ପଶାପାଲିରେ ପୋଲାଭରମ୍, ମିଟିଂ କରିବେ ପ୍ରଧାନମନ୍ତ୍ରୀ

ପୋଲାଭରମକୁ ନେଇ ଖୁବ୍ ଶୀଘ୍ର ବଡ଼ ଧରଣର ନିଷ୍ପତ୍ତି ଆସିବାକୁ ଯାଉଛି । ପୋଲାଭରମ୍ ବିବାଦ ତୁଟିବା ନେଇ ଗୋଟାଏ ପ୍ରକାରର ଗ୍ରୀନ୍ ସିଗନାଲ ମିଳି ସାରିଛି। ବନ୍ଦ ହୋଇ ପଡ଼ିଥିବା ପୋଲାଭରମ ପ୍ରକଳ୍ପକୁ ନେଇ ମେ ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ମିଟିଂ ହେବାକୁ ଯାଉଛି। ଯେଉଁଥିରେ ଓଡ଼ିଶା, ଛଡ଼ିଶଗଡ଼, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ରାଜ୍ୟର ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ।

କାହା ଫରରେ ଆସିବ ନିଷ୍ପତ୍ତି?
ଛତିଶଗଡ଼, ଓଡ଼ିଶା ତେଲେଙ୍ଗାନା ଓ ଆନ୍ଧ୍ରକୁ ନେଇ ବସିବ ବୈଠକ । ୪ ରାଜ୍ୟର ହାନିଲାଭ ଉପରେ ନିଆଯିବ ନିଷ୍ପତ୍ତି । ଆନ୍ଧ୍ରରେ ଏବେ NDA ସରକାର ରହିଥିଲା ବେଳେ ବାକି ରାଜ୍ୟରେ ଶାସନ କରୁଛି BJP । ଏ ଦୃଷ୍ଟିରୁ ଆପୋଷ ସମାଧାନ ପାଇଁ ସ୍ଥିତି ପୂରା ଅନୁକୂଳ ରହିଛି । ଏ ଦିଗରେ  କେନ୍ଦ୍ର ଏବଂ ୪  ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ପୋଲାଭରମ୍ ବିବାଦ ବାଟ ଫିଟିବ ବୋଲି ଆଶା କରାଯାଉଛି ତେବେ ଯଦିଓ ଏଥିରେ ଆନ୍ଧ୍ରପ୍ରଦେଶ ଲାଭବାନ ହେବ ଓଡ଼ିଶା କିନ୍ତୁ ବଡ଼ ଧରଣର କ୍ଷତି ସହିବ । ପୋଲାଭରମ୍‌ ପ୍ରକଳ୍ପ ଓଡ଼ିଶାର ମାଲକାନଗିରି ଅଞ୍ଚଳ ପାଇଁ ବିପଦ ଆଣିଦେବ । ଆନ୍ଧ୍ରପ୍ରଦେଶର ଗୋଦାବରୀ ନଦୀ ଉପରେ ନିର୍ମିତ ବହୁମୁଖୀ ପ୍ରକଳ୍ପ ନିର୍ମାଣ ପାଇଁ ଆନ୍ଧ୍ର ସରକାର ଉପଯୁକ୍ତ ପରିବେଶଗତ ଅନୁଧ୍ୟାନ, ଜନଶୁଣାଣି କରିନାହାନ୍ତି। ପୋଲାଭରମ୍‌ ଡ୍ୟାମ୍‌ ନିର୍ମାଣ ଓ ଏହାର ଉଚ୍ଚତା ବୃଦ୍ଧି ଯୋଗୁଁ ସୃଷ୍ଟ ଜଳଭଣ୍ଡାରର ପଛୁଆ ପାଣି ଗୋଦାବରୀର ଉପନଦୀ ଶାବେରୀ ଓ ସିଲେରୁ ଦେଇ ୧୫୦ କିମି ପଛଯାଏ ବୁଡ଼ି ଅଞ୍ଚଳ ସୃଷ୍ଟି କରିବାର ଆଶଙ୍କା ରହିଛି । ପୋଲାଭରମ୍‌ ଡ୍ୟାମ୍‌ ନିର୍ମାଣ ଓ ଏହାର ଉଚ୍ଚତା ବୃଦ୍ଧି ତେଲେଙ୍ଗାନା ଛତିଶଗଡ଼ ପାଇଁ ସମସ୍ୟା ବଢ଼ାଇଛି। ଏହି ବିବାଦ ସମାଧାନ ପାଇଁ ମେ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ  ଆଲୋଚନା କରିବେ।
ଓଡ଼ିଶାର ସ୍ୱାର୍ଥରେ କମ୍ପରମାଇଜ୍ ହେବନି
ପୋଲାଭରମକୁ ନେଇ ଓଡ଼ିଶାର ସ୍ୱାର୍ଥରେ କମ୍ପରମାଇଜ୍ ହେବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସବୁ ଦିଗକୁ ବିଚାର କରି ଓଡ଼ିଶାର ସ୍ୱାର୍ଥକୁ ପ୍ରଭାବିତ କଲାଭଳି ନିଷ୍ପତ୍ତି ନିଆଯିବ ନାହିଁ । ତେବେ ବିଜୁ ଜନତା ଦଳର ସରକାରରେ ଏ ପ୍ରକଳ୍ପକୁ ବିରୋଧ କରାଯାଇଥିଲା ବେଳେ ଏବେ ରାଜ୍ୟରେ ଥିବା ବିଜେପି ସରକାରର ଏ ଦିଗରେ କି ଆଭିମୁଖ୍ୟ ଗ୍ରହଣ କରୁଛି ସେସବୁ ଖୁବ୍ ଶୀଘ୍ର ସ୍ପଷ୍ଟ ହେବ ।

