ବାତ୍ୟାରେ OCS ପରୀକ୍ଷା : ରିସ୍କ ନେଇ ଝଟକା ଖାଇବେ କି ସରକାର ?

ପୂର୍ବ ନିର୍ଦ୍ଧାରିତ ଅକ୍ଟୋବର 31 ତାରିଖରେ ଓଡ଼ିଶା ସିଭିଲ ସର୍ଭିସର ମେନ୍ ଏକଜାମ୍ କରିଛନ୍ତି ଏକ-ଜିଦିଆ ଓଡ଼ିଶା ସରକାର। OPSC ଦ୍ୱାରା ଆୟୋଜିତ Odisha Civil Services ପରୀକ୍ଷାରେ କୌଣସି କାଣ୍ଟଛାଟ ହେଲା ନାହିଁ। ବାତ୍ୟା ଅର୍ଣ୍ଣବ ପ୍ରଭାବରେ କ୍ଷତିଗ୍ରସ୍ତ ପରୀକ୍ଷାର୍ଥୀଙ୍କର ସ୍ୱାର୍ଥକୁ  ଅଣଦେଖା କରାଯାଇଥିବା ଅଭିଯୋଗ। ନା’ କଂଗ୍ରେସ ସାଂସଦଙ୍କ ଦାବି ଶୁଣିଲେ, ନା’ ନିଜ ପାର୍ଟିର ଏମପିଙ୍କ କଥାକୁ ଗୁରୁତ୍ୱ ଦେଲେ ଓଡ଼ିଶାର ବିଜେପି ସରକାର। ବରଂ ପରୀକ୍ଷାର୍ଥୀଙ୍କର ନେବା-ଆଣିବା ପାଇଁ ହେଲ୍ପଲାଇନ୍ ନମ୍ବର ଜାରି କରି କ୍ରେଡିଟ୍ ନେବାକୁ ଚେଷ୍ଟା କରୁଛନ୍ତି ମୋହନ ମାଝୀ ସରକାର। ସରକାରଙ୍କ ଏକ ଜିଦିଆ ଆଟିଚୁଡ୍ କଣ ପାଇଁ ? ଯେଉଁଠି ବିନା ହେଲିକପ୍ଟରରେ ବାତ୍ୟାର ସ୍ଥିତି ସମୀକ୍ଷା କରିବା ସମ୍ଭବ ହେଉନି। ସେଠି ପାଣିଭର୍ତ୍ତି ଅଞ୍ଚଳରୁ ପରୀକ୍ଷାର୍ଥୀ ଆସିବେ କେମିତି? ସରକାରଙ୍କ ହେଲ୍ପ-ଲାଇନ୍ ନମ୍ବର କେବଳ ଧର୍ମକୁ ଆଖିଠାର ନୁହେଁ ତ? କାରଣ ବାତ୍ୟା ଦ୍ୱାରା ସର୍ବାଧିକ ପ୍ରଭାବିତ ଗଞ୍ଜାମ ଜିଲ୍ଲାରୁ ୩୨୫ଜଣ ଓଡ଼ିଶା ସିଭିଲ୍ ସର୍ଭିସର ମେନ୍ ଏକଜାମ୍ ଦେବାର ଥିଲା । ସେହିଭଳି ଗଜପତି, ରାୟଗଡ଼ା, କୋରାପୁଟ ନବରଙ୍ଗପୁର ଏବଂ ମାଲକାନଗିରି ଜିଲ୍ଲାରେ ଭୂସ୍ଖଳନ ସହ ଜଳବନ୍ଦୀ ସମସ୍ୟା ଦେଖାଦେଇଛି । ସେହି ସବୁ ଜିଲ୍ଲାରୁ ପ୍ରାୟ ୧୦୦ ଜଣ ପରୀକ୍ଷାର୍ଥୀ ଅଛନ୍ତି। ଗଞ୍ଜାମ ଜିଲ୍ଲାର ଅଧିକାଂଶ ଅଞ୍ଚଳ ଏବେ ଜଳମଗ୍ନ। ପରିସ୍ଥିତି ଏମିତି ଯେ ଅନେକ ରାସ୍ତାଘାଟ ବିଚ୍ଛିନ୍ନ, ଟ୍ରେନ୍ ବସ୍ ସବୁ ବାତିଲ୍। ଭୟାନକ ପରିସ୍ଥିତିକୁ ଆଖିରେ ରଖି ବ୍ରହ୍ମପୁରର ବିଜେପି ସାଂସଦ ପ୍ରଦୀପ ପାଣୀଗ୍ରାହୀ ଏକ୍ଜାମ୍ ପୋଷ୍ଟପନ୍ କରିବାକୁ OPSCକୁ ସୋସିଆଲ ମିଡିଆ ମାଧ୍ୟମରେ ରିକ୍ୟୁଏଷ୍ଟ କଲେ।

