ଜେଲରେ ଛାତ୍ର ନେତା: କଲେଜ ଇଲେକ୍ସନରେ କିଏ ଧରିବେ କଂଗ୍ରେସର ମଙ୍ଗ

ଆଗକୁ ଛାତ୍ର ସଂସଦ ନିର୍ବାଚନ ଆସୁଛି। ଛାତ୍ର ସଂସଦ ନିର୍ବାଚନରେ ମୁଖ୍ୟତଃ BJD,BJP ଏବଂ କଂଗ୍ରେସ ପ୍ରାର୍ଥି ଦେଇ କଲେଜ ସ୍ତରରେ ରାଜନୈତିକ ମୂଳଦୁଆ ମଜବୁତ୍ କରନ୍ତି । ତ୍ରିମୁଖି ଲଢେଇର ଦାୟିତ୍ୱ ନିଅନ୍ତି ତିନି ଦଳର ଛାତ୍ର ସଭାପତି । ବିଜେଡ଼ିର ଛାତ୍ର ସଙ୍ଗଠନ ବିଜୁ ଛାତ୍ର ଜନତା ଦଳ(BCJD) ବିଜେପିର ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)ର ଦାୟିତ୍ୱ ନେବାକୁ ସଭାପତି ରହିଥିଲା ବେଳେ କଂଗ୍ରେସ ଛାତ୍ର ସଙ୍ଗଠନର ମୁଖିଆ ନାହାନ୍ତି । ଜୁଲାଇ ୨୧ ତାରିଖରୁ ଉଦିତ ପ୍ରଧାନ ଛାତ୍ର କଂଗ୍ରେସ ସଭାପତି ପଦରୁ ବିଦା ହେବା ପରେ ଏହି ପୋଷ୍ଟ ଏବେ ଫାଙ୍କା ପଡ଼ିଛି। ବିନା ମୁଖିଆରେ ଚାଲିଛି ଛାତ୍ର କଂଗ୍ରେସ।

6 ବର୍ଷ ହେବ ବାତିଲ ହୋଇଥିବା ଛାତ୍ର ସଂସଦ ନିର୍ବାଚନ ପୁଣି ଆରମ୍ଭ ହେବ। ଛାତ୍ର କଂଗ୍ରେସ ସଭାପତି ରେସରେ ଏକାଧିକ ଚେହେରା ଅଛନ୍ତି। ଛାତ୍ର କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ସମ୍ପାଦକ ମନଷା ତ୍ରିପାଠୀ ଛାତ୍ର କଂଗ୍ରେସ ସଭାପତି ରେସରେ ଆଗରେ ଅଛନ୍ତି। ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସମ୍ପାଦକ ତଥା ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର କଂଗ୍ରେସ ନେତା ଅଖିଳେଶ ଯାଦବ, ଛାତ୍ର କଂଗ୍ରେସର ନେତା ବିଭୂତି ଭୂଷଣ ମହାପାତ୍ର ମଧ୍ୟ ଛାତ୍ର ସଭାପତି ଲବିରେ ଅଛନ୍ତି । ଏମାନଙ୍କ ସହିତ ଅନ୍ୟ ଛାତ୍ର ନେତାଙ୍କ ନାଁ ଚର୍ଚ୍ଚାରେ ଥିଲା ବେଳେ ଭକ୍ତ ଦାସଙ୍କ ମୋହରକୁ ଅପେକ୍ଷା । ପୂର୍ବ ଅପେକ୍ଷା ଅଧିକ ଆକ୍ଟିଭ ହେଉଥିବା କଂଗ୍ରେସ କଲେଜ ସ୍ତରରେ ସଙ୍ଘଠନ ସୁଦୃଢ କରିବାକୁ ହେଲଷ ଟାଣୁଆ ନେତା ବାଛିବାକୁ ପଡ଼ିବ ।

