ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିକିତ୍ସା ପାଇଁ ମୁମ୍ବାଇ ଯାଇଛନ୍ତି। ଧୀରୁଭାଇ ଅମ୍ବାନୀ ହସ୍ପିଟାଲ ରେ ହୋଇପାରେ ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ଅପରେସନ୍ । ନବୀନଙ୍କ ଘରୋଇ ଡାକ୍ତର ରମାକାନ୍ତ ପଣ୍ଡା ଙ୍କ ତତ୍ତ୍ୱାବଧାନରେ ଜୁନ୍ ୨୨ରେ ସର୍ଜରୀ ହୋଇପାରେ । ଏଥିପାଇଁ ସୋସିଆଲ ମିଡିଆରେ ସୂଚନା ଦେଇ ଜଗନ୍ନାଥଙ୍କ ଆଶୀର୍ବାଦ କାମନା କରିଛନ୍ତି ନବୀନ ।
କିନ୍ତୁ ନବୀନଙ୍କ ମୁମ୍ବାଇ ଗସ୍ତ ପଛରେ ପଲିଟିକ୍ସ ଅଧିକ ଥିବାର ଲାଗୁଛି। ପ୍ରଧାନମନ୍ତ୍ରୀଙ୍କ ଭୁବନେଶ୍ୱରର ରୋଡ୍ ସୋ ’ ର ପ୍ରାୟ 5 ଘଣ୍ଟା ପୂର୍ବରୁ BJD ର କର୍ମୀ-ନେତା, ଏୟାରପୋର୍ଟରେ ଏକାଠି ହେବା, ନବୀନଙ୍କ ପଲିଟିକାଲ୍ ଏଜେଣ୍ଡାକୁ ଉଜାଗର କରିଛି। ବିଜୁ ପଟ୍ଟନାୟକ ଏୟାରପୋର୍ଟ ରୁ ଜନତା ମୈଦାନ ଯାଏଁ ନରେନ୍ଦ୍ର ମୋଦୀଙ୍କ ରୋଡ୍ ସୋ ’ ର ସିଡ୍ୟୁଲ୍ ଆଗୁଆ ସ୍ଥିର ହୋଇଛି। କିନ୍ତୁ ମୋଦୀଙ୍କ ପପୁଲାରିଟିକୁ କାଉଣ୍ଟର କରିବାକୁ BJD ସଭାପତିଙ୍କ ଅସୁସ୍ଥତାକୁ ଫୋକସ୍ କରିଛନ୍ତି ନବୀନଙ୍କ କୋଟରୀ। ସେଥିପାଇଁ ହଠାତ୍ ନବୀନ ନିବାସରୁ ଏୟାରପୋର୍ଟ ଯାଏଁ ମହାନାଟକର ଆୟୋଜନ କରାଗଲା। ଅସୁସ୍ଥ ନବୀନ ପଟ୍ଟନାୟକ ଯେପରି ଯୁଦ୍ଧ ଲଢ଼ିବାକୁ ଯାଉଛନ୍ତି, ସେଥିପାଇଁ ମେଲାଣି ପର୍ବର ଆୟୋଜନ କରାଗଲା। ହୁଳହୁଳି-ବନ୍ଦାପନାର ମହାନାଟକ ପ୍ଲାନିଂ ଅନୁସାରେ ଏୟାରପୋର୍ଟ ଅଭିମୁଖେ ନବୀନ ପଟ୍ଟନାୟକ ଯିବାବେଳେ BJD ମହିଳା କର୍ମୀମାନେ ତାଙ୍କୁ ବନ୍ଦାପନା କରିବା ସହ ହୁଳହୁଳି ପକାଇଲେ। ଦଳର ବରିଷ୍ଠ ନେତା ଏବଂ ଭୁବନେଶ୍ୱରର ଆଖପାଖ ଅଞ୍ଚଳରୁ କର୍ମୀମାନଙ୍କୁ ବୋହି ଆଣି ଏୟାରପୋର୍ଟରେ ରୁଣ୍ଡ କଲେ। ମୋଦିଙ୍କ ତୁଳନାରେ ନବୀନ ଅଧିକ ଲୋକପ୍ରିୟ ବୋଲି ଦେଖାଇବାର ପ୍ରଚେଷ୍ଠା ହେଲା । BJD ର ନେତା-କର୍ମୀ, ଆରୋଗ୍ୟ କାମନା କରି ନବୀନଙ୍କୁ ବିଦାୟ ଦେଲେ ।
