ସରକାରୀ କ୍ୟାଲେଣ୍ଡରରେ ଛୁଟିକୁ ନେଇ ବାରମ୍ବାର ନିଷ୍ପତ୍ତି ବଦଳାଯାଉଛି। ଏମିତି ଲାଗୁଛି ଯେମିତି କ୍ୟାଲେଣ୍ଡର ପ୍ରସ୍ତୁତକର୍ତ୍ତା ଆଦୌ ପ୍ରସ୍ତୁତ ନ ହୋଇ କ୍ୟାଲେଣ୍ଡର ପ୍ରକାଶ କରିଦେଇଛନ୍ତି। ‘ସାବିତ୍ରୀ ବ୍ରତ’ ଛୁଟି ତାରିଖକୁ ନେଇ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ମେ ୨୭ ତାରିଖରେ ସାବିତ୍ରୀ ଅମାବାସ୍ୟା ଛୁଟି ଥିଲାବେଳେ ଏବେ କିନ୍ତୁ ତାରିଖରେ ପରିବର୍ତ୍ତନ ହୋଇଛି। ଛୁଟି ତାରିଖର ଠିକ୍ ୪ ଦିନ ପୂର୍ବରୁ ସରକାର ନିଷ୍ପତ୍ତି ବଦଳାଇଛନ୍ତି। ମେ ୨୭ ପରିବର୍ତ୍ତେ ୨୬ ତାରିଖରେ ସାବିତ୍ରୀ ଅମାବାସ୍ୟା ପାଇଁ ସମସ୍ତ ସରକାରୀ ଅଫିସ ଛୁଟି ହେବ। ପୂର୍ବରୁ ଘୋଷଣା ହୋଇଥିବା ଛୁଟି ତାରିଖରେ ଅଫିସ୍ ଯିବେ ସରକାରୀ କର୍ମଚାରୀ। ତେବେ ଶ୍ରୀମନ୍ଦିର ଦ୍ୱାରା ସ୍ୱୀକୃତିପ୍ରାପ୍ତ ପଞ୍ଜିକା ଅନୁଯାୟୀ ଚଳିତ ମାସ ୨୬ ତାରିଖରେ ‘ସାବିତ୍ରୀ ବ୍ରତ’ ପାଳନ ହେବ। କିନ୍ତୁ ଓଡ଼ିଶା ସରକାରଙ୍କ କ୍ୟାଲେଣ୍ଡରରେ ମେ ୨୭ ତାରିଖରେ ‘ସାବିତ୍ରୀ ବ୍ରତ’ ଲେଖାଯାଇ ସରକାରୀ ଛୁଟି ଘୋଷଣା ହୋଇଥିଲା। ସାବିତ୍ରୀ ଅମାବାସ୍ୟାର ଗୋଟାଏ ଦିନ ପରେ ଥିଲା ସାବିତ୍ରୀ ଛୁଟି। ସରକାରୀ କ୍ୟାଲେଣ୍ଡରରେ ତ୍ରୁଟି ଯୋଗୁଁ ବାଧ୍ୟ ହୋଇ ଛୁଟି ତାରିଖ ବଦଳାଇଛନ୍ତି ସରକାର। ତେବେ କଥା ହେଉଛି କ୍ୟାଲେଣ୍ଡର ପ୍ରସ୍ତୁତ କରିଥିବା ଅଧିକାରୀଙ୍କ ଧ୍ୟାନ କୁଆଡ଼େ? କାହିଁକି ବୁଝି ବିଚାରି ସେ କ୍ୟାଲେଣ୍ଡର ପ୍ରକାଶ କରୁନାହାନ୍ତି? ସରକାରୀ କ୍ୟାଲେଣ୍ଡର ପ୍ରିଣ୍ଟ୍ ହେବା ପୂର୍ବରୁ ପ୍ରସ୍ତୁତକର୍ତ୍ତାମାନେ, ଶ୍ରୀମନ୍ଦିର ଦ୍ୱାରା ସ୍ୱୀକୃତିପ୍ରାପ୍ତ ପଞ୍ଜିକାକୁ କାହିଁକି ଅଣଦେଖା କରୁଛନ୍ତି? ଯଦି ସେ ପଞ୍ଜିକାକୁ ଅନୁକରଣ କରି ଥାଆନ୍ତେ ହୁଏତ ଆଜି ଏ ଦିନ ଦେଖିବାକୁ ପଡ଼ି ନଥାଆନ୍ତା।

ବାରମ୍ବାର ବଦଳୁଛି ଛୁଟି ତାରିଖ