BJP ପାଇଁ ଝିଅ ଅସୁରକ୍ଷିତ

ନାରୀ ମାନେ ନିଆଁରେ ଜାଳିହୋଇ ମୃତ୍ୟୁବରଣ କରିବା ଘଟଣା ଦିନକୁ ଦିନ ବଢିବାରେ ଲାଗିଛି। 4 ସପ୍ତାହରେ ଗଲାଣି ଚାରି ନାରୀଙ୍କ ଜୀବନ। ଜୁଲାଇ 12 ରୁ ଅଗଷ୍ଟ 12 ଅର୍ଥାତ ଗୋଟାଏ ମାସରେ ଚାରିଜଣ ନାରୀ ନିଆଁରେ ଜଳି ପ୍ରାଣ ହରାଇବା ଘଟଣାରେ ସୋସିଆଲ ମିଡ଼ିଆରେ ସମବେଦନା ଜଣାଇବା ସହ ଏଥିପାଇଁ BJP କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଗୋଟାଏ ମାସ ଭିତରେ ବାଲେଶ୍ୱର ଏଫ୍ ଏମ୍ କଲେଜ ଛାତ୍ରୀ, ବଳଙ୍ଗା ପୀଡ଼ିତା, ପଟ୍ଟାମୁଣ୍ଡାଇ ଯୁବତୀଙ୍କ ସହ ବରଗଡ଼ ଗାଇସିଲେଟର ଜଣେ ନାବାଳିକା ନିଆଁରେ ଜଳି ପ୍ରାଣ ହରେଇଛନ୍ତି। ରାଜ୍ୟରେ ଏଭଳି ଘଟଣା ବଢୁଥିବାରୁ କ୍ଷୋଭ ପ୍ରକାଶ କରିବା ସହ ପରୋକ୍ଷରେ ବିଜେପିକୁ ଟାର୍ଗେଟ କରିଛନ୍ତି।

ନବୀନ ପଟ୍ଟନାୟକ ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି ଯେ ‘‘ବିଜେପିର ଶାସନ, ବ୍ୟବସ୍ଥା ଉପରେ ଭରସା ବଜାୟ ରଖିବାରେ ବିଫଳ ହୋଇଛି। ଝିଅମାନଙ୍କ ପାଇଁ ସୁନିଶ୍ଚିତ ହେବା ସମ୍ଭବ ହେଉନି । ଯେଉଁଠି ସେମାନେ ସୁରକ୍ଷିତ ଥିବେ, ସେମାନଙ୍କ କଥା ଶୁଣା ଯାଉଥିବ ଏବଂ ସେମାନଙ୍କ ଗୁରୁତ୍ୱ ଥିବ। ଏପରି ହୃଦୟବିଦାରକ ଧାରାକୁ ରୋକିବା ପାଇଁ ବିଜେପି ସରକାର ଆଉ କେତେ ସମୟ ଅପେକ୍ଷା କରିବ? ବିଜେପି ସରକାରର ଏପରି ଅସ୍ୱାଭାବିକ ନୀରବତା ଏବଂ ସ୍ଥାଣୁତା ଓଡ଼ିଶାର ଝିଅମାନଙ୍କୁ ଆହୁରି ଅସୁରକ୍ଷିତ କରିଦେଉଛି।’’

ବଢୁଛି ଆତ୍ମାହୁତି ମାମଲା, ପୋଲିସର ହାତ ଖାଲି

4 ସପ୍ତାହରେ ଗଲାଣି 4 ଜୀବନ, ନା ତଦନ୍ତ ସରୁଛି, ନା ପୋଡି କମୁଛି । ନିଆଁର ଆଁ ରେ ବାଜି ଲାଗିଛି ଝିଅଙ୍କ ଜୀବନ।କୋଉଠି ଆତ୍ମଦାହ ତ, ପୁଣି କୋଉଠି ଷଡ଼ଯନ୍ତ୍ର ।ଛାତ୍ରୀ,ଯୁବତୀ, ନାବାଳିକା ସବୁ ବର୍ଗର ଝିଅଙ୍କ ଜୀବନ ନେଇଛି ନିଆଁ। ରାଜ୍ୟରେ ଦିନକୁ ଦିନ ବଢୁଛି  ଜଳିପୋଡ଼ି ଯିବା ଘଟଣା। ଯେମିତି ବାଲେଶ୍ୱର ଏଫ୍ ଏମ୍ କଲେଜ୍ ଛାତ୍ରୀ ପୋଡ଼ି ଘଟଣାରୁ ରାଜ୍ୟରେ ବ୍ୟାପିବାରେ ଲାଗିଛି  ଫାୟାର ଟ୍ରେଣ୍ଡ। ପୁରୀରୁ ପଟ୍ଟାମୁଣ୍ଡାଇ, ବରଗଡ଼ରୁ ବାଲେଶ୍ୱର ଯାଏଁ ସବୁଠି ବ୍ୟାପିବାରେ ଲାଗିଛି ଏମିତି କେସ୍। ବାଲେଶ୍ୱର, ବଳଙ୍ଗା, ପଟ୍ଟାମୁଣ୍ଡାଇ ପରେ ପୁଣି ବରଗଡ଼ ପଦ୍ମପୁରରେ ନାବାଳିକା ଛାତ୍ରୀ ପୋଡ଼ି ଘଟଣା ରାଜ୍ୟରେ ହଇଚଇ ସୃଷ୍ଟି କରିଛି ।ଫିରିଙ୍ଗିମାଲରୁ ଗୁରୁତ୍ତର ଅବସ୍ଥାରେ ବୁର୍ଲା ମେଡ଼ିକାଲରେ ଭର୍ତ୍ତି ହେଲା ପରେ ଆଖି ବୁଜିଛନ୍ତି ନାବାଳିକା। ଗୋଟାଏ ମାସରେ ଯାଇଛି 4 ଜଣଙ୍କ ଜୀବନ।