ପହଲଗାମ ଆକ୍ରମଣରେ ଲେଡି ୟୁଟୁବର ଲିଙ୍କ୍

ପହଲଗାମ ଆକ୍ରମଣକୁ ନେଇ ଗୋଟାଏ ପରେ ଗୋଟାଏ ତଥ୍ୟ ସାମ୍ନାକୁ ଆସୁଛି । ବିଦେଶି ଶତୃଙ୍କ ପ୍ରତ୍ୟକ୍ଷ ଆକ୍ରମଣ ସହିତ ଲୁଚିଥିବା ଭାରତୀୟ ଦେଶଦ୍ରୋହୀଙ୍କ ମୁଖା ଖୋଲୁଛି । ଦେଶରେ ରହି ଶତୃରାଷ୍ଟ୍ର ସହିତ ଷଡ଼ଯନ୍ତ୍ରରେ ସାମିଲ୍ ଅଛନ୍ତି ଇଣ୍ଡିଆନ୍ ୟୁଟ୍ୟୁବର । ଯେଉଁ ତଥ୍ୟକୁ ନେଇ ତନାଘନା ଆରମ୍ଭ ହୋଇଛି । ପାକିସ୍ତାନ ପାଇଁ ଗୁପ୍ତଚର ସାଜିବା ଅଭିଯୋଗରେ ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଗିରଫ ହୋଇଛନ୍ତି । ଏପ୍ରିଲ ୨୨ରେ ଦକ୍ଷିଣ କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦ ଆକ୍ରମଣ ଦିନ ପାକିସ୍ତାନ ସହ ସେ ଯୋଗାଯୋଗରେ ଥିଲେ ।