ତେବେ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରକାଶିତ ଛୁଟି ତାଲିକାରେ ପରିବର୍ତ୍ତନ ହେବା କିଛି ନୂଆ କଥା ନୁହେଁ। ପୂର୍ବରୁ ପଞ୍ଚାୟତିରାଜ ଦିବସକୁ ନେଇ ମଧ୍ୟ ଛୁଟି ପ୍ରସଙ୍ଗରେ ସରକାର ତାଙ୍କ ନିଷ୍ପତ୍ତି ବଦଳାଇଛନ୍ତି। ଚଳିତ ବର୍ଷ ୫ ମାର୍ଚ୍ଚ ତାରିଖକୁ ପଞ୍ଚାୟତିରାଜ ଦିବସ ଭାବେ ଉଲ୍ଲେଖ କରି ଛୁଟି ଘୋଷଣା ହୋଇଥିଲା। କିନ୍ତୁ ମାର୍ଚ୍ଚ ୩ ତାରିଖ ଅପରାହ୍ନରେ ୫ ମାର୍ଚ୍ଚକୁ ଛୁଟିଦିନ ନୁହେଁ ବୋଲି ଓଡ଼ିଶା ସରକାର ଘୋଷଣା କଲେ। ୫ ମାର୍ଚ୍ଚରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସକୁ ଭାବେ ପାଳନ ନକରିବା ଏବଂ ଛୁଟି ବାତିଲକୁ ନେଇ ବିବାଦ ହୋଇଥିଲା। ଛୁଟି ଘୋଷଣା ହେଇ ସାରିଥିବା ତାରିଖରେ ବି ଅଫିସ୍ ଆସିଥିଲେ ସରକାରୀ କର୍ମଚାରୀ। ଏବେ ପୁଣି ସେହି ଭୁଲର ରିପିଟ ଟେଲିକାଷ୍ଟ ଦେଖିବାକୁ ମିଳିଛି। ମେ ୨୭ ରେ ପ୍ରକାଶିତ ହୋଇଥିବା “ସାବିତ୍ରୀ ବ୍ରତ” ଛୁଟି ୨୬ ରେ ମିଳିବ। ଯାହା ଜଣାପଡ଼ୁଛି ଓଡ଼ିଶା ସରକାରଙ୍କ ପ୍ରକାଶିତ ସରକାରୀ କ୍ୟାଲେଣ୍ଡର ଆଦୌ ପଞ୍ଜିକାର ଅନୁଶୀଳନରେ କରାଯାଇ ନାହିଁ। ନହେଲେ ହୁଏତ ଦୁଇ ଦୁଇ ଥର ଛୁଟି ତାରିଖ ବଦଳେଇବାକୁ ପଡ଼ି ନଥାଆନ୍ତା। ଅବଶ୍ୟ ସରକାରଙ୍କ ଏ ନିଷ୍ପତ୍ତିରେ ସରକାରୀ କର୍ମଚାରୀଙ୍କୁ ଲଗାତର ତିନି ଦିନର ଛୁଟି ମିଳିଗଲା। ମେ ୨୪ଚତୁର୍ଥ ଶନିବାର, ୨୫ ରବିବାର ଓ ୨୬ ରେ ସାବିତ୍ରୀ ଛୁଟି ମିଳିଲା ପରେ ଲଗାତର ତିନିଦିନର ଛୁଟି ପାଇ ସିନା ସରକାରୀ କର୍ମଚାରୀ ଖୁସ୍ କିନ୍ତୁ କ୍ୟାଲେଣ୍ଡରରେ ବାରମ୍ବାର ତ୍ରୁଟି ସରକାରଙ୍କ ବିଫଳତାକୁ ସାମ୍ନାକୁ ଆଣୁଛି। ଜନସାଧାରଣ ଓ ବୁଦ୍ଧିଜୀବୀ ମହଲରେ ଏ ପ୍ରଶ୍ନ ଉଠିବା ଆରମ୍ଭ ହୋଇଗଲାଣି ଆଉ କେତେ ଭୁଲ କରିବେ ସରକାରୀ କ୍ୟାଲେଣ୍ଡର ପ୍ରସ୍ତୁତକର୍ତ୍ତା ?