17 ସେପ୍ଟେମ୍ବର 2002, ସଚିବାଳୟର ତୃତୀୟ ମହଲାରେ ବସିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫୋନ୍ ବାଜିଲା, ଉଠାଇଲେ ନବୀନ। ଖବର ଆସିଲା BJDର 6 ସାଂସଦ,ସ୍ୱତନ୍ତ୍ର ଗ୍ରୁପର ମାନ୍ୟତା ଦାବି କରି ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି। ଏପରି ଶୁଣି ଗମ୍ଭୀର ହୋଇଗଲେ ନବୀନ।ଦିଲ୍ଲୀ ଫୋନରେ ମୃଦୁ ଭୂମିକମ୍ପ ହେଲା ଓଡ଼ିଶା ପଲିଟିକ୍ସରେ। ସମସ୍ତେ ଭାବିଲେ ତତ୍କାଳୀନ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟଙ୍କ ନେତୃତ୍ୱରେ BJD ଦି’ ଫାଳ ହେଇଯିବ। ମୁଖ୍ୟମନ୍ତ୍ରୀ ପଦରୁ ହଟିଯିବେ ନବୀନ। କିନ୍ତୁ ସେହି ଫୋନର କିଛି ମିନିଟ ପରେ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ କହିଲେ, “Nothing is wrong. I am in command.”

ସେଥର ଲୋକସଭାରେ…
ତେବେ 2002 ସେପ୍ଟମ୍ବରରେ BJDର ଲୋକସଭା ସଂସଦୀୟ ଦଳରେ ଫାଟ ହୋଇଥିଲା। 10 ସାଂସଦଙ୍କ ମଧ୍ୟରୁ 6 ଜଣ ନବୀନଙ୍କ ନେତୃତ୍ୱକୁ ଚାଲେଞ୍ଜ କରିଥିଲେ। ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ପ୍ରସନ୍ନ ପାଟ୍ଟଶାଣୀ, ପ୍ରଭାତ ସାମନ୍ତରାୟ, କୁମୁଦିନୀ ପଟ୍ଟନାୟକ, ଭର୍ତ୍ତୃହରି ମହତାବ ଏବଂ ଜଗନ୍ନାଥ ମଲ୍ଲିକ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଲେ।ସେମାନେ ପ୍ରକୃତ ବିଜୁ ଜନତା ଦଳ, ବ୍ରଜକିଶୋର ତ୍ରିପାଠୀଙ୍କୁ ହଟାଇ ଭର୍ତ୍ତୃହରି ମହତାବଙ୍କୁ ମୁଖ୍ୟ ସଚେତକ କରିବା ସହ ଅର୍ଜୁନ ସେଠୀଙ୍କ ସ୍ଥାନରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ସଂସଦୀୟ ଦଳ ନେତା କରାଯାଉ। ହେଲେ ତତ୍କାଳୀନ ବାଚସ୍ପତି ମନୋହର ଯୋଷୀ, ବିରୋଧି ପକ୍ଷରେ ଥିବା 4 BJD ସାଂସଦଙ୍କୁ ପ୍ରାଧାନ୍ୟ ଦେଲେ। ଫଳରେ ବ୍ରଜ ତ୍ରିପାଠୀ, ଅର୍ଜୁନ ସେଠୀ, ତ୍ରିଲୋଚନ କାନୁନଗୋ ଏବଂ ପଦ୍ମନାଭ ବେହେରାଙ୍କ ଗ୍ରୁପର ଜିତାପଟ ହୋଇଥିଲା।
ସବୁବେଳେ ସାମନ୍ତରାୟ…
ସେତେବେଳର ବିବାଦର ମୂଳରେ ଥିଲେ, ଅର୍ଜୁନ୍ ଚରଣ ସେଠୀଙ୍କୁ ବିରୋଧ କରିବାରୁ ପ୍ରଭାତ ସାମନ୍ତରାୟ, ଜଗନ୍ନାଥ ମଲ୍ଲିକ ଓ କୁମୁଦିନୀ ପଟ୍ଟନାୟକଙ୍କୁ ଅଗଷ୍ଟ 2002ରେ ଦଳରୁ ନିଲମ୍ବିତ କରାଯାଇଥିଲା। ସେତେବେଳେ ଟାର୍ଗେଟରେ ଥିଲେ BJD ଲୋକସଭା ସଂସଦୀୟ ଦଳର ନେତା ଅର୍ଜୁନ ସେଠୀ, ଆଉ ପ୍ରସଙ୍ଗ ଥିଲା ସଂସଦୀୟ ଦଳର ବୈଠକ କରାଯାଉ। ଆଉ ଏବେ ଟାର୍ଗେଟରେ ଅଛନ୍ତି BJD ରାଜ୍ୟସଭା ସଂସଦୀୟ ଦଳର ନେତା ସସ୍ମିତ୍ ପାତ୍ର। ଆଉ ପ୍ରସଙ୍ଗ ରହିଛି, ୱାକଫ୍ ସଂଶୋଧନ ବିଲରେ BJDର ବିବେକାନୁମୋଦିତ ଭୋଟିଂ। ସେ ସମୟରେ ନବୀନଙ୍କ ପାଇଁ କଣ୍ଟା ହୋଇଥିଲେ ପ୍ରଭାତ ସାମନ୍ତରାୟ ।ଏବେ ଆଉ ଜଣେ ସାମନ୍ତରାୟ, ଅର୍ଥାତ ଦେବାଶିଷଙ୍କ ପାଇଁ ନବୀନଙ୍କ ମାନସପୁତ୍ର କୁହାଯାଉଥିବା ପାଣ୍ଡିଆନ ଅଡ଼ୁଆରେ।

