ପଟ୍ଟଚିତ୍ର, କେବଳ ଚିତ୍ରକଳା ନୁହେଁ ବରଂ ଓଡ଼ିଆଙ୍କ ଭାବର ଉତ୍ତରଣ, ଆବେଗର ସଂସ୍କରଣ, କଳା କ୍ଷେତ୍ରରେ ନିଆରା ପାହାଚର ଆରୋହଣ। ତାଳପତ୍ର ଉପରେ ଆମ ଐତିହ୍ୟର ଖୋଦେଇ ପଟ୍ଟଚିତ୍ର, ବସ୍ତ୍ର ଉପରେ ଆମ କାରୁକାର୍ଯ୍ୟର କଳାତ୍ମକ ଦିଗ ଆମ ପଟ୍ଟଚିତ୍ର । ଆମ କୀର୍ତ୍ତିର କୀର୍ତ୍ତନ ସାଙ୍ଗକୁ ମହାନତାର ମୃଦଙ୍ଗର ଆଭୂଷଣ ଆମ ପଟ୍ଟଚିତ୍ର । ଆବେଗ, ଭାବାବେଗର କଳା-କୋଣାର୍କ ଆମ ପଟ୍ଟଚିତ୍ର। କିନ୍ତୁ ଏବେ ପ୍ରଶ୍ନଘେରରେ ପଟ୍ଟଚିତ୍ର । ରସଗୋଲା କାହାର ଭଳି ଏବେ ପରବର୍ତ୍ତୀ ପ୍ରସଙ୍ଗ ପାଲଟିଛି ପଟ୍ଟଚିତ୍ର କାହାର ଚିତ୍ର? ଓଡ଼ିଶାର କୀର୍ତ୍ତି, ଐତିହ୍ୟ, ପରମ୍ପରା ଓ ସଂସ୍କୃତିକୁ ନିଜ ନାଁରେ କରାଇ ନେବାରେ ପାରଙ୍ଗମ ପଶ୍ଚିମବଙ୍ଗ।
ଅଣସର ଘରେ ଦାରୁ ବିଗ୍ରହ, ଦର୍ଶନ ଦିଅନ୍ତି ପଟ୍ଟ ଦିଅଁ
ତେବେ ଶ୍ରୀଜଗନ୍ନାଥ ସଂସ୍କୃତି ସହ ତ ପଟ୍ଟଚିତ୍ରର ସଂପର୍କ ଅତି ନିବିଡ଼, ଏକଥା ବୋଧହୁଏ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଅଜଣା ! ସ୍ନାନ ପୂର୍ଣ୍ଣିମାରେ ସ୍ନାନ କରିବା ପରେ ଜ୍ୱରରେ ପଡନ୍ତି ଚତୁର୍ଦ୍ଧା ମୂରତି । ସେ ସମୟରେ ୧୫ ଦିନ ଯାଏଁ ଅଣସର ଘରେ ଚାଲେ, ମହାପ୍ରଭୁଙ୍କ ଉପଚାର। ଶ୍ରଦ୍ଧାଳୁମାନେ ଦାରୁ ବିଗ୍ରହଙ୍କୁ ଦର୍ଶନ କରିବାର ସୁଯୋଗ ପାଆନ୍ତି ନାହିଁ । କିନ୍ତୁ ବିଶ୍ୱ ନିଅନ୍ତା, ସେ ସମୟରେ ପଟ୍ଟ ଦିଅଁ ବେଶରେ ଦର୍ଶନ ଦିଅନ୍ତି ଭକ୍ତମାନଙ୍କୁ । ଆଉ ଅଧା ଗଢ଼ା ଜଗନ୍ନାଥ, ବଳଭଦ୍ର ଓ ଭଉଣୀ ସୁଭଦ୍ରା, ହାତ-ଗୋଡ଼ ଥାଇ ପଟ୍ଟଚିତ୍ରରେ ଶୋଭା ପାଆନ୍ତି। ହାତରେ ଶଙ୍ଖ-ଚକ୍ର-ଗଦା ପଦ୍ମର ଆୟୁଧରେ ଦୃଶ୍ୟମାନ ହୁଅନ୍ତି ଭାଇ-ଭଉଣୀ। ଦାରୁ ବିଗ୍ରହଙ୍କୁ ପଟ୍ଟଚିତ୍ରରେ ଆଙ୍କିଥାନ୍ତି