କ୍ରିକେଟକୁ ବାଏ ବାଏ କହିବେ କି ରୋହିତ ଶର୍ମା? ଟେଲି ପରଦାରେ ହିଟମ୍ୟାନଙ୍କ ନୂଆ ଅବତାର, IPLକୁ ନେଇ ବଢୁଛି ସସପେନ୍ସ । କ୍ରିକେଟ୍ ପଡ଼ିଆରେ ନିଜ ନାଁରେ ‘ହିଟମ୍ୟାନ୍’ ଟ୍ୟାଗ୍ ଯୋଡ଼ିଥିବା ରୋହିତ ଏବେ ଏକଦମ୍ ନୂଆ ଅବତାରରେ ଆସୁଛନ୍ତି। ଚଉକା-ଛକାରେ ଦର୍ଶକଙ୍କ ମନ ଜିତୁଥିବା ହିଟମ୍ୟାନ୍ ରୋହିତ ଶର୍ମା ଏବେ ଟେଲି ପରଦାରେ ଦେଖାଇବେ ନୂଆ ଜଲୱା। କିନ୍ତୁ ଏହା କ’ଣ ରୋହିତଙ୍କ କ୍ରିକେଟ୍ କ୍ୟାରିୟରର ଶେଷ ଆଡ଼କୁ ଇସାରା? ନା କ୍ରିକେଟ୍ ସହିତ ଟିଭିରେ ମଧ୍ୟ ଚାଲିବ ହିଟମ୍ୟାନଙ୍କ ଦ୍ୱିତୀୟ ଇନିଂସ୍? କ୍ରିକେଟ୍ ଛାଡ଼ିବେ କି ରୋହିତ? ନା ଜାରି ରଖିବେ କ୍ରିକେଟ୍ କ୍ୟାରିୟର? ଏଭଳି ଅନେକ ପ୍ରଶ୍ନ ମଧ୍ୟରେ ହିଟମ୍ୟାନଙ୍କ ନୂଆ ଅବତାରକୁ ନେଇ ବଢିଛି ଚର୍ଚ୍ଚା। ରୋହିତ ଶର୍ମା ଖୁବଶୀଘ୍ର ଟେଲିଭିଜନ ଏଣ୍ଟରଟେନମେଣ୍ଟ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି। ‘ଫ୍ୟାମିଲି ଫୁଲ୍ ହାଉସ୍ ୱିଥ୍ ରୋହିତ ଶର୍ମା’ ରିଆଲିଟି ଶୋ’ରେ ହୋଷ୍ଟ ଭାବେ ନଜର ଆସିବେ ହିଟମ୍ୟାନ୍। ସେପ୍ଟେମ୍ବର ୧୯ରୁ ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନ ସହ ସୋନି ଲାଇଭ୍ରେ ଏହି ଶୋ’ ଟେଲିକାଷ୍ଟ ହେବ।

ଶୋ’ର ପ୍ରୋମୋ ସାମ୍ନାକୁ ଆସିବା ପରେ ରୋହିତଙ୍କ ନୂଆ ଅନ୍ଦାଜକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ବଢିଛି। ‘ଗାର୍ଡେନ୍ ସେ ରିପୋର୍ଟିଂ ଲାଇଭ୍, ଜର୍ସି ନମ୍ବର ୪୫’ କହି ରୋହିତ ଶୋ’ର ଆରମ୍ଭ କରୁଥିବା ଦେଖିବାକୁ ମିଳିଛି। ସିନିୟର ଆକ୍ଟର ରାକେଶ ବେଦୀଙ୍କ ସହ ତାଙ୍କ ଫନୀ ଡାଇଲଗ ଦର୍ଶକଙ୍କ ପାଖରେ ତାଙ୍କର ପବ୍ଲିସିଟି ବଢ଼ାଉଛି । ଜଣେ କ୍ରିକେଟରଙ୍କୁ ଅଲଗା ଅନ୍ଦାଜରେ ଦେଖି ବେଶ୍ ଏଞ୍ଜୟ କରୁଛନ୍ତି ଫ୍ୟାନ୍ସ । ତେବେ ଟେଲି ପରଦାରେ ରୋହିତଙ୍କ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ମଧ୍ୟରେ ତାଙ୍କ କ୍ରିକେଟ୍ କ୍ୟାରିୟରକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ବିଶେଷକରି IPL ଖେଳିବେ କି ନାହିଁ ଏହାକୁ ନେଇ ଫ୍ୟାନ୍ମାନଙ୍କ ମଧ୍ୟରେ ବଢ଼ୁଛି ସସପେନ୍ସ । ରୋହିତଙ୍କ ରିଟାୟାର୍ଡମେଣ୍ଟ ଚର୍ଚ୍ଚାକୁ ବିସିସିଆଇ ପକ୍ଷରୁ ଖଣ୍ଡନ କରାଯାଇଛି। ବୋର୍ଡ ସେକ୍ରେଟାରୀ ଦେବଜୀତ ସାଇକିଆ କହିଛନ୍ତି ଯେ ରୋହିତଙ୍କ ରିଟାୟାର୍ହକୁ ନେଇ ଆସୁଥିବା ଖବର ଭିତ୍ତିହୀନ। ସେ ଏବେ ବି ଦଳର ଜଣେ ପ୍ରମୁଖ ଓ ବରିଷ୍ଠ ବ୍ୟାଟର ଏବଂ ତାଙ୍କ ଉପରେ ବୋର୍ଡର ଭରସା ରହିଛି। ଏହା ସହ ଆଗାମୀ ୱେଷ୍ଟଇଣ୍ଡିଜ୍ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ରେ ରୋହିତ ଭାରତୀୟ ଦଳ ପକ୍ଷରୁ ଖେଳିବେ ବୋଲି ମଧ୍ୟ ସ୍ପଷ୍ଟ କରାଯାଇଛି। କ୍ରିକେଟ୍ ପଡ଼ିଆରୁ ଏବେ ଟେଲି ପରଦାକୁ ରୋହିତଙ୍କ ନୂଆ ଇନିଂସ୍ ଆରମ୍ଭ ହେବାକୁ ଯାଉଛି। ପଡ଼ିଆରେ ବ୍ୟାଟ୍ରେ ଧମାକା କରିଥିବା ହିଟମ୍ୟାନ୍ ଟିଭି ପରଦାରେ କେତେ ଧମାଲ୍ କରିବେ, ତାହା ଦେଖିବାକୁ ଏବେ ଦର୍ଶକଙ୍କ ଅପେକ୍ଷା। ତେବେ ଟେଲି ପରଦାରେ ହିଟମ୍ୟାନଙ୍କ ଧମାକା କେତେ ହିଟ୍ ହେବ? ଏହା ଉପରେ ଏବେ ସମସ୍ତଙ୍କ ନଜର।




