- ଛାତ୍ରସଂସଦ ନିର୍ବାଚନକୁ ନେଇ ଦ୍ୱନ୍ଦ
- କଲେଜ ଇଲେକ୍ସନକୁ ନେଇ ସିରିୟସ୍ ନାହାନ୍ତି ବିଜେପି ସରକାର
- ମୁଖ୍ୟମନ୍ତ୍ରୀଙ୍କ ବାରମ୍ବାର ବିବୃତ୍ତି ସତ୍ତ୍ୱେ ପ୍ରକାଶ ପାଇନି ବିଜ୍ଞପ୍ତି
- ସରକାରଙ୍କଠାରୁ ଆରମ୍ଭ କରି ବିରୋଧୀ, ସମସ୍ତଙ୍କର ଅନାଗ୍ରହ
- ବିଜେପିର ଇଚ୍ଛା ନାହିଁ, ବିରୋଧୀଙ୍କ ଦାବୀ ନାହିଁ
- କେମିତି ହେବ କଲେଜ ଇଲେକ୍ସନ୍?
2024 ଡିସେମ୍ବର 26ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଛାତ୍ରସଂସଦ ନିର୍ବାଚନକୁ ନେଇ ଘୋଷଣା କରିଥିଲେ । 2018ରୁ ବନ୍ଦ ହୋଇ ରହିଥିବା କଲେଜ ଇଲେକ୍ସନକୁ 2025ରେ ବିଜେପି ସରକାର କରି ଦେଖାଇବ ବୋଲି ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ବି ଦେଇଥିଲେ। ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ଘୋଷଣା ପରେ ସେପ୍ଟେମ୍ବର ମାସର ଦ୍ୱିତୀୟ ସପ୍ତାହରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ବିଜ୍ଞପ୍ତି ପ୍ରକାଶ କରିବାକୁ ସମ୍ଭାବ୍ୟ ତାରିଖ ଦର୍ଶାଯାଇଥିଲା। ମାତ୍ର ଦ୍ୱିତୀୟ ସପ୍ତାହ ସରିଥିଲେ ମଧ୍ୟ ଏଯାଏଁ ନୋଟିଫିକେସନ୍ ପ୍ରକାଶ ପାଇନାହିଁ।

ସେପ୍ଟେମ୍ବର ୧୭-୧୮ରେ ୯ଟାରୁ ୧୨ଟା ମଧ୍ୟରେ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ ଏବଂ ୧୮-୧୯ ରେ ୧୧ଟାରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ହବା କଥା। ସେପ୍ଟେମ୍ବର ୨୫ କିମ୍ବା ୨୬ ତାରିଖ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ନିର୍ବାଚନ କରିବାକୁ ସ୍ଥିର ହୋଇଥିଲା। ମାତ୍ର ଏପର୍ଯ୍ୟନ୍ତ ନୋଟିଫିକେସନ୍ ପ୍ରକାଶ ପାଇ ନାହିଁ । ବିରୋଧି ଦଳରେ ଥିଲାବେଳେ ଛାତ୍ର ସଂସଦ ନିର୍ବାଚନକୁ ନେଇ ହୋ ହାଲ୍ଲା କରୁଥିବା ବିଜେପି ଏବେ କ୍ଷମତାକୁ ଆସିଲା ପରେ ଇଲେକ୍ସନକୁ ନେଇ ଚୁପ୍ ବସିଥିବା ଅନୁମାନ ହେଉଛି ।
ବିଜୁ ଜନତା ଦଳ ଯଦିଓ ଛାତ୍ର ସଭାପତି ମନୋନୀତ କରି ସାରିଛି କଲେଜ୍ ଇଲେକ୍ସନକୁ ନେଇ ଦାବୀ କରୁଥିବା ଦେଖିବାକୁ ମିଳୁନି। କଂଗ୍ରେସର ଛାତ୍ର ସଭାପତି ଗିରଫ ହେବା ପରଠାରୁ ନେତୃତ୍ୱହୀନ ଏବଂ ନୀରବ। ନୂଆ ଛାତ୍ର ସଭାପତି ହେବା କିମ୍ବା କଲେଜ୍ ଇଲେକ୍ସନକୁ ନେଇ କ୍ୟାମ୍ପସ ସକ୍ରିୟ ହେବା ମଧ୍ୟ ଦେଖିବାକୁ ମିଳୁନି। ବିଜେପିର ଛାତ୍ର ସଙ୍ଗଠନ ଭାବେ ଜଣାଶୁଣା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଏବେ ସମ୍ପୂର୍ଣ୍ଣ ନିରବ।

ଯାହା ଅନୁମାନ କରାଯାଉଛି ବିଜେପି ସରକାରର ବହୁ ବିଧାୟକ ଓ ଦଳୀୟ ନେତାମାନେ ନିର୍ବାଚନ ସପକ୍ଷରେ ନାହାନ୍ତି। ବିରୋଧୀ ଦଳ ପଟୁ ବି ଜୋର୍ଦାର ଚାପ ବି ଆସୁନାହିଁ । ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ବି ଇଲେକ୍ସନ ଝାମେଲାରେ ପସିବାକୁ ଚାହୁଁ ନାହାନ୍ତି । ତେଣୁ ହୁଏତ ରାଜ୍ୟ ସରକାର ଏବର୍ଷ ଛାତ୍ର ସଂସଦ ନିର୍ବାଚନଠାରୁ ଦୂରେଇକୁ ଯୋଜନା କରୁଛନ୍ତି।
ବିଜେଡି ସରକାରରେ ଥିଲା ବେଳେ କଲେଜ୍ ଇଲେକ୍ସନକୁ ବନ୍ଦ କରିଥିବା କାରଣରୁ ଏବେ ଇଲେକ୍ସନ୍ ପାଇଁ ଦାବି କରିବା ବୁମେରାଂ ହୋଇପାରେ । ଏମିତିରେ ବି ଦଳର ସ୍ଥିତି ଯାହା ଜାଣିଜାଣି ପରାଜୟକୁ ନିମନ୍ତ୍ରଣ କରିବାକୁ ବିରୋଧୀ ଚାହିଁବେ ନାହିଁ । ଯାହା ବିଜେପି ସରକାରଙ୍କୁ ସୁହାଇବ। ତେବେ ଛାତ୍ର ସଂସଦ ନିର୍ବାଚନକୁ ନେଇ ବାରମ୍ବାର ବିଜେଡିକୁ ଟାର୍ଗେଟ୍ କରିଥିବା ବିଜେପି ଛାତ୍ର ସମାଜକୁ କି ବାର୍ତ୍ତା ଦେବ? ନେତା ଗଢିବାରେ ନିଜେ ବାଧକ ହେଉନି ତ ବିଜେପି।