Posts tagged Cyber Crime

ବିଜ୍ଞପ୍ତିକୁ ୬ ମାସ, ଘୋଷଣାରେ ଅଟକିଛି ସାଇବର ଥାନା

ଓଡ଼ିଶାରେ ଦିନକୁ ଦିନ ସାଇବର କ୍ରାଇମ୍  ସହ ଅର୍ଥନୈତିକ ଅପରାଧ ବୃଦ୍ଧି ପାଉଛି । ଅପରାଧିଙ୍କ ସଂଖ୍ୟା ବୃଦ୍ଧି ପାଉଥିଲାବେଳେ ଓଡ଼ିଶାର ୧୪ଟି ଜିଲ୍ଲାରେ ସାଇବର୍ ଥାନା ରହିଛି । ଫଳରେ ଅପରାଧିଙ୍କୁ ଧରିବାରେ ଥାନା ସାଙ୍ଗକୁ କର୍ମଚାରୀଙ୍କ ଅଭାବ ଦେଖାଯାଉଛି । ଏ ସବୁକୁ ଲକ୍ଷ କରି ଓଡ଼ିଶା ସରକାର ଗତ ଏପ୍ରିଲ ମାସରେ ୨୦ ଟି ନୂଆ ସାଇବର ଥାନା ଖୋଲିବାକୁ ବିଜ୍ଞପ୍ତି ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଗୃହ ବିଭାଗ ଥିବା ସତ୍ତ୍ୱେ ଏଯାଏଁ ନୂଆ ସାଇବର ଥାନା ଖୋଲା ଯାଇ ପାରିନି । ବିଜ୍ଞପ୍ତିକୁ ୬ ମାସ ବିତି ଯାଇଥିଲେ ବି ଫଳ ଶୂନ ।

ସାଇବର୍ ଠକେଇ ଓ ଅର୍ଥନୈତିକ ଅପରାଧ ବଢୁଥିବାରୁ ୨୦ଟି ନୂତନ ସାଇବର୍ ଓ ଅର୍ଥନୈତିକ ଅପରାଧ ଥାନା ଖୋଲିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।DSPଙ୍କଠାରୁ ଆରମ୍ଭ କରି ଇନ୍ସପେକ୍ଟର, SI, ASI ଓ ଅନ୍ୟ କର୍ମଚାରୀ ନିଯୁକ୍ତି ଲାଗି ଅର୍ଥ ବିଭାଗ ଅନୁମୋଦନ ମଧ୍ୟ ଦେଇଛି। ବିଜ୍ଞପ୍ତିକୁ ଇତିମଧ୍ୟରେ ୬ ମାସ ପୂରି ଥିଲେ ସୁଦ୍ଧା ଥାନା ଖୋଲିବାରେ ସରକାର ବିଫଳ ହୋଇଛନ୍ତି । ଅପରାଧ ବୃଦ୍ଧି ପାଉଥିବାରୁ ଆଉ ୨୦ଟି ପୁଲିସ ଜିଲ୍ଲାରେ ନୂଆ ଥାନା ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପଭି ନେଇଥିଲେ। କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ବୌଦ୍ଧ, ଢେଙ୍କାନାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼, ସୋନପୁର, ନୂଆପଡ଼ା ଓ ଭଦ୍ରକରେ ନୂଆଥାନା ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା । ମାତ୍ର ଏ ଯାଏଁ ଜାଗା ଚିହ୍ନଟ ହୋଇପାରିନଥିଲା ବେଳେ ନିଯୁକ୍ତି ପ୍ରକ୍ରିୟା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇନାହିଁ ।
               ନୂଆ ଓ ପୁରୁଣା ଥାନାରେ ସାଇବର ଓ ଅର୍ଥନୈତିକ ଅପରାଧର ତଦନ୍ତରେ ପୁଲିସ ଅଫିସରଙ୍କୁ ସହାୟତା କରିବା ଲାଗି ୨ ଜଣ ଫରେନସିକ୍ ଏକ୍ସପର୍ଟ, ୨ ଜଣ ଆଇଟି ଏକ୍ସପର୍ଟ ଓ ୨ ଜଣ ଫାଇନାନ୍ସ ଓ ଆକାଉଣ୍ଟସ୍ ଆନାଲିଷ୍ଟଙ୍କୁ ନିୟୋଜିତ କରାଯିବା ଲାଗି ବ୍ୟବସ୍ଥା ହୋଇଛି। ଏପରି ୬୮ ଜଣ ଆଇଟି ଏକ୍ସପର୍ଟ, ୪୮ ଜଣ ସାଇବର୍ ଫରେନସିକ୍ ଏକ୍ସପର୍ଟ, ୪୮ ଜଣ ଫାଇନାନ୍ସ ଓ ଆକାଉଣ୍ଟସ୍ ଆନାଲିଷ୍ଟ୍ ମିଶି ୧୭୦ ଜଣଏକ୍ସପର୍ଟ ଘରୋଇ ସଂସ୍ଥାରୁ ନିୟୋଜିତ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏସବୁ ନିଷ୍ପରି କାର୍ଯ୍ୟକାରୀ ହୋଇପାରିନାହିଁ। ଏଯାଏଁ କୌଣସି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇନାହିଁ । SP ମାନଙ୍କୁ ଅଫିସ ଘର ଯୋଗାଡ଼ ପାଇଁ ନିର୍ଦ୍ଦେଶ ହୋଇଛି । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା ବିଭାଗର ଏ ଖାମଖିଆଲି ମନୋଭାବ ପାଇଁ ବିଜ୍ଞପ୍ତିକୁ ୬ ମାସ ବିତି ଯାଇଥିଲେ ବି ସାଇବର ଥାନା ଖୋଲି ପାରୁ ନାହିଁ ।