ବିଜୁ ଜନତା ଦଳ ଏବଂ କଂଗ୍ରେସ ତରଫରୁ ମଧ୍ୟ ଏପରି ପରିସ୍ଥିତିରେ ପରୀକ୍ଷା ନ କରିବାକୁ ଦାବି କରାଗଲା । ଅନ୍ୟପଟେ ଯାତାୟାତ ଦାୟିତ୍ଵ ରାଜ୍ୟ ସରକାର ନେବେ କହି ପ୍ରଭାବିତ ଅଞ୍ଚଳର ପରୀକ୍ଷାର୍ଥୀମାନେ ନିଜ ନିଜ ବ୍ଳକର ବିଡିଓଙ୍କ ସହ କଣ୍ଟାକ୍ଟ କରିବାକୁ ପରାମର୍ଶ ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । କିନ୍ତୁ ବାତ୍ୟା ଯୋଗୁଁ ବହୁ ଟ୍ରେନ୍ ବାତିଲ ହେବା ସହ ବସ୍ ଚଳାଚଳ ମଧ୍ୟ ହୋଇପାରୁନି। ଅନେକ ଆଶାୟୀ ପରୀକ୍ଷା କେନ୍ଦ୍ରରେ ଠିକ୍ ସମୟରେ ପହଞ୍ଚିବା ନେଇ ଆଶଙ୍କାରେ ।ହେଲେ ସରକାରଙ୍କ ଏକା ଜିଦ୍, ଅକ୍ଟୋବର ୩୧ରୁ ନଭେମ୍ବର୭ ମଧ୍ୟରେ ଓସିଏସ୍ ମେନ୍ ପରୀକ୍ଷା ହେବ  । ଅପର ପକ୍ଷରେ ପରୀକ୍ଷା ନ କରିବାକୁ ଦାବି କରିବା ସହ ସରକାରଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ସାଂସଦ ସପ୍ତଗିରି ଉଲାକା। ଉକାକାଙ୍କର କହିବା କଥା ହେଲା, ବିନା ହେଲିକପ୍ଟରରେ ଯଦି ସରକାର ବାତ୍ୟାର ସ୍ଥିତି ସମୀକ୍ଷା କରି ପାରୁନାହାନ୍ତି ସେହି ସମୟରେ ପରୀକ୍ଷା ଦେବାକୁ କେମିତି ଆସିବେ ପରୀକ୍ଷାର୍ଥୀ? ପାଣିଭର୍ତ୍ତି ଅଞ୍ଚଳରୁ ପରୀକ୍ଷାର୍ଥୀଙ୍କୁ ଆଣିବାରେ ସରକାର ସଫଳ ହେଉଛନ୍ତି ନା’ ରିସ୍କ ନେଇ ଝଟକା ଖାଉଛନ୍ତି ?

