Posts tagged Ratnabhandara

ରତ୍ନଭଣ୍ଡାରର ମରାମତି ଆରମ୍ଭ

ଶ୍ରୀମନ୍ଦିରକୁ ନେଇ ସିରିଅସ୍ ବିଜେପି ସରକାର।ଚାରିଦ୍ୱାର ଖୋଲିବା ପରେ ଏବେ ରତ୍ନଭଣ୍ଡାର ପ୍ରସଙ୍ଗକୁ ଗୁରୁତ୍ୱ ଦେଇଛନ୍ତି ନୂଆ ସରକାର। ଆରମ୍ଭ ହୋଇଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ।ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସେପ୍ଟେମ୍ବର ୨୧ ଓ ୨୨ ତାରିଖରେ NGRI ଓ ASI ପକ୍ଷରୁ ହୋଇଥିବା ଜିପିଆର୍ ସର୍ଭେ ରିପୋର୍ଟ ଆଧାରରେ ଏବଂ ରାଜ୍ୟ ସରକାରଙ୍କ ଏସଓପି ଭିତ୍ତିରେ ଏହି ମରାମତି କାମ ହେବ।

ଏହି ସମୟରେ ଏଏସ୍ଆଇର ସଂରକ୍ଷଣ  ରାସାୟନିକ ଆଦି ବିଭାଗର ବରିଷ୍ଠ ବୈଷୟିକ ବିଶେଷଜ୍ଞ ଉପସ୍ଥିତ ରହିବେ।ଏଥିସହ ଡାକ୍ତରୀ ଟିମ, ଅଗ୍ନିଶମ କର୍ମଚାରୀ ଏବଂ ASIର ସ୍ୱତନ୍ତ୍ର ଟିମ ଉପସ୍ଥିତ ରହିବେ।ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମରାମତି କାମ ପାଇଁ ରତ୍ନଭଣ୍ଡାରକୁ ପ୍ରବେଶ କରିବାକୁ ଥିବା  ସମସ୍ତ ଅଧିକାରୀ ପାରମ୍ପାରିକ ବେଶରେ ପ୍ରବେଶ କରିବେ। ସମସ୍ତ ଅଧିକାରୀଙ୍କୁ ସେବାୟତଙ୍କ ଭଳି ବେଶ ପୋଷାକ ପିନ୍ଧିବାକୁ ପଡ଼ିବ।

ସୂଚନା ଅନୁଯାୟୀ  ପ୍ରଥମେ ଭିତର ଭଣ୍ଡାରର ମରାମତି ହେବ। ଭାରାବନ୍ଧା ହେବା ସହ ସଂପୂର୍ଣ୍ଣ କାନ୍ଥର ପ୍ଲାଷ୍ଟର ଛଡ଼ାଯିବ। ଏହାପରେ ଯେଉଁ ଯେଉଁ ସ୍ଥାନରେ ଫାଟ ଅଛି ତାର ମରାମତି ହେବ।ଯଦି  ମନ୍ଦିରର କୌଣସି ପଥର ପ୍ରଭାବିତ ହୋଇଥିବ,ତେବେ ସେ ପଥରକୁ ରିପ୍ଲେସ୍ କରାଯିବ। ସେହିପରି ଚଟାଣର ଅନେକ ସ୍ଥାନରେ ମୂଷା ଗାତ ଥିବାରୁ, ସଂପୂର୍ଣ୍ଣ ଚଟାଣର ମଧ୍ୟ ମରାମତି କରାଯିବ। ଯେଭଳି ଆଗାମୀ ଶହେ ବର୍ଷ ପାଇଁ କୌଣସି ସମସ୍ୟା ନ ରହିବ ତାକୁ ଦୃଷ୍ଟିରେ ରଖି ମରାମତି କାର୍ଯ୍ୟ କରାଯିବ ବୋଲି ସୁଚନା ଦିଆଯାଇଛି।

ତେବେ ବିଜୁ ଜନତା ଦଳର ସରକାର ସମୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ଅନେକ କଥା ଚର୍ଚ୍ଚା ହୋଇଥିଲା ବେଳେ ନୁଆ କରି ସରକାର ଗଢିଥିବା ଭାରତୀୟ ଜନତା ପାର୍ଟିର ଏ ପଦକ୍ଷେପ ହୁଏତ ପାର୍ଟିକୁ ଆଗକୁ ସଫଳତା ଦେଇପାରେ।ଏମିତିରେ ବି ଦେଖିବାକୁ ଗଲେ ଶ୍ରୀଜଗନ୍ନାଥଙ୍କ ପାଇଁ 500 କୋଟିର କର୍ପସ ଫଣ୍ଡ ଗଠନ କରି ନୁଆ ସରକାର ଶ୍ରୀମନ୍ଦିର ପ୍ରତି ଚିନ୍ତାଶୀଳ ଥିବା ସ୍ପଷ୍ଟ କରିଛି। ତେବେ ରତ୍ନଭଣ୍ଡାର ଖୋଲିବାଠାରୁ ଆରମ୍ଭ କରି ଗଣତି ମଣତି ପାଇଁ ପଦକ୍ଷେପ ନେଲା ପରେ ବିଜେଡି ଅପେକ୍ଷା ବିଜେପି ଅଧିକ ଲୋକପ୍ରିୟତା ହାସଲ କରୁଥିବ ବୋଲି ଅନୁମାନ କରାଯାଉଛି।