ଚିତ୍ରକର ସେବାୟତ । ପୁରୀ ଦୋଳମଣ୍ଡପ ସାହି ଓ ବାସେଳୀ ସାହିର ରହିଛି ଚିତ୍ରକର ସେବାୟତଙ୍କ ସ୍ୱତନ୍ତ୍ର ସାହି। ଛତି-ଚାମର, ତୂରୀ ଏବଂ ବଜ୍ରନ୍ତ୍ରୀ ଧରି ଚିତ୍ରକର ସେବାୟତଙ୍କ ଘରକୁ ପ୍ରତିବର୍ଷ ଶ୍ରୀମନ୍ଦିରରୁ ଆସିଥାଏ ଆଜ୍ଞାମାଳ। ପୂଜାର୍ଚ୍ଚନା ପରେ ପଟ୍ଟଚିତ୍ରରେ ଅଙ୍କିତ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଏବଂ ସୁଦର୍ଶନଙ୍କୁ ନେଇ ଶ୍ରୀମନ୍ଦିର ଫେରିଥାନ୍ତି ସେବାୟତ। ଶ୍ରୀଜଗନ୍ନାଥ ସଂସ୍କୃତି ସହ ତ ପଟ୍ଟଚିତ୍ରର ସଂପର୍କ ତ ଯୁଗ ଯୁଗର।
କେବେ ଗୀତ ଗୋବିନ୍ଦକୁ ନିଜର ବୋଲି ଦାବି କରୁଥିବା ପଶ୍ଚିମବଙ୍ଗ ପୁଣି କେବେ ଜୟଦେବଙ୍କୁ ନିଜ ମାଟିର ବୋଲି କହିଛି । ପଶ୍ଚିମବଙ୍ଗର ଚକ୍ରାନ୍ତର ଜହର ଏତେ ଯେ, ମିଠାରେ ବି ସେ ତିକ୍ତ ଲଢେଇ କରିଛି । ଚଞ୍ଚକତା କରି ରସଗୋଲାରେ GI ଟ୍ୟାଗ୍ ବି ହାସଲ କରିଥିଲା ପଶ୍ଚିମବଙ୍ଗ । ଯଦିଓ ପରବର୍ତ୍ତୀ ପରିସ୍ଥିତିରେ ଦୀର୍ଘ ବର୍ଷର ଲଢେଇ ପରେ ୨୦୧୯ ମସିହା ଜୁଲାଇ ୨୯ ରେ ଓଡ଼ିଶାକୁ ରସଗୋଲା କ୍ଷେତ୍ରରେ GI ଟ୍ୟାଗ୍ ମିଳିଥିଲା। କିନ୍ତୁ ପଶ୍ଚିମବଙ୍ଗ ୨୦୧୭ ମସିହାରେ GI ଟ୍ୟାଗ୍ ହାସଲ କରି ସାରିଥିଲା। ୧୯୬୮ ମସିହାରେ ପଶ୍ଚିମବଙ୍ଗରୁ ହିଁ ରସଗୋଲାର ଉତ୍ପତ୍ତି ବୋଲି କହି ଅଜବ ଯୁକ୍ତି କରିଥିଲେ। ଯେତେବେଳେ କି ୫୦୦ ବର୍ଷ ପୂର୍ବର ଦାଣ୍ଡି ରାମାୟଣରେ ରସଗୋଲାର ବର୍ଣ୍ଣନା ଅଛି । ମାଦଳା ପାଞ୍ଜିରେ ବି ଏ କଥା ଉଲ୍ଲେଖ ଅଛି ରଥଯାତ୍ରା ଯେବେଠୁ, ରସଗୋଲା ସେବେଠୁ । ପରୋକ୍ଷ ଭାବେ ଜଗନ୍ନାଥଙ୍କ ଠାରୁ ପଶ୍ଚିମବଙ୍ଗର ରସଗୋଲା ବେଶୀ ପୁରୁଣା ବୋଲି ପ୍ରମାଣ କରିବାକୁ ଚାହୁଁଥିଲା।
ପଟ୍ଟଚିତ୍ରର ଜିଆଇ ଟ୍ୟାଗ୍
