ଉତ୍କଳ ୟୁନିଭରସିଟିରେ ଅଣଛାତ୍ରଙ୍କ ପତିଆରା ବଢିବାରେ ଲାଗିଛି। ଅଣଛାତ୍ରଙ୍କ କବଜାରେ କ୍ୟାମ୍ପସ୍ । ଯାହାକୁ ଏବେ ଗମ୍ଭୀରତାର ସହ ନେଇ ଆକ୍ଟିଭ୍ ହେଉଛି ୟୁନିଭରସିଟି । ସେପ୍ଟେମ୍ବର ୪ ସୁଦ୍ଧା ଭଲରେ ଭଲରେ ହଷ୍ଟେଲ୍ ନ ଛାଡ଼ିଲେ କଠୋର ପଦକ୍ଷେପ ନେବାକୁ ୱାର୍ଣ୍ଣିଂ ଦିଆଯାଇଛି । କେବଳ ସେତିକି ନୁହେଁ, ହଷ୍ଟେଲ୍ ରୁମ୍ ଆଲଟ୍ ହୋଇଥିବା ଛାତ୍ର ଯଦି ତାହାକୁ ଭଡ଼ା କିମ୍ବା ବିକ୍ରି କରିଥିବାର ଜଣାପଡ଼େ, ସେମାନଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ବୋଲି କଡ଼ା ଚେତାବନୀ ଦିଆଯାଇଛି। ମାତ୍ର ନୋଟିସ୍ ଲାଗିବାର ୨୪ ଘଣ୍ଟା ନ ପୂରୁଣୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଣଛାତ୍ରଙ୍କ ଦୌରାତ୍ମ୍ୟ ଆରମ୍ଭ ହୋଇଛି। ଅଧିକାରୀଙ୍କୁ ପଥର ମାଡ଼ କରିଛନ୍ତି ଅଣଛାତ୍ର ।

1 ନମ୍ବର, 2 ନମ୍ବର ଓ 3 ନମ୍ବର ହଷ୍ଟେଲରେ ପ୍ରାୟ ୧୪୪ଟି ରୁମ୍ ଅଣଛାତ୍ରଙ୍କ କବ୍ଜାରେ । ବିଜ୍ଞପ୍ତି ଆଧାରରେ ହଷ୍ଟେଲ୍ ରୁମ୍ ଆଲଟ୍ ହୋଇଥିବା ଛାତ୍ରଙ୍କୁ ଏକ ନମ୍ବର ଛାତ୍ରାବାସରେ ରଖିବାକୁ ସ୍ଥିର ହୋଇଥିଲା। ସେହି ଅନୁଯାୟୀ ଡେପୁଟି ୱାର୍ଡେନ୍ ଓ ସୁପରିନ୍ଟେଣ୍ଡେଣ୍ଟ ଏକ ନମ୍ବର(ଗୋପବନ୍ଧୁ) ଛାତ୍ରାବାସ ଯାଇଥିବା ବେଳେ ସେଠାରେ ଥିବା ଅଣଛାତ୍ରମାନେ ସେମାନଙ୍କୁ ଅଟକ ରଖିଥିଲେ। ହଷ୍ଟେଲ୍ ଲାଇଟ୍କୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେଇଥିଲେ। ଅଣଛାତ୍ରମାନେ ଟେକାପଥର ମାଡ଼ କରିଥିଲେ। ପୁଲିସ ମଧ୍ୟ ସେମାନଙ୍କ ଆକ୍ରୋଶରୁ ବର୍ତ୍ତି ପାରି ନ ଥିଲା। ଘନ ଘନ ପଥର ମାଡ଼ କରିଥିଲେ। ଛାତ୍ରାବାସରେ ଦୌରାତ୍ମ୍ୟ କରିଥିବା ଅଣଛାତ୍ରଙ୍କ ମଧ୍ୟରେ ତିନି ରାଜନୈତିକ ଦଳର ଛାତ୍ରନେତା ରହିଛନ୍ତି। ଏକ ନମ୍ବର ଛାତ୍ରାବାସର ୨୪ଟି, ଦୁଇ ନମ୍ବର ଛାତ୍ରାବାସର ୩୬ଟି ଓ ତିନି ନମ୍ବର ଛାତ୍ରାବାସର ଶତାଧିକ ରୁମ୍ ଏବେ ଅଣଛାତ୍ରଙ୍କ କବ୍ଜାରେ ରହିଛି। ରୁମ୍ ଭଡ଼ାରେ ଦେଇ ସେମାନେ ପ୍ରଚୁର ଅର୍ଥ ଉପାର୍ଜନ କରୁଛନ୍ତି। ଶିକ୍ଷାବର୍ଷ ଅଧାରୁ ଯଦି ଅଣଛାତ୍ରଙ୍କୁ କଢ଼ାଯାଏ ତେବେ ସେମାନଙ୍କ ବେପାର ଠପ୍ ହୋଇଯିବ।ବସ୍ତି ହଟାଇଲେ ଆମେ ହଷ୍ଟେଲ୍ ଛାଡ଼ିବୁ ବୋଲି ଯୁକ୍ତି କରିଛନ୍ତି ଅଣଛାତ୍ର ।

ତେବେ ଅଣଛାତ୍ରଙ୍କ କବଳରୁ ଯଦି ଉତ୍କଳ ବିଶ୍ୱବିଦ୍ୟାଳୟକୁ ମୁକ୍ତ କରା ନ ଯାଏ ତାହେଲେ ବିଶ୍ୱବିଦ୍ୟାଳୟର ଅପାରଗତା ବାହାରେ ପଡ଼ିବା ସହ ଉପଯୁକ୍ତ ଛାତ୍ର ହଷ୍ଟେଲ ସୁବିଧାରୁ ବଞ୍ଚିତ ହେବେ ।