Posts tagged Mohan Majhi

୨୦୨୭ ପରେ ନୂଆ ଜିଲ୍ଲା ଘୋଷଣା

ନୂଆ ଜିଲ୍ଲା ନିଷ୍ପତ୍ତିରେ ବିଳମ୍ବ । ପୂର୍ବ ସରକାର ଭଳି ନୂଆ ସରକାର ବି ନୂଆ ଜିଲ୍ଲା ଘୋଷଣାକୁ ନେଇ ଦେଇଥିବା ପ୍ରତିଶ୍ରୁତି ପୂରଣରେ ବିଳମ୍ବ କରୁଛନ୍ତି। ଉପନିର୍ବାଚନ ସମୟରେ ପଦମପୁରକୁ ଜିଲ୍ଲା ଘୋଷଣା କରିବାର ପ୍ରତିଶ୍ରୁତି ଦେଇ ନବୀନ ପଟ୍ଟନାୟକ ଠକି ଦେଇଥିଲେ । ନବୀନଙ୍କ ବାପା ବିଜୁ ପଟ୍ଟନାୟକ 13 ରୁ 30 ଜିଲ୍ଲା କରିଥିବା ବେଳେ ନବୀନ କିନ୍ତୁ 24 ବର୍ଷର ଶାସନକାଳ ଭିତରେ ଗୋଟାଏ ବି ଜିଲ୍ଲା ଘୋଷଣା କରିବାକୁ ସମର୍ଥ ହୋଇ ନଥିଲେ । ସେହିପରି  ବିଜେପି ସରକାରକୁ ଆସିବାକୁ ପୂର୍ବରୁ ପ୍ରଚାରରେ ଜିଲ୍ଲା ଘୋଷଣାକୁ ପ୍ରସଙ୍ଗ କରିଥିଲା । ମାତ୍ର ସରକାରକୁ ବର୍ଷେ ପରେ ବିତିଯାଇଥିଲେ ବି ସେ ନେଇ କୌଣସି ପଦକ୍ଷେପ ନିଆଯାଇ ପାରିନାହିଁ । ଉଭୟ ସରକାର ଜିଲ୍ଲା ଗଠନକୁ ନେଇ ଦେଇଥିବା କଥା ରଖିବାରେ ବିଫଳ ହୋଇଛନ୍ତି।

୨୦୨୭ ପରେ ନିଷ୍ପତ୍ତି..
ନୂଆ ଜିଲ୍ଲା, ବ୍ଲକ୍, ତହସିଲ ଏବେ ଘୋଷଣା ହେବନାହିଁ । ୧୬ଟି ଜିଲ୍ଲାକୁ ଭାଙ୍ଗି ୨୮ଟି ନୂଆ ଜିଲ୍ଲା ଗଠନ କରିବାକୁ ଦାବି ହେଉଛି। ବିଜେଡି ଶାସନରେ ଥିବା ବେଳେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବେ ବୋଲି ଘୋଷଣା କରିଥିଲେ ବି କଥା ରଖି ପାରି ନଥିଲେ। ବିଜେପି ନିର୍ବାଚନ ପୂର୍ବରୁ ଜିଲ୍ଲାକୁ ପ୍ରସଙ୍ଗ କରିଥିଲେ ବି ଏଯାବତ ଏନେଇ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଆସନ୍ତା ଦେଢ଼ ବର୍ଷ ପର୍ଯ୍ୟନ୍ତ ଅର୍ଥାତ୍ ମାର୍ଚ୍ଚ, ୨୦୨୭ ପର୍ଯ୍ୟନ୍ତ ରାଜ୍ୟ ସରକାର ଚାହିଁଲେ ବି ନୂଆ ଜିଲ୍ଲା ଗଠନ ନିଷ୍ପତ୍ତି କାର୍ଯ୍ୟକାରୀ କରିପାରିବେ ନାହିଁ। ଡିସେମ୍ବର ୩୧ ସୁଦ୍ଧା ସମସ୍ତ ଜିଲ୍ଲା, ତହସିଲ, ସହରାଞ୍ଚଳ, ଗ୍ରାମପଞ୍ଚାୟତ ଆଦିର ପ୍ରଶାସନିକ ସୀମା ଧାର୍ଯ୍ୟ କରିବାକୁ ଦିଆଯାଇଛି। ଏହି ସମୟରେ ରାଜ୍ୟ ସରକାର ଚାହିଁଥିଲେ ନୂଆ ଜିଲ୍ଲା ଗଠନ କରିପାରିଥାନ୍ତେ। କିନ୍ତୁ ଏଯାଏଁ ପ୍ରକ୍ରିୟା ଆରମ୍ଭ ହୋଇନାହିଁ ।  
       ପୂର୍ବରୁ ୨୮ଟି ଏନ୍‌ଏସି, ୭ଟି ମ୍ୟୁନିସିପାଲିଟି ଏବଂ ଗୋଟିଏ ମହାନଗର ନିଗମ ଘୋଷଣା ହୋଇଛି । ନୂଆ ୱାର୍ଡ, ବ୍ଲକ୍ କିମ୍ବା ତହସିଲ କରିବାକୁ ହେଲେ ତାର ରିପୋର୍ଟ ଓ ନୋଟିଫିକେସନ୍ ଜନଗଣନା ପ୍ରକ୍ରିୟାରେ ସାମିଲ କରିବାକୁ ପଡ଼ିବ । ୨୦୨୬ ଏପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନଗଣନା , ୨୦୨୭ଫେବ୍ରୁଆରି ୧ରୁ ଫେବ୍ରୁଆରି ୨୮ ମଧ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ଜନଗଣନା ସମୟରେ କେଉଁ ଗାଁ, ପଞ୍ଚାୟତ, ବ୍ଲକ୍, ତହସିଲ, ୱାର୍ଡ, ପୌରସଂସ୍ଥା, ଜିଲ୍ଲାରେ କଣ ଅଛି ତାର ଅନୁଧ୍ୟାନ ହେବ । ଜନଗଣନା ପ୍ରକ୍ରିୟା ଶେଷ ହେବା ପରେ ସରକାର ନୂଆ ନିଷ୍ପତ୍ତି ନେବେ । ଏବେ ଆଉ କୌଣସି ନୂଆ ଜିଲ୍ଲା, ତହସିଲ, ବ୍ଲକ୍‌ ଗଠନ ଯୋଜନା ନାହିଁ ବୋଲି ରାଜସ୍ୱ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି

