Posts tagged Narendra Modi

ମୋଦୀ ଗ୍ୟାରେଣ୍ଟି ପାଣିର ଗାର

ବିଜେପିରେ କାହା କଥାର ଭାଲ୍ୟୁ ବେଶୀ? ମୋଦୀ-ଶାହ ନା ପୃଥ୍ୱୀରାଜ ହରିଚନ୍ଦନ। ଇଣ୍ଡିଆର ପ୍ରାଇମ୍ ମିନିଷ୍ଟର, ହୋମ୍ ମିନିଷ୍ଟର ନା ଓଡ଼ିଶାର ଲ ମିନିଷ୍ଟର। ରତ୍ନଭଣ୍ଡାରକୁ ନେଇ ବର୍ତ୍ତମାନ ଏମିତି ସବୁ ଚର୍ଚ୍ଚା ସାମ୍ନାକୁ ଆସିଛି । ଇଲେକ୍ସନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳେଇଛି, ବିଜେପି ସରକାରକୁ ଆସିଲେ ରତ୍ନଭଣ୍ଡାରର ଗଣତି ମଣତି ହେବ, ରିପୋର୍ଟ ସାର୍ବଜନୀନ ହେବ । ମାତ୍ର ବିଜେପି ସରକାର ନା ରତ୍ନଭଣ୍ଡାରର ଚାବି ହଜିବା ରିପୋର୍ଟ ସାର୍ବଜନୀନ କଲେ ନା ରତ୍ନଭଣ୍ଡାରର ରତ୍ନ ହିସାବ ଦେଉଛନ୍ତି । ଆଇନ ମନ୍ତ୍ରୀ କହିଲେଣି ରତ୍ନଭଣ୍ଡାରର ରତ୍ନର ହିସାବ ଦିଆଯିବନି।

ମେ 21 2024, କେନ୍ଦୁଝର ନିର୍ବାଚନୀ ସଭାରେ ଅମିତ ଶାହ କହିଲେ କି ବିଜେପି ସରକାରକୁ ଆସିଲେ 100 ଦିନ ଭିତରେ ରତ୍ନଭଣ୍ଡାର ରିପୋର୍ଟ ପ୍ରକାଶ ହେବ, ରତ୍ନଚୋରଙ୍କୁ ଦଣ୍ଡ ଦିଆଯିବ। ରାଉରକେଲା ରାଲିରେ ଘୋଷଣା କଲେ ସରକାରକୁ ଆସିବାର ମାସେ ଭିତରେ ଚାବି ହଜିବା ରିପୋର୍ଟ ସାର୍ବଜନୀନ କରିବ ବିଜେପି । ବିଜେପି ସରକାରକୁ ଆସିବାର ଅଢେଇବର୍ଷ ହେଲାଣି ତଥାପି ସାର୍ବଜନୀନ ହେଉନି ଚାବି ହଜିବା ରିପୋର୍ଟ । 2018 ନଭେମ୍ବର 29 ତାରିଖରୁ ରତ୍ନଭଣ୍ଡାର ଚାବି ହଜିବା ରିପୋର୍ଟ ଦେଇ ସାରିଛନ୍ତି ଜଷ୍ଟିସ ରଘୁବୀର ଦାସ କମିଶନ୍ । ବିଜେଡି ସରକାର ଏ ରିପୋର୍ଟକୁ ସାର୍ବଜନୀନ କରିନଥିଲା । ୟା କୁ ନେଇ ହୋ ହାଲ୍ଲା କରୁଥିବା ବିଜେପି ଏବେ ସରକାରରେ , ତଥାପି ରିପୋର୍ଟ ସାର୍ବଜନିନ ହେଉନି । ଯୋଉ ରତ୍ନଭଣ୍ଡାର ଗଣତି ମଣତି ହେଉନି ବୋଲି କେନ୍ଦ୍ର ନେତୃତ୍ୱ ଟାର୍ଗେଟ କରୁଥିଲେ, ଏବେ ରତ୍ନଭଣ୍ଡାର ରତ୍ନ ହିସାବ ଦିଆ ଯିବନି ବୋଲି କହିଲେଣି ରାଜ୍ୟ ଆଇନମନ୍ତ୍ରୀ। ଏବେ ଦେଖିବା ବାକି ରହିଲା ବିଜେପିରେ କାହା ପଲ୍ଲା ଭାରି, ମୋଦୀ-ଶାହ ନା ପୃଥ୍ୱୀରାଜ ହରିଚନ୍ଦନ?

