Posts tagged Ollywood

ଦଶହରାରେ ରେକର୍ଡ ରିଲିଜ୍, ମିସ୍ ହେଲେ ବଡ଼ ଷ୍ଟାର୍

ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଦଶହରା ପୂଜା ମାର୍କେଟିଂର ଭଲ ସମୟ । ଏ ସମୟରେ ରିଲିଜ ହେଉଥିବା ଫିଲ୍ମ ବକ୍ସ ଅଫିସରେ ଭଲ ବିଜନେସ୍ କରେ । ଚଳିତ ବର୍ଷ ବି 5ଟି ଓଡ଼ିଆ ଫିଲ୍ମ ରିଲିଜ୍ ହୋଇଛି, କିନ୍ତୁ ସ୍କ୍ରୀନରେ ଅନେକ ନାମୀଦାମୀ କଳାକାରଙ୍କ ସିନେମା ଆସିପାରିନି। ଖାସ୍ କରି ପୂଜା ମାର୍କେଟରେ ଆବସେଣ୍ଟ ଅଛନ୍ତି ଅନୁଭବ ଏବଂ ବାବୁସାନ୍ । ଅନୁଭବଙ୍କ ‘ରାବଣ’ ଏବଂ ବାବୁସାନଙ୍କ ‘ଅନ୍ତର୍ଯ୍ୟାମୀ’, ଏହି ଦୁଇଟି ଫିଲ୍ମକୁ ନେଇ ଦର୍ଶକଙ୍କ ଅପେକ୍ଷା ରହିଥିଲେ ବି ଏଥର ପୂଜା ବଜାରରେ ଏହା ଦେଖିବାକୁ ମିଳିନାହିଁ। କେବଳ ହିରୋ-ହିରୋଇନ୍ ନୁହନ୍ତି, ଅନେକ ଜଣାଶୁଣା ଡିରେକ୍ଟର, ମ୍ୟୁଜିକ୍ ଡିରେକ୍ଟର, ଲିରିସିଷ୍ଟଙ୍କ ଅନୁପସ୍ଥିତି ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।

