Posts tagged BJP

ଛାତ୍ରଛାତ୍ରୀ ପିନ୍ଧିବେ ଗେରୁଆ ରଙ୍ଗର ଆଇ କାର୍ଡ !

ସରକାର ବଦଳିବା ପରେ ତେଜୁଛି ରଙ୍ଗ ରାଜନୀତି। ଅଫିସର, ସ୍କୁଲ୍ ବସଠାରୁ ଆରମ୍ଭ କରି ପ୍ରତେକ କ୍ଷେତ୍ରରେ ରଙ୍ଗର ପରିବର୍ତ୍ତନ ହେଉଛି । ପୂର୍ବ ସରକାର ସବୁଥିରେ ପାର୍ଟିର କଲର (ସବୁଜ) ବୋଳିଥିଲା ବେଳେ ବିଜେପି ସରକାର ତାଙ୍କର ପାର୍ଟି କଲର (ଗେରୁଆ) ବୋଳିବାରେ ବ୍ୟସ୍ତ । ସ୍କୁଲ କାନ୍ଥ ପରେ ଏବେ ପଡ଼ିଛି ସ୍କୁଲ ପିଲାଙ୍କ ପାଳି। ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟ ପତ୍ରରେ ଗେରୁଆ ରଙ୍ଗ ଲାଗିବ।  ବିଜେଡି ସରକାର ସମୟରେ ସବୁଜ ରଙ୍ଗର ଆଇ-କାର୍ଡ ହୋଇଥିବା ବେଳେ ୨୦୨୫-୨୬ ଶିକ୍ଷାବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆଇ-କାର୍ଡ ପରିବର୍ତ୍ତନ ହୋଇଛି।

ବଦଳିବ ଆଇ କାର୍ଡ ରଙ୍ଗ
ସରକାର ବଦଳିଲା ପରେ ସ୍କୁଲ ପିଲାଙ୍କ ଆଇ କାର୍ଡର ରଙ୍ଗ ବଦଳିବାକୁ ଯାଉଛି। BJD ସରକାର ସମୟରେ ସବୁଜ ରଙ୍ଗର ଆଇ-କାର୍ଡ ହୋଇଥିବା ବେଳେ ୨୦୨୫-୨୬ ଶିକ୍ଷାବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆଇ-କାର୍ଡ ପରିବର୍ତ୍ତନ ହୋଇଛି। ଏଥର  ଛାତ୍ରଛାତ୍ରୀ ଗେରୁଆ ରଙ୍ଗର ଆଇକାର୍ଡ ପିନ୍ଧିବେ । ଯେଉଁଥିରେ ପିଲାଙ୍କ ନାମ, ଶ୍ରେଣୀ, ଜନ୍ମ ତାରିଖ, ରୋଲ୍‌ ନମ୍ବର ଓ ଫୋନ୍‌ ନମ୍ବର ରହିବ । ପ୍ରଧାନଶିକ୍ଷକ ବା ଶିକ୍ଷୟିତ୍ରୀଙ୍କ ଦସ୍ତଖତ ରହିବ। କେବଳ ଆଇ-କାର୍ଡ ରଙ୍ଗ ବଦଳି ନାହିଁ, ବରଂ ସ୍ଲୋଗାନ୍‌ ମଧ୍ୟ ବଦଳାଇ ଦିଆଯାଇଛି। ବିଜେଡି ସରକାର ସମୟରେ ପିଲାଙ୍କ ୟୁନିଫର୍ମ ଓ ଟୋପିରେ ‘ଆମେ ଗଢ଼ିବୁ-ନୂଆ ଓଡ଼ିଶା’ ସ୍ଲୋଗାନ ଲେଖାଯାଇଥିଲା । ମାତ୍ର ଏଥର ସ୍ଲୋଗାନ୍‌ ପରିବର୍ତ୍ତନ କରାଯାଇ ‘ବିଦ୍ୟାବନ୍ତ ବିଦ୍ୟାର୍ଥୀ, ବିକଶିତ ଓଡ଼ିଶା’ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଛାତ୍ରଛାତ୍ରୀଙ୍କ ପିଛା ୫୦୦ ଟଙ୍କା ଲେଖାଏଁ ଖର୍ଚ୍ଚ କରାଯିବ। ସେଥିରୁ ୨୦୦ ଟଙ୍କାରେ ଗୋଟିଏ ହଳ ଜୋତା ଓ ଦୁଇ ହଳ ମୋଜା, ୧୨୫ ଟଙ୍କାରେ ଗୋଟିଏ ଟି-ସାର୍ଟ, ୧୨୫ ଟଙ୍କାରେ ଗୋଟିଏ ଟ୍ରାକ୍‌ ପ୍ୟାଣ୍ଟ, ୩୦ ଟଙ୍କାରେ ଗୋଟିଏ ଟୋପି ଓ ୨୦ ଟଙ୍କାରେ ଗୋଟିଏ ପରିଚୟପତ୍ର ଦିଆଯିବ। ପିଲାଙ୍କ ଜୋତା ରଙ୍ଗ କଳା ଓ ମୋଜା ରଙ୍ଗ ଧଳା ରହିବ।