ଜୁଲାଇ 12 ତାରିଖରେ ଏଫ୍ ଏମ୍ କଲେଜର ସୌମ୍ୟାଶ୍ରୀ ବିଶିଙ୍କ ପରେ ଠିକ୍ ଗୋଟାଏ ସପ୍ତାହ ପରେ ଜୁଲାଇ 19ରେ ସାମ୍ନାକୁ ଆସିଥିଲା ବଳଙ୍ଗା ପୀଡିତାଙ୍କ ଖବର। ଏୟାରଲିଫ୍ଟରେ ଯାଇ ଏମ୍ସରେ ଚିକିତ୍ସିତ ହେଉଥିବା ବଳଙ୍ଗା ପିଡ଼ିତା ମେଡିକାଲରେ ହିଁ ଆଖି ବୁଜିଥିଲେ।ଅଗଷ୍ଟ 6 ତାରିଖରେ ପଟ୍ଟାମୁଣ୍ଡାଇରେ ଯୁବତୀ ପୋଡ଼ି ହେଇଯିବା ଘଟଣା ସାମ୍ନାକୁ ଆସିଥିଲା। ଯଦିଓ ଏ କେଶରେ ଏଫାୟାର ନ ରଖିବା କାରଣରୁ ଥାନାଅଧିକାରୀ ସୈଳେନ୍ଦ୍ର ନାରାୟଣ  ପଲେଇଙ୍କୁ ବଦଳି କରାଯାଇଛି ତଦନ୍ତର ରେଜଲ୍ଟ କିନ୍ତୁ ଆଖିଦୃଶିଆ ନୁହେଁ। ବାଲେଶ୍ୱର କେସରେ ମଧ୍ୟ ଛାତ୍ରନେତାଙ୍କ ଗିରଫ ପରେ ବି ଅନେକ ଖିଅ ଅଟକିଲା ଭଳି ଲାଗୁଛି। ବଳଙ୍ଗା କେସରେ ତ ପୋଲିସର ବିଫଳତାକୁ ନେଇ ଚାରିଆଡ଼େ ଚର୍ଚ୍ଚା। ସୌମ୍ୟାଶ୍ରିଙ୍କ ଘଟଣାକୁ ମାସେ ପୁରିବାକୁ ଆଉ ଗୋଟାଏ ଦିନ ବାକି ଥିଲା ବେଳେ ବରଗଡ଼ ଫିରିଙ୍ଗିମାଳରେ ଆଖି ବୁଜିଛି ନାବାଳିକା। ସକାଳୁ ଗାଇସିଲଟ ଥନା ଫିରିଙ୍ଗିମାଳ ଗାଁରେ ୧୩ ବର୍ଷର ନାବାଳିକାଙ୍କୁ ସକାଳେ କିଏ ପୋଡ଼ି ଦେଇଥିବା ଅଭିଯୋଗ ହୋଇଥିଲ। ନିଜ ଘର ପଛପଟ ପଡ଼ିଆରେ ନାବାଳିକା ଜଣଙ୍କ ଜଳୁଥିବାର ଦେଖିବାକୁ ପାଇଥିଲେ ପାଖ ପଡ଼ୋଶୀ। କେହି ଜଣେ ଝିଅ ତାଙ୍କୁ ହତ୍ୟା କରିବାକୁ ଚାହୁଁଥିବା ନିଜ ବୟାନରେ କହିଥିଲେ ନାବାଳିକା। ବାଲେଶ୍ୱର, ବଳଙ୍ଗା, ପଟ୍ଟାମୁଣ୍ଡାଇ ପୋଡ଼ି ଘଟଣା ମନର ନ ଲିଭୁଣୁ ବରଗଡ଼ ଗାଇସିଲଟ ନାବାଳିକା ପୋଡ଼ିରେ ପ୍ରାଣ ହରେଇଛି। ବରଗଡ଼ ପୋଡ଼ି ଘଟଣାର ତଦନ୍ତ ପାଇଁ ସ୍ୱତନ୍ତ୍ର  ଟିମ୍  ଗଠନ ହେଇଥିବା ସୂଚନା ଦେଇଛନ୍ତି  ବଲାଙ୍ଗୀର ଏସପି ଅଭିଳାଷ ଜି.।  ୩ ଜଣ ଆଇଆଇସିଙ୍କୁ ନେଇ ଟିମ୍ ଗଠନ  ହୋଇଛି। ତେବେ  ଗୋଟେ ପରେ ଗୋଟେ ଘଟଣା ଘଟିଯାଉଥିବା ବେଳେ ପୁଲିସ କିନ୍ତୁ ଘଟଣାର ଖିଅ ପାଉନି କି ପ୍ରକୃତି ଅଭିଯୁକ୍ତକୁ ଧରିପାରୁନି। ଖାଲି ଯାହା ତଦନ୍ତ ଆଉ ଜେରା ଚାଲିଛି। ଏ ପରି ଘଟଣାରେ  ଅଭିଯୁକ୍ତ କିଏ ସେକଥା ଯେମିତି ରହସ୍ୟରେ ରହିଯାଉଛି, ଯାହା ଏଭଳି ଘଟଣା ଘଟିବାକୁ ବଳ ଯୋଗାଉଛି ବୋଲି ଆଲୋଚନା ହେଉଛି ।