ମାର୍କେଟରେ ନାହାନ୍ତି ଅନୁଭବ-ବାବୁଶାନ୍
ଓଲିଉଡ ପାଇଁ ଦଶହରା ହେଉଛି ଏକ ବଡ଼ ବ୍ୟବସାୟିକ ଅବସର। ଏହି ସମୟରେ ନିଜ ପ୍ରିୟ କଳାକାରଙ୍କ ଫିଲ୍ମ ଦେଖିବାକୁ ସିନେପ୍ରେମୀ ଅପେକ୍ଷା କରିଥାନ୍ତି। ମଧୁମାଳତୀ, ମୋନଷ୍ଟର, ଡେଞ୍ଜର ଦେବଦାସ, ଗେମ୍ ଓଭର୍ ଓ AWM ଏଥର 5ଟି ଓଡ଼ିଆ ଫିଲ୍ମ ରିଲିଜ୍ ହୋଇଥିଲେ ମଧ୍ୟ ଅନେକ ଲୋକପ୍ରିୟ ଚେହେରାଙ୍କୁ ପରଦାରେ ଦେଖିବାକୁ ମିଳିନାହିଁ।ଅନୁଭବ ମହାନ୍ତି, ବାବୁସାନ, ସିଦ୍ଧାନ୍ତ ମହାପାତ୍ର, ଅରିନ୍ଦମ, ସବ୍ୟସାଚୀ, ବୁଦ୍ଧାଦିତ୍ୟ, ଆକାଶଙ୍କ ଭଳି ଜଣାଶୁଣା ହିରୋଙ୍କ ଫିଲ୍ମ ଏଥର ପୂଜା ମାର୍କେଟରେ ନାହିଁ। ସେହିପରି ଅନୁ ଚୌଧୁରୀ, ବର୍ଷା ପ୍ରିୟଦର୍ଶିନୀ, ଅର୍ଚ୍ଚିତା, ଶିବାନୀ, ପ୍ରିୟା, ରୀୟାଙ୍କ ଭଳି ନାୟିକାଙ୍କୁ ମଧ୍ୟ ଦର୍ଶକ ମିସ୍ କରିଛନ୍ତି।କେବଳ ଅଭିନେତା ଓ ଅଭିନେତ୍ରୀ ନୁହନ୍ତି, ଏଥର ଅନେକ ଜଣାଶୁଣା ନିର୍ଦ୍ଦେଶକଙ୍କ ଫିଲ୍ମ ମଧ୍ୟ ଅନୁପସ୍ଥିତ। ବସନ୍ତ ସାହୁ, ସବ୍ୟସାଚୀ ମହାପାତ୍ର, ହିମାଂଶୁ ପରିଜା, ଅଶୋକ ପତି, ସଞ୍ଜୟ ନାୟକ, ସୁଶାନ୍ତ ମଣି, ତାପସ ସରଘରିଆ ଓ ଅନୁପମ ପଟ୍ଟନାୟକଙ୍କ ଭଳି ନିର୍ଦ୍ଦେଶକଙ୍କ ଚଳଚ୍ଚିତ୍ର ଏଥର ପୂଜା ବଜାରରେ ଦେଖିବାକୁ ମିଳିନାହିଁ। ସେହିପରି ମଳୟ ମିଶ୍ର, ମନ୍ମଥ ମିଶ୍ର, ପ୍ରେମ୍ ଆନନ୍ଦ ଓ ବିକାଶ ଦାସଙ୍କ ଭଳି ସଙ୍ଗୀତ ନିର୍ଦ୍ଦେଶକଙ୍କ ସଙ୍ଗୀତ ଏଥର ପୂଜାରେ ଶୁଣିବାକୁ ମିଳିନାହିଁ। ଡକ୍ଟର ରଜନୀ ରଞ୍ଜନ, ଶଙ୍କର ତ୍ରିପାଠୀ, ଦିଲୀପ ଚୌଧୁରୀ ଓ ମାନସ ପଢ଼ିଆରୀଙ୍କ ଭଳି ସଂଳାପକାରଙ୍କ ଲେଖା ମଧ୍ୟ ଦର୍ଶକଙ୍କୁ ଏଥର ମିଳିନାହିଁ।ତେବେ ଅନ୍ୟପଟେ କିଛି ନୂଆ ଓ ପୁରୁଣା ଚେହେରା ପୂଜା ବଜାରରେ ନିଜର ଉପସ୍ଥିତି ଜାହିର କରିଛନ୍ତି। ରେକର୍ଡ ସଂଖ୍ୟକ ଫିଲ୍ମ ରିଲିଜ୍ ହେବା ଓ ନାମୀଦାମୀ ଷ୍ଟାରଙ୍କ ଅନୁପସ୍ଥିତି ଭିତରେ ଏଥର ଓଡ଼ିଆ ସିନେମାର ପୂଜା ବଜାର କେଉଁ ଦିଗକୁ ଯାଉଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର।

୫୪ ହଲ୍ ଭରସାରେ ଓଡ଼ିଆ ଫିଲ୍ମ

1936 ଏପ୍ରିଲ 28ରେ ମୁକ୍ତିଲାଭ କରିଥିଲା ଓଡ଼ିଶାର ପ୍ରଥମ ସିନେମା ‘ସୀତା ବିବାହ’ । ଓଡ଼ିଆ ଫିଲ୍ମ ଜଗତ ୟା ଭିତରେ 90 ବର୍ଷ ଯାତ୍ରା କରିସାରିଛି। ‘ଦମନ’ ‘ପ୍ରତିକ୍ଷା’ ଭଳି ଫିଲ୍ମ ଦେଶରେ ପ୍ରଶଂସା ସାଉଁଟିବା ସହ ‘ବୋଉ ବୁଟୁ ଭୂତ’ ଭଳି ଫିଲ୍ମ କୋଟି କୋଟି ଟଙ୍କା ରୋଜଗାର କରି ରେକର୍ଡ ଭାଙ୍ଗିଛି । କିନ୍ତୁ ଏସବୁ ଭିତରେ ଦୁଃଖ ହେଉଛି 90 ବର୍ଷରେ ଓଡ଼ିଶାରେ 90 ଟି ସିନେମା ହଲ୍ ନାହିଁ । ସିନେମା ଶିଳ୍ପର ସ୍ଥିତି ଏବେ ଚିନ୍ତାଜନକ ରହିଛି। ଓଡ଼ିଶା ସ୍ୱତନ୍ତ୍ର ଦିବସକୁ 2036ରେ ଶହେ ବର୍ଷ ପୂରିବ । ସମକାଳରେ ଓଡ଼ିଆ ସିନେମାକୁ ମଧ୍ୟ 100 ବର୍ଷ ପୂରିବ, ତାକୁ ନେଇ ସରକାରଙ୍କର କୌଣସି ସ୍ୱତନ୍ତ୍ର ପ୍ରସ୍ତୁତି ନାହିଁ । 1999 ମହାବାତ୍ୟା ବେଳକୁ ଓଡ଼ିଶାରେ 300 ସିନେମା ହଲ ଥିଲା । ବାତ୍ୟାରେ କିଛି କ୍ଷତିଗ୍ରସ୍ତ ହେବା ପରେ ପୁନଃ ମରାମତିକୁ ଧ୍ୟାନ ଦିଆଗଲା ନାହିଁ । ସମୟକ୍ରମେ ଏବେ ଓଡ଼ିଶାରେ ମୋଟ୍ 54ଟି ହଲ୍ ରହିଛି । ହଲର ଅଭାବ ହେତୁ ଅଲଗା ଫିଲ୍ମ ଆସିଲେ ଓଡ଼ିଆ ଫିଲ୍ମ ହଲ୍‌ରୁ ଉଠିଯାଉଛି ।

