ଓଡ଼ିଶାରେ ‘ଆମ ଶାସନ’: 5t ଢାଞ୍ଚାରେ ଚାଲିବ ସରକାର

ଓଡ଼ିଶାରେ ଆମ ଶାସନ ଲାଗୁ ହୋଇଛି । 5 ଟି ଢାଞ୍ଚାକୁ ବିଜେପି ସରକାର ଆପଣେଇଛନ୍ତି । ଲୋକଙ୍କୁ ସେବା ଦେବାରେ ଅଫିସର ମନମାନି କଲେ  ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। 14471 ହେଲ୍ପଲାଇନ୍ ନମ୍ବରକୁ ଫୋନ୍ କରି ଜନସାଧାରଣ ଅଭିଯୋଗ କରି ପାରିବେ। ବିଜେଡ଼ି ସରକାରଙ୍କ  ’ମୋ-ସରକାର’ ଢାଞ୍ଚାରେ ଶାସନ ଚାଲିବ ।  
ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କେମିତି କାର୍ଯ୍ୟକାରୀ ହେଉଛି ସେନେଇ ଲୋକଙ୍କ ମତାମତ ନିଆଯିବ। ଯଦି କୌଣସି ଅଧିକାରୀ ଲୋକଙ୍କୁ ଠିକରେ ସେବା ନ ଯୋଗାନ୍ତି କିମ୍ବା ଖରାପ ବ୍ୟବହାର ଦେଖାନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । କୌଣସି ବି କାମ ପାଇଁ ଲାଞ୍ଚ ମାଗିଲେ ସ୍ଟ୍ରଙ୍ଗ ଆକ୍ସନ ନିଆଯିବ। ଏଥିପାଇଁ ଓଡ଼ିଶା ସରକାର ‘ଆମ ଶାସନ’ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ବିଜେଡି ସରକାରରେ ଭି କେ ପାଣ୍ଡିଆନ 5t କୁ ଅକ୍ତିଆର କରି ରଖିଥିଲା ବେଳେ ଆମ ସରକାରରେ କିନ୍ତୁ  ସଚିବ କି ଅଧ୍ୟକ୍ଷ ନୁହେଁ ଯେଉଁ ଅଭିଯୋଗ , ବା ପ୍ରସ୍ତାବ ଆସିବ ତାହା ମୁଖ୍ୟମନ୍ତ୍ରୀ ଓ ପ୍ରଶାସନ ସିଧାସଳଖ ଶୁଣିବେ। ଏଥିରେ ପ୍ରାୟ ୨୦ଟି ବିଭାଗର ୧୫୦ରୁ ଅଧିକ ସେବା ଉପଲବ୍ଧ ହେବ । ଏବେ ୮ଟି ବିଭାଗର ୧୬ଟି ସେବା ଉପଲବ୍ଧ ହେବ। 

ସରକାରଙ୍କ ତରଫରୁ ଲୋକଙ୍କ ପାଖକୁ ରେକର୍ଡ ହେଉଥିବା ଏକ କଲ୍‌ ଆସିବ, ସେମାନଙ୍କୁ ଯୋଜନାର କାର୍ଯ୍ୟକାରିତା ଉପରେ ବିଭିନ୍ନ ପ୍ରଶ୍ନ ପଚରାଯିବ । ଏଥିସହ ଲୋକଙ୍କ ଠାରୁ ମତାମତ ସଂଗ୍ରହ ସହିତ ଲୋକ ଫୋନ୍‌ କରି ମତାମତ ଓ ଅଭ‌ିଯୋଗ ଦେବା ପାଇଁ ଏକ କଲ୍‌ ସେଣ୍ଟର ରହିବ । ଲୋକଙ୍କ ପାଖରେ ସେବା ଠିକ୍‌ରେ ପହଞ୍ଚୁଛି କି ନାହିଁ, ସରକାର ତଦାରଖ କରିବେ। ଥାନା, ଡାକ୍ତରଖାନା, ଧାନମଣ୍ଡି, ସ୍କୁଲ୍ ସବୁକିଛି ସରକାରଙ୍କ ସ୍କାନରରେ ରହିବ। ଏପରିକି ସୁଭଦ୍ରା ସମ୍ବନ୍ଧୀୟ ଅଭିଯୋଗ ବି କରିହେବ । ମତାମତ ଓ ଅଭିଯୋଗ ପାଇଁ ୧୪୪୭୧ ଟୋଲ୍‌ ଫ୍ରି ନମ୍ବର ଜାରୀ ହେଉଛି । ସୋମବାରରୁ ଶୁକ୍ରବାର ଯାଏଁ ସକାଳ ୯ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଏ ନମ୍ବରରେ କଥା ହେଇ ହେବ। ତେବେ କେବଳ ଅଫଲାଇନ୍ ନୁହେଁ ଅନଲାଇନ୍ ପ୍ଲାଟଫର୍ମ ଯେପରିକି ହ୍ବାଟସ୍‌ଆପ୍‌, ଇ-ମେଲ, ଏକ୍ସରେ ମଧ୍ୟ ମତାମତ ଏବଂ ଅଭିଯୋଗ କରିହେବ। ତେବେ 5 ଟି ତୁଳନାରେ ଏ ସେବା ଅଧିକ ଫଳପ୍ରଦ ହେଉଛି ତାହା ଦେଖିବା ବାକି ।

