ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ନିଜ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି । ନିଜେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବାର 3 ସପ୍ତାହ ପରେ ଜୁନ୍ 1 ତାରିଖରେ ନିଜ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିଛନ୍ତି । ଗତ ମେ 9 ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଶୁଭେନ୍ଦୁ ଅଧିକାରୀ । ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଶୁଭେନ୍ଦୁଙ୍କ ସମେତ 5 ଜଣ ଶପଥ ଗ୍ରହଣ କରିଥିଲେ । ଆଉ 3 ସପ୍ତାହ ପରେ ଶୁଭେନ୍ଦୁଙ୍କ ମନ୍ତ୍ରୀ ପରିଷଦ ସଂଖ୍ୟା 40ରେ ପହଞ୍ଚିଲା। ନିୟମ ଅନୁସାରେ 294 ବିଧାନସଭା ଆସନ ବିଶିଷ୍ଟ ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ 44 ଜଣ ମନ୍ତ୍ରୀ ହୋଇପାରିବେ । ସରକାରକୁ ସଠିକ୍ ଭାବେ ଚଳାଇବା ପାଇଁ ଶୁଭେନ୍ଦୁ ଅଧିକାରୀ ମଳ ମାସ ଅଶୁଭ ବୋଲି ବିଚାର ନକରି ମନ୍ତ୍ରିମଣ୍ଡଳର ବିସ୍ତାର କଲେ । ମଳ ମାସ ସରିଲା ବେଳକୁ ଜୁନ୍ 15 ହେବ, ତେଣୁ ଶେଷ ହେବା ଯାଏଁ ଅପେକ୍ଷା ନକରି ତା ପୂର୍ବରୁ ମନ୍ତ୍ରିମଣ୍ଡଳକୁ ବିସ୍ତାର କରିଛନ୍ତି ।

ଅପରପକ୍ଷରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରାୟ 2 ବର୍ଷ ହେଲାଣି ନିଜ ମନ୍ତ୍ରିମଣ୍ଡଳ ବିସ୍ତାର କରି ପାରୁନାହାନ୍ତି । 12 ଜୁନ୍, 2024 ମସିହାରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଶପଥ ନେଇଥିଲେ। ସେହିଦିନ ତାଙ୍କ ସହ ଅନ୍ୟ 15 ଜଣ ମନ୍ତ୍ରୀ ପଦର ଶପଥ ନେଇଥିଲେ। ନିୟମ ଅନୁସାରେ 147 ବିଧାୟକ ଥିବା ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ 22 ଜଣ ମନ୍ତ୍ରୀ ହୋଇ ପାରିବେ। ତେବେ ସରକାରକୁ ଆଉ କିଛି ଦିନ ପରେ 2 ବର୍ଷ ବିତିବାକୁ ଯାଉଛି । ତଥାପି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ମନ୍ତ୍ରିମଣ୍ଡଳକୁ ବିସ୍ତାର କରି ପାରୁନାହାନ୍ତି

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ବାଦ ଦେଲେ ଅନ୍ୟ ସମସ୍ତ ମନ୍ତ୍ରୀଙ୍କ ହାତରେ ଏକାଧିକ ବିଭାଗ ରହିଛି, ଯାହା ଦ୍ୱାରା ମନ୍ତ୍ରୀ ମାନଙ୍କ କାର୍ଯ୍ୟଭାର ବଢିବା ସହ ପ୍ରଶାସନୀକ ବିଫଳତା ମଧ୍ୟ ଦେଖା ଦେଉଛି। ନିଜ ଅଧିନରେ ଗୃହ, ଅର୍ଥ, ଜଳସମ୍ପଦ, ଯୋଜନା ଓ ସଂଯୋଜନ, ସାଧାରଣ ପ୍ରଶାସନ ଓ ଅଭିଯୋଗ,ଏବଂ ସୂଚନା ଓ ଲୋକସମ୍ପର୍କ ଭଳି ଗୁରୁତ୍ତ୍ୱପୂର୍ଣ୍ଣ ବିଭାଗ ରଖିଛନ୍ତି ମୁଖ୍ୟମନ୍ତ୍ରୀ। କିନ୍ତୁ ଓଡ଼ିଶାର ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଗଲାଣି। କେବଳ ଏତିକି ନୁହେଁ ବିଭିନ୍ନ ବୋର୍ଡ ଓ ନିଗମରେ ଅଧ୍ୟକ୍ଷ ନିଯୁକ୍ତି କରି ପାରୁନାହାନ୍ତି ମୋହନ ସରକାର । ଏଭଳି ସ୍ଥିତିରେ ଶୁଭେନ୍ଦୁ ଅଧିକାରୀଙ୍କ ସହ ମୋହନ ମାଝୀଙ୍କୁ କମ୍ପେୟାର କରିବା ଉଚିତ୍ ହେବ ନାହିଁ । ଓଡ଼ିଆରେ କଥା ଅଛି ‘‘କାହିଁ ରାଣୀ, କାହିଁ ଚନ୍ଦର କାଣୀ ’’।