ଓଡ଼ିଶାରେ ବନ୍ଦ ହେବ ଗୋଚାଲାଣ

ଓଡ଼ିଶାରେ ଗୋହତ୍ୟା ବନ୍ଦ ହେବ । ଗୋହତ୍ୟା ବନ୍ଦ କରିବାକୁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଗୋହତ୍ୟା ହୋଇପାରିବନି। ଏଥର ଓଡ଼ିଶାରେ ଗୋହତ୍ୟା ବନ୍ଦ କରିବାକୁ ଅଣ୍ଟା ଭିଡିଛନ୍ତି ହାଇକେର୍ଟ । ଓଡ଼ିଶା ପ୍ରିଭେନସନ୍ ଅଫ୍ କାଓ ସ୍ଲଟର ଆକ୍ଟ ୧୯୬୦କୁ କଡ଼ାକଡ଼ି ପାଳନ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । 

ରାଜ୍ୟରେ ଗୋଚାଲାଣ ଓ ଗୋହତ୍ୟା ଭଳି ଅପରାଧ ଦିନକୁ ଦିନ ବଢ଼ୁଛି। ଗୋ ହତ୍ୟା ଏବଂ ଗୋ ଚାଲାଣ ଯୋଗୁଁ ଗାଇଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି । ଆଇନ ଆଖିରେ ଧୂଳିଦେଇ ଗୋଚାଲାଣକାରୀ ନିର୍ଦ୍ୱନ୍ଦରେ ଗୋ ଚାଲାଣ କରୁଛନ୍ତି। ରାଜ୍ୟରୁ ପ୍ରତେକ ଦିନ ହଜାରହଜାର ଗାଇଙ୍କ ଚାଲାଣ ହେଉଛି। ପ୍ରତିଦିନ କେଉଁଠି ନା କେଉଁଠି ଗୋଚାଲାଣ ବେଳେ ଗାଡ଼ି ଧରାପଡ଼ିବାର ଖବର ଆସୁଛି। ଆଉ କେଉଁଠି ଗୋମାଂସ ଚୋରା ଚାଲାଣ ହେଉଛି ତ କେଉଁଠି ଗୋଚାଲାଣ। ପୋଲିସ ଅନେକ ସ୍ଥାନରେ ଜବତ କରୁଥିଲା ବେଳେ କିଛି କିଛି ଜାଗାରେ ବ୍ୟକ୍ତିଗତ ଫାଇଦା ପାଇଁ ସବୁ ଦେଖି ଅଣଦେଖା ମଧ୍ୟ ହେଉଛନ୍ତି । ପୂର୍ବରୁ ବିଜେଡି ସରକାରଠାରୁ ଆରମ୍ଭ କରି ବର୍ତ୍ତମାନର ବିଜେପି ସରକାର ପର୍ଯ୍ୟନ୍ତ ସମସ୍ତେ ଯେମିତି ଏଭଳି ଗୁରୁତ୍ତର ପ୍ରସଙ୍ଗକୁ କଡ଼ାକଡ଼ି ଭାବରେ ପ୍ରାଧାନ୍ୟ ଦେଇ ନାହାନ୍ତି । ଯେଉଁ,ଥିପାଇଁ ଗୋ ଚାଲାଣ ବନ୍ଦ ହେବା ପରିବର୍ତ୍ତେ ଦିନକୁଦିନ ବଢିବାରେ ଲାଗିଛି । ଯଦିଓ ଏହି ସବୁକୁ ରୋକିବା ପାଇଁ ଅନେକ ସମାଜସେବୀ ଏବଂ ସାଧାରଣ ଲୋକ ନିବେଦନ କରିଆସୁଛନ୍ତି , ସରକାର କିନ୍ତୁ  ଏହା ଉପରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି । ତେବେ ଓଡ଼ିଶା ହାଇକୋର୍ଟ ଏ ପ୍ରସଙ୍ଗକୁ ଗୁରୁତ୍ତର ସହ ନେବା ସହିତ ଗୋଚାଲଶଣ ଓ ଗୋମାଂସ ଚାଲାଣ ରୋକିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାର ଯଦି ଓଡ଼ିଶା ପ୍ରିଭେନସନ୍ ଅଫ୍ କାଓ ସ୍ଲଟର ଆକ୍ଟ ୧୯୬୦କୁ  କଡ଼ାକଡ଼ି ପାଳନ କରିବେ ତେବେ ହୁଏତ ଓଡ଼ିଶାରେ ଗୋଚାଲାଣ ଓ ଗୋମାଂସ ଚାଲାଣ ବନ୍ଦ ହେବା ସହିତ ଗୋମାତା ସୁରକ୍ଷିତ ରହି ପାରନ୍ତେ ।