୨୦୦୮ରେ ଓଡ଼ିଶାର ପଟ୍ଟଚିତ୍ରକୁ GI ଟ୍ୟାଗ୍ ମିଳିଲା। ମିଳିବା ବି ସ୍ୱାଭାବିକ କଥା। ପଟ୍ଟଚିତ୍ରର କ୍ଷେତ୍ର ଓଡ଼ିଶା। ପୁରୀ ଜିଲ୍ଲା ରଘୁରାଜପୁରରେ ଖୁନ୍ଦି ହୋଇଛି ପଟ୍ଟଚିତ୍ରର ଚିତ୍ରଶିଳ୍ପ । ପତ୍ର ଉପରେ କଅଁଳି ଆସିଛି, ଅନନ୍ୟ କଳାର ବୀଜପତ୍ର କାହିଁ କେବେଠାରୁ । କପଡ଼ାରେ କମ୍ପମାନ ହୋଇଛି ଆମ ପଟ୍ଟଚିତ୍ର । ମାତ୍ର, ଫର୍ଜରି କରି ଏ ରେକର୍ଡ ବି ହାତେଇ ନେଇଛି ପଶ୍ଚିମବଙ୍ଗ। ଆମର ଅପାରଗତା କହିବା ଅଥବା ପଶ୍ଚିମବଙ୍ଗର ଚକ୍ରାନ୍ତ କହିବା..
୨୦୧୮ ରେ ପଟ୍ଟଚିତ୍ର କ୍ଷେତ୍ରରେ GI ଟ୍ୟାଗ୍ ହାସଲ କରିଛି ପଶ୍ଚିମବଙ୍ଗ। ସେ ପୁଣି ଇଂରାଜୀରେ ଓଡ଼ିଆ ପଟ୍ଟଚିତ୍ର ଶବ୍ଦ ସହ ବନାନଗତ ସାମଞ୍ଜସ୍ୟତାରେ ସାମାନ୍ୟ ବିଚ୍ୟୁତି କରି। ଅର୍ଥାତ୍ ଓଡ଼ିଶାର ପଟ୍ଟଚିତ୍ର (Pattachitra) GI ଟ୍ୟାଗ୍ ହାସଲ କରିଛି । କିନ୍ତୁ ଇଂରାଜୀ ଅକ୍ଷର Tର ଅପବ୍ୟବହାର କରି Patchitra GI ଟ୍ୟାଗ୍ ହାସଲ କରିଛି ପଶ୍ଚିମବଙ୍ଗ ।
ତେବେ ପ୍ରସଙ୍ଗ ହେଉଛି ପଟ୍ଟଚିତ୍ର କାହାର ? ସମାନ ନାଁରେ କାହିଁକି ପଶ୍ଚିମବଙ୍ଗ GI ଟ୍ୟାଗ୍ ନେଇଛି ? ଯେତେବେଳେ ଆମେ କୌଣସି ପ୍ରସଙ୍ଗରେ ସମ୍ମାନ ହାସଲ କରିବାକୁ ଚାହୁଁ ସବୁତକ ତଥ୍ୟ, ଉପାଦାନ ଆମର ନିଜସ୍ୱ ହେବା ଜରୁରୀ। ନିଜସ୍ୱ ହେଲେ ହିଁ ଏଥିରେ ସ୍ୱଚ୍ଛତା ଆସେ। ଯଦି ସେ ଦୃଷ୍ଟିରୁ ବିଚାର କରାଯାଏ ତେବେ ପଟ୍ଟଚିତ୍ରର କଳାକୃତି ଓ ନାଁର ଆକୃତ୍ତି ଓଡ଼ିଶାର ନିଜସ୍ୱ। ପଶ୍ଚିମବଙ୍ଗ ଯେଉଁ କ୍ଷେତ୍ରରେ ଟ୍ୟାଗ୍ ହାସଲ କରିଛି ସେ ପଟ୍ଟଚିତ୍ର ନୁହେଁ ବରଂ ପଟ୍ ଚିତ୍ର (Pot, Patua Art) । ଯଦି ବି ପଶ୍ଚିମବଙ୍ଗ GI ଟ୍ୟାଗ୍ ପାଇଁ ଆବେଦନ କଲା ତେବେ ପଟ୍ଟଚିତ୍ର ନାଁରେ ଟ୍ୟାଗ୍ କାହିଁକି ? Bengal Scroll Paintings, ପଟ୍ଟୱା ନାଁରେ ବି GI ଟ୍ୟାଗ୍ ପାଇଁ ଆବେଦନ କରି ହୋଇଥାଆନ୍ତା । ସ୍ଥାନୀୟ ଅଞ୍ଚଳରେ ତ ଏହି ନାଁ ହିଁ ପରିଚୟ । କିନ୍ତୁ ନା! ପଶ୍ଚିମବଙ୍ଗର ଆଖି ତ ଓଡ଼ିଶାର କଳାକୀର୍ତ୍ତି ଉପରେ। ସେ ରସଗୋଲା ହେଉ, କି ପଟ୍ଟଚିତ୍ର ।