ସାଂସଦଙ୍କ ସତର୍କବାଣୀ : ପଞ୍ଚାୟତ ନିର୍ବାଚନରେ ଦଶା ଭୋଗିବ BJP

  • ମୁଖ୍ୟମନ୍ତ୍ରୀଙ୍କ ଉପରେ ଭୀଷଣ କ୍ଷୁବ୍ଧ ହେଇଛନ୍ତି ବିଜେପି ସାଂସଦ ।
  • ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଆଗରେ ବିଜେପିର 18 ସାଂସଦ ଅସନ୍ତୋଷ ଝାଡିଛନ୍ତି ।
  • ସମସ୍ତଙ୍କ ସମାନ ଅଭିଯୋଗ, ଓଡ଼ିଶାରେ ସରକାର ଠିକ ଭାବେ ଚାଲୁନାହିଁ ।
  • ଓଡ଼ିଶାରେ ବିଜେପିର 25 ବର୍ଷିଆ ଶାସନର ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ ସପ୍ନ ଦେଖୁଛନ୍ତି, ସେହି ସପ୍ନ ଅଧୁରା ରହିଯିବ।
  • ରାଜ୍ୟ ସରକାରଙ୍କ ପ୍ରଶାସନିକ ବିଫଳତା କାରଣରୁ ଭୈରବ ପାଣ୍ଡିଆନ, ଏବେ ବାହାରକୁ ଆସିବା ପାଇଁ ସୁଯୋଗ ପାଉଛନ୍ତି।
  • ସାଂସଦ ମାନଙ୍କୁ ମୁଖ୍ୟମନ୍ତ୍ରୀ, ଆଦୌ ବିଶ୍ଵାସକୁ ନେଉନାହାଁନ୍ତି। କୌଣସି ପ୍ରସଙ୍ଗରେ ସେମାନଙ୍କ ସହ ଆଲୋଚନା ବି କରୁନାହାଁନ୍ତି ।
  • ଆଉ ଦେଢ଼ ବର୍ଷ ପରେ ପଞ୍ଚାୟତ ନିର୍ବାଚନ। ତା’ପୂର୍ବରୁ ଅବ୍ୟବସ୍ଥା ସଜାଡ଼ିବାକୁ ପଡ଼ିବ। ନହେଲେ ହୁଏତ ପଞ୍ଚାୟତ ସ୍ତରରେ କ୍ଷମତା ହାତେଇବା ସମ୍ଭବ ହେବନାହିଁ ବୋଲି ସତର୍କବାଣୀ ଦେଇଛନ୍ତି ସାଂସଦ ।
  • ସରକାର ଓ ସଂଗଠନ ଭିତରେ ଯଦି ସଭାପତି ସଠିକ ସମନ୍ଵୟ ନରଖନ୍ତି, ତେବେ ଏହା ବଡ଼ ବିପଦ ଘଟାଇବ ବୋଲି ସାଂସଦ ମାନେ ଚେତାଇ ଦେଇଛନ୍ତି।
  • ସାଂସଦ ମାନଙ୍କର ଏଭଳି ଆଭିମୁଖ୍ୟକୁ ଗୋଟି ଗୋଟି କରି ଲେଖିଲେ, ବିଜେପି ସଂଗଠନ ସଂପାଦକ ମାନସ ମହାନ୍ତି