ନବୀନଙ୍କ ରାସ୍ତାରେ ମୋହନ:ନେତା ନୁହଁନ୍ତି,ଅଫିସର ବିଶ୍ୱସ୍ତ

1996 ଲୋକସଭା ନିର୍ବାଚନ ସମୟର କଥା, ଓଡ଼ିଶା ଆସିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓ । ବରଗଡ଼ ଜିଲ୍ଲାର ବରଡୋଲ ଏବଂ ଝାରସୁଗୁଡ଼ା ଜିଲ୍ଲାର ବନହରପାଲିର ନିର୍ବାଚନୀ ସଭାରେ ନରସିଂହ ରାଓ ଘୋଷଣା କଲେ ଯେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ ହେବ । KBK ଢାଞ୍ଚାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ ହେବ ବୋଲି ନିଷ୍ପତ୍ତି ହେଲା । କଂଗ୍ରେସର ଏହି ବ୍ରେନ୍ ଚାଇଲ୍ଡକୁ ସ୍ୱରୂପ ଦେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ । ପଶ୍ଚିମ ଓଡ଼ିଶାର 10ଟି ଜିଲ୍ଲା ଏବଂ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ସବଡିଭିଜନକୁ ନେଇ 1998 ନଭେମ୍ବର 11 ତାରିଖରେ ପ୍ରତିଷ୍ଠା ହେଲା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବା WODC । ଏହାର ପ୍ରତିଷ୍ଠାତା ଅଧ୍ୟକ୍ଷ ହେଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ପଶ୍ଚିମ ଓଡ଼ିଶାର ସାମାଜିକ, ସାଂସ୍କୃତିକ ଓ ଆର୍ଥିକ କ୍ଷେତ୍ରରେ ବିକାଶ ନିମନ୍ତେ WODC କାର୍ଯ୍ୟ ଆରମ୍ଭ କଲା। ଏହା ଭିତରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନକୁ 28ବର୍ଷ ବିତିବାକୁ ବସିଲାଣି, ହେଲେ ଏହାର କାର୍ଯ୍ୟାଳୟ ଭୁବନେଶ୍ୱରରେ ରହିଗଲା । ଆହୁରି ବିଡ଼ମ୍ବନା ଏବେ, WODC ଆଉ ରାଜନେତାଙ୍କର ନିୟନ୍ତ୍ରଣରେ ନାହିଁ। ଏବେ ଏଠି ଚାଲିଛି ଅଫିସର୍ ରାଜ୍ । ନବୀନ ପଟ୍ଟନାୟକଙ୍କ ପରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ WODCର ଅଧ୍ୟକ୍ଷ ପଦରେ IAS ଅଫିସର ମାନଙ୍କୁ ବସାଉଛନ୍ତି ।  ପ୍ରଥମେ ସଚୀନ ଯାଦବ ଆଉ ଏବେ ସଂଗ୍ରାମ ମହାପାତ୍ରଙ୍କୁ WODCର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ମୋହନ ମାଝୀ ସରକାର । ଏକଦା ନରସିଂହ ମିଶ୍ର, ଅଇଁଠି ସାହୁ, ସୁନ୍ଦରଗଡ଼ ରାଣୀ ପଦ୍ମିନୀ ଶେଖର ଦେଓ, କିଶୋର ମହାନ୍ତି, ଏବଂ ସୁଭାଷ ଚୌହାନଙ୍କ ପରି ବରିଷ୍ଠ ନେତାମାନେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ହୋଇଥିଲେ। ଏପରିକି ସମ୍ବଲପୁରର ଏକ ପ୍ରତିଷ୍ଠିତ ରାଜନୈତିକ ପରିବାରର ପ୍ରଫେସର ନିରଞ୍ଜନ ପଣ୍ଡାଙ୍କୁ WODCର ଅଧ୍ୟକ୍ଷ ପଦ ଦିଆଯାଇଥିଲା।