ଚୋରି ହେବନି ଚାଉଳ-ଗହମ!

ଗରିବ ଲୋକଙ୍କ ପାଇଁ ଦିଆଯାଉଥିବା ଖାଦ୍ୟଶସ୍ୟର ବାଟମାରଣା ରୋକିବା ସହ ବଣ୍ଟନ ବ୍ୟବସ୍ଥାକୁ କଳାବଜାରି ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ‘ସାର୍ଥକ-PDS’ ନାମକ ନୂଆ ଯୋଜନା ଆଣିଛନ୍ତି। ମେ ୨୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଏହି ମେଗା ଯୋଜନାକୁ ଗ୍ରୀନ୍ ସିଗନାଲ୍ ମିଳିଛି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇ କହିଛନ୍ତି ଯେ, ୨୦୨୬ ଏପ୍ରିଲ୍‌ରୁ ୨୦୩୧ ମାର୍ଚ୍ଚ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ଧରି ଏହି ଯୋଜନା କାର୍ଯ୍ୟକାରୀ ହେବ। ଏଥିପାଇଁ ପ୍ରାୟ ୨୫,୫୩୦ କୋଟି ବ୍ୟୟ କରାଯିବ।
ପିଡିଏସ୍‌ର ହେବ ଡିଜିଟାଲ୍‌ ଆଧୁନିକୀକରଣ
‘ସାର୍ଥକ-PDS’ ଅଧୀନରେ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ପ୍ରଯୁକ୍ତିନିର୍ଭର କରାଯିବ। ଭାରତୀୟ ଖାଦ୍ୟ ନିଗମ ଗୋଦାମରୁ ଶସ୍ୟ ବାହାରିବାରୁ ଆରମ୍ଭ କରି ରାସନ୍‌ ଦୋକାନ ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାକୁ ଡିଜିଟାଲାଇଜ୍‌ କରାଯିବ। ପ୍ରତି ଶସ୍ୟ ବସ୍ତାରେ QR କୋଡ୍‌ ଲାଗିବା ସହ ଶସ୍ୟ ପରିବହନ କରୁଥିବା ଗାଡ଼ିରେ GPS ବ୍ୟବସ୍ଥା ରହିବ। ଏହା ଫଳରେ ଶସ୍ୟ କେଉଁଠି ରହିଛି ଓ କେବେ ପହଞ୍ଚୁଛି ତାହା ରିୟଲ୍‌ ଟାଇମ୍‌ରେ ଟ୍ରାକ୍‌ କରାଯିବ।

AI ଦ୍ୱାରା ଚିହ୍ନଟ ହେବେ ପ୍ରକୃତ ହିତାଧିକାରୀ

  • ଏହି ଯୋଜନାରେ ‘ନିର୍ମଳ’, ‘ଆଶା’ ଓ ‘ସକ୍ଷମ’ ନାମରେ ତିନିଟି ପ୍ରଯୁକ୍ତି ଆଧାରିତ ବ୍ୟବସ୍ଥା ରହିଛି।
  • ‘ନିର୍ମଳ’ ଅଧୀନରେ AI ମାଧ୍ୟମରେ ହିତାଧିକାରୀଙ୍କ ଡାଟାବେସ୍‌ ପ୍ରସ୍ତୁତ ହେବ।
  • ‘ଆଶା’ ମାଧ୍ୟମରେ ଲୋକଙ୍କ ମତାମତ ସଂଗ୍ରହ କରାଯିବ।
  • ‘ସକ୍ଷମ’ ଅଧୀନରେ ଶସ୍ୟ ବଣ୍ଟନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଡିଜିଟାଲ୍‌ କରାଯିବ।

