ଆଉ ଧଳା ଡ୍ରେସରେ ନଜର ଆସିବେନି ସଫଳ କ୍ୟାପ୍ଟେନ୍ । ଅଧିନାୟକ ଭାବେ ଟେଷ୍ଟ ଫର୍ମାଟରୁ ବିଦାୟ ନେଇଛନ୍ତି ହିଟ୍ମ୍ୟାନ୍ ରୋହିତ ଶର୍ମା । ୩୮ ବର୍ଷ ବୟସରେ କରିଛନ୍ତି ଟେଷ୍ଟକୁ ଅଲବିଦା । ରୋହିତଙ୍କ ଫ୍ୟାନ୍ସ ଏ ନିଷ୍ପତ୍ତିକୁ ନେଇ ବେଶ୍ ଖୁସି ନାହାନ୍ତି । ତେବେ ବହୁତ ଭଲ ରେକର୍ଡ ଥାଇ ରୋହିତ ଶର୍ମା କାହିଁକି କ୍ୟାପ୍ଟେନସିପ୍ ଛାଡ଼ିଲେ ତାକୁ ନେଇ ଚର୍ଚ୍ଚା ।
ଟେଷ୍ଟରେ ରୋହିତ ଶର୍ମା ଟ୍ରାକ୍ ରେକର୍ଡ ଯଦିଓ ବେଶ୍ ଭଲ ରହିଥିଲା । କିନ୍ତୁ କିଛି ଦିନ ହେଲା ଫର୍ମକୁ ନେଇ ସେ ସଂଘର୍ଷ କରୁଥିଲେ । ଟେଷ୍ଟରେ ଖରାପ ପ୍ରଦର୍ଶନ କାରଣରୁ ତାଙ୍କୁ BCCI କାଳେ ଟେଷ୍ଟ ଫର୍ମାଟରେ ନେବାକୁ ମନା କରିଦେଇଥିବା ଶୁଣିବାକୁ ମିଳୁଛି । ସେହି କାରଣରୁ ହୁଏତ ହଠାତ୍ ଟେଷ୍ଟରୁ ଅବସର ନେଇଥାଇପାରନ୍ତି ରୋହିତ ।

ଟେଷ୍ଟ ରେକର୍ଡ
ଭାରତ ପାଇଁ ମୋଟ ୬୭ଟି ଟେଷ୍ଟ ଖେଳିଥିବା ରୋହିତ ଶର୍ମା ୪୦.୫୭ ହାରରେ ମୋଟ ୪୩୦୧ ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିରେ ୧୨ଟି ଶତକ ଏବଂ ୧୮ଟି ଅର୍ଦ୍ଧଶତକ ରହିଛି । ଟେଷ୍ଟରେ ତାଙ୍କର ସର୍ବାଧିକ ସ୍କୋର ହେଉଛି ୨୧୨ ରନ୍ । ଏହା ଛଡା ଗୋଟିଏ ଓ୍ୱିକେଟ ବି ନେଇଛନ୍ତି । ରୋହିତ ମୋଟ ୧୫୯ଟି T-20 ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ମୋଟ ୪୨୩୧ ରନ୍ କରିଛନ୍ତି । ଆଉ ଏହି ରନ୍ ମଧ୍ୟରେ ୫ଟି ଶତକ ଏବଂ ୩୨ଟି ଅର୍ଦ୍ଧଶତକ ରହିଛି । ଟି୨୦ରେ ତାଙ୍କର ସର୍ବାଧିକ ସ୍କୋର ହେଉଛି ୧୨୧ ରନ୍ । ଓ୍ୱାନଡେରେ ହିଟମ୍ୟାନ୍ଙ୍କ ସର୍ବାଧିକ ସ୍କୋର ହେଉଛି ୨୬୪ ରନ୍ । ଯାହାକି ଏବେ ବି କ୍ରିକେଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ହୋଇ ରହିଛି ।