କ୍ରିକେଟରଙ୍କ ଫିଟନେସ୍ ମାପିବ BCCI

Board of Control for Cricket in India (BCCI) ଖେଳାଳିଙ୍କ ଫିଟନେସ ପରୀକ୍ଷା କରିବା ପାଇଁ ନୂଆ ନିୟମ ପ୍ରଚଳନ କରିଛି। ଯୋଉ ନିୟମର ନାଁ ହେଉଛି ବ୍ରୋଙ୍କୋ ଟେଷ୍ଟ। ରଗବି ଖେଳରେ ଏ ଟେଷ୍ଟ କରାଯାଏ । ଏ ଟେଷ୍ଟକୁ ଏବେ କ୍ରିକେଟରେ ପ୍ରୟୋଗ କରାଯାଇଛିଏହା ଖେଳାଳିଙ୍କ ଏରୋବିକ କ୍ଷମତା ଏବଂ ରନିଂ ଷ୍ଟାମିନା ପରୀକ୍ଷା କରିବ। କେବଳ ଏତିକି ନୁହେଁ କେତେ ସ୍ପିଡ଼ରେ ବୋଲରମାନେ ଦୌଡି ପାରୁଛନ୍ତି ଏ ଟେଷ୍ଟ ମଧ୍ୟ BCCI ଅବଜର୍ଭ କରିବ । ଏହି ପରୀକ୍ଷାରେ ପାସ କରିବା ପରେ ହିଁ ଖେଳାଳିଙ୍କୁ ଟିମ ଇଣ୍ଡିଆରେ ସାମିଲ କରାଯିବ। ଖେଳାଳିଙ୍କ ଷ୍ଟାମିନା ବୃଦ୍ଧି କରିବା ଏବଂ ସେମାନଙ୍କୁ ଦୀର୍ଘ ସମୟ ପାଇଁ ଫିଟ ରଖିବା ପାଇଁ ବ୍ରୋଙ୍କୋ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି।

ବ୍ରୋଙ୍କୋ ଟେଷ୍ଟରେ, ଖେଳାଳିଙ୍କୁ ଗୋଟିଏ ସେଟରେ ୨୦ ମିଟର, ୪୦ ମିଟର ଏବଂ ୬୦ ମିଟରର ସଟଲ ରନ କରିବାକୁ ପଡିବ। ଏହିପରି ମୋଟ ପାଞ୍ଚଟି ସେଟ ବିନା ବ୍ରେକରେ ଦୌଡ଼ିବାକୁ ପଡ଼ିବ। 1200 ମିଟରର ଏ ରନିଂ ଟେଷ୍ଟକୁ ସାରିବାକୁ ମାତ୍ର 6 ମିନିଟ ସମୟ ଦିଆଯିବ । ୬ ମିନିଟ ମଧ୍ୟରେ ବ୍ରୋଙ୍କୋ ପରୀକ୍ଷା ପାସ କରିବାକୁ ପଡ଼ିବ । ଇଣ୍ଡିଆନ ବୋଲର ଟେଷ୍ଟ କ୍ରିକେଟରେ ଲମ୍ବା ସ୍ପେଲ ବୋଲିଂ କରିବାରେ ବିଫଳ ହୋଇଛନ୍ତି। ଏବେକାର ରେକର୍ଡକୁ ଦେଖିଲେ ଇଂଲଣ୍ଡ ଗସ୍ତରେ, କେବଳ ମହମ୍ମଦ ସିରାଜ ପାଞ୍ଚଟି ଟେଷ୍ଟ ଖେଳିପାରିଥିଲେ, ଏବଂ ପ୍ରତ୍ୟେକ ସେସନରେ ସମାନ ଗତିରେ ବୋଲିଂ କରିଥିଲେ। ବାକି ବୋଲରମାନେ ଲମ୍ବା ସ୍ପେଲ ବୋଲିଂ କରି ପାରି ନଥିଲେ ।ସେଥିପାଇଁ ଏହି ନୂତନ ଫିଟନେସ ପରୀକ୍ଷା ପ୍ରଚଳନ କରାଯାଇଛି। ଏନର୍ଜି ଏବଂ କଣ୍ଡିସନିଂ ଟ୍ରେନର ଆଡ୍ରିଆନ ଲେ ରକ୍ସ ବ୍ରୋଙ୍କୋ ଟେଷ୍ଟ ପାଇଁ ସୁପାରିଶ କରିଥିଲା ବେଳେ ମେନ୍ କୋଚ୍  ଗୌତମ ଗମ୍ଭୀର ସହମତି ଦେଇଛନ୍ତି ।