ତେବେ କେଉଁ ଉଦ୍ଦେଶ୍ୟରେ ଜ୍ୟୋତି ISI ସହ ସେଦିନ ଯୋଗାଯୋଗରେ ଥିଲେ ଏବଂ କଣ ସବୁ ସେଦିନ କଥାବାର୍ତ୍ତା ହୋଇଥିଲେ ଏବେ ସେସବୁ ଉପରୁ ପରଦା ଉଠାଇବା ପାଇଁ ଜ୍ୟୋତିଙ୍କୁ ୫ ଦିନିଆ ରିମାଣ୍ଡରେ ନିଆଯାଇଛି। ଜ୍ୟୋତି ପ୍ରାୟୋଜିତ ଟ୍ରିପ୍ ରେ ନିୟମିତ ପାକିସ୍ତାନ ଯାଉଥିଲେ, ଥରେ ଚୀନ୍ ବି ଯାଇଛନ୍ତି। ପହଲଗାମ୍ ଆକ୍ରମଣ ପୂର୍ବରୁ ମଧ୍ୟ ସେ ପାକିସ୍ତାନରେ ଥିଲେ। ବ୍ୟାଙ୍କ ଟ୍ରାଞ୍ଜାକ୍ସନ ନେଇ ଡିଟେଲ୍ସର ଯାଞ୍ଚ ଚାଲିଛି। କେଉଁସବୁ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଅଧିକାରୀଙ୍କ ସହ ସେ ଯୋଗାଯୋଗରେ ଥିଲେ, ତାର ବି ଖୋଳତାଡ଼ କରାଯାଉଛି। ଜ୍ୟୋତିକୁ ପାକିସ୍ତାନୀ ଏଜେନ୍ସୀ ଏକ ଆସେଟ୍ ଭଳି ବ୍ୟବହାର କରୁଥିବାର ପ୍ରମାଣ ମିଳିଛି। ଆକ୍ରମଣ ପରେ ସେ ପାକିସ୍ତାନର ପକ୍ଷ ନେଇ ଭିଡ଼ିଓ ଜାରୀ ମଧ୍ୟ କରିଥିଲେ । ତେବେ କେବଳ ଜ୍ୟୋତି ନୁହନ୍ତି ପୁରୀ ଝିଅ ତଥା ଓଡିଆ କଣ୍ଟେଣ୍ଟ କ୍ରିଏଟର ପ୍ରିୟଙ୍କା ସେନାପତି ମଧ୍ୟ ଏବେ ସ୍କାନରରେ । ଜ୍ୟୋତି ମାଲହୋତ୍ରାଙ୍କୁ କିଛି ଗୁପ୍ତ ତଥ୍ୟ ଦେଇଛନ୍ତି କି ନାହିଁ ତାର ଖୋଳତାଡ ଚାଲିଛି। ଜ୍ୟୋତିଙ୍କ ସହିତ ତାଙ୍କର ଫଟୋ ଓ ଭିଡ଼ିଓର ଯାଞ୍ଚ କରିବା ସହ ପାକିସ୍ତାନ କରତାରପୁର ଗସ୍ତ ନେଇ ତଦନ୍ତ ଚାଲିଛି । 

ନୀରଜ ଚୋପ୍ରାଙ୍କୁ ବଡ଼ ସମ୍ମାନ; ମିଳିଲା Lieutenant Colonel ଗିଫ୍ଟ

ଜାଭେଲିନ୍ ଷ୍ଟାର ନୀରଜ ଚୋପ୍ରାଙ୍କୁ ବଡ଼ ଗିଫ୍ଟ । ପଦ୍ମଶ୍ରୀ ନୀରଜଙ୍କୁ ସେନା ପକ୍ଷରୁ ମିଳିଛି ବଡ଼ ସମ୍ମାନ। ଜାଭେଲିନ୍ ଥ୍ରୋରେ ଦୁଇ ଥର ଅଲିମ୍ପିକ୍ ମେଡାଲିଷ୍ଟ୍ ନୀରଜ ଚୋପ୍ରାଙ୍କୁ ଇଣ୍ଡିଆନ ଆର୍ମୀ ଟେରିଟୋରିଆଲ୍ ଆର୍ମିରେ ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ଅନରାରୀ ରାଙ୍କ୍ ପ୍ରଦାନ କରିଛି । ଏନେଇ ଗେଜେଟ୍ ଅଫ୍ ଇଣ୍ଡିଆରେ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି।

୨୦୧୬ରେ ଭାରତୀୟ ସ୍ଥଳସେନାରେ Junior commissioned officer ଭାବେ ନାଏବ ସୁବେଦାର୍ ରାଙ୍କରେ ଯୋଗ ଦେଇଥିଲେ ନୀରଜ ଚୋପ୍ରା। ୨୦୨୧ରେ ସେ ସୁବେଦାର୍ ଭାବେ ପଦୋନ୍ନତି ପାଇଥିଲେ। ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣପଦକ ଜିତିବା ପରେ, ୨୦୨୨ରେ ପଦ୍ମଶ୍ରୀ ସହ ତାଙ୍କୁ ସେନାରେ ସର୍ବୋଚ୍ଚ ଶାନ୍ତିକାଳୀନ ପୁରସ୍କାର ପରମ ବିଶିଷ୍ଟ ସେବା ମେଡାଲ୍ ମିଳିଥିଲା।୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ଜିତିବା ପରେ ସେ ସୁବେଦାରରୁ ସୁବେଦାର୍ ମେଜର ଭାବେ ପଦୋନ୍ନତି ପାଇଥିଲେ। ଦୋହା ଡାଇମଣ୍ଡ ଲିଗ୍ ଆରମ୍ଭ କରିବା ପୂର୍ବରୁ,ତାଙ୍କୁ ଟେରିଟୋରିଆଲ୍ ଆର୍ମିରେ ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ଅନରାରୀ ରାଙ୍କ୍ ପ୍ରଦାନ କରାଯାଇଛି। ନୀରଜଙ୍କ ପାଇଁ ଏ ସଫଳତାର ନୂଆ ସୋପାନ ଉତ୍ସାହ ଆଣିଦେଇଛି ।

ବେଇମାନ ଟ୍ରମ୍ପ୍, ଭରସା ଯୋଗ୍ୟ ନୁହନ୍ତି

ଭରସା ଯୋଗ୍ୟ ନୁହନ୍ତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପଙ୍କୁ ବିଶ୍ୱାସ କରିବା ଅର୍ଥ ନିଜ ପାଇଁ ବିପଦକୁ ନିମନ୍ତ୍ରଣ କରିବା । ପ୍ରଥମେ ଚୀନକୁ ବର୍ବାଦ କରିବାକୁ ଲଗାଇଲେ ୧୪୫ ପ୍ରତିଶତ ଟାରିଫ୍, ଆଉ ଏବେ ବନ୍ଧୁତାର ହାତ ବଢେଇଛନ୍ତି । ଆମେରିକା ଓ ଚୀନ ଉଭୟ ଉଭୟ ଦେଶ ଉପରେ ଅତିରିକ୍ତ ଟାରିଫ ଲଗାଇବାରୁ ଉଭୟ ଦେଶ ମଧ୍ୟରେ ୬୦୦ ଆରବ ଡଲାର ବ୍ୟବସାୟ ବନ୍ଦ ହୋଇଯାଇଥିଲା । ଏହାଫଳରେ ସପ୍ଲାଏ ଚେନ୍ ପ୍ରଭାବିତ ହେବା ସହ ଅନେକ କମ୍ପାନୀ କର୍ମଚାରୀ ଛଟେଇ ଆରମ୍ଭ କରିଦେଇଥିଲେ । ଏହାକୁ ନେଇ ବିଶ୍ୱ ଅର୍ଥବ୍ୟବସ୍ଥା ଉପରେ ଚାପ ପଡିଥିଲା ।
ଅପ୍ରେଲ ମାସରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେଭଳି ବିଶ୍ୱର ଅନେକ ଦେଶ ଉପରେ ଟାରିଫ୍ ଲଗାଇଲେ ତାହା ସାରା ବିଶ୍ୱକୁ ଚମକାଇଦେଲା । ଚୀନକୁ ବର୍ବାଦ କରିବାକୁ କହି ଟ୍ରମ୍ପ ଚୀନ ଉପରେ ୧୪୫ ପ୍ରତିଶତ ଟାରିଫ୍ ଲଗାଇଥିଲେ । ଲାଗୁଥିଲା ଯେମିତ ଆମେରିକା ଚୀନର ସମସ୍ତ ବ୍ୟବସାୟକୁ ବର୍ବାଦ କରିଦେବ । ଟ୍ରମ୍ପ ତାଙ୍କ ଭାଷଣରେ ଚୀନକୁ ବର୍ବାଦ କରିଦେବା କଥା  ମଧ୍ୟ କହିଥିଲେ।

