ଜଗନ୍ନାଥଙ୍କ ପ୍ରତି ଭକ୍ତି ଥିବା ଦର୍ଶାଇ ଦୀଘାରେ ଜଗନ୍ନାଥ ମନ୍ଦିର ତିଆରି କରିଛନ୍ତି ମମତା ବାନାର୍ଜୀ । ସରକାରୀ ରାଜକୋଷରୁ 250 କୋଟି ଟଙ୍କା ଖର୍ଚ୍ଚ କରି ହିନ୍ଦୁ ଭୋଟ ହାତେଇବାକୁ ଖେଳିଛନ୍ତି ସ୍ପିରିଚୁଆଲ୍ କାର୍ଡ । ଏଥିରେ ସେ ସଫଳ ହେବେ କି ବିଫଳ ହେବେ ତାହା ତ ପରକଥା, କିନ୍ତୁ ଓଡ଼ିଶାର ସଂସ୍କୃତି ପରମ୍ପରାକୁ ହାଇଜାକ୍ କରିବାକୁ ଚକ୍ରାନ୍ତର ଚେର ଲମ୍ବେଇବାରେ ଲାଗିଛନ୍ତି ମମତା । ଏପରିକି ଚାରିଧାମ ଭିତରୁ ପ୍ରସିଦ୍ଧ ଧାମ ଜଗନ୍ନାଥ ଧାମ ଓଡ଼ିଶାରେ ଥିଲା ବେଳେ ମମତା ଚାଲାକି କରି ଦୀଘା ମନ୍ଦିରର ନାଁ ଦେଇଛନ୍ତି ଜଗନ୍ନାଥ ଧାମ । ଯାହାକୁ ନେଇ ଯେତେ ବିବାଦ ସୃଷ୍ଟି ହେଲେ ବି ଜଗନ୍ନାଥ ଧାମର ନାଁ ହଟାଉ ନାହାନ୍ତି ମମତା ।

ଗ୍ୟାସ ଚୁଲିରେ ଜଗନ୍ନାଥଙ୍କ ପ୍ରସାଦ
ଜଗନ୍ନାଥଙ୍କର ସ୍ୱତନ୍ତ୍ର ନୀତିକାନ୍ତି ଓ ରୀତିନୀତି ରହିଛି । ଶ୍ରୀକ୍ଷେତ୍ରରେ ବର୍ଷ ବ୍ୟାପୀ ସେ ରୀତି ନୀତିକୁ ନିର୍ଭୁଲ ଭାବେ ପାଳନ କରାଯାଏ । ଏପରିକି କୌଣସି ନୀତିକାନ୍ତିରେ ବିଭ୍ରାଟ ହେଲେ ସେ ନେଇ ଅନେକ ସୁଧାରଗତ ବିଧି ବ୍ୟବସ୍ଥା ରହିଛି । ଶ୍ରୀମନ୍ଦିରରେ ମହା ପ୍ରସାଦକୁ ନେଇ ସ୍ୱତନ୍ତ୍ର ମହିମା ରହିଥିଲାବେଳେ ଅନ୍ୟ ଜଗନ୍ନାଥ ମନ୍ଦିରରେ ମଧ୍ୟ ଏ ନିୟମ ପରିପାଳନ କରାଯାଉଛି । ମାତ୍ର ଦୀଘା ମନ୍ଦିରରେ ଏନେଇ ଆରମ୍ଭରୁ ବିଭ୍ରାଟ ଦେଖାଦୋଣି । ଗ୍ୟାସ ଚୁଲାରେ ମହାପ୍ରଭୁଙ୍କ ପ୍ରସାଦ ରନ୍ଧା ହେବାର ଫଟ ଓ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଗୋଟାଏ ପଟେ ଗ୍ୟାସ ଚୁଲାରେ ଭୋଗ ରନ୍ଧା ହେବା ନୀତି ବିରୁଦ୍ଧ ହୋଇଥିଲା ବେଳେ ମମତା ବାନାର୍ଜୀଙ୍କ ଦ୍ୱାରା ଏ ଇଚ୍ଛାକୃତ ଚକ୍ରାନ୍ତ ନୁହେଁ ତ? ଜଗନ୍ନାଥଙ୍କ ଭକ୍ତ କହି ମନ୍ଦିର ନିର୍ମାଣ କରୁଥିବା ମମତା କଣ ଜାଣି ନାହାନ୍ତି ଗ୍ୟାସ ଚୁଲାରେ ପ୍ରସାଦ ପ୍ରସ୍ତୁତ ହୁଏନି ବୋଲି, ନା ତାଙ୍କୁ ଓଡ଼ିଶାରୁ ଯାଇ ମନ୍ଦିର ପ୍ରତିଷ୍ଠା କରିଥିବା ଟିକିପୁଅ ଏ କଥା କହି ନାହାନ୍ତି । ପଥରରେ ବିଗ୍ରହ ନିର୍ମାଣ କଲ ପରେ ବି ୟାଙ୍କ ମନ ବୁଝିଲାନି ଯେ ଗ୍ୟାସ ଚୁଲାରେ ରୋଷେଇ କରି ଭଗବାନଙ୍କୁ ଅର୍ପଣ କଲେଣି ।