ଛଡ଼ା ଫୁଲରୁ ଧୂପ ତିଆରି କରିବ BMC

ଭୁବନେଶ୍ୱରରେ ଆରମ୍ଭ ହେବ ନୂଆ ଯୋଜନା। ଗଣେଶ ପୂଜାରୁ ଏକ ନୂଆ ପ୍ରୋସେସ ଆପଣେଇବ ଭୁବନେଶ୍ୱର ମହାନଗର ନିଗମ (BMC) । ପୂଜା ହେଇସାରିଥିବା ଫୁଲରୁ ତିଆରି ହେବ ଧୂପକାଠି । ବଳିଥିବା ପୂଜା ଦ୍ରବ୍ୟକୁ ସଂଗ୍ରହ କରି ଧୂପକାଠି ତିଆରି କରିବାକୁ ବଡ଼ ପଦକ୍ଷେପ ନେବ ଭୁବନେଶ୍ୱର ମହାନଗର ନିଗମ। ଠାକୁରଙ୍କ ପୂଜାରେ ଲାଗିବ ପୂଜା ହେଇସାରିଥିବା ଫୁଲ ଆଗକୁ ଗଣେଶ ପୂଜା ଆସୁଛି, ଭୁବନେଶ୍ୱରରେ ଧୁମଧାମରେ ଏ ପର୍ବ ପାଳନ ହେବ ଭୁବନେଶ୍ୱରର ଅନେକ ଜାଗାରେ ପୁଜା ହେଉଥିବାରୁ ବହୁତ ପରିମାଣରେ ପୁଜାଫୁଲ ସହ ଅନେକ ପୁଜା ଉପକରଣ ବଳିବ । ଯାହାକୁ ଫିଙ୍ଗି ନଦେଇ ସେଥିରୁ ପୂଜା ଉପକରଣ ତିଆରି କରାଯିବା ଭଳି ଅଭିନବ ପଦକ୍ଷେପ ନିଆଯିବ । ଉତ୍ସବରେ ଲାଗି ହେଉଥିବା ଫୁଲ ଏବଂ ପୂଜାର୍ଚ୍ଚନ ପରେ  ବର୍ଜ୍ୟର ଅନୁପଯୁକ୍ତ ନିଷ୍କାସନ ଅସ୍ୱାସ୍ଥ୍ୟକର ପରିସ୍ଥିତି ସୃଷ୍ଟି କରିବା ସହ ଭକ୍ତମାନଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଥାଏ । ପରିବେଶର ସ୍ୱଚ୍ଛତା ସହ ଭକ୍ତଙ୍କ ଭାବାବେଗକୁ ସମ୍ମାନ ଦେଇ  ଭୁବନେଶ୍ୱର ମହାନଗର ନିଗମ ଫୁଲ ଏବଂ ପୂଜା ବର୍ଜ୍ୟରେ ଉପଯୁକ୍ତ ସଂଗ୍ରହ ଏବଂ ପ୍ରକ୍ରିୟାକରଣ ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି । ସଂଗୃହୀତ ବର୍ଜ୍ୟରୁ ଧୂପକାଠି ଭଳି ମୂଲ୍ୟବାନ ଉତ୍ପାଦର ପ୍ରକ୍ରିୟାକରଣ କରାଯିବ । ଅର୍ଥାତ୍ ଠାକୁରଙ୍କ ପାଖରୁ ଆସୁଥିବା ଏହି ସମସ୍ତ ପୂଜାଫୁଲ ପୁଣି ସେହି ଠାକୁରଙ୍କ ପାଖରେ ଲାଗି ହେବ।

