ଅପରେସନ୍ ସିନ୍ଦୂର ସମୟରେ ପ୍ରତିଦିନ ଗଣମାଧ୍ୟମକକୁ ସୂଚନା ଦେଉଥିବା ଭାରତୀୟ ସେନାର ଅଧିକାରୀଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ଥିଲେ କର୍ଣ୍ଣେଲ ସୋଫିଆ କ୍ୟୁରେସି । ଗତ ମେ 14 ତାରିଖରେ ମଧ୍ୟପ୍ରଦେଶର ମନ୍ତ୍ରୀ ତଥା BJPର ବରିଷ୍ଠ ନେତା ବିଜୟ ଶାହ, କର୍ଣ୍ଣେଲ ସୋଫିଆ କ୍ୟୁରେସିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ଭୀଷଣ କ୍ଷୁବ୍ଧ ହୋଇଥିଲେ ମଧ୍ୟପ୍ରଦେଶ ହାଇକୋର୍ଟ। ନିଜ ଆଡୁ ସେହି ମାମଲାକୁ ହାତକୁ ନେଇ ବିଜୟ ଶାହଙ୍କ ବିରୁଦ୍ଧରେ ଏଫଆଇଆର ଦାୟର କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟପ୍ରଦେଶ ହାଇକୋର୍ଟ। ସେହିଭଳି ଏଫ୍ ଏମ୍ କଲେଜର ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମଦାହ ଭଳି ସ୍ପର୍ଶକାତର ପ୍ରସଙ୍ଗକୁ ନିଜ ଆଡୁ ଓଡ଼ିଶା ହାଇକୋର୍ଟ ହସ୍ତକ୍ଷେପ କରିବେ କି? ଅନେକ ସମ୍ବେଦନଶୀଳ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଅଥବା ଅନେକ ହାଇକୋର୍ଟ ନିଜ ପକ୍ଷରୁ ହସ୍ତକ୍ଷେପ ନେଉଥିବା ବେଳେ ସୌମ୍ୟଶ୍ରୀ ବିଶିଙ୍କ ଆତ୍ମଦାହ ପ୍ରସଙ୍ଗରେ ହସ୍ତକ୍ଷେପ କରିବେ କି? ଶିକ୍ଷୟିତ୍ରୀ ହେବା ପୂର୍ବରୁ ଜୀବନ ହରାଇଥିବା ଏଜୁକେସନ୍ ବିଭାଗର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ନ୍ୟାୟ ଦେବା ପାଇଁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେବେ କି?

ଫକୀର ମୋହନ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମଦାହକୁ ନେଇ ସାରା ଦେଶ ଚକିତ। ଅଧ୍ୟାପକ ସମୀର ସାହୁଙ୍କ ଅଶାଳୀନ ବ୍ୟବହାର ସୌମ୍ୟାଶ୍ରୀଙ୍କୁ ଜୀବନ ହାରିବାକୁ ବାଧ୍ୟ କରିଛି। ସୋସିଆଲ ମିଡ଼ିଆରେ ଆତ୍ମପ୍ରଚାରରେ ମାତିଥିବା ଓଡ଼ିଶା ସରକାର ସୌମ୍ୟାଶ୍ରୀଙ୍କ ପରିବାରକୁ 20 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେଇ ଦୋଷ ଛଡ଼େଇବା ପାଇଁ ପ୍ରୟାସ କରୁଛନ୍ତି। ଜନ ଅସନ୍ତୋଷକୁ ପ୍ରଶମିତ କରିବାକୁ କ୍ରାଇମବ୍ରାଞ୍ଚ ଦ୍ୱାରା ତଦନ୍ତ କରାଉଛନ୍ତି । ମାତ୍ର ରେକର୍ଡ କହୁଛି କ୍ରାଇମବ୍ରାଞ୍ଚ ତଦନ୍ତର ସଫଳତା ହାର ଅତି ନଗଣ୍ୟ। 2011 ମସିହାରେ ରାୟଗଡ଼ା ଜିଲ୍ଲା ଟିକିରିର ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନଙ୍କୁ କିରୋସିନ ଢାଳି ହତ୍ୟା କରାଯାଇଥିଲା । ସେହି ଘଟଣାର ତଦନ୍ତ, ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରାଇମବ୍ରାଞ୍ଚ ଦ୍ୱାରା କରାଇଥିଲେ। କିନ୍ତୁ ଫଳ ଶୁନ ଥିଲା। ପରବର୍ତ୍ତି ସମୟରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପରେ ଇତିଶ୍ରୀ ହତ୍ୟା ମାମଲାର ତଦନ୍ତ,CBI ଦ୍ୱାରା କରାଯାଇଥିଲା। ହେଲେ ସେତେବେଳକୁ ଅନେକ ପ୍ରମାଣପତ୍ର ନଷ୍ଟ କରାଯାଇଥିଲା। ଯଦି ଆରମ୍ଭରୁ କୋର୍ଟଙ୍କ ହସ୍ତକ୍ଷେପ ରହି ଥାଆନ୍ତା, ତାହେଲେ ହୁଏତ ଇତିଶ୍ରୀ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣା ପଡ଼ି ଥାଆନ୍ତା।