ନାହାଁନ୍ତି ବାଜପେୟୀ
ତେବେ 2002 ସେପ୍ଟେମ୍ବର ମାସର ସ୍ଥିତି ଥିଲା ଭିନ୍ନ। ସେତେବେଳେ ଓଡ଼ିଶାରେ BJP-BJD ମେଣ୍ଟ ସରକାର ଥିଲା। ଆଉ ବାଜପେୟୀ-ଆଡଭାନୀଙ୍କ ପ୍ରିୟ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଥିପାଇଁ ବିଦ୍ରୋହକୁ ଦମନ କରିବାରେ ସଫଳ ହୋଇଥିଲେ ନବୀନ। ଏବେ କିନ୍ତୁ ଚିତ୍ର ସଂପୂର୍ଣ୍ଣ ଅଲଗା। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନାହାଁନ୍ତି,କି BJP-BJD ମଧ୍ୟରେ ମେଣ୍ଟ ନାହିଁ। ବରଂ ବାଜପେୟୀ-ଆଡଭାନୀଙ୍କ ସିଟରେ ଏବେ ମୋଦୀ-ଶାହଙ୍କ ଭଳି ହାର୍ଡକୋର ପଲିଟିସିଆନ୍।

ଫାଟିଯିବ ଶଙ୍ଖ
ଅନ୍ୟପଟେ ପ୍ରଭାତ ତ୍ରିପାଠୀ ନବୀନଙ୍କୁ ମିଛୁଆ ଭାବେ ପ୍ରମାଣିତ କରିଥିଲା ବେଳେ ପ୍ରଫୁଲ୍ଲ ମଲ୍ଲିକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ତାଗିଦ କଲେଣି। BJDର ଏଭଳି ଅବସ୍ଥା ଦେଖି କଂଗ୍ରେସରୁ ଆସି BJD ଟିକେଟରେ ବିଧାୟକ ହୋଇଥିବା ଗଣେଶ୍ୱର ବେହେରା, ସାରଦା ଜେନା, ସାରଦା ନାୟକ, ଯୋଗେଶ ସିଂହ, ଅଧିରାଜ ପାଣିଗ୍ରାହୀଙ୍କ ପରି ନେତା ହୁଏତ ନବୀନଙ୍କୁ ଆଉ ଭରସି ପାରିବେ ନାହିଁ । ସେପଟେ BJDର ଅନେକ ବିଧାୟକ 2029 ନିର୍ବାଚନରେ BJPରେ ନିଜର ଭବିଷ୍ୟତ ସୁରକ୍ଷିତ ଦେଖୁଛନ୍ତି।
ଏଇ ଯେମିତି କେନ୍ଦୁଝର ଜିଲ୍ଲାର 3 BJD ବିଧାୟକ(ବଦ୍ରି ପାତ୍ର, ସନା ମହାକୁଢ଼ ଓ ଅଭିମନ୍ୟୁ ସେଠୀ) ନବୀନଙ୍କ ଅପେକ୍ଷା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ସୁସମ୍ପର୍କରେ ଅଛନ୍ତି । ଏଥିରୁ ବୁଝା ପଡୁଛି BJD ବିଧାୟକଙ୍କ ଉପରେ ନବୀନ ପଟ୍ଟନାୟକଙ୍କ ନିୟନ୍ତ୍ରଣ ହ୍ରାସ ପାଉଛି। ତାହଲେ କଣ 2024 ନିର୍ବାଚନରେ ଓଡ଼ିଶା ଭୋଟରଙ୍କ ଦ୍ୱାରା ପ୍ରତ୍ୟାଖାତ ହେବା ପରେ ଏବେ ନିଜ ଦଳକୁ ବଞ୍ଚାଇବାରେ ନବୀନ ପଟ୍ଟନାୟକ ବିଫଳ ହେବେ !