ନବୀନ ଫେରାଇ ଆଣିଲେ ‘ବିଜୁବାବୁ’ଙ୍କ ଡାକୋଟା:କେବେ ଫେରିବ ନେତାଜୀଙ୍କ Ford କାର

ନବୀନ ପଟ୍ଟନାୟକ ଫେରାଇ ଆଣିଲେ ବିଜୁବାବୁଙ୍କ ଡାକୋଟା, କିଏ ଆଣିବେ ନେତାଜୀଙ୍କ ଫୋର୍ଡ କାର୍? 24 ବର୍ଷର ଲଗାତର ଶାସନ ସମୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସ୍ମୃତି ସହ ଜଡ଼ିତ ଫୋର୍ଡ କାରକୁ ବିଜୁ ଜନତା ଦଳର ସରକାର ଫେରାଇ ଆଣିବାରେ ଆଗ୍ରହ ଦେଖାଇ ନଥିଲା ବେଳେ ପଦକ୍ଷେପ ନେବେ କି ବିଜେପି ସରକାର? ନବୀନ ପଟ୍ଟନାୟକ କରି ପାରିନଥିବା କାମକୁ ପୂରଣ କରିବେ ବି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ? ନା ଓଡ଼ିଶା ବାହାରେ ରହିବ ନେତାଜୀଙ୍କ ସନ୍ତକ? ନେତାଜୀ ଜୟନ୍ତୀରେ ଏମିତି ଅନେକ ପ୍ରଶ୍ନ ସୃଷ୍ଟି ହେଉଛି।

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ ପାଳୁଛି ସାରା ଦେଶ। ନେତାଜୀଙ୍କ 129 ତମ ଜନ୍ମଜୟନ୍ତୀ ପାଳନରେ ଭାରତର ଉପରାଷ୍ଟ୍ରପତି ସି ପି ରାଧାକ୍ରୀଷ୍ଣନ୍ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି। କଟକ ସ୍ଥିତ ନେତାଜୀ ମ୍ୟୁଜିୟମ ପରିଦର୍ଶନ କରିଛନ୍ତି। ନେତାଜୀଙ୍କ ସମ୍ମାନାର୍ଥେ ଜନ୍ମତିଥିକୁ ପରାକ୍ରମ ଦିବସ ଭାବେ ମଧ୍ୟ ପାଳନ କରାଯାଉଛି। ମାତ୍ର ଓଡ଼ିଶା ସରକାର ନେତାଜୀଙ୍କ ସ୍ମୃତି ଓ ସନ୍ତକକୁ ନେଇ ସେତିକି ଯତ୍ନଶୀଳ ତ? ବିଜୁ ପଟ୍ଟନାୟକଙ୍କ ନାଁରେ ରାଜ୍ୟର ସିଂହଭାଗ ଯୋଜନା କରିଥିବା ନବୀନ ପଟ୍ଟନାୟକ ଏବେ କ୍ଷମତାରେ ନାହାନ୍ତି। ଯଦିଓ ଶାସନର ଶେଷଭାଗରେ କଟକରେ ନେତାଜୀ ବସ୍ ଟର୍ମିନାଲ ନିର୍ମାଣ କରିଛନ୍ତି ତଥାପି ଦୀର୍ଘ ବର୍ଷର ଲଗାତର ଶାସନରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସ୍ମୃତି ସହ ଜଡ଼ିତ ଫୋର୍ଡ କାର ଫେରାଇ ଆଣିବାକୁ ବାରମ୍ବାର ଦାବି ହୋଇଥିଲେ ବି ସେ ଏ ପ୍ରସଙ୍ଗକୁ ଧ୍ୟାନ ଦେଇ ନାହାନ୍ତି।

2023 ମସିହା ଜାନୁଆରୀ 18 ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବାପା ବିଜୁ ପଟ୍ଟନାୟକ ବ୍ୟବହାର କରୁଥିବା Dakota DC-3 Aircraftକୁ କୋଲକାତାରୁ ଫେରାଇ ଆଣିବା ପରେ ନେତାଜୀଙ୍କ କାର୍ ଫେରାଇ ଆଣିବାକୁ ଦାବି ହୋଇଥିଲା। ମାତ୍ର ଏ ଦାବିକୁ ପୂର୍ବ ସରକାର ସେତିକି ଗୁରୁତ୍ତ୍ୱ ଦେଇ ନଥିଲେ। ଏପରିକି ନୂଆ ସରକାରକୁ ଦେଢ ବର୍ଷରୁ ଅଧିକ ସମୟ ବିତି ସାରିଥିଲେ ସୁଦ୍ଧା ଏ ଦିଗରେ କୌଣସି ସକାରାତ୍ମକ ପଦକ୍ଷେପ ନିଆଯାଇ ନାହିଁ।  ଧାନବାଦରେ ପଡ଼ି ରହିଛି ନେତାଜୀଙ୍କ ଫୋର୍ଡ କାର୍। ଯାହା ତାଙ୍କର ଅନେକ ସ୍ମୃତି ସହ ଜଡ଼ିତ। 1930 ରୁ 1941 ପର୍ଯ୍ୟନ୍ତ ନେତାଜୀ ଏହି କାରକୁ ବ୍ୟବହାର କରିଥିଲେ। ନିଜ ଜୀବନର ଅନେକ ଗୁରୁତ୍ତ୍ୱପୂର୍ଣ୍ଣ କାମ ସେ ଏହି କାରରେ ହିଁ କରିଛନ୍ତି। ମହମ୍ମଦ ଜିଆଉଦ୍ଦିନବେଶରେ ଭାରତ ଛାଡ଼ି ବିଦେଶ ଯାଇ ସଂଗ୍ରାମ ଜାରୀ ରଖିବାରେ ଏ ଗାଡ଼ିର ବେଶ୍ ଭୂମିକା ରହିଛି। ସେ ଦୃଷ୍ଟିରୁ ଏ ସନ୍ତକକୁ ସୁଭାଷ ବୋଷଙ୍କ ଜନ୍ମସ୍ଥାନ କଟକ  ଫେରାଇ ଆଣିବାକୁ ଦାବି ହେଉଛି।

Visited 3 times, 1 visit(s) today
Share this post

Leave A Comment

Your email address will not be published. Required fields are marked *