ପଟ୍ଟଚିତ୍ରକୁ ସାରା ବିଶ୍ୱରେ ଚିହ୍ନେଇ ଥିବା ଓଡ଼ିଶାର ଚିହ୍ନକୁ ହଜେଇ ଦେବା ପାଇଁ ବଡ଼ ଧରଣର ଚକ୍ରାନ୍ତ ଚାଲିଛି । 10 ବର୍ଷ ହେବ କେବଳ ପଟ୍ଟଚିତ୍ରର ପ୍ରମୋସନ୍ କରିବା ପାଇଁ ପଶ୍ଚିମବଙ୍ଗ ପଟ୍ଟୀଗାନ, ପଟ୍ଟମାୟା ଭଳି ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମର ଆୟୋଜନ କରୁଛି । ବିଭ୍ରାନ୍ତିକର ତଥ୍ୟ ଦେଇ ଓଡ଼ିଶାର ଐତିହ୍ୟର ଇତି କ୍ଷେତ୍ରରେ ଚକ୍ରାନ୍ତ ରଚୁଛନ୍ତି ପଶ୍ଚିମବଙ୍ଗ ସରକାର। ଆମର ନିଷ୍କ୍ରିୟତା ଓ ନିଷ୍ପ୍ରଭ ମନୋଭାବ ଯୋଗୁଁ କୁମ୍ଭୀରକୁ ଗୋଳିଆ ପାଣି ସୁହାଇଲା ଭଳି ପଶ୍ଚିମବଙ୍ଗକୁ GI ଟ୍ୟାଗ୍ ମିଳିଯାଉଛି ।
ଭକ୍ତି ନୁହେଁ, ବ୍ୟବସାୟ
କେବଳ ଏତିକି ନୁହେଁ ଦୀଘାରେ ଜଗନ୍ନାଥ ମନ୍ଦିର କରିବା ବି ପଶ୍ଚିମବଙ୍ଗର ଚକ୍ରାନ୍ତର ଚକ୍ରି । ଜଗନ୍ନାଥ ବିଶ୍ୱର ଦେବତା। ପୁର-ପଲ୍ଲୀରୁ ବିଶ୍ୱର କୋଣ ଅନୁକୋଣରେ ମହାପ୍ରଭୁ ସର୍ବପୂଜ୍ୟ। ଆଉ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାକୁ ନେଇ ବିରୋଧାଭାସର ପ୍ରଶ୍ନ ଉଠୁନି। ମାତ୍ର ଜଗନ୍ନାଥଙ୍କ ଭକ୍ତି ଅପେକ୍ଷା, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନରେ ରହିଛି ଚକ୍ରାନ୍ତର ଅପଢା ଉକ୍ତି । ତାଙ୍କର ପ୍ରମୁଖ ଉଦ୍ଦେଶ୍ୟ, ଯୋଉ ବଙ୍ଗୀୟ ଭକ୍ତମାନେ ଓଡ଼ିଶା ବୁଲିବାକୁ ଆସୁଛନ୍ତି ସେମାନଙ୍କୁ ଓଡ଼ିଶା ଆସିବାରୁ ଅଟକେଇବା। ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ କ୍ଷତି ପହଞ୍ଚାଇବା। ସେଥିପାଇଁ ଦୀଘା ସମୁଦ୍ର କୂଳରେ ଅବିକଳ ମନ୍ଦିର ଗଢି ଦେଲେ, ବଙ୍ଗୀୟ ଶ୍ରଦ୍ଧାଳୁ ପୁରୀ ନଆସି ସେଠାକୁ ଯିବେ, ଆଉ ସେଠାକାର ପର୍ଯ୍ୟଟନ ଶିଳ୍ପ ବଢିବ । ବାସ୍ତବରେ ମମତାଙ୍କ ଚକ୍ରାନ୍ତର ଦୈର୍ଘ୍ୟ ଢେର୍ ଲମ୍ବା।
ନିଜ ରାଜ୍ୟର ବିକାଶ କରିବା ଭଲ କଥା, ପର୍ଯ୍ୟଟନ କ୍ଷେତ୍ର ବି ବଢୁ, ସେଥିରେ କିଛି କହିବାର ନାହିଁ। ମାତ୍ର ଅବିକଳ ଜଗନ୍ନାଥ ମନ୍ଦିର ଗଢ଼ିବା, ଶ୍ରୀମନ୍ଦିରର ଅବିକଳ ରୀତିନୀତି କରିବା ପଛରେ କି ଉଦ୍ଦେଶ୍ୟ ଅଛି ? ଏ ମନ୍ଦିର ପ୍ରତିଷ୍ଠା ପାଇଁ କିଛି ପୁରୀ ସେବକ ବଡ଼ ପଟୁଆରରେ ବି ଗଲେ। ହଁ ଯିବାଟା ସ୍ୱାଭାବିକ କଥା, ଭରପୁର ଟଙ୍କା ମିଳିବ, ଦିଅଁଙ୍କ କଥା କିଏ ପଚାରେ ଯେ ?
ରାମଙ୍କ ନାଁ ଶୁଣିଲେ ରାଗନ୍ତି
ଦୁଃଖ ତ ଏତିକି, ମମତା ବାନାର୍ଜୀଙ୍କ ଭଳି ଜଣେ ହିନ୍ଦୁ ବିରୋଧୀ ନେତ୍ରୀ ଯିଏ ‘ରାମ’ ନାମ ଶୁଣିଲେ ଚିହିଁକି ଉଠୁଛନ୍ତି। ହିନ୍ଦୁ ବିରୋଧୀ ମାନସିକତା ରଖୁଥିବା ଥିବା ମମତା, ମୁର୍ଶିଦାବାଦରେ ହିନ୍ଦୁ ନରସଂହାର ବେଳେ ଚୁପ୍ ରହିଲେ, ସେ ପୁଣି କୋଉ ଭକ୍ତି ଭାବରେ ଜଗନ୍ନାଥ ମନ୍ଦିର ଗଢ଼ିଛନ୍ତି ?ଆମକୁ ମନେ ରଖିବାକୁ ହେବ, ଜଗନ୍ନାଥ ବିଶ୍ୱର ଦେବତା, ବିଷର ନୁହେଁ । ସକାଳ ଧୂପର ଧୂଆଁ ଠାରୁ ସନ୍ଧ୍ୟା ଦୀପର ନିଆଁରେ ଏ ଜାତି ଯାହାକୁ ଆରାଧନା କରେ ସେ ଶ୍ରୀଜଗନ୍ନାଥ। ସେ ଖାଲି ଆମ ଆରାଧ୍ୟ ନୁହଁନ୍ତି ବରଂ ଆମ ଅସରନ୍ତି ଅଧ୍ୟାୟ। ଆମକୁ ସଚେତନ ରହିବାକୁ ପଡ଼ିବ, ନଚେତ ରସଗୋଲା ଓ ପଟ୍ଟଚିତ୍ରକୁ ନେଇ ପଶ୍ଚିମବଙ୍ଗ ଯୋଉ ଚକ୍ରାନ୍ତ କରିଛି, କିଏ ଜାଣେ କେତେବେଳେ ସେମାନଙ୍କ ପାଇଁ ଏ ପ୍ରସଙ୍ଗ ବି ଆସିପାରେ ଯାହାର ଶୀର୍ଷକ ଥିବ ‘ଜଗନ୍ନାଥ କାହାର ?’