କେବଳ ଫୁଲ ଏବଂ ପୂଜା ବର୍ଜ୍ୟ ସଂଗ୍ରହ ଉଦ୍ଦେଶ୍ୟରେ ପ୍ରତ୍ୟେକ ଜୋନରେ ଏକ ନିର୍ଦ୍ଦିଷ୍ଟ ସ୍ୱେଚ୍ଛାସେବୀ ସଂଗଠନକୁ ଗୋଟିଏ ସ୍ୱତନ୍ତ୍ର ଗାଡ଼ିର ବ୍ୟବସ୍ଥା କରାଯିବ ସେଥିରେ ଅନ୍ୟ କୌଣସି ଆବର୍ଜନା ସଂଗ୍ରହ କରାଯିବ ନାହିଁ। ସଂଗୃହୀତ ବର୍ଜ୍ୟବସ୍ତୁ କେବଳ ପୂଜା ମଣ୍ଡପରୁ ସଂଗ୍ରହ କରାଯିବ ଏବଂ ପ୍ରକ୍ରିୟାକରଣ କରି ଧୁପ ତିଆରି କରାଯିବ। ଏଥିପାଇଁ ଲୋକମାନଙ୍କୁ ସଚେତନ କରାଯିବାର ଯୋଜନା ରହିଛିସାନିଟାରୀ ଷ୍ଟାଫ୍ ଏବଂ ଏନ୍. ଜି. ଓ. ପ୍ରତିନିଧିମାନେ ବ୍ୟାପକ ସୂଚନା, ଶିକ୍ଷା ଏବଂ ଯୋଗାଯୋଗ କାର୍ଯ୍ୟକ୍ରମ ପରିଚାଳନା କରିବେ । କର୍ପୋରେଟର ଏବଂ ଅନ୍ୟ ଗୋଷ୍ଠୀର  ସଦସ୍ୟମାନଙ୍କୁ ସ୍ଥାନୀୟ ବାସିନ୍ଦା/ପୂଜା ମଣ୍ଡପଗୁଡିକୁ ଏହି ସେବା ବିଷୟରେରେ ସୂଚନା ପ୍ରଦାନ କରିବା ଦିଗରେ ସାହାଯ୍ୟ କରିବାକୁ ଅନୁରୋଧ କରାଯାଇଛି ।

ଏଥିପାଇଁ ବି ଏମ ସି ତରଫରୁ ସ୍ୱତନ୍ତ୍ର ହେଲ୍ପଲାଇନ ନମ୍ବର ବି  ଜାରି ହୋଇଛି ।୧୯୨୯ରେ କଲ୍ କରି ଏହି ସେବାର ଲାଭ ଉଠାଇପାରିବେ । ଏଥିପାଇଁ ସମସ୍ତ ପୂଜା କମିଟିର କାର୍ଯ୍ୟକର୍ତ୍ତା ଓ ସଦସ୍ୟ ସଦସ୍ୟା ସହଯୋଗ କରିବା ସହ ଜନ ସଚେତନତା ସୃଷ୍ଟି କରିବା ପାଇଁ ବିଏମ୍ ସି ପକ୍ଷରୁ ଅନୁରୋଧ କରାଯାଇଛି । ଏଥର ଗଣେଶ ପୂଜାରେ ଏମିତି କିଛି ନୂଆ ପ୍ରୟାସରେ ଯୋଡ଼ି ହୁଅନ୍ତୁ,ଭୁବନେଶ୍ୱରକୁ ଆହୁରି ସୁନ୍ଦର କରନ୍ତୁ।

ପୂରଣ ହେଉନି ପୃଥ୍ୱୀରାଜଙ୍କ ପ୍ରତିଶ୍ରୁତି, କେବେ ହେବ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ

ପୂର୍ବ ସରକାରରେ ଶ୍ରୀଜଗନ୍ନାଥଙ୍କୁ ନେଇ ଅନେକ ପ୍ରହସନ ହେଇଥିଲା ବେଳେ ବିଜେପି ସରକାରରେ ବି କିଛି କମ୍ ପ୍ରହସନ ହେଇନି । ରଥଯାତ୍ରାରେ ବଳଭଦ୍ରଙ୍କ ବିଗ୍ରହ ଖସି ପଡ଼ିବା ସହ ଚଳିତ ବର୍ଷ ରଥଯାତ୍ରାରେ ଦଳଚକଟାରେ ଭକ୍ତଙ୍କ ମୃତ୍ୟୁର କଳଙ୍କ ଲାଗିଛି । ଯଦିଓ ସରକାରକୁ ଆସିବା ପରେ ପ୍ରାଥମିକତା ଦେଇ ଚାରିଦ୍ୱାର ଖୋଲିବାର କାମ ବିଜେପି ସରକାର କରିଛି କିନ୍ତୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ହୋଇପାରୁନି । ଶ୍ରୀମନ୍ଦିରରେ ଶୃଙ୍ଖଳିତ ଧାଡ଼ି ଦର୍ଶନ ପାଇଁ ପ୍ରାୟ ବର୍ଷେ ହେଲା ଯୋଜନା ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ନା କାମ ସରୁଛି, ନା ଶ୍ରଦ୍ଧାଳୁ ଧାଡ଼ିରେ ଯାଇ ଶୃଙ୍ଖଳାର ସହ ମହାପ୍ରଭୁଙ୍କ ଦର୍ଶନ କରିପାରୁଛନ୍ତି । ଦର୍ଶନ କରିବାକୁ ଶ୍ରଦ୍ଧାଳୁ ବିଭିନ୍ନ ପ୍ରକାରର ଅସୁବିଧାର ସାମ୍ନା କରୁଛନ୍ତି।

ଆଗକୁ କାର୍ତ୍ତିକ ମାସ ଆସୁଛି, ଏ ମାସରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ନାହିଁ ନଥିବା ଗହଳି ହେବ । ତେବେ ଏ ସମସ୍ୟାର ସମାଧାନ ପାଇଁ  କେବେ ଧାଡ଼ି ଦର୍ଶନ ବ୍ୟବସ୍ଥା ହେବ ସେନେଇ ପ୍ରଶ୍ନ ଉଠୁଛି। କାର୍ତ୍ତିକ ମାସରେ  ଲକ୍ଷାଧିକ ଭକ୍ତ ପୁରୀ ଆସିବେ। ବାହାରେ ଭକ୍ତଙ୍କ ପାଇଁ ଶୃଙ୍ଖଳିତ ଧାଡ଼ି ବ୍ୟବସ୍ଥା ଥିବା ବେଳେ ଭିତର ଦର୍ଶନ ହୋଇପାରିଲା ନାହିଁ । ଜାନୁଆରିରୁ ପୁରୀରେ ଭିତର ଦର୍ଶନ ଲାଗି ଧାଡ଼ି ବ୍ୟବସ୍ଥା ଲାଗୁ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ । 7 ମାସ ବିତିଯାଇଥିଲେ ବି ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପୂରଣ ହେଇପାରିଲାନି । ଜାନୁଆରି ସରି ସେପ୍ଟେମ୍ବର ହେବାକୁ ବସିଲାଣି, ତଥାପି ଧାଡ଼ି ବ୍ୟବସ୍ଥା ହୋଇପାରିଲାନି । ୧୬ ପିଲାର ବିଶିଷ୍ଟ ଅଞ୍ଚଳରେ ୬ ଥାକିଆ ଦର୍ଶନ ବ୍ୟବସ୍ଥା ଆପଣାଇବାକୁ କୁହାଯାଉଥିଲା। ଭିତର ଦର୍ଶନ ସମୟରେ ସାତ ପାହାଚ ଦ୍ଵାରରେ ପ୍ରବେଶ କରି ଭକ୍ତ ଘଣ୍ଟି ଦ୍ଵାର ଓ ଗାରଦ ଦ୍ଵାରରେ ବାହାରି ପାରିବେ।  ଘଣ୍ଟି ଦ୍ଵାରରେ ମହିଳା ଓ ବରିଷ୍ଠ ନାଗରିକ, ଗାରଦ ଦ୍ଵାରରେ ପୁରୁଷଙ୍କ ପାଇଁ ପ୍ରସ୍ଥାନ ରହିବ। କିନ୍ତୁ ଏଯାଏଁ କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଯଦିଓ ସେପ୍ଟେମ୍ବର 15 ସୁଦ୍ଧା ଧାଡ଼ି ଦର୍ଶନର ବ୍ୟବସ୍ଥା ହେବା କଥା କୁହାଯାଉଛି ।ତଥାପି ପୁର୍ବ ପ୍ରତିଶ୍ରୁତି ରଖି ପାରି ନଥିବାରୁ ଏ କଥା ମଧ୍ୟ ଭରସାଯୋଗ୍ୟ ନୁହେଁ । ଭିତର ଦର୍ଶନରେ ସମସ୍ୟା ଯୋଗୁଁ ଭକ୍ତଙ୍କ ଅସନ୍ତୋଷ ବଢିବାରେ ଲାଗିଛି। ତେବେ କେବେ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନର ବ୍ୟବସ୍ଥା ଲାଗୁ ହେଉଛି ଏବଂ ଦେଇଥିବା କଥାକୁ ସରକାର କେବେ ପୂରଣ କରୁଛନ୍ତି ତାକୁ ହିଁ ଅପେକ୍ଷା  ।