ମୁମ୍ବାଇ ଚିକିତ୍ସାର ପ୍ରଚାର କଣ ପାଇଁ କିନ୍ତୁ ନବୀନ ପଟ୍ଟନାୟକଙ୍କ କୋଟରୀ ଭୁଲିଗଲେ ଯେ ସାଧାରଣତଃ ଜଣେ ମେଡିକାଲକୁ ଯିବା ସମୟରେ ସମସ୍ତେ ଚିନ୍ତାରେ ଥାଆନ୍ତି। ହେଲେ ନବୀନଙ୍କ ସ୍ୱାସ୍ଥ୍ୟ ଉପଚାରକୁ ପ୍ରଚାର-ପ୍ରସାରର ଉଚିତ ମାଧ୍ୟମ ଭାବିଲେ BJD ର ଶୀର୍ଷ ନେତୃତ୍ୱ । କିନ୍ତୁ ସଚେତନ ଓଡ଼ିଆ ଜାଣିଛନ୍ତି ଯେ ପୂର୍ବରୁ କ୍ୟାପିଟାଲ ହସ୍ପିଟାଲ ରେ ଚିକିତ୍ସିତ ହୁଅନ୍ତି ନବୀନ କିମ୍ବା ହରିଆନା ଗୁରୁଗାଓଁ ର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେବାର ଉଦାହରଣ ଅଛି। କିନ୍ତୁ କେବେବି ଗଣମାଧ୍ୟମ ବା ସୋସିଆଲ୍ ମିଡିଆରେ ନିଜର ଚିକିତ୍ସା ସଂପର୍କରେ ଜଣାଇ ନାହାଁନ୍ତି ନବୀନ। ପ୍ରଥମଥର ଚିକିତ୍ସା ପାଇଁ ମୁମ୍ବାଇ ଗଲେ, କିନ୍ତୁ ସେ ସଂପର୍କରେ ସାରା ଦୁନିଆକୁ ଜଣାଇବା ପଛରେ ନବୀନଙ୍କର କି କାରଣ ରହିଛି ?
ତେବେ BJD ର ନିଷ୍ପତ୍ତି ନେଉଥିବା ନେତୃତ୍ୱ ଜାଣିବା ଉଚିତ ଯେ 2024 ନିର୍ବାଚନ ନବୀନଙ୍କ ଲୋକପ୍ରିୟତାର ସାର୍ଟିଫିକେଟ୍ ଦେଇଛି। ନବୀନ ପଟ୍ଟନାୟକ ଜଣେ ଅପ୍ରତିଦ୍ୱନ୍ଦ୍ୱୀ ନେତା ନୁହଁନ୍ତି । କଣ୍ଟାବାଞ୍ଝି ଆସନରେ ଲକ୍ଷ୍ମଣ ବାଗ ଙ୍କ ଠାରୁ 16,344 ଭୋଟ ବ୍ୟବଧାନରେ ପରାଜିତ ହୋଇଛନ୍ତି ନବୀନ ପଟ୍ଟନାୟକ । ସେହିଭଳି ନିଜର ପାରମ୍ପରିକ ଆସନ ହିଞ୍ଜିଳରୁ ପ୍ରାୟ 60,000 ରୁ ଅଧିକ ଭୋଟରେ ବିଜୟୀ ହେଉଥିବା ନବୀନ, ଗତ ନିର୍ବାଚନରେ ମାତ୍ର 4636 ଭୋଟରେ ଜିତିଛନ୍ତି। ତେବେ ମୋଦୀଙ୍କୁ କାଉଣ୍ଟର କରିବା ନବୀନଙ୍କର ମୁମ୍ବାଇ ଗସ୍ତ ପ୍ରଥମ ଚାଲ୍ ନୁହେଁ । 5 ଅଗଷ୍ଟ 2021 ରେ ଅଯୋଦ୍ଧାରେ ରାମ ମନ୍ଦିରର ଭୂମି ପୂଜନ ଚାଲିଥିବା ବେଳେ କରୋନା ମୁକାବିଲା ପାଇଁ ଓଡ଼ିଶାରେ ସାମୁହିକ “ ବନ୍ଦେ ଉତ୍କଳ ଜନନୀ ” ଗାନ କରାଇଥିଲେ ବିଜେଡି ସରକାର । ସେହିପରି ରାମ ମନ୍ଦିର ପ୍ରତିଷ୍ଠା ଆଗରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଲୋକାର୍ପଣ ସହ ଗାଁ ଗାଁରୁ ଅର୍ପଣ ଚାଉଳ ସଂଗ୍ରହ କରିଥିଲେ ନବୀନ ଆଣ୍ଡ କମ୍ପାନୀ। ମୋଦୀଙ୍କୁ କାଉଣ୍ଟର କରିବାକୁ ଯାଇ ନବୀନ ପଟ୍ଟନାୟକଙ୍କ ଅସୁସ୍ଥତାକୁ ଆୟୁଧ କରିବାର BJD ର ପ୍ରୟାସକୁ ଓଡ଼ିଶାବାସୀ ବୁଝିପାରିବେ ନାହିଁ, ଏଭଳି ଭାବିବା ଠିକ୍ ନୁହେଁ।