ରାଜ୍ୟମାନଙ୍କ ଆର୍ଥିକ ବୋଝ ମଧ୍ୟ କମିବ
ଏହି ଯୋଜନା ମାଧ୍ୟମରେ ଶସ୍ୟ ପରିବହନ ଖର୍ଚ୍ଚ ପାଇଁ ରାଜ୍ୟ ସରକାରମାନଙ୍କୁ କେନ୍ଦ୍ର ସହାୟତା ଦେବ। ଫଳରେ ରାଜ୍ୟମାନଙ୍କ ଉପରେ ଆର୍ଥିକ ଚାପ କମିବ।ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ମାଧ୍ୟମରେ ଦେଶର ୮୦ କୋଟି ଲୋକଙ୍କୁ ଖାଦ୍ୟଶସ୍ୟ ଯୋଗାଯାଉଛି। ‘ସାର୍ଥକ-PDS’ ଆସିବା ପରେ ଏହି ବ୍ୟବସ୍ଥା ଅଧିକ ପାରଦର୍ଶୀ ଓ ଦୁର୍ନୀତିମୁକ୍ତ ହେବ ବୋଲି କେନ୍ଦ୍ର ସରକାର ଆଶା ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ନୂଆ ଅଫିସ

ସ୍ୱାଧୀନ ଭାରତରେ ପ୍ରଥମ ଥର ପାଇଁ ବଦଳିବାକୁ ଯାଉଛି ପ୍ରଧାନମନ୍ତ୍ରୀଙ୍କ ଅଫିସ୍ ଠିକଣା। ପୁରୁଣା ଅଫିସ ବଦଳରେ ନୂଆ ଅଫିସରେ କାମ ଚାଲିବ। ପ୍ରଧାନମନ୍ତ୍ରୀଙ୍କ ଏହି ନୂଆ କାର୍ଯ୍ୟାଳୟ ସେବା ତୀର୍ଥ ଭାବେ ପରିଚିତ ହେବ। ଯାହାକି ରାଷ୍ଟ୍ରପତି ଭବନ ନିକଟରେ ନିର୍ମାଣ କରାଯାଇଛି। ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟରେ ପ୍ରଧାନମନ୍ତ୍ରୀଙ୍କ ଏହି ନୂଆ କାର୍ଯ୍ୟାଳୟ କାମ ଶେଷ ହୋଇଛି।ପ୍ରଧାନମନ୍ତ୍ରୀଙ୍କ ଏହି ନୂଆ କାର୍ଯ୍ୟାଳୟରେ କ୍ୟାବିନେଟ୍ ସଚିବାଳୟ ସହିତ ନ୍ୟାସନାଲ ସିକ୍ୟୁରିଟି କାଉନସିଲ୍ ସେକ୍ରେଟେରିଏଟ୍ ମଧ୍ୟ ରହି । ଏହାସହ ଏଥିରେ ଅନ୍ୟ କିଛି ମନ୍ତ୍ରାଳୟ ମଧ୍ୟ କାମ କରିବ ବୋଲି ଜଣାପଡ଼ିଛି।ଯାହା ତିଆରି କରିବାକୁ ଖର୍ଚ୍ଚ ହୋଇଛି ୧୧୮୯ କୋଟି ।

୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପରଠାରୁ ଭାରତର କ୍ଷମତାର କେନ୍ଦ୍ର ଭାବେ ପରିଚିତ ସାଉଥ୍ ବ୍ଲକ୍‌ରେ ପ୍ରଧାନମନ୍ତ୍ରୀଙ୍କ ଅଫିସ ଥିଲା। ଏ ଅଫିସ୍ ବର୍ତ୍ତମାନ ସେବା ତୀର୍ଥରେ ପରିଣତ ହେବାକୁ ଯାଉଛି। ଲାର୍ସନ୍ ଆଣ୍ଡ୍ ଟୁବ୍ରୋ ଦ୍ୱାରା ନିର୍ମିତ ସମ୍ପୂର୍ଣ୍ଣ “ସେବା ତୀର୍ଥ” କମ୍ପ୍ଲେକ୍ସ ପାଇଁ ପ୍ରାୟ ୧,୧୮୯ କୋଟି ଖର୍ଚ୍ଚ ହୋଇଛି। ଏହାସହ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏକଜିକ୍ୟୁଟିଭ୍ ଏନକ୍ଲେଭ୍ ୧ ପାଖରେ ଏକଜିକ୍ୟୁଟିଭ୍ ଏନକ୍ଲେଭ୍ ୨ର ମଧ୍ୟ ନିର୍ମାଣ କରାଯାଉଛି। ଯେଉଁଠି ପ୍ରଧାନମନ୍ତ୍ରୀଙ୍କ ନୂଆ ସରକାରୀ ବାସଭବନ ରହିବ। ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ଲୋକ କଲ୍ୟାଣ ମାର୍ଗରେ ରହିଛି। ଯାହା ପରିବର୍ତ୍ତନ ହେବ। ଦୀର୍ଘବର୍ଷ ପରେ ଅଫିସର ଠିକଣା ବଦଳାଇବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଅଟଳ ବିହାରୀ ବାଜପେୟୀଙ୍କ ଫୋନ୍ କଲ୍, ମୋଦିଙ୍କୁ କରିଦେଲା ମୁଖ୍ୟମନ୍ତ୍ରୀ