ଓଡ଼ିଶାର ପ୍ରଥମ ଫିଲ୍ମ ‘ସୀତାବିବାହ’ ପ୍ରଥମେ ପୁରୀର ଲକ୍ଷ୍ମୀ ଟକିଜରେ ମୁକ୍ତିଲାଭ କରିଥିଲା । ସେଇଠି ହିଁ ପଡ଼ିଥିଲା ଓଡ଼ିଆ ସିନେମାର ମୂଳଦୁଆ । ଯେଉଁ ପୁରୀକୁ ଓଡ଼ିଆ ସିନେମାର ଅନ୍ତୁଡ଼ିଶାଳ କୁହାଯାଏ ସେଠି ଗୋଟାଏ ବି ସିନେମା ହଲ ନାହିଁ । ଓଡ଼ିଶାର ଅନ୍ୟ ଜିଲାର ହଲ ଅଧାରୁ ଅଧିକ ମାଟିରେ ମିଶି ଗଲାଣି । ଅନେକ ହଲ ଏବେ କଲ୍ୟାଣ ମଣ୍ଡପ କିମ୍ବା ଦୋକାନ ପାଲଟିଛି । ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ସେଭଳି ଆକ୍ଟିଭ ନାହିଁ ।  କଳାକାର, ସଂଘ  କାହାରି ଚିନ୍ତା ନାହିଁ । ଓଡ଼ିଆ ସିନେମା ପାଇଁ ସ୍ୱତନ୍ତ୍ର ନିୟମ ମଧ୍ୟ ନାହିଁ । ସରକାର ୨୦୧୯ ମାର୍ଚ୍ଚ ୨ରେ ‘ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ନୀତି-୨୦୧୯’ ଆଣିଥିଲେ । ନୀତିଟି କାର୍ଯ୍ୟକାରୀ ହେବା ଆଗରୁ ୨୦୨୨ ମାର୍ଚ୍ଚ ୩୧ରେ ତା’ର ଅବଧି ସରିଗଲା । ଏବେ ଅନୁଷ୍ଠାନଟି ସମ୍ପୂର୍ଣ୍ଣ ଅଚଳ । ଏମିତିରେ ବି କଳିଙ୍ଗ ଷ୍ଟୁଡିଓକୁ ଘରୋଇ ସଂସ୍ଥାକୁ ଟେକିଦେଇଛନ୍ତି ସରକାର । ଫିଲ୍ମକୁ ନେଇ ସଂଘ ଭିତରେ ଫାଟ ବହୁତ । କିଏ କାହାକୁ କେତେବେଳେ କୋଉଥିରୁ ବ୍ୟାନ୍ କରୁଛି ବୁଝିବା କଷ୍ଟ । ୟା ଭିତରେ ଓଡ଼ିଆ ସିନେମା ପୂର୍ବ ସଫଳତା ଫେରି ପାଇଥିବା ବେଳେ ହଲର ପୁନରୁଦ୍ଧାର ଦାବୀ ହେଉଛି ।