ବିଜ୍ଞପ୍ତିକୁ ୬ ମାସ, ଘୋଷଣାରେ ଅଟକିଛି ସାଇବର ଥାନା

ଓଡ଼ିଶାରେ ଦିନକୁ ଦିନ ସାଇବର କ୍ରାଇମ୍  ସହ ଅର୍ଥନୈତିକ ଅପରାଧ ବୃଦ୍ଧି ପାଉଛି । ଅପରାଧିଙ୍କ ସଂଖ୍ୟା ବୃଦ୍ଧି ପାଉଥିଲାବେଳେ ଓଡ଼ିଶାର ୧୪ଟି ଜିଲ୍ଲାରେ ସାଇବର୍ ଥାନା ରହିଛି । ଫଳରେ ଅପରାଧିଙ୍କୁ ଧରିବାରେ ଥାନା ସାଙ୍ଗକୁ କର୍ମଚାରୀଙ୍କ ଅଭାବ ଦେଖାଯାଉଛି । ଏ ସବୁକୁ ଲକ୍ଷ କରି ଓଡ଼ିଶା ସରକାର ଗତ ଏପ୍ରିଲ ମାସରେ ୨୦ ଟି ନୂଆ ସାଇବର ଥାନା ଖୋଲିବାକୁ ବିଜ୍ଞପ୍ତି ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଗୃହ ବିଭାଗ ଥିବା ସତ୍ତ୍ୱେ ଏଯାଏଁ ନୂଆ ସାଇବର ଥାନା ଖୋଲା ଯାଇ ପାରିନି । ବିଜ୍ଞପ୍ତିକୁ ୬ ମାସ ବିତି ଯାଇଥିଲେ ବି ଫଳ ଶୂନ ।