ଅକ୍ଟୋବର 7, ଇଏ ହେଉଛି ସେହି ତାରିଖ ଯେଉଁ ତାରିଖରେ ଗୁଜୁରାଟର CM ସିଟରେ ବସିଥିଲେ ଜଣେ 51 ବର୍ଷିୟ ନେତା । ବିନା ବିଧାୟକରେ ମୁଖ୍ୟମନ୍ତ୍ରୀ ସିଟରେ ବସିଥିବା ଏହି ନେତା ଜଣଙ୍କ ଆଉ କେହି ନୁହନ୍ତି ବରଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କୁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଆସନରେ ବସିବାର 24 ବର୍ଷ ବିତିଗଲାଣି । ତଥାପି ତାଙ୍କର ମୁଖ୍ୟମନ୍ତ୍ରୀ ହେବାର କାହାଣୀରେ ଏବେ ବି ଚାର୍ମ ଅଛି । ଅନ୍ତିମ ସଂସ୍କାରରେ ସେ ଯୋଗ ଦେଲାବେଳେ ଆସିଥିଲା ମୁଖ୍ୟମନ୍ତ୍ରୀ ସିଟର ଅଫର । ତତ୍କାଳିନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଫୋନ୍ କଲ ପରେ ବଦଳି ଯାଇଥିଲା ନରେନ୍ଦ୍ର ମୋଦିଙ୍କ ଭାଗ୍ୟ।

ବାଜପେୟୀଙ୍କ ଭରସା ଜିତିଥିଲେ ମୋଦି
ଗୁଜୁରାଟର ସେ ସମୟର ମୁଖ୍ୟମନ୍ତ୍ରୀ  କେଶୁ ଭାଇ ପଟେଲଙ୍କୁ ହଟେଇ ମୁଖ୍ୟମନ୍ତ୍ରୀ ହୋଇଥିଲେ ନରେନ୍ଦ୍ର ମୋଦି । ଗୁଜୁରାଟରେ 2001 ମସିହାରେ ବଡ଼ ଧରଣର ଭୂମିକମ୍ପରେ ପାଖାପାଖି 20 ହଜାର ଲୋକଙ୍କ ଦେହାନ୍ତ ସାଙ୍ଗକୁ ନିଜ କର୍ତ୍ତବ୍ୟରେ ଅବହେଳା, ବିକାଶରେ ବିଳମ୍ବ ଆଦି କେଶୁଭାଇ ପଟେଲଙ୍କୁ ବ୍ୟାକଫୁଟକୁ ଟାଣିନେଲା । ଜନଅସନ୍ତୋଷକୁ ଏଡ଼ାଇବାକୁ ବାଧ୍ୟ ହୋଇ ଇସ୍ତଫା ଦେଇଥିଲେ କେଶୁଭାଇ ପଟେଲ। ଗାନ୍ଧୀ ଜୟନ୍ତୀରେ ନିଜେ ମୁଖ୍ୟମନ୍ତ୍ରୀ ଆସନରୁ ହଟିଥିଲେ ।
ଆଉ ଏହି ସମୟରେ ଅଟଳ ବିହାରୀ ବାଜପେୟୀଙ୍କ ଭରସା ଜିତିଥିଲେ ମୋଦି।