 

ସଞ୍ଜୟଙ୍କୁ ସାଂସଦଙ୍କ ପ୍ରଶ୍ନ: ଆମକୁ ନପଚାରି ଦିଲ୍ଲୀ କାହିଁକି ଆସିଲ ?

ସଞ୍ଜୟ ଦାସବର୍ମାଙ୍କୁ BJDର ରାଜ୍ୟସଭା ସାଂସଦ ପଚାରିଲେ, ଆମକୁ ନଜଣାଇ କାହିଁକି ଆସିଲ ଦିଲ୍ଲୀ? ଆମକୁ ନପଚାରି ନିର୍ବାଚନ କମିଶନଙ୍କୁ କାହିଁକି ଭେଟିଲ? ନିର୍ବାଚନ କମିଶନଙ୍କ ଭେଟିବା ପାଇଁ ପ୍ରସ୍ତୁତ ଲିଷ୍ଟରୁ ଆମ ନାଁ କାହିଁକି ବାଦ୍ ଦିଆଗଲା? କେଉଁ ଅଧିକାରରେ ଏପରି ଉଦ୍ୟମ କରିଛନ୍ତି ବୋଲି ସଞ୍ଜୟଙ୍କୁ ପଚାରିଲେ BJD ସାଂସଦ ସଞ୍ଜୟ ଦାସବର୍ମା ହେଉଛନ୍ତି ସେହି ନେତା, ଯାହାଙ୍କ ପାଇଁ ପୁରୀ ଜିଲ୍ଲା BJDରେ ଅନେକ ଗୋଷ୍ଠୀ ଲଗାତର ପରାଜିତ ହୋଇ ମଧ୍ୟ ଦଳରେ ଜାହିର କରୁଛନ୍ତି ନିଜର ସ୍ଥିତି । କେବଳ ସଞ୍ଜୟ ଦାସବର୍ମା ନୁହଁନ୍ତି ପୂର୍ବତନ ସାଂସଦ ଅମର ପଟ୍ଟନାୟକଙ୍କୁ ମଧ୍ୟ ଘେରିଛନ୍ତି BJDର 6 ସାଂସଦ ।