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସାଂସଦ ମାନଙ୍କର ଏହି ବିଷୋଦଗାର ଓଡ଼ିଶାରେ ନୁହେଁ, ନୂଆଦିଲ୍ଲୀରେ ଦେଖିବାକୁ ମିଳିଛି। ଗତ ମଙ୍ଗଳବାର(22 ଜୁଲାଇ)ର ସେହି ବୈଠକ ହୋଇଛି, ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା କେନ୍ଦୁଝର ସାଂସଦ ଅନନ୍ତ ନାଏକଙ୍କର ବାସଭବନରେ । ସେହି ବୈଠକରେ ଓଡ଼ିଶା ପ୍ରଭାରୀ ବିଜୟପାଲ ସିଂ ତୋମାର ମଧ୍ୟ ଉପସ୍ଥିତ ଥିଲେ। 3 କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଏବଂ ଅଶ୍ୱିନୀ ବୈଷ୍ଣବ ସେହି ବୈଠକକୁ ଆସିନଥିଲେ । ଅସୁସ୍ଥତା କାରଣରୁ ଢ଼େଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ଏବଂ ଦିଲ୍ଲୀ ବାହାରେ ଥିବା ପୁରୀ ସାଂସଦ ସମ୍ବିତ ପାତ୍ର ଅନୁପସ୍ଥିତ ଥିଲେ। ଆରମ୍ଭ କରିଥିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀସଭାପତିଙ୍କୁ ସତ ଶୁଣିବାକୁ ଚାହୁଁଛନ୍ତି କି ?, ପ୍ରଶ୍ନ କରି, ରାଜ୍ୟ ସରକାରଙ୍କ ବିଫଳତାକୁ ଗୋଟି ଗୋଟି କରି ଗଣାଇ ଦେଲେ।