2020 ମେ’10 ତାରିଖରେ ତତ୍କାଳୀନ ଅଧ୍ୟକ୍ଷ ସୁଭାଷ ଚୌହାନଙ୍କ ପରଲୋକ ହେଲା। ସେବେଠାରୁ WODC ଚାଲିଯାଇଛି ଅଫିସର ମାନଙ୍କ ନିୟନ୍ତ୍ରଣକୁ । ଦୀର୍ଘ ସାଢ଼େ 6ବର୍ଷ ହେବ ଅଫିସରମାନେ ନିୟନ୍ତ୍ରଣ କରୁଛନ୍ତି WODCକୁ। ପ୍ରଥମେ ଅସିତ ତ୍ରିପାଠୀ, ଆଉ ଫେବ୍ରୁଆରୀ 2025ରୁ IAS ଅଫିସର ସଚିନ୍ ଯାଦବ WODC ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଲେ । ଆଉ 27 ଅକ୍ଟୋବର 2026ରୁ WODCର ଅଧ୍ୟକ୍ଷ ହେଲେ IAS ଅଫିସର ସଂଗ୍ରାମ କେଶରୀ ମହାପାତ୍ର। ନବୀନ ପଟ୍ଟନାୟକ, ପ୍ରଥମେ ଅସ୍ଥାୟୀ ଭାବେ ସୁରେଶ ମହାପାତ୍ର ଏବଂ ପରବର୍ତ୍ତୀ ସମୟରେ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କୁ WODCର ସ୍ଥାୟୀ ଅଧ୍ୟକ୍ଷ କରିଦେଲେ। ରିଟାୟର୍ଡ IAS ଅଫିସର ଅସିତ ତ୍ରିପାଠୀଙ୍କୁ ଅଧ୍ୟକ୍ଷ କରିବା ପଛରେ ଭୈରବ ପାଣ୍ଡିଆନଙ୍କର ପ୍ଲାନ୍। ଉଦ୍ଦେଶ୍ୟ ଥିଲା-ବଲାଙ୍ଗୀର ଜିଲ୍ଲାର ମୂଳନିବାସୀ ଅସିତ ତ୍ରିପାଠୀଙ୍କ ମାଧ୍ୟମରେ ବିଜେଡିର ହେଭିୱେଟ୍ ଅନଙ୍ଗ ଉଦୟ ସିଂହଦେଓଙ୍କ ପରିବାରକୁ କାଉଣ୍ଟର କରିବା । କିନ୍ତୁ ପାଣ୍ଡିଆନଙ୍କର ସେହି ପ୍ଲାନ୍, ବିଜୁ ଜନତା ଦଳକୁ ମହଙ୍ଗା ପଡ଼ିଲା । 2024 ନିର୍ବାଚନରେ ବଲାଙ୍ଗିରର କଣ୍ଟାବାଞ୍ଜି ଆସନରୁ ନବୀନ ପଟ୍ଟନାୟକ ପରାଜିତ ହେଲେ। ଅପରପକ୍ଷରେ ଅନଙ୍ଗ ଉଦୟଙ୍କ ପୁଅ କଳିକେଶ,ବଲାଙ୍ଗିର ଆସନରୁ ବିଜୟୀ ହେଲେ। କିନ୍ତୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧିନରେ ଥିବା 5ଟି ଯାକ ଲୋକସଭା ଆସନରେ ବିଜୁ ଜନତା ଦଳ ପରାଜିତ ହେଲା । ଏପରିକି WODC ଅଧିନରେ ଥିବା 36ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ 18ଟିରେ ବିଜେପି ଜିତିଥିଲା । ବିଜୁ ଜନତା ଦଳ ମାତ୍ର 15ଟି ଆସନରେ ବିଜୟୀ ହୋଇଥିଲା । ଅଫିସର ମାନଙ୍କ ଉପରେ ଭରସା କରି ଫଳ ଭୋଗିଲେ ନବୀନ ପଟ୍ଟନାୟକ। ଏବେ ନବୀନଙ୍କ ରାସ୍ତାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିଜେପିର କୌଣସି ବରିଷ୍ଠ ନେତାଙ୍କୁ WODCର ଅଧ୍ୟକ୍ଷ କରାଯାଇ ପାରନ୍ତା । କିନ୍ତୁ ନିଜ ସରକାରର 28ମାସ ବିତିଥିଲେ ମଧ୍ୟ ବିଜେପିର କୌଣସି ନେତାଙ୍କୁ WODCର ଅଧ୍ୟକ୍ଷ କଲେ ନାହିଁ ମୁଖ୍ୟମନ୍ତ୍ରୀ । ବରଂ IAS ଅଫିସର ସଂଗ୍ରାମ ମହାପାତ୍ରଙ୍କୁ WODCର ଅଧ୍ୟକ୍ଷ କରିଛନ୍ତି ମୋହନ ମାଝୀ । ଯାହାର ଝଟକା ହୁଏତ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିପାରେ। 
ଏ ଷ୍ଟୋରୀ ଲେଖିଛନ୍ତି- ବିଜୟ କେତନ ବରାଳ