ତେବେ ବିବାଦର ମୂଳବିନ୍ଦୁ ହେଲା-2024 ସାଧାରଣ ନିର୍ବାଚନରେ ମତଦାନରେ ଅନିୟମିତତାର ଅଭିଯୋଗକୁ ନେଇ ଏହି ପ୍ରସଙ୍ଗରେ ପୂର୍ବରୁ BJDର ପ୍ରତିନିଧି ଦଳ 23 ଡିସେମ୍ବର 2024 ଏବଂ 11 ମାର୍ଚ୍ଚ 2025ରେ 2 ଥର ନିର୍ବାଚନ କମିଶନଙ୍କୁ ଭେଟିଥିଲେ। ଉଭୟ ଥର ସାକ୍ଷାତ ପାଇଁ BJDର ସାଂସଦ ମାନେ ନିର୍ବାଚନ କମିଶନଙ୍କ ସହ ସାକ୍ଷାତ ସମୟ ସ୍ଥିର କରିବା ସହ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ। କିନ୍ତୁ 19 ଅଗଷ୍ଟ 2025(ଗତକାଲି)ରେ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟିବା ସମୟରେ ସାଂସଦ ମାନଙ୍କୁ ପଚରା ଗଲା ନାହିଁ। ସଂସଦର ମୌସୁମୀ ଅଧିବେଶନ ଚାଲିଛି, ସମସ୍ତ ସାଂସଦ ଦିଲ୍ଲୀରେ ଉପସ୍ଥିତ ଅଛନ୍ତି, କିନ୍ତୁ ସୁଲତା ଦେଓଙ୍କ ବ୍ୟତୀତ ଅନ୍ୟ କାହାରିଙ୍କୁ ଅବଗତ କରାଯାଇ ନଥିଲା।
ଦେବୀ ମିଶ୍ର ହଟହଟା
ଏହାକୁ ନେଇ ବିଜୁ ଜନତା ଦଳରେ ଘମାସନ। ନିର୍ବାଚନ କମିଶନଙ୍କୁ ସାକ୍ଷାତ ପାଇଁ ପ୍ରଦାନ ହୋଇଥିବା ତାଲିକାରେ ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ଦେବୀପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ଅମର ପଟ୍ଟନାୟକ, ଭୃଗୁ ବକ୍ସିପାତ୍ର ଏବଂ ସାଂସଦ ସୁଲତା ଦେଓଙ୍କ ନାମ ଥିଲା। ତେବେ ଦିଲ୍ଲୀରେ ଉପସ୍ଥିତ ଥାଇ ସୁଦ୍ଧା ଅନ୍ୟ ସାଂସଦଙ୍କୁ କାହିଁକି ଡକା ଯାଉନାହିଁ ବୋଲି ଦଳୀୟ ସାଂସଦ ମାନେ କହିବା ପରେ ଦେବୀ ମିଶ୍ର ଫୋନ କରି ଆସିବାକୁ ସେମାନଙ୍କୁ ଅନୁରୋଧ କରିଥିଲେ। ଆମ ନାମ ପ୍ରଥମରୁ କାହିଁକି ନାହିଁ ବୋଲି କେତେ ଜଣ ସାଂସଦ ପଚାରିବାରୁ ଦେବୀ ମିଶ୍ର ଉତ୍ତର ଦେଇପାରି ନଥିଲେ। ଫଳରେ ନିର୍ବାଚନ କମିଶନଙ୍କ ସହ ସାକ୍ଷାତ କାର୍ଯ୍ୟକ୍ରମ ଏବଂ ସାମ୍ବାଦିକ ସମ୍ମିଳନୀକୁ ସାଂସଦ ସସ୍ମିତ ପାତ୍ର, ମାନସ ରଞ୍ଜନ ମଙ୍ଗରାଜ, ଶୁଭାଶିଷ ଖୁଣ୍ଟିଆ, ନିରଞ୍ଜନ ବିଶି, ମୁଜିବୁଲ୍ଲା ଖାନ ଓ ଦେବାଶିଷ ସାମନ୍ତରାୟ ବର୍ଜନ କଲେ।

 ସାଂସଦମାନେ ଗଲେ କୁଆଡେ?
ଅନ୍ୟପଟେ ସାକ୍ଷାତ ବେଳେ ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର BJD ପ୍ରତିନିଧି ଦଳଙ୍କୁ ପଚାରିଲେ, ଦଳର ଅନ୍ୟ ସାଂସଦ କୁଆଡ଼େ ଗଲେ? ଏହାପରେ କନ୍‌ଷ୍ଟିଚ୍ୟୁସନ୍ କ୍ଲବରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ 6 ସାଂସଦ ଅନୁପସ୍ଥିତ ରହିଲେ। ଶୁଣିବାକୁ ମିଳୁଛି ସଞ୍ଜୟ ଦାସବର୍ମା ଏବଂ ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ BJD ସାଂସଦଙ୍କୁ ନିର୍ବାଚନ କମିଶନଙ୍କ ସହ ସାକ୍ଷାତ ଏବଂ ସାମ୍ବାଦିକ ସମ୍ମିଳନୀରୁ ଦୂରେଇ ରଖିବା ପାଇଁ ପରାମର୍ଶ ଦେଇଥିଲେ।
ଏ ଷ୍ଟୋରୀକୁ ଲେଖିଛନ୍ତି-ବିଜୟ କେତନ ବରାଳ