ସେବାୟତ ପରିବାରଙ୍କୁ ଘାରିଲାଣି କନ୍ୟାରତ୍ନଙ୍କ ଚିନ୍ତା । ପୁଅଙ୍କ ସଂଖ୍ୟା ତୁଳନାରେ କନ୍ୟାରତ୍ନଙ୍କ ସଂଖ୍ୟା କମୁଛି । ବିଭିନ୍ନ ଯୋଜନା ସତ୍ତ୍ୱେ କନ୍ୟାରତ୍ନଙ୍କ ସଂଖ୍ୟାର ଅନୁପାତ ସମାନ ହେଉନାହିଁ। ତଥ୍ୟ ଅନୁସାରେ ହଜାରେ ପୁଅରେ ଅଛନ୍ତି ୮୭୩ ଝିଅ । କନ୍ୟାରତ୍ନଙ୍କ ସଂଖ୍ୟା ବଢ଼ାଇବା ପାଇଁ ପ୍ରୋତ୍ସାହନ ଦିଆଯାଉଛି । ବିଭିନ୍ନ ନିଯୋଗ ଏଥିପାଇଁ ପଦକ୍ଷେପ ମଧ୍ୟ ନେଉଛନ୍ତି । ଉଚ୍ଚଶିକ୍ଷାରୁ ଆରମ୍ଭ କରି ବିଭିନ୍ନ କଲ୍ୟାଣମୂଳକ ଯୋଜନା କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ସଂଖ୍ୟା ବହୁନାହିଁ । ଏଣୁ ପୁଅ ବିବାହକୁ ନେଇ ଚିନ୍ତାରେ ସେବାୟତ ପରିବାର।

୨୦୦୫ରେ ହୋଇଥିବା ସେବାୟତ ଗଣନା ଅନୁଯାୟୀ ସେବାୟତ ପରିବାର ସଂଖ୍ୟା ୧୩୨୧ ରହିଥିବା ବେଳେ ସେବାୟତଙ୍କ ଜନସଂଖ୍ୟା ଥିଲା ୮୧୮୩ ।୨୦୧୩ରେ ପରିବାର ସଂଖ୍ୟା ୧୪୬୨କୁ ବୃଦ୍ଧି ପାଇଥିବା ବେଳେ ଜନସଂଖ୍ୟା ୮୧୧୦କୁ ହ୍ରାସ ପାଇଥିଲା। ଅର୍ଥାତ୍ ୭୦ ଜଣ ସଦସ୍ୟ କମି ଯାଇଥିଲେ । ୨୦୦୫ରେ ଲିଙ୍ଗ ଅନୁପାତ ୧୦୦୦ ପୁରୁଷରେ ୮୬୩ ମହିଳା ଥିବା ବେଳେ ୨୦୧୩ରେ ୧୦୦୦ ପୁରୁଷରେ ଥିଲେ ୮୭୩ ମହିଳା । ଏବେ ସୁଦ୍ଧା ଏ ଅନୁପାତରେ ଏତେଟା ପରିବର୍ତ୍ତନ ହୋଇନାହିଁ । ଖୁଣ୍ଟିଆ, ରୋଷ କୋଠଭୋଗ ପାଣିଆ, ପାଣିଆ, ରାଜଗୁରୁ, ପୁଷ୍ପାଳକ,ପ୍ରତିହାରୀ, ଆପଟ, ଦତ୍ତମହାପାତ୍ର, ଘଟୁଆରୀ, ଚୁନରା, ଯୋଗାଣିଆ ମେକାପ, ମହାଭୋଇ, ଦଳବେହେରା ବିମାନବଡୁ, ପ୍ରଧାନୀ, କୋଠସୁଆଁସିଆ ସେବାୟତ ପରିବାରରେ ସମାନ ଅବସ୍ଥା ।ଗରାବଡୁ ପରିବାରରେ କନ୍ୟାରତ୍ନ ଜନ୍ମ ନେଲେ, ପ୍ରଥମ ଜନ୍ମ ଦିନରେ ତାକୁ ୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି । ଖୁଣ୍ଟିଆ ପରିବାରରେ କନ୍ୟାରତ୍ନ ହେଲେ ନିଯୋଗ ତରଫରୁ ୨୫ ହଜାର ଟଙ୍କା ଯୋଗାଇ ଦିଆଯାଉଛି । ପୁଜାପଣ୍ଡା ନିଯୋଗ ମଧ୍ୟ ବର୍ଷକୁ ୧ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଯୋଜନା କରିଛି। ତଥାପି ସଂଖ୍ୟା କମୁଛି ।

ତେବେ ସେବାୟତ ପରିବାରରେ ଅନ୍ୟ କୌଣସି ପରିବାର ବା ଜାତିରେ ବିବାହ ଗ୍ରହଣୀୟ ହୋଇ ନଥିବାରୁ ଚିନ୍ତା ବଢୁଛି । ଯେଉଁଥିପାଇଁ ଝିଅ ଅଭାବରୁ ଅନେକ ଯୁବକ ଅବିବାହିତ ରହିପାରନ୍ତି ବୋଲି ଅନୁମାନ କରାଯାଉଛି । ଯଦି ଏମିତି ହୁଏ ହୁଏତ ଆଗକୁ ସେବାୟତ ସମସ୍ୟା ସୃଷ୍ଟି ହୋଇପାରେ।