ସାଇବର୍ ଠକେଇ ଓ ଅର୍ଥନୈତିକ ଅପରାଧ ବଢୁଥିବାରୁ ୨୦ଟି ନୂତନ ସାଇବର୍ ଓ ଅର୍ଥନୈତିକ ଅପରାଧ ଥାନା ଖୋଲିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।DSPଙ୍କଠାରୁ ଆରମ୍ଭ କରି ଇନ୍ସପେକ୍ଟର, SI, ASI ଓ ଅନ୍ୟ କର୍ମଚାରୀ ନିଯୁକ୍ତି ଲାଗି ଅର୍ଥ ବିଭାଗ ଅନୁମୋଦନ ମଧ୍ୟ ଦେଇଛି। ବିଜ୍ଞପ୍ତିକୁ ଇତିମଧ୍ୟରେ ୬ ମାସ ପୂରି ଥିଲେ ସୁଦ୍ଧା ଥାନା ଖୋଲିବାରେ ସରକାର ବିଫଳ ହୋଇଛନ୍ତି । ଅପରାଧ ବୃଦ୍ଧି ପାଉଥିବାରୁ ଆଉ ୨୦ଟି ପୁଲିସ ଜିଲ୍ଲାରେ ନୂଆ ଥାନା ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପଭି ନେଇଥିଲେ। କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ବୌଦ୍ଧ, ଢେଙ୍କାନାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼, ସୋନପୁର, ନୂଆପଡ଼ା ଓ ଭଦ୍ରକରେ ନୂଆଥାନା ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା । ମାତ୍ର ଏ ଯାଏଁ ଜାଗା ଚିହ୍ନଟ ହୋଇପାରିନଥିଲା ବେଳେ ନିଯୁକ୍ତି ପ୍ରକ୍ରିୟା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇନାହିଁ ।
               ନୂଆ ଓ ପୁରୁଣା ଥାନାରେ ସାଇବର ଓ ଅର୍ଥନୈତିକ ଅପରାଧର ତଦନ୍ତରେ ପୁଲିସ ଅଫିସରଙ୍କୁ ସହାୟତା କରିବା ଲାଗି ୨ ଜଣ ଫରେନସିକ୍ ଏକ୍ସପର୍ଟ, ୨ ଜଣ ଆଇଟି ଏକ୍ସପର୍ଟ ଓ ୨ ଜଣ ଫାଇନାନ୍ସ ଓ ଆକାଉଣ୍ଟସ୍ ଆନାଲିଷ୍ଟଙ୍କୁ ନିୟୋଜିତ କରାଯିବା ଲାଗି ବ୍ୟବସ୍ଥା ହୋଇଛି। ଏପରି ୬୮ ଜଣ ଆଇଟି ଏକ୍ସପର୍ଟ, ୪୮ ଜଣ ସାଇବର୍ ଫରେନସିକ୍ ଏକ୍ସପର୍ଟ, ୪୮ ଜଣ ଫାଇନାନ୍ସ ଓ ଆକାଉଣ୍ଟସ୍ ଆନାଲିଷ୍ଟ୍ ମିଶି ୧୭୦ ଜଣଏକ୍ସପର୍ଟ ଘରୋଇ ସଂସ୍ଥାରୁ ନିୟୋଜିତ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏସବୁ ନିଷ୍ପରି କାର୍ଯ୍ୟକାରୀ ହୋଇପାରିନାହିଁ। ଏଯାଏଁ କୌଣସି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇନାହିଁ । SP ମାନଙ୍କୁ ଅଫିସ ଘର ଯୋଗାଡ଼ ପାଇଁ ନିର୍ଦ୍ଦେଶ ହୋଇଛି । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା ବିଭାଗର ଏ ଖାମଖିଆଲି ମନୋଭାବ ପାଇଁ ବିଜ୍ଞପ୍ତିକୁ ୬ ମାସ ବିତି ଯାଇଥିଲେ ବି ସାଇବର ଥାନା ଖୋଲି ପାରୁ ନାହିଁ ।

‘ଜଳ ବିବାଦର ସମାଧାନ, ଟ୍ରିବ୍ୟୁନାଲରେ ହୁଏନି’ – ଆଡଭୋକେଟ୍ ଜେନରାଲ୍

  • ଆଜି ପର୍ଯ୍ୟନ୍ତ କୌଣସି ଜଳ ବିବାଦର ସମାଧାନ ଟ୍ରିବ୍ୟୁନାଲରେ ହୋଇନାହିଁ
  • ମହାନଦୀର ଜଳ ବ୍ୟବହାରକୁ ନେଇ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଲାଗିଥିବା ବିବାଦକୁ ନେଇ ଗଠିତ ଟ୍ରିବ୍ୟୁନାଲରେ କିଛି ବି ଅଗ୍ରଗତି ହୋଇନାହିଁ,
  • ଗତ ୬ ବର୍ଷ ମଧ୍ୟରେ, ମାତ୍ର ଜଣିଏ ସାକ୍ଷୀର ତଥ୍ୟ ନିଆଯାଇଛି,
  • ଆଗକୁ ୧୦ ବର୍ଷ ଟ୍ରିବ୍ୟୁନାଲ୍‌ରେ ମାମଲା ଚାଲିଲେ ବି ସମାଧାନ ଆଶା କ୍ଷୀଣ,
    ତେଣୁ ରାଜନୈତିକ ସ୍ତରରେ ଆପୋଷ ବୁଝାମଣାରେ ମହାନଦୀ ଜଳ ବିବାଦର ସମାଧାନ କରିବା ଶ୍ରେୟସ୍କର ବୋଲି ଓଡ଼ିଶାର ଆଡଭୋକେଟ୍ ଜେନରାଲ ପିତାମ୍ବର ଆଚାର୍ଯ୍ୟ କହିଛନ୍ତି। 