ଗୁଜୁରାଟ BJPର ବୈଷ୍ଣବ ନେତା ହୋତୀ ସିଂହଙ୍କ ଅନ୍ତିମ ସଂସ୍କାରରେ ଥିଲାବେଳେ ଆସିଥିଲା ଅଟଳଙ୍କ ଫୋନ୍ କଲ୍ । ମୋଦିଙ୍କ ପ୍ରମୋସନ୍ କରି ତାଙ୍କୁ ଦେଇଥିଲେ CM ସିଟର ଗିଫ୍ଟ । ଗାନ୍ଧୀନଗରରେ ପହଞ୍ଚି ସଂନ୍ଧ୍ୟା 6 ଟାରେ ମିଟିଂ ପରେ ନିଆଯାଇଥିଲା ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି। 7 ଅକ୍ଟୋବର 2001ରେ
ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ। ସେତେବେଳେ ସେ ବିଧାୟକ ମଧ୍ୟ  ନଥିଲେ। ମଣିନଗର ବିଧାନସଭା ମଣ୍ଡଳୀରୁ ଉପନିର୍ବାଚନ ଲଢି 2002ରେ ବିଧାୟକ ହେଲେ, ଯାହା ତାଙ୍କ ମୁଖ୍ୟମନ୍ତ୍ରୀ ପଦକୁ ଆଇନଗତ ଭାବେ ମଜବୁତ କରିଥିଲା । ପରେପରେ 2002, 2007 ଓ 2012 ରେ ମଣିନଗରରୁ ତିନିଥର ନିର୍ବାଚନ ଜିତି ବିଧାୟକ ହେବାସହ ମୁଖ୍ୟମନ୍ତ୍ରୀ ମଧ୍ୟ ହୋଛନ୍ତି ମୋଦି। 7 ଅକ୍ଟୋବର 2001ରୁ 22 ମେ 2014 ପର୍ଯ୍ୟନ୍ତ 13 ବର୍ଷ 7 ମାସ ମୁଖ୍ୟମନ୍ତ୍ରୀ ଥିଲେ। ମୋଦିଙ୍କର ମୁଖ୍ୟମନ୍ତ୍ରୀ ହେବାର ଘଟଣା ଏହିପରି ଗଟିଥିଲା । ଯେଉଁଥିରେ ବିନା ନିର୍ବାଚନ ଲଢି ସେ ମୁଖ୍ୟମନ୍ତ୍ରୀ ହୋଇ ପାରିଥିଲେ।

ନବରାତ୍ରିରୁ ନୂଆ GST

ନବରାତ୍ରୀରୁ ଲାଗୁ ହୋଇଛି ନୂଆ GST। ଏଥର ସାମଗ୍ରୀ ଶସ୍ତା ହେବ, ଲୋକଙ୍କ ସଞ୍ଚୟ ବଢିବ। ସେପ୍ଟେମ୍ବର 3 ତାରିଖରେ  GSTକୁ ନେଇ ସରକାର କରିଥିବା ଘୋଷଣା ଲାଗୁ ହୋଇଛି । ଏଥର କେବଳ ତିନିଟି ସ୍ଲାବରେ ଜିଏସଟି ରହିଛି। ପୂର୍ବରୁ ଥିବା 12% ଏବଂ  28% GST ସ୍ଲାବ ହଟିଛି। 5% ଓ 18%, 40% ସ୍ଲାବରେ ମିଳୁଛି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ। ତମାଖୁ ଏବଂ ବିଳାସପୂର୍ଣ୍ଣ ସାମଗ୍ରୀ ପାଇଁ 40% ଜିଏସଟି ଲାଗୁ ହୋଇଛି। ଆଗରୁ  ଲାଇଫ୍ ଇନ୍ସୁରାନ୍ସ ଏବଂ ହେଲଥ ଇନ୍ସୁରାନ୍ସରେ GST  ଦେବାକୁ ପଡ଼ୁଥିଲା ବେଳେ ଏଥିରୁ GST ଛାଡ଼ କରାଯାଇଛି। 33 ପ୍ରକାରର ମେଡିସିନରେ ଦେଉଥିବା GSTରୁ ମୁକ୍ତି ପାଇଛନ୍ତି ରୋଗୀ ।

