ଶ୍ରୀମନ୍ଦିର ଚାବି ହଜିବାକୁ ନେଇ ତଥ୍ୟ ଦେଇ ପାରୁ ନାହାନ୍ତି ବିଜେପି ସରକାର। ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ବିଧାନସଭାରେ ରିପୋର୍ଟ ଉପସ୍ଥାପନ କରୁ ନାହାନ୍ତି । ପୂର୍ବ ସରକାରଙ୍କୁ ବାରମ୍ବାର ଟାର୍ଗେଟ କରୁଥିବା ବିଜେପି ସରକାର, ତଥ୍ୟ ଲୁଚାଇବାକୁ ନେଇ ଭକ୍ତଙ୍କ ଭିତରେ ଅସନ୍ତୋଷ ବଢୁଛି । ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କ ଭୁଲ୍ ଘୋଡ଼ାଉଛନ୍ତି କି ସରକାର । ଯଦି ନୁହେଁ ତେବେ କାହିଁକି ଉପସ୍ଥାପିତ ହେଉନି ଚାବି ହଜିବାର ରିପୋର୍ଟ ? ରତ୍ନଭଣ୍ଡାର ଚାବି ତାମିଲନାଡ଼ୁ ପଳାଇଲା କହୁଥିବା ନେତା ଚାବି ହଜିବା ପ୍ରସଙ୍ଗରେ ଚୁପ୍ କାହିଁକି?

2018 ମସିହାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ସରଗରମ ହୋଇଥିଲା ଓଡ଼ିଶା ରାଜନୀତି । ଜିଲ୍ଲା ରେକର୍ଡ ରୁମରୁ ‘ଡୁପ୍ଲିକେଟ୍’ ଚାବିର ଆବିଷ୍କାର ମାମଲାକୁ ଆହୁରି ଜଟିଳ କରିଥିଲା । ସରକାରରେ ଥିବା ବିଜେଡିକୁ ଘେରିଥିଲେ ବିରୋଧୀ। ଅସନ୍ତୋଷ ଏତେ ତୀବ୍ର ହେଲା ଚାବି ହଜିବା ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଜଷ୍ଟିସ ରଘୁବୀର ଦାସଙ୍କ ନେତୃତ୍ୱରେ ଏକ ନ୍ୟାୟିକ କମିଶନ ଗଠନ କରିଥିଲେ। ରାଜ୍ୟ ରାଜକୋଷରୁ ୨୨,୯୨,୦୦୦ ଟଙ୍କା ଖର୍ଚ୍ଚ ହେଲା। ଜଷ୍ଟିସ ରଘୁବୀର କମିଶନ ତଦନ୍ତ କରି ନଭେମ୍ବର ମାସରେ ପ୍ରାୟ ୩୨୯ ପୃଷ୍ଠାର ରିପୋର୍ଟ ସରକାରଙ୍କୁ ହସ୍ତାନ୍ତର କରିଥିଲେ। ମାତ୍ର ଆଶ୍ଚର୍ଯ୍ୟ କଥା ହେଉଛି 2018 ନଭେମ୍ବର ମାସରୁ ରିପୋର୍ଟ ଦାଖଲ ହୋଇଥିଲେ ସୁଦ୍ଧା ଆଜିଯାଏଁ ତାହା ସାର୍ବଜନୀନ ହୋଇ ପାରିଲା ନାହିଁ । ବିଜେଡି ସରକାର ହୁଏତ ନିଜର ଭୁଲ୍ ଲୁଚାଇବା ପାଇଁ ରିପୋର୍ଟ ଲୁଚାଇ ଥାଇପାରେ । ମାତ୍ର ସରକାର ବଦଳିଲା ପରେ ବି କ୍ଷମତାରେ ଥିବା ବିଜେପି ଜଷ୍ଟିସ ରଘୁବୀର ଦାସ କମିଶନ୍ ରିପୋର୍ଟ ସାର୍ବଜନୀନ କରୁନି କାହିଁକି? ଯେଉଁ ଚାବିକୁ ପ୍ରସଙ୍ଗ କରି ବିଜେପି ବାରମ୍ବାର ବିଜେଡିକୁ ଟାର୍ଗେଟ କରୁଥିଲା ସରକାରକୁ ଆସିବା ପରେ ପୁରା ଚୁପ୍ ।

2026 ଜାନୁଆରୀ 27ରେ ହାଇକୋର୍ଟ ପୁଣିଥରେ ରିପୋର୍ଟ ସାର୍ବଜନୀନ କରିବାକୁ ନୂଆ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବଜେଟ ଅଧିବେଶନ ସୁଦ୍ଧା ବିଧାନସଭାରେ ଉପସ୍ଥାପିତ କରିବାକୁ ଅର୍ଡର ଦେିଥିଲେ। ମାତ୍ର ଏ ପର୍ଯ୍ୟନ୍ତ ରିପୋର୍ଟ ଉପସ୍ଥାପିତ ହୋଇ ପାରୁ ନାହିଁ। ଭକ୍ତଙ୍କ ମନରେ ପ୍ରଶ୍ନ, କାହା ସ୍ୱାର୍ଥରେ ହେଉନି ରିପୋର୍ଟ ଉପସ୍ଥାପନ,ନବୀନ ପାଣ୍ଡିଆନଙ୍କୁ ସୁରକ୍ଷା ଯୋଗାଉନାହାନ୍ତି ତ ବିଜେପି ସରକାର। ରତ୍ନଭଣ୍ଡାରର ଚାବି ମିଳିଛି ନା ଚୋରି ହୋଇଛି? ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସୁରକ୍ଷିତ ଅଛି କି ନାହିଁ ତାକୁ ନେଇ ମଧ୍ୟ ସନ୍ଦେହ। ଯଦି ରିପୋର୍ଟ ସାର୍ବଜନୀନ ହେବ ନାହିଁ କମିଶନ୍ ବସୁଥିଲା କାହିଁକି? ଏ ପ୍ରଶ୍ନକୁ ନେଇ ନବୀନଙ୍କୁ କାହିଁକି ଘେରୁ ନାହାନ୍ତି ସରକାର । ପାଣ୍ଡିଆନଙ୍କୁ ଅସୁବିଧାରେ ପକାଇବାକୁ ଚାହୁଁ ନାହାନ୍ତି ନା ନବୀନଙ୍କ ପାପ ଘୋଡ଼ାଉଛନ୍ତି? 4 ବର୍ଷ ହେଲାଣି ରିପୋର୍ଟ ମଧ୍ୟ ସାର୍ବଜନୀନ ହେଇ ପାରୁ ନାହିଁ। ଏହା ସହ ରତ୍ନ ଗଣତି ପ୍ରକ୍ରିୟାରେ ବିଳମ୍ବକୁ ନେଇ ଅସନ୍ତୋଷ ବଢୁଛି । ଯୋଉ ଜଗନ୍ନାଥଙ୍କୁ ଆଧାର କରି ବିଜେପି କ୍ଷମତାକୁ ଆସିଛି ତାଙ୍କୁ ନେଇ ନିଷ୍କ୍ରିୟତା ଶୀର୍ଷରେ।