ସାବାଡ ହେବେ ସାଇବର ଠକ

ସାବାଡ଼ ହେବେ ସାଇବର ଅପରାଧୀ। ସାଇବର କ୍ରାଇମ୍ ଦିନକୁ ଦିନ ବଢୁଥିଲା ବେଳେ ଏଥିରେ ରୋକ୍ ଲଗେଇବାକୁ ନୂଆ ବ୍ୟବସ୍ଥା ଆଣିଛନ୍ତି କେନ୍ଦ୍ର ସରକାର। ସାଇବର କ୍ରାଇମ୍ ଉପରେ ତ୍ୱରିତ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ e-Zero FIR ଭଳି ନୂଆ ବ୍ୟବସ୍ଥା ପ୍ରଚଳନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ ଆସୁଥିବା Indian Cyber Crime Coordination Centre (I4C) ଯେକୌଣସି ଅପରାଧୀଙ୍କୁ ଦ୍ରୁତଗତିରେ ଧରିବା ପାଇଁ ସକ୍ଷମ ହେବ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କହିବା ଅନୁଯାୟୀ  ଯେଉଁ ଇ-ଜିରୋ FIRର ପ୍ରଚଳନ କରାଯାଇଛି ଏହା ସାଇବର ଠକେଇରେ ରୋକ୍ ଲଗେଇବାରେ ସମର୍ଥ ହେବ।10 ଲକ୍ଷ ଟଙ୍କାରୁ ଅଧିକ ଠକେଇ ମୂଲ୍ୟର ସାଇବର ଆର୍ଥିକ ଅପରାଧ ଅଭିଯୋଗକୁ ସ୍ୱୟଂଚାଳିତ ଭାବରେ FIR ରେ ପରିଣତ କରିଥାଏ। ଯାହା 1930 ହେଲ୍ପଲାଇନ୍ ନମ୍ବର କିମ୍ବା National Cybercrime Reporting Portal (NCRP) ରେ ପଞ୍ଜିକୃତ ହୋଇ ପରବର୍ତ୍ତୀ ପ୍ରକ୍ରିୟାରେ ସହାୟକ ହେବ।

ସାଇବର ଅପରାଧୀଙ୍କ ଉପରେ ତଦନ୍ତକୁ ଦ୍ରୁତ ଗତିରେ କଡ଼ାକଡ଼ି କରିବା ପାଇଁ ଏହି ନୂତନ ବ୍ୟବସ୍ଥାକୁ ସମଗ୍ର ଦେଶରେ ବିସ୍ତାର କରାଯିବ। ମୋଦି ସରକାର ଏକ ‘ସାଇବର-ସୁରକ୍ଷିତ ଭାରତ’ ନିର୍ମାଣ ପାଇଁ ସାଇବର ସୁରକ୍ଷା ଗ୍ରୀଡକୁ ସୁଦୃଢ଼ ​​କରୁଛନ୍ତିଏଥି ସହିତ ଇଲେକ୍ଟ୍ରୋନିକ୍ ଭାବରେ FIR ର ଜାରି କରିବାର ପ୍ରକ୍ରିୟା ଶୀଘ୍ର ସମଗ୍ର ଦେଶରେ ଲାଗୁ କରାଯିବ। ଏହି ପଦକ୍ଷେପ ପୀଡିତଙ୍କ ଦ୍ୱାରା ହରାଇଥିବା ଅର୍ଥର ସହଜ ପୁନରୁଦ୍ଧାର ଏବଂ ସାଇବର ଅପରାଧୀଙ୍କ ବିରୁଦ୍ଧରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନକୁ ସହଜ କରିବ। NCRP ଏବଂ 1930 ହେଲ୍ପଲାଇନ୍ ସାଇବର ଆର୍ଥିକ ଅପରାଧ ସମ୍ବନ୍ଧୀୟ ଅଭିଯୋଗଗୁଡ଼ିକର ସହଜ ରିପୋର୍ଟିଂ ଏବଂ ତ୍ୱରିତ କାର୍ଯ୍ୟାନୁଷ୍ଠାନରେ ସହାୟକ ହେବ।