1936 ଏପ୍ରିଲ 28ରେ ମୁକ୍ତିଲାଭ କରିଥିଲା ଓଡ଼ିଶାର ପ୍ରଥମ ସିନେମା ‘ସୀତା ବିବାହ’ । ଓଡ଼ିଆ ଫିଲ୍ମ ଜଗତ ୟା ଭିତରେ 90 ବର୍ଷ ଯାତ୍ରା କରିସାରିଛି। ‘ଦମନ’ ‘ପ୍ରତିକ୍ଷା’ ଭଳି ଫିଲ୍ମ ଦେଶରେ ପ୍ରଶଂସା ସାଉଁଟିବା ସହ ‘ବୋଉ ବୁଟୁ ଭୂତ’ ଭଳି ଫିଲ୍ମ କୋଟି କୋଟି ଟଙ୍କା ରୋଜଗାର କରି ରେକର୍ଡ ଭାଙ୍ଗିଛି । କିନ୍ତୁ ଏସବୁ ଭିତରେ ଦୁଃଖ ହେଉଛି 90 ବର୍ଷରେ ଓଡ଼ିଶାରେ 90 ଟି ସିନେମା ହଲ୍ ନାହିଁ । ସିନେମା ଶିଳ୍ପର ସ୍ଥିତି ଏବେ ଚିନ୍ତାଜନକ ରହିଛି। ଓଡ଼ିଶା ସ୍ୱତନ୍ତ୍ର ଦିବସକୁ 2036ରେ ଶହେ ବର୍ଷ ପୂରିବ । ସମକାଳରେ ଓଡ଼ିଆ ସିନେମାକୁ ମଧ୍ୟ 100 ବର୍ଷ ପୂରିବ, ତାକୁ ନେଇ ସରକାରଙ୍କର କୌଣସି ସ୍ୱତନ୍ତ୍ର ପ୍ରସ୍ତୁତି ନାହିଁ । 1999 ମହାବାତ୍ୟା ବେଳକୁ ଓଡ଼ିଶାରେ 300 ସିନେମା ହଲ ଥିଲା । ବାତ୍ୟାରେ କିଛି କ୍ଷତିଗ୍ରସ୍ତ ହେବା ପରେ ପୁନଃ ମରାମତିକୁ ଧ୍ୟାନ ଦିଆଗଲା ନାହିଁ । ସମୟକ୍ରମେ ଏବେ ଓଡ଼ିଶାରେ ମୋଟ୍ 54ଟି ହଲ୍ ରହିଛି । ହଲର ଅଭାବ ହେତୁ ଅଲଗା ଫିଲ୍ମ ଆସିଲେ ଓଡ଼ିଆ ଫିଲ୍ମ ହଲ୍ରୁ ଉଠିଯାଉଛି ।

ଓଡ଼ିଶାର ପ୍ରଥମ ଫିଲ୍ମ ‘ସୀତାବିବାହ’ ପ୍ରଥମେ ପୁରୀର ଲକ୍ଷ୍ମୀ ଟକିଜରେ ମୁକ୍ତିଲାଭ କରିଥିଲା । ସେଇଠି ହିଁ ପଡ଼ିଥିଲା ଓଡ଼ିଆ ସିନେମାର ମୂଳଦୁଆ । ଯେଉଁ ପୁରୀକୁ ଓଡ଼ିଆ ସିନେମାର ଅନ୍ତୁଡ଼ିଶାଳ କୁହାଯାଏ ସେଠି ଗୋଟାଏ ବି ସିନେମା ହଲ ନାହିଁ । ଓଡ଼ିଶାର ଅନ୍ୟ ଜିଲାର ହଲ ଅଧାରୁ ଅଧିକ ମାଟିରେ ମିଶି ଗଲାଣି । ଅନେକ ହଲ ଏବେ କଲ୍ୟାଣ ମଣ୍ଡପ କିମ୍ବା ଦୋକାନ ପାଲଟିଛି । ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ସେଭଳି ଆକ୍ଟିଭ ନାହିଁ । କଳାକାର, ସଂଘ କାହାରି ଚିନ୍ତା ନାହିଁ । ଓଡ଼ିଆ ସିନେମା ପାଇଁ ସ୍ୱତନ୍ତ୍ର ନିୟମ ମଧ୍ୟ ନାହିଁ । ସରକାର ୨୦୧୯ ମାର୍ଚ୍ଚ ୨ରେ ‘ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ନୀତି-୨୦୧୯’ ଆଣିଥିଲେ । ନୀତିଟି କାର୍ଯ୍ୟକାରୀ ହେବା ଆଗରୁ ୨୦୨୨ ମାର୍ଚ୍ଚ ୩୧ରେ ତା’ର ଅବଧି ସରିଗଲା । ଏବେ ଅନୁଷ୍ଠାନଟି ସମ୍ପୂର୍ଣ୍ଣ ଅଚଳ । ଏମିତିରେ ବି କଳିଙ୍ଗ ଷ୍ଟୁଡିଓକୁ ଘରୋଇ ସଂସ୍ଥାକୁ ଟେକିଦେଇଛନ୍ତି ସରକାର । ଫିଲ୍ମକୁ ନେଇ ସଂଘ ଭିତରେ ଫାଟ ବହୁତ । କିଏ କାହାକୁ କେତେବେଳେ କୋଉଥିରୁ ବ୍ୟାନ୍ କରୁଛି ବୁଝିବା କଷ୍ଟ । ୟା ଭିତରେ ଓଡ଼ିଆ ସିନେମା ପୂର୍ବ ସଫଳତା ଫେରି ପାଇଥିବା ବେଳେ ହଲର ପୁନରୁଦ୍ଧାର ଦାବୀ ହେଉଛି ।