ଚୋରି ହେବନି ଚାଉଳ-ଗହମ!

ଗରିବ ଲୋକଙ୍କ ପାଇଁ ଦିଆଯାଉଥିବା ଖାଦ୍ୟଶସ୍ୟର ବାଟମାରଣା ରୋକିବା ସହ ବଣ୍ଟନ ବ୍ୟବସ୍ଥାକୁ କଳାବଜାରି ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ‘ସାର୍ଥକ-PDS’ ନାମକ ନୂଆ ଯୋଜନା ଆଣିଛନ୍ତି। ମେ ୨୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଏହି ମେଗା ଯୋଜନାକୁ ଗ୍ରୀନ୍ ସିଗନାଲ୍ ମିଳିଛି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇ କହିଛନ୍ତି ଯେ, ୨୦୨୬ ଏପ୍ରିଲ୍‌ରୁ ୨୦୩୧ ମାର୍ଚ୍ଚ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ଧରି ଏହି ଯୋଜନା କାର୍ଯ୍ୟକାରୀ ହେବ। ଏଥିପାଇଁ ପ୍ରାୟ ୨୫,୫୩୦ କୋଟି ବ୍ୟୟ କରାଯିବ।
ପିଡିଏସ୍‌ର ହେବ ଡିଜିଟାଲ୍‌ ଆଧୁନିକୀକରଣ
‘ସାର୍ଥକ-PDS’ ଅଧୀନରେ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ପ୍ରଯୁକ୍ତିନିର୍ଭର କରାଯିବ। ଭାରତୀୟ ଖାଦ୍ୟ ନିଗମ ଗୋଦାମରୁ ଶସ୍ୟ ବାହାରିବାରୁ ଆରମ୍ଭ କରି ରାସନ୍‌ ଦୋକାନ ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାକୁ ଡିଜିଟାଲାଇଜ୍‌ କରାଯିବ। ପ୍ରତି ଶସ୍ୟ ବସ୍ତାରେ QR କୋଡ୍‌ ଲାଗିବା ସହ ଶସ୍ୟ ପରିବହନ କରୁଥିବା ଗାଡ଼ିରେ GPS ବ୍ୟବସ୍ଥା ରହିବ। ଏହା ଫଳରେ ଶସ୍ୟ କେଉଁଠି ରହିଛି ଓ କେବେ ପହଞ୍ଚୁଛି ତାହା ରିୟଲ୍‌ ଟାଇମ୍‌ରେ ଟ୍ରାକ୍‌ କରାଯିବ।

AI ଦ୍ୱାରା ଚିହ୍ନଟ ହେବେ ପ୍ରକୃତ ହିତାଧିକାରୀ

  • ଏହି ଯୋଜନାରେ ‘ନିର୍ମଳ’, ‘ଆଶା’‘ସକ୍ଷମ’ ନାମରେ ତିନିଟି ପ୍ରଯୁକ୍ତି ଆଧାରିତ ବ୍ୟବସ୍ଥା ରହିଛି।
  • ନିର୍ମଳ ଅଧୀନରେ AI ମାଧ୍ୟମରେ ହିତାଧିକାରୀଙ୍କ ଡାଟାବେସ୍‌ ପ୍ରସ୍ତୁତ ହେବ।
  • ଆଶା ମାଧ୍ୟମରେ ଲୋକଙ୍କ ମତାମତ ସଂଗ୍ରହ କରାଯିବ।
  • ସକ୍ଷମ ଅଧୀନରେ ଶସ୍ୟ ବଣ୍ଟନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଡିଜିଟାଲ୍‌ କରାଯିବ।

ରାଜ୍ୟମାନଙ୍କ ଆର୍ଥିକ ବୋଝ ମଧ୍ୟ କମିବ
ଏହି ଯୋଜନା ମାଧ୍ୟମରେ ଶସ୍ୟ ପରିବହନ ଖର୍ଚ୍ଚ ପାଇଁ ରାଜ୍ୟ ସରକାରମାନଙ୍କୁ କେନ୍ଦ୍ର ସହାୟତା ଦେବ। ଫଳରେ ରାଜ୍ୟମାନଙ୍କ ଉପରେ ଆର୍ଥିକ ଚାପ କମିବ।ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ମାଧ୍ୟମରେ ଦେଶର ୮୦ କୋଟି ଲୋକଙ୍କୁ ଖାଦ୍ୟଶସ୍ୟ ଯୋଗାଯାଉଛି। ‘ସାର୍ଥକ-PDS’ ଆସିବା ପରେ ଏହି ବ୍ୟବସ୍ଥା ଅଧିକ ପାରଦର୍ଶୀ ଓ ଦୁର୍ନୀତିମୁକ୍ତ ହେବ ବୋଲି କେନ୍ଦ୍ର ସରକାର ଆଶା ପ୍ରକାଶ କରିଛନ୍ତି।

Visited 4 times, 1 visit(s) today
Share this post

Leave A Comment

Your email address will not be published. Required fields are marked *