ଓଡ଼ିଶାର ଆଇନଶୃଙ୍ଖଳା ହଲଚଲ, ଆକ୍ସନ୍ ମୋଡ୍‌ରେ କେନ୍ଦ୍ର ସରକାର

ଓଡ଼ିଶାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିରୋଧୀ ଦଳ ତ ବିଜେପି ସରକାରକୁ ଟାର୍ଗେଟ କରୁଥିଲେ,ଏବେ କେନ୍ଦ୍ର ସରକାର ବି ଆଙ୍ଗୁଳି ଉଠେଇଲେଣି। ରାଜ୍ୟର ଆଇନ ଶୁଙ୍ଖଳା ପରିସ୍ଥିତିର ତଥ୍ୟ ଭିତ୍ତିକ ରିପୋର୍ଟ ଦେବାକୁ କେନ୍ଦ୍ର ଗୃହ ବିଭାଗ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି ଓଡ଼ିଶାର ହାଜତ ହିଂସା, ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଭଳି ମାମଲାରେ ନ୍ୟାସନାଲ୍ କ୍ରାଇମ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (NCBI) ପକ୍ଷରୁ କେନ୍ଦ୍ର ହୋମ୍ ଡିପାର୍ଟମେଣ୍ଟର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏ ବିଷୟରେ ଗତ ସେପ୍ଟେମ୍ବର ୧୬ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କ ଠାରୁ ଜବାବ ମଗାଯାଇଛି । ତେବେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଓଡ଼ିଶାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ଅତି ହାଲୁକା ଭାବେ ନେଉଥିଲା ଭଳି ମନେ ହେଉଛି । ନହେଲେ କେନ୍ଦ୍ର ଗୃହ ବିଭାଗ ଠାରୁ ଚିଠି ପାଇବାର ମାସକ ପରେ ଅର୍ଥାତ ଅକ୍ଟୋବର ୧୬ ତାରିଖରେ ତତ୍ପର ହୋଇନଥାନ୍ତେ ଓଡ଼ିଶା ପ୍ରଶାସନ । ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିର ତଥ୍ୟ ଭିତ୍ତିକ ରିପୋର୍ଟ ସଂଗ୍ରହ ପାଇଁ ଓଡ଼ିଶା ସରକାରଙ୍କ ଗୃହ ବିଭାଗ ଗତ ଅକ୍ଟୋବର ୧୬ ତାରିଖରେ ରାଜ୍ୟର ଡିଜି ପୋଲିସଙ୍କୁ ଚିଠି ଲେଖିଲେ।

ଅନ୍ୟପଟେ 28 ମାସର ବିଜେପି ସରକାରରେ ଓଡ଼ିଶାରେ ଆଇନ ଶୃଙ୍ଖଳା ବିଗିଡିଛି ବୋଲି ରାଜ୍ୟ ସରକାର ସ୍ୱୀକାର କରିଛନ୍ତି। ଗତ ମାର୍ଚ୍ଚ ମାସ 25 ତାରିଖରେ ରାଜ୍ୟ ସରକାରଙ୍କ ଶ୍ୱେତପତ୍ର ବା White Paper ସ୍ପଷ୍ଟ କରିଛି ଯେ ଓଡ଼ିଶାରେ ଅପରାଧିକ ହାର ବୃଦ୍ଧି ପାଉଛି। 2024 ତୁଳନାରେ 2025 ମସିହାରେ ଓଡ଼ିଶାରେ ଅପରାଧିକ ହାର 7 ଦଶମିକ 3 ପ୍ରତିଶତ ବୃଦ୍ଧି ପାଇଛି । 2025 ମସିହାରେ ହତ୍ୟାକାଣ୍ଡ ହାର 3 ଦଶମିକ 6 ପ୍ରତିଶତ ବୃଦ୍ଧି ପାଇଛି। 2025ରେ 1304 ଜଣଙ୍କର ବିଭିନ୍ନ ହତ୍ୟାକାଣ୍ଡରେ ପ୍ରାଣ ଯାଇଛି । ଅର୍ଥାତ ପ୍ରତ୍ୟେକ ଦିନ 4 ଜଣ ଲୋକ ବିଭିନ୍ନ ହତ୍ୟାକାଣ୍ଡରେ ଜୀବନ ହରାଇଲେ ।ଏପରିକି 2026 ମସିହାରେ ମଧ୍ୟ ସମାନ ଅବସ୍ଥା। ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ GRP କନେଷ୍ଟବଲ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ପୋଲିସ ସାମ୍ନାରେ ହତ୍ୟା, ଗଞ୍ଜାମ ଜିଲ୍ଲାରେ ସୁଧୀର ପାତ୍ରଙ୍କ କିଡନାପ ପରେ ହତ୍ୟା, କଣାସରେ ମୃତ୍ୟୁଞ୍ଜୟଙ୍କୁ ରାସ୍ତା ଉପରେ ପନିକିରେ ଗୋଡ଼େଇ ଗୋଡ଼େଇ ଆକ୍ରମଣ ଭଳି ଅନେକ ଘଟଣା ଓଡ଼ିଶାର ଆଇନଶୃଙ୍ଖଳା ପରିସ୍ଥିତିର ସତ ସାମ୍ନାକୁ ଆଣିଛି।ଗୋଟିଏ ପଟେ ରାଜ୍ୟରେ ପୂର୍ଣ୍ଣକାଳୀନ ଡିଜିପି ନିଯୁକ୍ତି ପ୍ରସଙ୍ଗ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାବେଳେ ଅନ୍ୟପଟେ ପୋଲିସ ପ୍ରଶାସନରେ 33,000 କର୍ମଚାରୀ ପଦ ଫାଙ୍କା ପଡିଛି । ଅନ୍ୟପଟେ ଗୃହ ବିଭାଗର ପ୍ରମୁଖ ଶାସନ ସଚିବ ଦାୟିତ୍ୱରେ ଥିବା ହେମନ୍ତ ଶର୍ମା, ଶିଳ୍ପ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ସହ ଇପିକଲ୍ ଦାୟିତ୍ୱରେ ଅଛନ୍ତି । କହିବାକୁ ଗଲେ ଓଡ଼ିଶାରେ ପୂର୍ଣ୍ଣକାଳୀନ ଗୃହ ସଚିବ ମଧ୍ୟ କେହି ନାହାଁନ୍ତି। ଏଭଳି ସ୍ଥିତିରେ ଓଡ଼ିଶାର ଆଇନ ଶୃଙ୍ଖଳା ବିଗିଡ଼ିବା ନେଇ କେନ୍ଦ୍ର ସରକାରଙ୍କୁ କି ଉତ୍ତର ଦେବେ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ?
ଏ ଷ୍ଟୋରୀ ଲେଖିଛନ୍ତି-ବିଜୟ କେତନ ବରାଳ

