ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରା।ଦୁଲୁକିବ ସିଲଭର ସିଟି କଟକ।ବାଲିରେ ଅଙ୍କାହେବ ପରମ୍ପରାର ସ୍ମାରକୀ। ପର୍ଯ୍ୟଟକଙ୍କ ଗହଳିରେ ଭିଡକୁ ଭିଡି ଧରିବ କଟକ।ପ୍ରବଳ ଜନସମାଗମରେ ଦୋହରା ହେବ ପୁରୁଣା ପରମ୍ପରାର ପାଦଛିଟା। ସାଧବପୁଅଙ୍କ ସ୍ମାରକି ସାଜିବ ବାଲିଯାତ୍ରା। ଐତିହାସିକ ବାଲିଯାତ୍ରା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି।

ତେବେ କାହିଁକି ଏ ବାଲିଯାତ୍ରା?କାହିଁକି ବାଲି ଉପରେ କଟକ ଛାତିରେ ଲୋକଙ୍କ ଗହଳି?କଣ ରହିଛି ଏ ବାଲିଯାତ୍ରାର ଇତିହାସ?କାହା ପାଇଁ ଏ ବାଲିଯାତ୍ରା? ଏସବୁକୁ ନେଇ ଅନେକଙ୍କ ମନରେ ଅଛି ଅଜବ କୌତୁହଳ।ତେବେ ଆସନ୍ତୁ ଜାଣିବା ବାଲିଯାତ୍ରାର ଇତିହାସ ବିଷୟରେ। ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟର ଯାତ୍ରା ହେଉଛି ବାଲିଯାତ୍ରା। ଏ ପରମ୍ପରା କାହିଁ କେତେ ବର୍ଣରୁ ଚାଲିଆସିଛି।ଏହା ଏଭଳି ଏକ ଗଣ ମହୋତ୍ସବ ଯାହା ଉଡ୍ର,ଉତ୍କଳ,କଳିଙ୍ଗ,ତୋଶାଳି,କଙ୍ଗଦ କୋଶଳର ସମନ୍ୱୟଭିତ୍ତିକ ଯାତ୍ରା।କୁହାଯାଏ ଆଗକାଳରେ ଏଇଠୁ ହିଁ ଓଡ଼ିଶାର ସାଧପପୁଅ ମାନେ ଜାଭା,ସୁମାତ୍ରା,ବାଲି,ବୋଣ୍ଣିଓ ଯାହାକି ଏବେକା ସମୟରେ ଇଣ୍ଡୋନୋସିଆ ନାଁ ରେ ଜଣାଶୁଣା ସେଠିକୁ ବଣିଜ କରିବାକୁ ଯାଉଥିଲେ।ଓଡ଼ିଶାର ଅନେକ ଉତ୍ପାଦିତ ସାମଗ୍ରୀର ବାହାରେ ଢେର୍ ଚାହିଦା ଥିଲା ।ଯାହାକୁ ନେଇ ବିଦେଶରେ ବିକ୍ରି କରୁଥିଲେ ସାଧବ ପୁଅ। ଫେରିଲା ବେଳେ ଅନେକ ଧନରତ୍ନ ବି ଆଣୁଥିଲେ। ଯାହା ସ୍ମୃତିରେ ଏ ବାଲିଯାତ୍ରା।

ବଣିଜ କରିବାକୁ ଯିବା ସମୟରେ ମଙ୍ଗଳକାମନା କରି ବନ୍ଦାପନା କରାଯାଉଥିଲା ।ଏହି ସ୍ମୃତିକୁ ଉଜ୍ଜୀବିତ କରିବାକୁ ଓଡ଼ିଶାର କଟକ ସହରରେ ବୋଇତ ବନ୍ଦାଣ ମହାସମାଗମରେ ପାଳନ ହୁଏ। ଓଡ଼ିଆମାନେ ଅତୀତରେ ଆକା ମା ବୈ ଗୀତ ଗାଇ ବଣିଜ କରିବାକୁ ଯାଇଥିବାରୁ ଏ ଗୀତର ମହତ୍ୱ ରହିଛି।ଏହି ସମୟକୁ ସାଧବମାନେ ବେପାର ବଣିଜ ପାଇଁ ପ୍ରକୃଷ୍ଟ ସମୟ ବୋଲି ଭାବୁଥିଲେ କାରଣ ପବନର ଗତି ସେମାନଙ୍କ ଯାତ୍ରାକୁ ସହଜ କରୁଥିଲା। ସେହି ସ୍ମାରକୀ ଉଦ୍ଦେଶ୍ୟରେ କଟକର ଗଡ଼ଗଡ଼ିଆ ଘାଟଠାରୁ ବାରବାଟୀ ପର୍ଯ୍ୟନ୍ତ ବିଶାଳ ସମାବେଶରେ ବାଲିଯାତ୍ରା ହୁଏ।ଦେଶ ବିଦେଶରୁ ବେପାରୀଙ୍କ ଭିଡ଼ ଜମେ।

ତେବେ ଚଳିତ ବର୍ଷ ବାଲିଯାତ୍ରାରେ 13 ଦେଶର ରାଷ୍ଟ୍ରଦୂତ ଯୋଗ ଦେବେ।କଟକ ଇନ୍ କଟକରେ ହେଫିଲ୍ମ ଫେଷ୍ଟିଭାଲ ବି ହେବ। ତେବେ ବିଭିନ୍ନ ଦେଶର ପ୍ରତିନିଧିଙ୍କ ସହିତ ଅନେକ ପ୍ରସିଦ୍ଧିଲାଭ କରିଥିବା କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ତେବେ ବାଲିଯାତ୍ରା ପାଇଁ ମୋଟ 2500 ଷ୍ଟଲ ପଡିଛି। ତଳ ପଡିଆରେ 3ଟି ଗେଟ୍ କରାଯାଇଥିବା ବେଳେ ଉପର ପଡିଆରେ 4ଟି ଗେଟ କରାଯାଇଛି। ବାଲିଯାତ୍ରା ସମୟରେ ଟ୍ରାଫିକ ସମସ୍ୟାକୁ ନେଇ ମଧ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।ଏପରିକି ଆମ୍ବୁଲାନ୍ସ ପାଇଁ ଗ୍ରୀନ କରିଡର ବ୍ୟବସ୍ଥା କରାଯାଇଛି। ମନୋରଞ୍ଜନ ଲାଗି ଏଥର ବଲିଉଡର ନାମୀ କଳାକାର ମାନଙ୍କୁ ନେଇ ମଞ୍ଚ ପ୍ରସ୍ତୁତ ହେବା ସହ ଲୋକ କଳା ପ୍ରଦର୍ଶନ ପାଇଁ ମଧ୍ୟ ସ୍ୱତନ୍ତ୍ର ମଞ୍ଚର ବ୍ୟବସ୍ଥା କରାଯାଇଛି।