କିନ୍ତୁ ଅଚାନକ୍ ଟ୍ରମ୍ପଙ୍କ ମନ ବଦଳିଯାଇଛି । ଏବେ ଟାରିଫ୍ ଲଗାଇ ଚୀନକୁ ବର୍ବାଦ କରିବା ପରିବର୍ତ୍ତେ ଚୀନ ସହ ବ୍ୟବସାୟକୁ ବ୍ୟାପକ କରୁଛନ୍ତି ଏହାସହ ଏବେ ୧୪୫ ପ୍ରତିଶତ ଟାରିଫରୁ ୧୧୫ ପ୍ରତିଶତ ଟାରିଫ୍ ପ୍ରତ୍ୟାହାର କରିଛନ୍ତିଅର୍ଥାତ ଏବେ ଚୀନ ଉପରେ ମାତ୍ର ୩୦ ପ୍ରତିଶତ ଟାରିଫ୍ ଲଗାଇବ ଆମେରିକା । ୧୨୫ ପ୍ରତିଶତ ଟାରିଫ୍ ହ୍ରାସ କରି ମାତ୍ର ୧୦ ପ୍ରତିଶତ ଲଗାଇବ ବୋଲି ଘୋଷଣା କରିଛି ।  
     ଭାରତ ପାକିସ୍ତାନ ଯୁଦ୍ଧ ସମୟରେ ମଧ୍ୟ ହସ୍ତକ୍ଷେପ କରି ଯୁଦ୍ଧ ବନ୍ଦ କରାଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଭାରତର ଶକ୍ତି ସାମର୍ଥ୍ୟ ଥାଇ ସୁଦ୍ଧା ଟ୍ରମ୍ପଙ୍କ ପ୍ରସ୍ତାବ ଯୋଗୁଁ ଅସ୍ତ୍ରବିରତି ଘୋଷଣା କରିଛି ।

ତେବେ ପାକିସ୍ତାନକୁ ଭିତିରି ସମର୍ଥନ ଦେଉଥିବା ଆମେରିକା କଥାରେ ଭରସା କରି ଭାରତ ଆଉ ବିଶ୍ୱାସଘାତକତାର ଶିକାର ହେବନି ତ?

ବାହା ହେଉ ନାହାନ୍ତି ଓଡ଼ିଶାର ଅଧା ଯୁବପୀଢ଼ି

ସଂସାର କରିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି ଯୁବପୀଢି । ବାହାଘର ପାଇଁ ଇଛା କରୁନାହାନ୍ତି ଯୁବବର୍ଗ । ବାହାଘର ଓ ସଂସାର ପ୍ରତି ବିମୁଖ ହେବାର ମାନସିକତା ଦିନକୁ ଦିନ ବଢିବାରେ ଲାଗିଛି । ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଅବିବାହିତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ପରିସ୍ଥିତି ଏମିତି ଦିଗକ ଗତି କରିଛି ଯେ ଜନସଂଖ୍ୟାର ଅଧା ଏବେ ବ୍ୟାଚଲର। ଜାତୀୟସ୍ତରରେ ଜନସଂଖ୍ୟାର ୫୧.୨%ଯୁବପୀଢ଼ି ଅବିବାହିତ । ୫୬.୪% ପୁରୁଷ ଅବିବାହିତ ରହିଥିଲା ବେଳେ ୪୫.୮% ମହିଳା ଅବିବାହିତ।