ମହାନଦୀ ଜଳ ବିବାଦ ମାମଲାରେ କେନ୍ଦ୍ର ଗୃହମନ୍ତ୍ରୀ ହସ୍ତକ୍ଷେପ କରିଛନ୍ତିକେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ସହ ଯୋଗାଯୋଗ ହୋଇଛିଉଭୟ ଓଡ଼ିଶା ଏବଂ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଏନେଇ ଆଲୋଚନା କରିଛନ୍ତି ସୁଫଳ ମିଳିବ ବୋଲି ଆମେ ଆଶାବାଦୀ, ଏକଥା କହିଛନ୍ତି ଆଡଭୋକେଟ୍ ଜେନରାଲ।ଆଜି ଅର୍ଥାତ ଅଗଷ୍ଟ ୨ ତାରିଖରେ ମହାନଦୀ ଟ୍ରିବ୍ୟୁନାଲ୍ ଆଗରେ ଏଭଳି ପକ୍ଷ ରଖିଛି ଓଡ଼ିଶା। ଆସନ୍ତା ସେପ୍ଟମ୍ବର ୬ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ହେବ।

ଅନ୍ୟପଟେ ଆପୋଷ ବୁଝାମଣାରେ ସମାଧାନ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଛତିଶଗଡ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ଏନେଇ ଗତ ୨୫ରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଚିଠିରେ ଉତ୍ତରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ କହିଛନ୍ତି, ଓଡ଼ିଶାର ପ୍ରସ୍ତାବକୁ ବିଚାର କରାଯିବ

ବାଂଲାଦେଶୀଙ୍କୁ ତଡ଼ିବା ମୁଡରେ ନାହିଁ ମୋହନ ସରକାର

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମାନଙ୍କୁ ବାଂଲାଦେଶ ଓ ମିଆଁମାରରୁ ଆସିଥିବା ସନ୍ଦିଗ୍ଧଙ୍କ ଭାରତୀୟ ନାଗରିକତା ଦାବିକୁ ଯାଞ୍ଚ କରିବା ପାଇଁ ୩୦ ଦିନର ଅବଧି ନିର୍ଦ୍ଧାରଣ କରିଥିଲେ ୩୦ ଦିନ ପରେ, ଯଦି ସେମାନଙ୍କ ଦସ୍ତାବିଜ ଯାଞ୍ଚ ହୋଇପାରେ ନାହିଁ, ତେବେ ସେମାନଙ୍କୁ ଦେଶାନ୍ତର କରାଯିବ, ଏହା ଜଣାପଡ଼ିଛି।
ମେ ୧୯ତାରିଖର ନିର୍ଦ୍ଦେଶନାମାରେ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଓ ଦେଶାନ୍ତର କରିବା ପାଇଁ ସେମାନଙ୍କର ବୈଧାନିକ କ୍ଷମତା ପ୍ରୟୋଗ କରିବାକୁ କହିଥିଲାଏହାସହ ଦେଶାନ୍ତର ପୂର୍ବରୁ ବ୍ୟକ୍ତିମାନଙ୍କୁ ରଖିବା ପାଇଁ ଜିଲ୍ଲା ସ୍ତରରେ ପର୍ଯ୍ୟାପ୍ତ ଅଟକ କେନ୍ଦ୍ର ବା Detention Centre ସ୍ଥାପନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ବିଭିନ୍ନ ରାଜ୍ୟରେ ବେଆଇନ ଅନୁପ୍ରବେଶକାରୀଙ୍କ ପାଇଁ Detention Centre ଖୋଲାଯାଇଛି। କିନ୍ତୁ ଓଡ଼ିଶାରେ ଖୋଲାଗଲାଣି କି ? ଦିଲ୍ଲୀ, ମହାରାଷ୍ଟ୍ର, ରାଜସ୍ଥାନ, ହରିୟାଣା ଏବଂ ଗୁଜରାଟରେ ବାଂଲାଦେଶୀ ହଟାଓ ଅଭିଯାନ ଜୋର୍‍ ଧରିଥିବାବେଳେ ଓଡ଼ିଶା ଏତେ ନିଷ୍କ୍ରିୟତା ଦେଖାଇଛି କାହିଁକି? କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ୩୦ ଦିନିଆ କଣ୍ଟ ପୂରଣ କରିପାରିବେ କି ମୋହନ ମାଝୀଙ୍କ ସରକାର? ଡବଲ ଇଞ୍ଜିନ ସରକାର ହୋଇ ମଧ୍ୟ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ପାଳନ କରିବା ବାବଦରେ କୌଣସି ଠୋସ୍‍ ପଦକ୍ଷେପ ନେଇନାହାଁନ୍ତି ଓଡ଼ିଶାର ବିଜେପି ସରକାର।