ବଦଳିବ କ୍ୟାବିନେଟ୍ ମିଟିଂର ଠିକଣା

ନଭେମ୍ବର ମାସରେ ରାଜ୍ୟ ସରକାରଙ୍କ ୫୦ତମ କ୍ୟାବିନେଟ୍‍ ବୈଠକ ଭୁବନେଶ୍ୱର ବାହାରେ ହେବ

  • ଯଦି ଏପରି ହୁଏ ତେବେ ଓଡ଼ିଶାର କ୍ୟାବିନେଟ୍ ବୈଠକ ଦ୍ୱିତୀୟ ଥର ପାଇଁ ଭୁବନେଶ୍ୱର ବାହାରେ ହୋଇପାରେ
  • ପୂର୍ବରୁ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ପୁରୀ ଠାରେ ୨୦୧୭ ମସିହା ଡିସେମ୍ବର ୨୬ ତାରିଖରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା
  • ସେହି ପୁରୀ କ୍ୟାବିନେଟ୍ ମିଟିଂର ନିଷ୍ପତ୍ତି କ୍ରମେ ପର୍ଯ୍ୟଟନ ବିଭାଗ ଠାରୁ ସଂସ୍କୃତି ବିଭାଗ ଅଲଗା ହୋଇ ଏକ ନୂତନ ବିଭାଗ ସୃଷ୍ଟି ହୋଇଥିଲା
  • ଯାହାର ନାଁ ହେଉଛି ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ
    ସାଧାରଣତଃ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିମଣ୍ଡଳର ବୈଠକ, ଲୋକସେବା ଭବନରେ ଅନୁଷ୍ଠିତ ହୋଇଥାଏ ।
  • ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ମଧ୍ୟ ଭୁବନେଶ୍ୱରରେ ହୋଇଥାଏ
  • କିନ୍ତୁ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଶାସନକୁ ଲୋକଙ୍କ ନିକଟକୁ ନେବା ପାଇଁ ପ୍ରଥମ ଥର ତାଙ୍କର ଅଭିଯୋଗ ଶୁଣାଣିକୁ ସମ୍ବଲପୁର ଠାରେ କରିଥିଲେ
  • ୨୦୨୫ ମସିହା ଏପ୍ରିଲ୍ ୨୧ ତାରିଖରେ ସମ୍ବଲପୁର ଠାରେ ମୁଖ୍ୟମନ୍ତ୍ରୀଙ୍କ ଜନ-ଅଭିଯୋଗ ଶୁଣାଣି ହୋଇଥିଲା
  • ସେହି ଢାଞ୍ଚାରେ କ୍ୟାବିନେଟ୍‍ ବୈଠକ ପାଇଁ ବିଚାର ଆଲୋଚନା ଚାଲିଛି ।

ପ୍ରଶାସନକୁ ଲୋକଙ୍କ ପାଖକୁ ନେବାପାଇଁ ଓଡିଶା ସରକାର ଏଭଳି ପଦକ୍ଷେପ ଗ୍ରହଣ କରିବେ ବୋଲି କୁହାଯାଉଛି । ପୂର୍ବରୁ ଉତ୍ତରାଖଣ୍ଡ, ମଣିପୁର ଓ ଅରୁଣାଚଳ ପ୍ରଦେଶ ସରକାର କ୍ୟାବିନେଟ୍‍ ବୈଠକକୁ ରାଜ୍ୟ ରାଜଧାନୀ ବାହାରେ କରୁଛନ୍ତି । ବିଶେଷ କରି ଧାର୍ମିକ ଓ ପର୍ଯ୍ୟଟନ ଗୁରୁତ୍ୱ ବହନ କରୁଥିବା ସ୍ଥାନ ଗୁଡିକରେ କ୍ୟାବିନେଟ୍ ବୈଠକ କରୁଛନ୍ତି ।