ଓଡ଼ିଶାର ଅଧା ଯୁବପୀଢ଼ିଙ୍କ ସଂସାର ପ୍ରତି ଆଗ୍ରହ ନାହିଁ
ଓଡ଼ିଶାରେ ଯୁବପୀଢ଼ି ସଂସାର ପ୍ରତି ଆଗ୍ରହ ଦେଖାଉ ନାହାନ୍ତି। ସମୁଦାୟ ଜନସଂଖ୍ୟାର ୪୬.୫% ବିବାହ କରି ନାହାନ୍ତି। ଓଡ଼ିଶାରେ ୫୧.୬% ପୁରୁଷ ଏବଂ ୪୧.୨% ମହିଳା ଅବିବାହିତ ଅଛନ୍ତି। ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ମାତ୍ରାରେ ବାହାଘର ପ୍ରତି ଅନାଗ୍ରହି। ଓଡ଼ିଶାରେ ୪୯.୨% ବିବାହିତ । ୪୨.୨% ପୁରୁଷ ଓ ୪୬.୭% ମହିଳା  ବର୍ଗ ବିବାହ କରିଛନ୍ତି।

ତେବେ କେବଳ ଓଡ଼ିଶା ନୁହେଁ ଅନ୍ୟ ରାଜ୍ୟରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଛି। ଅବିବାହିତ ଯୁବପୀଢ଼ି ଏବେ ଜାତୀୟ ସମସ୍ୟାରେ ପରିଣତ ହୋଇଛି ।ଦେଶ ହେଉ ବା ରାଜ୍ୟ ବିବାହ ପ୍ରତି ପିଲାଙ୍କ ଆଗ୍ରହ କମୁଛି । ଏକାଏକା ଜୀବନ ବଞ୍ଚିବାକୁ ପସନ୍ଦ କରୁଛନ୍ତି ଯୁବପୀଢ଼ି । ଦେଶରେ ଜନସଂଖ୍ୟାର ୪୫.୫% ବିବାହ କରିଥିଲା ବେଳେ ବାକି ଅବିବାହିତ। ୪୨.୫% ପୁରୁଷ ଓ ୪୯%  ମହିଳା ବର୍ଗ ବିବାହ କରିଛନ୍ତି ।         
                   
ରିପୋର୍ଟ ଅନୁଯାୟୀ ଜାମ୍ମୁ ଓ କଶ୍ମୀରରେ ସର୍ବାଧିକ ଅବିବାହିତ ଅଛନ୍ତି । ଜନସଂଖ୍ୟାର ୫୭.୩% ଅବିବାହିତ । ଏହି ରାଜ୍ୟ ପଛକୁ ଦ୍ୱିତୀୟରେ ରହିଛି ଉତ୍ତର ପ୍ରଦେଶ। ସେଠାରେ ୫୬.୮% ଅବିବାହିତ। ବିହାରରେ ସର୍ବାଧିକ ୬୩.୧% ପୁରୁଷ ଅବିବାହିତ । ସେହିପରି ଉତ୍ତରାଖଣ୍ଡରେ ୬୧.୭% ଯୁବପୀଢ଼ି ଅବିବାହିତ। ଅବିବାହିତ ପୁରୁଷ ବର୍ଗରେ ଓଡ଼ିଶା ୧୭ତମ ସ୍ଥାନରେ  ରହିଛି। ସେହିପରି ମହିଳାଙ୍କ କ୍ଷେତ୍ରରେ  ବିହାରରେ ମଧ୍ୟ ସର୍ବାଧିକ ମହିଳା ଅବିବାହିତ । ସେଠାରେ ୫୪.୫% ମହିଳା ଅଛନ୍ତି। ଏହି ବର୍ଗରେ ୧୬ତମ ସ୍ଥାନରେ ରହିଛି ଓଡ଼ିଶା।