ଇତି ମଧ୍ୟରେ ଶାହଙ୍କ ନିର୍ଦ୍ଦେଶକୁ ସପ୍ତାହ ବିତିଲାଣି । ଆଉ ଏବେ ମୁଖ୍ୟମନ୍ତ୍ରୀ ମାତିଲେଣି ସରକାରଙ୍କ ବର୍ଷ ପୂର୍ତ୍ତିର ଉତ୍ସବରେ ଏଣୁ ବାଂଲାଦେଶୀ ଓ ରୋହିଙ୍ଗିଆଙ୍କ କଥା କାହିଁକି ଚିନ୍ତା କରିବ ଭାଜପା ସରକାର? ବର୍ଷପୂର୍ତ୍ତି ଉତ୍ସବ ସରୁସରୁ ଆସିଯିବ ରଥଯାତ୍ରାରଥ ପରେ ବର୍ଷା। ବର୍ଷା ପରେ ବନ୍ୟା । ତେଣୁ ବାଂଲାଦେଶୀଙ୍କ କଥା ଭୁଲିଗଲେ ବି ଚଳିବ।ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତି ଭିତରେ ୧୨ ଜଣ ଚିହ୍ନଟ ପାକ୍‍ ନାଗରିକଙ୍କୁ ଦେଶାନ୍ତର ଲାଗି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେକିନ୍ତୁ ମାତ୍ର ଜଣେ ପାକିସ୍ତାନକୁ ଗଲେ । ବାକି ୧୧ ଜଣଙ୍କ ପାଇଁ କେନ୍ଦ୍ର ଠାରୁ ନିର୍ଦ୍ଦେଶ ମଗାଯାଇଛି ବୋଲି ଉଚ୍ଚ ପୋଲିସ କର୍ତ୍ତୃପକ୍ଷ କହିଥିଲେ । କିନ୍ତୁ ଶେଷ ପର୍ଯ୍ୟନ୍ତ କେନ୍ଦ୍ର କ’ଣ କହିଲା ଏବଂ କାହିଁକି ୧୧ ପାକ୍‍ ନାଗରିକଙ୍କୁ ବହିଷ୍କାର କରାଯାଇ ପାରିଲା ନାହିଁ
ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ମାରାତ୍ମକ ଭାବେ ଅଧିକ । କିନ୍ତୁ ୮ବର୍ଷ ପୂର୍ବେ ଯେଉଁ ସାଢ଼େ ୩ ହଜାରରୁ କିଛି ଅଧିକ ବାଂଲାଦେଶୀ କେନ୍ଦ୍ରାପଡ଼ା ଓ ଅନ୍ୟ କେତେକ ଉପକୂଳ ଜିଲାରୁ ଚିହ୍ନଟ ହୋଇଥିଲେ, ସେମାନଙ୍କ ଛଡ଼ା ଆଉ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ବି ହୋଇନାହିଁ । ଏକ ଅଟକଳ ଅନୁସାରେ ଓଡ଼ିଶାରେ ଲକ୍ଷାଧିକ ବାଂଲାଦେଶୀ ନାଗରିକ ବେଆଇନ ଭାବେ ରହୁଛନ୍ତି । ଭାରତରେ ଏମାନଙ୍କ ସଂଖ୍ୟା ୨କୋଟିରୁ ଅଧିକ । ତା’ଛଡ଼ା ରୋହିଙ୍ଗିଆ ମୁସଲମାନ ବି ଅଛନ୍ତି । ରୋହିଙ୍ଗିଆ ମାନଙ୍କୁ ତଡ଼ିବା ବେଳେ ଏହା ବିରୋଧରେ ସେମାନେ ସୁପ୍ରିମକୋର୍ଟକୁ ଯାଇଥିଲେ । ସୁପ୍ରିମକୋର୍ଟ ମେ ୮ ତାରିଖରେ ସ୍ପଷ୍ଟ କରିଦେଲେ ଯେ ଭାରତରେ ରହିବାର ଅଧିକାର ଭାରତୀୟ ନାଗରିକଙ୍କର ଅଛି। ରୋହିଙ୍ଗିଆଙ୍କର ନାହିଁ । ଭାରତ ଏକ ଧର୍ମଶାଳା ନୁହେଁ । ସୁପ୍ରିମକୋର୍ଟଙ୍କ ଏହି ଟିପ୍ପଣୀ ପରେ କେନ୍ଦ୍ର ସ୍ୱରାଷ୍ଟ୍ର ବିଭାଗ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇ ବେଆଇନ ବାଂଲାଦେଶୀ ଓ ରୋହିଙ୍ଗିଆଙ୍କୁ ତଡ଼ିବା ନିମନ୍ତେ କହିଥିଲେ ।ଗତ ୬ ମାସରେ ଦିଲ୍ଲୀରୁ କେବଳ ୭୭୦ ଜଣ ବାଂଲାଦେଶୀଙ୍କୁ ଠାବ କରି ପଠାଇ ଦିଆଯାଇଛି । ସୀମା ସୁରକ୍ଷା ବାହିନୀ ପଶ୍ଚିମବଙ୍ଗରେ ଅନୁପ୍ରବେଶକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଏସ୍‍ଏଫ୍‍କୁ ସମାଲୋଚନା କରିବା ଆରମ୍ଭ କରିଦେଇଛନ୍ତି । ପଶ୍ଚିମବଙ୍ଗ ପରି ଓଡ଼ିଶାରେ ମଧ୍ୟ ବାଂଲାଦେଶୀ ପ୍ରେମୀ ନେତାଙ୍କ ସଂଖ୍ୟା କିଛି କମ ନୁହେଁ । ରାସନ କାର୍ଡ଼ ଓ ଭୋଟର ପରିଚୟ ପତ୍ରଧାରୀ ବାଂଲାଦେଶୀମାନେ ଆମ ଭାଇ ବୋଲି କହି ଭୁବନେଶ୍ୱର ମେୟର ସୁଲୋଚନା ଦାସ ବଡ଼ ହଟହଟା ହୋଇଛନ୍ତି ।

ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସ୍ୱୀକାର କରିସାରିଛନ୍ତି ଯେ ବସ୍ତି ଗୁଡ଼ିକରେ ବାଂଲାଦେଶୀ ଆଡ୍ଡା ଜମାଇ ବସିଛନ୍ତି।ସେମାନେ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଅଛନ୍ତି । ଫେରିବାଲା, କବାଡ଼ିବାଲାଙ୍କ ଭିତରେ ବାଂଲାଦେଶୀଙ୍କ ସଂଖ୍ୟା ଅଧିକ ବିଭିନ୍ନ ବିଲ୍ଡର୍ସଙ୍କ ପାଖରେ କାମ କରୁଥିବା ଲୋକଙ୍କ ଭିତରେ ସେମାନଙ୍କ ସଂଖ୍ୟା କିଛି କମ ନୁହେଁ । ସେମାନେ ବଙ୍ଗଳା କହୁଥିବାରୁ ଅନେକଙ୍କର ଧାରଣା ଯେ ସେମାନେ ପଶ୍ଚିମବଙ୍ଗର ଲୋକ । ସେମାନେ ମଧ୍ୟ ମୁର୍ସିଦାବାଦ କିମ୍ବା ମେଦିନିପୁରର ଲୋକ କହି ଚକମା ଦେଖାଉଛନ୍ତି  ।
ଫିଙ୍ଗର ପ୍ରିଣ୍ଟ ଏବଂ ଫେସିଆଲ୍‍ ରେକଗ୍‍ନିସନ ସିଷ୍ଟମ ଅନୁସାରେ ବାଂଲାଦେଶର ନାଗରିକଙ୍କୁ ଚିହ୍ନଟ କରିବା ପାଇଁ ଯେଉଁ ବ୍ୟବସ୍ଥା ଦିଲ୍ଲୀ, ଗୁଜରାଟ ଏବଂ ମହାରାଷ୍ଟ୍ରରେ ଗ୍ରହଣ କରାଯାଉଛି, ତାହା ମଧ୍ୟ ଓଡ଼ିଶାରେ ଲାଗୁ ହେବା ଜରୁରୀ । ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଗୁଇନ୍ଦା ସୂତ୍ର, ସ୍ଥାନୀୟ ଲୋକ, ନଥିପତ୍ର ଯାଞ୍ଚ ଏବଂ ବାୟୋମେଟ୍ରିକ୍‍ ଚିହ୍ନଟ ପ୍ରକ୍ରିୟାରେ ଧରିହେବ ।

ସରକାରୀ କ୍ୟାଲେଣ୍ଡର ପ୍ରସ୍ତୁତକର୍ତ୍ତା କେତେ ଭୁଲ କରିବେ?