  • ଏହାଦ୍ୱାରା କ୍ୟାବିନେଟ୍‍ ବୈଠକ ଅନୁଷ୍ଠିତ ହେଉଥିବା ସ୍ଥାନର ଗୁରୁତ୍ୱ ବୃଦ୍ଧି ପାଇବ
  • ସେଠାକୁ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରିମଣ୍ଡଳର ସଦସ୍ୟ ଏବଂ ରାଜ୍ୟ ପ୍ରଶାସନର ପଦାଧିକାରୀମାନେ ଗସ୍ତ କରିବେ
  • ଫଳରେ ସେହି ଜିଲ୍ଲା ସମେତ ଆଖପାଖ ଜିଲ୍ଲାର ପ୍ରଶାସନ ଚଳଚଞ୍ଚଳ ହେବା ସହିତ ପ୍ରଶାସନ ଲୋକଙ୍କ ନିକଟତର ହେବ
  • ସ୍ଥାନୀୟ ଲୋକେ ବି ନିଜ ନିଜର ଅଭିଯୋଗକୁ ସହଜରେ ସରକାରଙ୍କ ନିକଟରେ ଉପସ୍ଥାପନ କରିପାରିବେ ।

ତେବେ ୨୦୨୪ ଜୁନ ୧୨ ତାରିଖରେ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେଲେ । ପ୍ରତି ୨୦ ଦିନରେ ଓଡ଼ିଶାରେ ମନ୍ତ୍ରିମଣ୍ଡଳର ଗୋଟିଏ ଲେଖାଏଁ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେଉଛି ।
ଏ ଷ୍ଟୋରୀ ଲେଖିଛନ୍ତି-ବିଜୟ କେତନ ବରାଳ

ଦଶହରାରେ ରେକର୍ଡ ରିଲିଜ୍, ମିସ୍ ହେଲେ ବଡ଼ ଷ୍ଟାର୍

ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଦଶହରା ପୂଜା ମାର୍କେଟିଂର ଭଲ ସମୟ । ଏ ସମୟରେ ରିଲିଜ ହେଉଥିବା ଫିଲ୍ମ ବକ୍ସ ଅଫିସରେ ଭଲ ବିଜନେସ୍ କରେ । ଚଳିତ ବର୍ଷ ବି 5ଟି ଓଡ଼ିଆ ଫିଲ୍ମ ରିଲିଜ୍ ହୋଇଛି, କିନ୍ତୁ ସ୍କ୍ରୀନରେ ଅନେକ ନାମୀଦାମୀ କଳାକାରଙ୍କ ସିନେମା ଆସିପାରିନି। ଖାସ୍ କରି ପୂଜା ମାର୍କେଟରେ ଆବସେଣ୍ଟ ଅଛନ୍ତି ଅନୁଭବ ଏବଂ ବାବୁସାନ୍ । ଅନୁଭବଙ୍କ ‘ରାବଣ’ ଏବଂ ବାବୁସାନଙ୍କ ‘ଅନ୍ତର୍ଯ୍ୟାମୀ’, ଏହି ଦୁଇଟି ଫିଲ୍ମକୁ ନେଇ ଦର୍ଶକଙ୍କ ଅପେକ୍ଷା ରହିଥିଲେ ବି ଏଥର ପୂଜା ବଜାରରେ ଏହା ଦେଖିବାକୁ ମିଳିନାହିଁ। କେବଳ ହିରୋ-ହିରୋଇନ୍ ନୁହନ୍ତି, ଅନେକ ଜଣାଶୁଣା ଡିରେକ୍ଟର, ମ୍ୟୁଜିକ୍ ଡିରେକ୍ଟର, ଲିରିସିଷ୍ଟଙ୍କ ଅନୁପସ୍ଥିତି ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।