  • ଶୁଣିବାକୁ ମିଳୁଛି ସାଂସଦ ଅନନ୍ତ ନାଏକ କହିଲେ, ଦଲାଲଙ୍କ ଘେରରେ ଏବେ ମୁଖ୍ୟମନ୍ତ୍ରୀ ରହିଛନ୍ତି,
  • ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବ, ମୋହନ ସରକାରଙ୍କ କାର୍ଯ୍ୟକଳାପର ବିଫଳତାକୁ ଶାଣିତ ଢଙ୍ଗରେ ଦଳର ନେତୃତ୍ୱଙ୍କ ଆଗରେ ବଖାଣିଛନ୍ତି,
  • ଉପମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ ତଥା ବଲାଙ୍ଗିର ସାଂସଦ ସଂଗୀତା ସିଂହଦେଓ ଅତି ଭାବୁକ ହୋଇ ଓଡ଼ିଶା ସରକାରଙ୍କ ବିଫଳତାକୁ ବର୍ଣ୍ଣନା କରିଛନ୍ତି
                           ପୂର୍ଣ୍ଣକାଳୀନ ସଭାପତି ହେବା ପରେ ମନମୋହନ ସାମଲଙ୍କ ଦିଲ୍ଲୀରେ ସବୁ ସାଂସଦ ମାନଙ୍କ ସହ ଏହି ପ୍ରଥମ ବୈଠକର ରାଜନୈତିକ ଗୁରୁତ୍ଵ ରହିଛି । ଅବଶ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଜଣେ ସରଳ ଲୋକ ବୋଲି ଅଧିକାଂଶ ସାଂସଦ କହିଥିଲେ। କିନ୍ତୁ ତାଙ୍କ ଅଫିସ ହିଁ ଦଳ, ନେତା ଓ ମୁଖ୍ୟମନ୍ତ୍ରୀଙ୍କ ଭିତରେ ବଡ଼ ପାଚେରୀ ଠିଆ କରାଇଛି । କେତେ ଜଣ ସାଂସଦ ମଧ୍ୟ ଦର୍ଶାଇଥିଲେ ଯେ ନବୀନ ପଟ୍ଟନାୟକଙ୍କ ସରକାରଙ୍କ ଅମଳରେ ଜଣେ ସବୁ ନିଷ୍ପତ୍ତି ନେଉଥିଲେ। ଆଉ କାହା ପାଖକୁ ଧାଇଁବାର ଆବଶ୍ୟକତା ନଥିଲା। କିନ୍ତୁ ଏ ସରକାରରେ 5 ଜଣ ମାମଲତି କରୁଛନ୍ତି। କାହା ପାଖକୁ ଗଲେ କାମ ହେବ କେହି ଜାଣି ପାରୁନାହାନ୍ତି ।
              ସାଂସଦମାନେ କହିଥିଲେ ଯେ, ଆଉ ଦେଢ଼ ବର୍ଷ ପରେ ପଞ୍ଚାୟତ ନିର୍ବାଚନ। ତା’ପୂର୍ବରୁ ଅବ୍ୟବସ୍ଥା ସଜାଡ଼ିବାକୁ ପଡ଼ିବ। ରଥଯାତ୍ରାରୁ ଆରମ୍ଭ କରି ଯେଉଁସବୁ ଘଟଣା ଘଟୁଛି ତାହା ଜନମାନସକୁ ପ୍ରଭାବିତ କରୁଛି । ସରକାର ଓ ସଂଗଠନ ଭିତରେ ଯଦି ସଭାପତି ସଠିକ୍ ସମନ୍ଵୟ ନରଖନ୍ତି ତେବେ ଏହା ବଡ଼ ବିପଦ ଘଟାଇବ ବୋଲି ସେମାନେ ମନମୋହନ ଏବଂ ବିଜୟପାଲଙ୍କୁ ଚେତାଇ ଦେଇଥିଲେ। ମନମୋହନ ସବୁ କଥା ଶୁଣିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଏବାବଦରେ ଅବଗତ କରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ଆସନ୍ତା 29 ତାରିଖରେ ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ ଯିବାର ରହିଛି, ସେ ସମୟରେ ସାଂସଦ ମାନଙ୍କୁ ଭେଟିପାରନ୍ତି ।
    ଏହି ଷ୍ଟୋରୀକୁ ଲେଖିଛନ୍ତି, ବିଜୟ କେତନ ବରାଳ

BJDର ଲୋକସେବା ଭବନ ଘେରାଉ, ବବି-ଡ଼ାନୀଙ୍କୁ ପୋଲିସର ଗୁଳିମାଡ଼

ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ଆକ୍ସନ ମୋଡରେ ବିଜେଡ଼ି। ନ୍ୟାୟ ଦାବିରେ ଲୋକସେବା ଭବନ ଘେରାଉ କରୁଥିବା ବେଳେ ବିଜେଡ଼ି କର୍ମୀଙ୍କ ଉପରେ ପାଣିମାଡ଼ ସହ ନେତାଙ୍କୁ ଗୁଳିମାଡ଼ କରିଛି ପୋଲିସ। ଅନେକ ବରିଷ୍ଠ ନେତାଙ୍କୁ ପୋଲିସ ଉଠାଇନେବା ସହ ବିଜେଡି ନେତାଙ୍କୁ ରବର ବୁଲେଟ ଫାୟାରିଂ କରିଛି । ପୋଲିସର ଲୁହବୁହା ଗ୍ୟାସ ମାଡ଼ରେ ଅନେକ ବରିଷ୍ଠ ନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇଥିଲା ବେଳେ ବିଜେଡିର ପୂର୍ବତନ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) , ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ (ଡାନୀ) ଗୁଳିମାଡ଼ରେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ପ୍ରଣବ ପ୍ରକାଶ ଦାସ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଉତ୍କଳ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କ ଛାତିରେ ରବର ବୁଲେଟ ବାଜିଛି ।