ସରକାରୀ କ୍ୟାଲେଣ୍ଡରରେ ଛୁଟିକୁ ନେଇ ବାରମ୍ବାର ନିଷ୍ପତ୍ତି ବଦଳାଯାଉଛି। ଏମିତି ଲାଗୁଛି ଯେମିତି କ୍ୟାଲେଣ୍ଡର ପ୍ରସ୍ତୁତକର୍ତ୍ତା ଆଦୌ ପ୍ରସ୍ତୁତ ନ ହୋଇ କ୍ୟାଲେଣ୍ଡର ପ୍ରକାଶ କରିଦେଇଛନ୍ତି। ‘ସାବିତ୍ରୀ ବ୍ରତ’ ଛୁଟି ତାରିଖକୁ ନେଇ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ମେ ୨୭ ତାରିଖରେ ସାବିତ୍ରୀ ଅମାବାସ୍ୟା ଛୁଟି ଥିଲାବେଳେ ଏବେ କିନ୍ତୁ ତାରିଖରେ ପରିବର୍ତ୍ତନ ହୋଇଛି। ଛୁଟି ତାରିଖର ଠିକ୍ ୪ ଦିନ ପୂର୍ବରୁ ସରକାର ନିଷ୍ପତ୍ତି ବଦଳାଇଛନ୍ତି। ମେ ୨୭ ପରିବର୍ତ୍ତେ ୨୬ ତାରିଖରେ ସାବିତ୍ରୀ ଅମାବାସ୍ୟା ପାଇଁ ସମସ୍ତ ସରକାରୀ ଅଫିସ ଛୁଟି ହେବ। ପୂର୍ବରୁ ଘୋଷଣା ହୋଇଥିବା ଛୁଟି ତାରିଖରେ ଅଫିସ୍ ଯିବେ ସରକାରୀ କର୍ମଚାରୀ। ତେବେ ଶ୍ରୀମନ୍ଦିର ଦ୍ୱାରା ସ୍ୱୀକୃତିପ୍ରାପ୍ତ ପଞ୍ଜିକା ଅନୁଯାୟୀ ଚଳିତ ମାସ ୨୬ ତାରିଖରେ ‘ସାବିତ୍ରୀ ବ୍ରତ’ ପାଳନ ହେବ। କିନ୍ତୁ ଓଡ଼ିଶା ସରକାରଙ୍କ କ୍ୟାଲେଣ୍ଡରରେ ମେ ୨୭ ତାରିଖରେ ‘ସାବିତ୍ରୀ ବ୍ରତ’ ଲେଖାଯାଇ ସରକାରୀ ଛୁଟି ଘୋଷଣା ହୋଇଥିଲା ସାବିତ୍ରୀ ଅମାବାସ୍ୟାର ଗୋଟାଏ ଦିନ ପରେ ଥିଲା ସାବିତ୍ରୀ ଛୁଟି। ସରକାରୀ କ୍ୟାଲେଣ୍ଡରରେ ତ୍ରୁଟି ଯୋଗୁଁ ବାଧ୍ୟ ହୋଇ ଛୁଟି ତାରିଖ ବଦଳାଇଛନ୍ତି ସରକାର। ତେବେ କଥା ହେଉଛି କ୍ୟାଲେଣ୍ଡର ପ୍ରସ୍ତୁତ କରିଥିବା ଅଧିକାରୀଙ୍କ ଧ୍ୟାନ କୁଆଡ଼େ? କାହିଁକି ବୁଝି ବିଚାରି ସେ କ୍ୟାଲେଣ୍ଡର ପ୍ରକାଶ କରୁନାହାନ୍ତି? ସରକାରୀ କ୍ୟାଲେଣ୍ଡର ପ୍ରିଣ୍ଟ୍ ହେବା ପୂର୍ବରୁ ପ୍ରସ୍ତୁତକର୍ତ୍ତାମାନେ, ଶ୍ରୀମନ୍ଦିର ଦ୍ୱାରା ସ୍ୱୀକୃତିପ୍ରାପ୍ତ ପଞ୍ଜିକାକୁ କାହିଁକି ଅଣଦେଖା କରୁଛନ୍ତି? ଯଦି ସେ ପଞ୍ଜିକାକୁ ଅନୁକରଣ କରି ଥାଆନ୍ତେ ହୁଏତ ଆଜି ଏ ଦିନ ଦେଖିବାକୁ ପଡ଼ି ନଥାଆନ୍ତା।