ସରକାରଙ୍କ ଏ ନିଷ୍ପତ୍ତିରେ ଚାଷୀ ବିଶେଷ ଭାବେ ଉପକୃତ ହେବେ। ଚାଷୀମାନେ ପୂର୍ବରୁ ପାଖାପାଖି 13% ଜିଏସଟି ଦେଉଥିଲା ବେଳେ ଏଥର କେବଳ 5% ଜିଏସଟି ଦେବେ। ଚାଷୀଙ୍କ କାମରେ ଲାଗୁଥିବା ଟ୍ରାକ୍ଟର,ଟ୍ରାକ୍ଟର ଟାୟାର ଏବଂ ବିଭିନ୍ନ ପାର୍ଟସ୍, ଜୈବ-କୀଟନାଶକ,ଚାଷ ଅମଳରେ ବ୍ୟବହୃତ ଉପକରଣ ପାଇଁ ମାତ୍ର 5 %  ଟ୍ୟାକ୍ସ ଦେବାକୁ ପଡ଼ିବ ।
                     ସେହିଭଳି ଚିକିତ୍ସା କ୍ଷେତ୍ରରେ ମହଙ୍ଗା ମାଡ଼ରୁ ଲୋକଙ୍କୁ ମୁକ୍ତି ମିଳିଛି। ସ୍ୱାସ୍ଥ୍ୟ ସାମଗ୍ରୀ ଥର୍ମୋ‌ମିଟର, ମେଡିକାଲ୍‌ ଅକ୍ସିଜେନ୍, ଗ୍ଲୁକୋମିଟର ଆଦି ପାଇଁ ଆଜିଠାରୁ  5% ଟ୍ୟାକ୍ସ । ମଧ୍ୟବିତ୍ତଙ୍କ ସଉକ ପୂରଣ କରିବା ଏଥର ଅଧିକ ସହଜ ହୋଇଛି। ଟିଭି, AC, ମନିଟର ଓ ପ୍ରୋଜେକ୍ଟର, ୱାସିଂ ମେସିନ ଶସ୍ତା ହୋଇଛି । ଆଗରୁ  28 %  ଟ୍ୟାକ୍ସ ଦେବାକୁ ପଡ଼ୁଥିଲା ବେଳେ ଏଥର 10% ଟ୍ୟାକ୍ସ ଆହୁରି କମିଛି । ଏସବୁ ଜିନିଷ ପାଇଁ ମାତ୍ର 18% ଟ୍ୟାକ୍ସ ଦେବାକୁ ପଡ଼ିବ । ସାମ୍ପୁ, ଟୁଥବ୍ରସ୍, ଟୁଥପେଷ୍ଟ, ସାଇକେଲ, ରୋଷେଇ ସାମଗ୍ରୀ, ଚକୋଲେଟ୍, କଫି, ନୁଡଲ୍ସ, ଘିଅ, ଆଜିଠୁ ଶସ୍ତାରେ ମିଳିବ ।
                  ଶିକ୍ଷାକୁ ଗୁରୁତ୍ତ୍ୱ ଦେଇ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ସାମଗ୍ରୀ କ୍ଷେତ୍ରରେ ରେଟ୍ କମିଛି। ମ୍ୟାପ୍, ଚାର୍ଟ, ଗ୍ଲୋବ, ପେନସିଲ୍, ଖାତା ବହି, ରବରରେ ଜିରୋ ଜିଏସଟି। ଏସବୁ ସାମଗ୍ରୀ ଉପରେ ଆଉ ଜିଏସଟି ଦେବାକୁ ପଡ଼ିବ ନାହିଁ। ଯାହାଫଳରେ ଛାତ୍ରଛାତ୍ରୀ ଉପକୃତ ହେବେ। ତେବେ ସବୁ କ୍ଷେତ୍ରରେ ଶସ୍ତା ହୋଇଥିଲା ବେଳେ ହାନିକାରକ ଓ ଅତି ବିଳାସପୂର୍ଣ୍ଣ ସାମଗ୍ରୀ କ୍ଷାତ୍ରରେ ଦର କମିନାହିଁ। ପାନ ମସଲା, ସିଗାରେଟ୍, ଗୁଟଖା, ତମାଖୁ ଦ୍ରବ୍ୟ, ଜର୍ଦା, କୋଲଡ୍ରିଙ୍କସରେ ୪୦% ଟ୍ୟାକ୍ସ ଲାଗିଛି ।