ପୋଲିସ ଟାର୍ଗେଟରେ ବିଜେଡି ନେତା
ବିଜେଡ଼ି ନେତାଙ୍କୁ ଟାର୍ଗେଟ କରି ପୋଲିସ ରବର ବୁଲେଟ ଫାୟାରିଂ କରିଥିବା ଅଭିଯୋଗ ହେଉଛି । ବାଲେଶ୍ୱରରେ ଏ ଫ୍ ଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ମାମଲାରେ ନ୍ୟାୟ ଦାବୀ ନେଇ ବିଜେଡି ଲୋକସେବା ଭବନ ଘେରାଉ କରିଥିଲା ବେଳେ ପୋଲିସ ବର୍ବରତାର ସୀମା ଟପିଛି । ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ଅରୁଣ ସାହୁ ଆଦିଙ୍କୁ ଉଠାଇ ନେଇଥିଲା ବେଳେ ଅନେକଙ୍କୁ ଗୁଳି ମାଡ଼ ବି କରିଛି। ବିରୋଧୀ ଦଳ ପ୍ରତି ସରକାରଙ୍କ ଆଭିମୁଖ୍ୟକୁ ବିଜେଡି ତରଫରୁ ଘୋର ବିରୋଧ କରାଯାଉଛି।

MP ନୁହେଁ, ରାଜ୍ୟପାଳ ହେବାକୁ ଜୁଏଲଙ୍କ ଇଚ୍ଛା

ଆଉ ନିର୍ବାଚନ ଲଢିବେନି ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ପ୍ରତ୍ୟକ୍ଷ ରାଜନୀତିରୁ ଦୂରେଇଯିବେ ଆଦିବାସୀ କଲ୍ୟାଣ ମନ୍ତ୍ରୀ। ଦୀର୍ଘ ବର୍ଷ ଧରି ଓଡ଼ିଶା ରାଜନୀତିରେ ପ୍ରଭାବ ବିସ୍ତାର କରିବା ସହ ଅଟଳ ବିହାରୀ ବାଜପେୟୀ ଏବଂ ନରେନ୍ଦ୍ର ମୋଦୀଙ୍କ ସରକାରରେ ମନ୍ତ୍ରୀପଦ ହାତେଇଥିବା ଜୁଏଲ ଆଉ ନିର୍ବାଚନ ଲଢିବାକୁ ଚାହୁଁନାହାନ୍ତି । ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ରୋଜଗାର ମେଳା ଅବସରରେ ଗଣମାଧ୍ୟମକୁ ସେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ନୂଆ ନେତାଙ୍କୁ ନିଜ ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ଦେଇ ପ୍ରତ୍ୟକ୍ଷ ରାଜନୀତିରୁ ଅବସର ଚାହୁଁଛନ୍ତି ଜୁଏଲ। ଯୁବପିଢିଙ୍କୁ ବାଟ ଛାଡ଼ିବାକୁ ଜୁଏଲ ପ୍ରସ୍ତୁତ ଥିବା କହିଛନ୍ତି ।