ସେହିଭଳି ଏବେ ଯଦି ଓଡ଼ିଶା ହାଇକୋର୍ଟ ନିଜ ପକ୍ଷରୁ ସୌମ୍ୟାଶ୍ରୀଙ୍କ ହତ୍ୟା ମାମଲଲାକୁ ହାତକୁ ନେଇ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତେ ତାହେଲେ ଏଫ୍ ଏମ୍ କଲେଜର ଛାତ୍ରୀଙ୍କୁ ଉପଯୁକ୍ତ ନ୍ୟାୟ ମିଳି ପାରନ୍ତା। ଅନ୍ୟପକ୍ଷରେ ଅନେକ ସମୟରେ ଜନ ଅଶାନ୍ତିକୁ ଏଡ଼େଇବା ପାଇଁ ଓଡ଼ିଶା ସରକାର ବିଚାର ବିଭାଗୀୟ ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତି ସମୟରେ ସେହି ବିଚାର ବିଭାଗୀୟ କମିଶନ, ତାଙ୍କର ରିପୋର୍ଟ ଓଡ଼ିଶା ସରକାରଙ୍କୁ ପ୍ରଦାନ କରିଛନ୍ତି। ଯେପରି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଓ କନ୍ଧମାଳ ଦଙ୍ଗା ମାମଲାରେ ଜଷ୍ଟିସ୍ ଏ.ଏସ୍ ନାଇଡ଼ୁ ତାଙ୍କର ରିପୋର୍ଟ ପ୍ରଦାନ କରିଥିଲେ। ହେଲେ ଓଡ଼ିଶା ସରକାର ସେହି ରିପୋର୍ଟକୁ ନା’ ବିଧାନସଭାରେ ଉପସ୍ଥାପନ କରିଛନ୍ତି ନା’ ରିପୋର୍ଟ ଆଧାରରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ସେଥିପାଇଁ ସାମ୍ବିଧାନିକ ଦୃଷ୍ଟି କୋଣରୁ ସୌମ୍ୟାଶ୍ରୀଙ୍କ ଆତ୍ମହୁତି ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟ ନିଜ ପକ୍ଷରୁ ହସ୍ତକ୍ଷେପ କରିବା ସଠିକ ହେବ ବୋଲି ବରିଷ୍ଠ ଆଇନଜୀବୀ ବିଭୁପ୍ରସାଦ ତ୍ରିପାଠୀ କହିଛନ୍ତି।

କର୍ମସ୍ଥଳୀ ଏବଂ ଶିକ୍ଷାନୁଷ୍ଠାନରେ ମହିଳା ନିର୍ଯ୍ୟାତନା ରୋକିବା ପାଇଁ 1997 ମସିହାରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସେଥିପାଇଁ 2013ରେ ଭାରତ ସରକାର, The Sexual Harassment of Women at Workplace (Prevention, Prohibition and Redressal) ଆଇନ ପ୍ରଣୟନ କରିଥିଲେ। ସେହି ନିୟମ ଅନୁଯାୟୀ ସମସ୍ତ କର୍ମସ୍ଥଳୀ ଏବଂ ଶିକ୍ଷାନୁଷ୍ଠାନରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ ହେବା ଜରୁରୀ। କିନ୍ତୁ ଅନେକ ଅନୁଷ୍ଠାନରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ନାହିଁ ବା ସଠିକ୍ ଭାବେ କାର୍ଯ୍ୟ କରୁନାହିଁ। ଯାହାର ଫଳସୂରପ ସୌମ୍ୟାଶ୍ରୀଙ୍କୁ ଆତ୍ମଦାହ କରିବାକୁ ବାଧ୍ୟ କଲା।