ବାରମ୍ବାର ବଦଳୁଛି ଛୁଟି ତାରିଖ
ତେବେ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରକାଶିତ ଛୁଟି ତାଲିକାରେ ପରିବର୍ତ୍ତନ ହେବା କିଛି ନୂଆ କଥା ନୁହେଁ। ପୂର୍ବରୁ ପଞ୍ଚାୟତିରାଜ ଦିବସକୁ ନେଇ ମଧ୍ୟ ଛୁଟି ପ୍ରସଙ୍ଗରେ ସରକାର ତାଙ୍କ ନିଷ୍ପତ୍ତି ବଦଳାଇଛନ୍ତି। ଚଳିତ ବର୍ଷ ୫ ମାର୍ଚ୍ଚ ତାରିଖକୁ ପଞ୍ଚାୟତିରାଜ ଦିବସ ଭାବେ ଉଲ୍ଲେଖ କରି ଛୁଟି ଘୋଷଣା ହୋଇଥିଲା।  କିନ୍ତୁ ମାର୍ଚ୍ଚ ୩ ତାରିଖ ଅପରାହ୍ନରେ ୫ ମାର୍ଚ୍ଚକୁ ଛୁଟିଦିନ ନୁହେଁ ବୋଲି ଓଡ଼ିଶା ସରକାର ଘୋଷଣା କଲେ।ମାର୍ଚ୍ଚରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସକୁ ଭାବେ ପାଳନ ନକରିବା ଏବଂ ଛୁଟି ବାତିଲକୁ ନେଇ ବିବାଦ ହୋଇଥିଲା। ଛୁଟି ଘୋଷଣା ହେଇ ସାରିଥିବା ତାରିଖରେ ବି ଅଫିସ୍ ଆସିଥିଲେ ସରକାରୀ କର୍ମଚାରୀ। ଏବେ ପୁଣି ସେହି ଭୁଲର ରିପିଟ ଟେଲିକାଷ୍ଟ ଦେଖିବାକୁ ମିଳିଛି। ମେ ୨୭ ରେ ପ୍ରକାଶିତ ହୋଇଥିବା ସାବିତ୍ରୀ ବ୍ରତଛୁଟି ୨୬ ରେ ମିଳିବ। ଯାହା ଜଣାପଡ଼ୁଛି ଓଡ଼ିଶା ସରକାରଙ୍କ ପ୍ରକାଶିତ ସରକାରୀ କ୍ୟାଲେଣ୍ଡର ଆଦୌ ପଞ୍ଜିକାର ଅନୁଶୀଳନରେ କରାଯାଇ ନାହିଁ। ନହେଲେ ହୁଏତ ଦୁଇ ଦୁଇ ଥର ଛୁଟି ତାରିଖ ବଦଳେଇବାକୁ ପଡ଼ି ନଥାଆନ୍ତା। ଅବଶ୍ୟ ସରକାରଙ୍କ ଏ ନିଷ୍ପତ୍ତିରେ ସରକାରୀ କର୍ମଚାରୀଙ୍କୁ ଲଗାତର ତିନି ଦିନର ଛୁଟି ମିଳିଗଲା। ମେ ୨୪ଚତୁର୍ଥ ଶନିବାର, ୨୫ ରବିବାର ଓ ୨୬ ରେ ସାବିତ୍ରୀ ଛୁଟି ମିଳିଲା ପରେ ଲଗାତର ତିନିଦିନର ଛୁଟି ପାଇ ସିନା ସରକାରୀ କର୍ମଚାରୀ ଖୁସ୍ କିନ୍ତୁ କ୍ୟାଲେଣ୍ଡରରେ ବାରମ୍ବାର ତ୍ରୁଟି ସରକାରଙ୍କ ବିଫଳତାକୁ ସାମ୍ନାକୁ ଆଣୁଛି। ଜନସାଧାରଣ ଓ ବୁଦ୍ଧିଜୀବୀ ମହଲରେ ଏ ପ୍ରଶ୍ନ ଉଠିବା ଆରମ୍ଭ ହୋଇଗଲାଣି ଆଉ କେତେ ଭୁଲ କରିବେ ସରକାରୀ କ୍ୟାଲେଣ୍ଡର ପ୍ରସ୍ତୁତକର୍ତ୍ତା ?