ବନ୍ଦ ହେବ ରେଜିଷ୍ଟର୍ଡ ଡାକ ସେବା

ଭାରତୀୟ ଡାକ ସେବାର ବଡ଼ ନିଷ୍ପତ୍ତି। ରେଜିଷ୍ଟ୍ରେଡ ଡାକ ସେବାର ଯୁଗ ସରିବାକୁ ଯାଉଛି। ଏଥର ଲୋକଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ିବ। ଡ଼ାକସେବା ମହଙ୍ଗା ହେବ । ସେପ୍ଟେମ୍ବର ୧ ରୁ ଦେଶରେ ରେଜିଷ୍ଟ୍ରେଡ ଡାକ ସେବା ବନ୍ଦ ହେବ ୫୦ ବର୍ଷରୁ ଅଧିକ ସମୟ ଧରି ରେଜିଷ୍ଟ୍ରେଡ ଡାକସେବା ଲୋକଙ୍କ ବିଶ୍ୱାସ ଜିତିଥିଲା 25 ଟଙ୍କାରେ ପଠାଯାଇ ପାରୁଥିଲା ଗୁରୁତ୍ୱପୁଣ୍ଣ ଚିଠି। ମାତ୍ର ଏବେ ଏ ସବୁ ସୁବିଧାରୁ ବଞ୍ଚିତ ହେବାକୁ ପଡ଼ିବ। ରେଜେଷ୍ଟ୍ରି ଚିଠି ବଦଳରେ କରିବାକୁ ପଡ଼ିବ ସ୍ପିଡ ପୋଷ୍ଟ । ଯାହାପାଇଁ ଚିଠିପିଛା ଆହୁରି 16 ଟଙ୍କା ଅଧିକ ଦେବାକୁ ପଡ଼ିବ । ସବୁବର୍ଗର ଲୋକ ଏଥିରେ ପ୍ରଭାବିତ ହେଉଥିଲା ବେଳେ ଆର୍ଥିକ ଅନଗ୍ରସର ଏବଂ ମଧ୍ୟମ ଧରଣର ଲୋକ,କ୍ଷୁଦ୍ର ବ୍ୟବସାୟୀଙ୍କ ଉପରେ ଏହା ବିଶେଷ ପ୍ରଭାବ ପକାଇବଗୁରୁତ୍ୱପୂର୍ଣ୍ଣ  ଚିଠି,ରାକ୍ଷୀ ଆଦି ପଠାଇବାକୁ ପକେଟରୁ ଅଧିକ  ଟଙ୍କା ଗଣିବାକୁ ପଡ଼ିବ। ଗୁରୁତ୍ତ୍ୱପୁର୍ଣ୍ଣ ଚିଠି, ସରକାରି ନୋଟିସ୍, ସରକାରୀ ଦସ୍ତାବିଜ, ନିଯୁକ୍ତି ପତ୍ର ରେଜିଷ୍ଟ୍ରି ପୋଷ୍ଟରେ ଆସ । କୋଟି କୋଟି ଭାରତୀୟ ଏ ସେବା ଉପରେ  ନିର୍ଭର କରନ୍ତି  । ରାକ୍ଷୀ, ବହି ଭଳି ଗୁରୁତ୍ୱ ରଖୁଥିବା ଜିନିଷ ମଧ୍ୟ ଭରସାର ସହ ରେଜେଷ୍ଟ୍ରି ମାଧ୍ୟମରେ ଡାକରେ ପଠାନ୍ତି । କମ୍ ଖର୍ଚ୍ଚରେ ଡାକସେବାରେ ଏସବୁ ସମ୍ଭବ ହେଉଥିଲା । ମାତ୍ର ଘରୋଇକରଣରେ ମାତିଥିବା ସରକାର ଲୋକଙ୍କ ପାଇଁ ପ୍ରଜୁର୍ଯ୍ୟ ଏ ସେବାର ମଧ୍ୟ ଘରୋଇକରଣ କରିଥିବା ଚର୍ଚ୍ଚା ହେଉଛି। ଡାକସେବା ରେ ଆଧୁନୀକରଣ ପାଇଁ ରେଜିଷ୍ଟ୍ରେଡ ଡାକ ସେବା ବନ୍ଦ ହେବା ସହ  ସ୍ପିଡ୍ ପୋଷ୍ଟ ସହ ମିଶ୍ରଣ ହେବ।

ସରକାରୀ ତଥ୍ୟ ଅନୁସାରେ ରେଜେଷ୍ଟ୍ରି ପୋଷ୍ଟର ଚାହିଦା କମୁଛି। ୨୦୧୧ରୁ 2012ରେ ୨୪କୋଟିରୁ ଅଧିକ ହୋଇଥିଲା ବେଳେ ୨୦୧୯ ରେ ଏ ସଂଖ୍ୟା କମି ୧୮ କୋଟିରେ ପହଞ୍ଚିଥିଲା  ।ରେଜିଷ୍ଟର୍ଡ ଚିଠିରେ 25% ହ୍ରାସ ହେବାରୁ ଏଭଳି ନିଷ୍ପତ୍ତି ନେଇଛି ଡାକବିଭାଗ । କୋରିଅର ସହ ପାଦ ମିଳାଇ ଚାଲି ପାରୁନଥିବାରୁ ସ୍ପିଡ୍ ପୋଷ୍ଟ ସହ ମର୍ଜ କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଏ ନିଷ୍ପତ୍ତି ପାଇଁ ଖର୍ଚ୍ଚ ବଢିବା ସହିତ ଅନେକ ଦିନ ଧରି ସେବା ଯୋଗାଇ ଆସୁଥିବା ରେଜିଷ୍ଟର୍ଡ ଚିଠିର ଯୁଗ ସରିବାକୁ ଯାଉଥିବାରୁ ଅସନ୍ତୋଷ ସୃଷ୍ଟି ହେଉଛି।