍ଥିତି ପାଇଁ ନିରାଶ ହେଉଛନ୍ତି। ସେହିପରି ବିଶ୍ଵବିଦ୍ୟାଳୟରେ ଥିବା ୭୦ଟି ଅଣଶିକ୍ଷକ ପଦବି ମଧ୍ୟରୁ ୬ ଜଣ କର୍ମଚାରୀ ନିୟୋଜିତ ଥିବା ବେଳେ ୬୪ଟି ପଦବି ପୀଙ୍କା ପଡ଼ିଛି। ଖୁବ୍ ଶୀଘ୍ର ପୋଷ୍ଟ ପୂରଣ ନ କଲେ ଅ ଅନୁଷ୍ଠାନ ଆସ୍ଥା ହରେଇ ପାରେ ।