ମାର୍କେଟରେ ନାହାନ୍ତି ଅନୁଭବ-ବାବୁଶାନ୍
ଓଲିଉଡ ପାଇଁ ଦଶହରା ହେଉଛି ଏକ ବଡ଼ ବ୍ୟବସାୟିକ ଅବସର। ଏହି ସମୟରେ ନିଜ ପ୍ରିୟ କଳାକାରଙ୍କ ଫିଲ୍ମ ଦେଖିବାକୁ ସିନେପ୍ରେମୀ ଅପେକ୍ଷା କରିଥାନ୍ତି। ମଧୁମାଳତୀ, ମୋନଷ୍ଟର, ଡେଞ୍ଜର ଦେବଦାସ, ଗେମ୍ ଓଭର୍ ଓ AWM ଏଥର 5ଟି ଓଡ଼ିଆ ଫିଲ୍ମ ରିଲିଜ୍ ହୋଇଥିଲେ ମଧ୍ୟ ଅନେକ ଲୋକପ୍ରିୟ ଚେହେରାଙ୍କୁ ପରଦାରେ ଦେଖିବାକୁ ମିଳିନାହିଁ।ଅନୁଭବ ମହାନ୍ତି, ବାବୁସାନ, ସିଦ୍ଧାନ୍ତ ମହାପାତ୍ର, ଅରିନ୍ଦମ, ସବ୍ୟସାଚୀ, ବୁଦ୍ଧାଦିତ୍ୟ, ଆକାଶଙ୍କ ଭଳି ଜଣାଶୁଣା ହିରୋଙ୍କ ଫିଲ୍ମ ଏଥର ପୂଜା ମାର୍କେଟରେ ନାହିଁ। ସେହିପରି ଅନୁ ଚୌଧୁରୀ, ବର୍ଷା ପ୍ରିୟଦର୍ଶିନୀ, ଅର୍ଚ୍ଚିତା, ଶିବାନୀ, ପ୍ରିୟା, ରୀୟାଙ୍କ ଭଳି ନାୟିକାଙ୍କୁ ମଧ୍ୟ ଦର୍ଶକ ମିସ୍ କରିଛନ୍ତି।କେବଳ ଅଭିନେତା ଓ ଅଭିନେତ୍ରୀ ନୁହନ୍ତି, ଏଥର ଅନେକ ଜଣାଶୁଣା ନିର୍ଦ୍ଦେଶକଙ୍କ ଫିଲ୍ମ ମଧ୍ୟ ଅନୁପସ୍ଥିତ। ବସନ୍ତ ସାହୁ, ସବ୍ୟସାଚୀ ମହାପାତ୍ର, ହିମାଂଶୁ ପରିଜା, ଅଶୋକ ପତି, ସଞ୍ଜୟ ନାୟକ, ସୁଶାନ୍ତ ମଣି, ତାପସ ସରଘରିଆ ଓ ଅନୁପମ ପଟ୍ଟନାୟକଙ୍କ ଭଳି ନିର୍ଦ୍ଦେଶକଙ୍କ ଚଳଚ୍ଚିତ୍ର ଏଥର ପୂଜା ବଜାରରେ ଦେଖିବାକୁ ମିଳିନାହିଁ। ସେହିପରି ମଳୟ ମିଶ୍ର, ମନ୍ମଥ ମିଶ୍ର, ପ୍ରେମ୍ ଆନନ୍ଦ ଓ ବିକାଶ ଦାସଙ୍କ ଭଳି ସଙ୍ଗୀତ ନିର୍ଦ୍ଦେଶକଙ୍କ ସଙ୍ଗୀତ ଏଥର ପୂଜାରେ ଶୁଣିବାକୁ ମିଳିନାହିଁ। ଡକ୍ଟର ରଜନୀ ରଞ୍ଜନ, ଶଙ୍କର ତ୍ରିପାଠୀ, ଦିଲୀପ ଚୌଧୁରୀ ଓ ମାନସ ପଢ଼ିଆରୀଙ୍କ ଭଳି ସଂଳାପକାରଙ୍କ ଲେଖା ମଧ୍ୟ ଦର୍ଶକଙ୍କୁ ଏଥର ମିଳିନାହିଁ।ତେବେ ଅନ୍ୟପଟେ କିଛି ନୂଆ ଓ ପୁରୁଣା ଚେହେରା ପୂଜା ବଜାରରେ ନିଜର ଉପସ୍ଥିତି ଜାହିର କରିଛନ୍ତି। ରେକର୍ଡ ସଂଖ୍ୟକ ଫିଲ୍ମ ରିଲିଜ୍ ହେବା ଓ ନାମୀଦାମୀ ଷ୍ଟାରଙ୍କ ଅନୁପସ୍ଥିତି ଭିତରେ ଏଥର ଓଡ଼ିଆ ସିନେମାର ପୂଜା ବଜାର କେଉଁ ଦିଗକୁ ଯାଉଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର।