25 ବର୍ଷ ପରେ ବିଜୁ ଜନତା ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ କମିଟି ପଲିଟିକାଲ୍ ଆଫେୟାର୍ସ କମିଟି ବା PAC ର ପୁର୍ନଗଠନ କରାଯାଇଛି । BJD ର ଆଜନ୍ମ ସଭାପତି ନବୀନ ପଟ୍ଟନାୟକ ଙ୍କ ନେତୃତ୍ୱରେ PAC ଗଠନ ହୋଇଛି । ସେହି କମିଟିରେ ଅନ୍ୟ 9 ଜଣ ସଦସ୍ୟ ରହିଛନ୍ତି। ବିଶ୍ୱାସଘାତକତା କରି ବିଜୟ ମହାପାତ୍ରଙ୍କ ଟିକେଟ କାଟିବା ପରେ 2000 ମସିହାରୁ ପଲିଟିକାଲ୍ ଆଫେୟାର୍ସ କମିଟିକୁ ଭାଙ୍ଗି ଦେଇଥିଲେ ନବୀନ। ତେବେ ବିଜୁ ଜନତା ଦଳର ପୁର୍ନଗଠିତ PAC ରେ ଅଛନ୍ତି ବିକ୍ରମ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ, ସୁଦାମ ମାର୍ଣ୍ଣିଂ, ଟୁକୁନୀ ସାହୁ, ସସ୍ମିତ୍ ପାତ୍ର ଏବଂ ସନ୍ତୃପ୍ତ ମିଶ୍ର । ଏହି ନବଗଠିତ କମିଟିକୁ ଦେଖିଲେ ଲାଗୁଛି ଏହା ପଲିଟିକାଲ୍ ଆଫେୟାର୍ସ କମିଟି ନୁହେଁ ଏଇଟା ହେଉଛି ପାଣ୍ଡିଆନ ଆଫେୟାର୍ସ କମିଟି । କାରଣ PAC ର ସମସ୍ତ ସଦସ୍ୟ, ଅଣଓଡ଼ିଆ ଭୈରବ ପାଣ୍ଡିଆନଙ୍କ କଥାରେ ଉଠବସ୍ ହେଉଛନ୍ତି । ତେଣୁ ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ କମିଟି PAC କୁ BJD ନିଜ ନିୟନ୍ତ୍ରଣରେ ରଖିବାରେ ସଫଳ ହୋଇଛନ୍ତି ପାଣ୍ଡିଆନ୍।
କାରଣ ୱାକଫ୍ ସଂଶୋଧନ ବିଲ୍ ସପକ୍ଷରେ ଭୋଟ ଦେଇ BJD କୁ ଲୋକହସା କରିଥିବା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର , PAC ରେ ରହିବା ପାଣ୍ଡିଆନଙ୍କ ଦବଦବାକୁ ସୂଚାଉଛି । ସେହିଭଳି ରାଜନୀତିରେ ବର୍ଷେ ପୂରଣ କରି ନଥିବା ସନ୍ତୃପ୍ତ ମିଶ୍ର ମଧ୍ୟ ପାଣ୍ଡିଆନଙ୍କର ଜଣେ ଦୃଢ ସମର୍ଥକ । ପ୍ରଣବ ପ୍ରକାଶ ଦାସ ଏବଂ ପାଣ୍ଡିଆନ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି ଜାଣିଛି ସାରା ଓଡ଼ିଶା । ଏବେ ପ୍ରଣବଙ୍କର ନିକଟତର ସଞ୍ଜୟ ଦାସବର୍ମା ଙ୍କୁ PAC ରେ ସ୍ଥାନ ମିଳିବା, ପାଣ୍ଡିଆନଙ୍କ ବିନା ଇସାରାରେ ଏହା ଅସମ୍ଭବ । ପ୍ରମିଳା ମଲ୍ଲିକ, ସୁଦାମ ମାର୍ଣ୍ଣିଂ ଓ ଟୁକୁନୀ ସାହୁ ପାଣ୍ଡିଆନଙ୍କ ହଁ ’ ରେ YES କହିବା ନେତା । ସେହିଭଳି ପୂର୍ବତନ ବାଚସ୍ପତି ବିକ୍ରମ ଆରୁଖ ଓ ନିରଞ୍ଜନ ପୂଜାରୀ ସେମାନଙ୍କର ନିର୍ବାଚନ ମଣ୍ଡଳୀ ଭିତରେ ସୀମିତ । ସାରା ଓଡ଼ିଶାର ରାଜନୀତିକୁ ଭଲ ଭାବରେ ବୁଝିନଥିବା ଏହି 9 ଜଣଙ୍କୁ PAC ର ସଦସ୍ୟ କରାଇ BJD କୁ ହାଇଜାକ୍ କରିନେଲେ ପାଣ୍ଡିଆନ୍ । ଚର୍ଚ୍ଚା ହେଉଥିଲା BJD ବିଧାୟକ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ , ବିଧାୟକ ଅରୁଣ ସାହୁ, ପ୍ରତାପ କେଶରୀ ଦେବ , ଦେବୀପ୍ରସାଦ ମିଶ୍ର , ଅତନୁ ସବ୍ୟସାଚୀ ନାୟ କ ଓ ପ୍ରତାପ ଜେନା PAC ର ମେମ୍ବର ହେବେ । BJD ର ପ୍ରତିଷ୍ଠାତା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ ଙ୍କୁ PAC ର ନମ୍ବର-2ର ଦାୟିତ୍ୱ ମିଳିବ । କିନ୍ତୁ ବିଗତ ଦିନରେ ଦଳୀୟ ସଙ୍ଗଠନକୁ ନେଇ ଭିନ୍ନ ମତ ରଖୁଥିବା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପାଣ୍ଡିଆନଙ୍କ ରୋଷର ଶିକାର ହେବାକୁ ପଡ଼ିଲା। ଶେଷରେ BJD ରାଜ୍ୟ କୃଷକ ମୋର୍ଚ୍ଚାର ଆବାହକ ହେଲେ ପ୍ରସନ୍ନ ଆଚାର୍ଯ୍ୟ।
ବିଚକ୍ଷଣ ଅରୁଣ ସାହୁଙ୍କୁ OBC ସେଲର ଆବାହକ କରାଯାଇ ସାବାଡ୍ କରାଯାଇଛି । ତାଙ୍କୁ ରଗେଇବା ପାଇଁ BJD OBC ସେଲ୍ ଆବାହକ ପଦକୁ ଦଳର ଉପସଭାପତି ପଦ ସହ ସମତୁଲ କରିବାର ପ୍ରେସ୍ ରିଲିଜ୍ ଜାରି କରାଯାଇଛି । ସେହିଭଳି ଦେବୀ ମିଶ୍ର ଙ୍କୁ ସିନିୟର୍ ଭାଇସ୍ ପ୍ରେସିଡେଣ୍ଟ (ମୁଖ୍ୟାଳୟ) ପଦ ଦେଇ ଶଙ୍ଖଭବନ ଜଗିବାର ଦାୟିତ୍ୱ ଦିଆଯାଇଛି । ଆଉ ପ୍ରତାପ ଜେନା, ଅତନୁ ସବ୍ୟସଚୀ ନାୟକ ଙ୍କୁ ଉପସଭାପତିର ଲଲିପପ୍ ଦିଆଯାଇଛି। ଅପରପକ୍ଷରେ BJD ନିର୍ବାଚନ ପରିଚାଳନା ପାଇଁ ରିଟର୍ଣ୍ଣିଂ ଅଫିସର ଦାୟିତ୍ୱ ତୁଲାଉଥିବା ପ୍ରତାପ ଦେବଙ୍କୁ ନା ’ PAC ରେ ଜାଗା ମିଳିଲା ନା ’ ସଙ୍ଗଠନରେ। ଏସବୁକୁ ଦେଖିଲେ ଲାଗୁଛି ସିନିୟରଙ୍କୁ ଆଉଟ୍ କରିବା ଯୋଜନାରେ ସଫଳ ହୋଇଛନ୍ତି ପାଣ୍ଡିଆନ । ବିଜୁ ଜନତା ଦଳର ଅଧିକାଂଶ ପ୍ରତିଷ୍ଠାତା ସଭ୍ୟଙ୍କୁ ନବୀନ ପଟ୍ଟନାୟକ ଯେପରି ବିଦା କରିଥିଲେ, ଠିକ୍ ସେମିତି ସିନିୟର ମାନଙ୍କୁ କୋଣଠେସା କରିଛନ୍ତି ପାଣ୍ଡିଆନ ।