ସାଂସଦ ନୁହେଁ,ରାଜ୍ୟପାଳ ହେବେ
ଭାରତୀୟ ଜନତା ପାର୍ଟିର ପ୍ରଭାବଶାଳୀ ନେତା ହେଉଛନ୍ତି ଜୁଏଲ ଓରାମ। ବିଧାୟକ, ସାଂସଦ,ଷ୍ଟେଟ ପାର୍ଟି ପ୍ରେସିଡେଣ୍ଟ ହେବା ସହିତ BJP ST Morcha ମୋର୍ଚ୍ଚାର ଜାତୀୟ ସ୍ତରରେ ମଧ୍ୟ ସେ ଉପ ସଭାପତି ହୋଇଛନ୍ତି ।1989ରେ ବିଜେପିରେ ଯୋଗ ଦେଇଥିବା ଜୁଏଲ ଓରାମ ବଣାଇରୁ ବିଧାୟକ ଭାବେ ନିର୍ବାଚିତ ହେବା ସହିତ 1998,1999,2004,2014,2019,2024ରେ ସୁନ୍ଦରଗଡ଼ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଆଦିବାସୀ କଲ୍ୟାଣ ମନ୍ତ୍ରୀ ଭାବରେ ତାଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ମଧ୍ୟ ରହିଛି। ମାତ୍ର ସେ ପ୍ରତ୍ୟକ୍ଷ ନିର୍ବାଚନରୁ ଦୂରେଇ ଯାଇ ରାଜ୍ୟପାଳ ହବାକୁ ତାଙ୍କର ଇଚ୍ଛା ବୋଲି ପ୍ରକାଶ କରିଛନ୍ତି ।

ଓଡ଼ିଶା ବିଜେପିରେ ହ୍ୟାଟ୍ରିକ୍,ଜାତୀୟ ସ୍ତରରେ ପ୍ରମୁଖ ପ୍ରଭାବ
ଓଡ଼ିଶା ବିଜେପିରେ ସଭାପତି ଭାବରେ ହ୍ୟାଟ୍ରିକ ମାରିଥିବା ନେତାଙ୍କ ଭିତରେ ରହିଛି ଜୁଏଲ ଓରାମ ଏବଂ ମନମୋହନ ସାମଲଙ୍କ ନାଁ। ମନମୋହନ ସାମଲ 4 ଥର ପାଇଁ ମଙ୍ଗ ସମ୍ଭାଳିଥିଲା ବେଳେ ଜୁଏଲ ଓରାମ ତିନିଥର ବିଜେପିର ମଙ୍ଗ ଧରିଛନ୍ତି। ଜାତୀୟ ସ୍ତରରେ ମଧ୍ୟ ପାର୍ଟିର ଦାୟିତ୍ୱ ନେଇଛନ୍ତି ଜୁଏଲ। 1997-1999, 2004-2006 ଏବଂ 2009-2013 ଯାଏଁ ସେ ଓଡ଼ିଶା ବିଜେପିର ସଭାପତି ହୋଇଛନ୍ତି। ଦୀର୍ଘ 8 ବର୍ଷ ଧରି ଓଡ଼ିଶା ବିଜେପି ତାଙ୍କ ନେତୃତ୍ୱରେ ଚାଲିଥିଲା। 2006 ରୁ 2009 ଯାଏଁ ଜାତୀୟ ସ୍ତରରେ ଉପସଭାପତି ମଧ୍ୟ ହୋଇଛନ୍ତି । ଟ୍ରାଇବାଲ ମ୍ୟାପ୍ ଜରିଆରେ ଆଦିବାସୀମାନଙ୍କର ସ୍ଥିତି ଅନୁଧ୍ୟାନ ଦିଗରେ ତାଙ୍କର ପରାମର୍ଶ ମଧ୍ୟ ତାଙ୍କର ଦୂରଦୃଷ୍ଟି ପ୍ରମାଣ କରିଛି । ତେବେ ସୁନ୍ଦରଗଡ଼ରେ ପ୍ରମୁଖ ପ୍ରଭାବ ରଖିଥିବା ଜୁଏଲ ଓରାମ ଲୋକସଭା ବିଧାନସଭା ଛାଡ଼ି ରାଜ୍ୟପାଳ ହେବାକୁ ଇଛା ରଖିଥିଲା ବେଳେ ଯଦି ତାଙ୍କର ଏ ଇଚ୍ଛା ପୂରଣ ହୁଏ ତେବେ ସୁନ୍ଦରଗଡ଼ରେ କିଏ ହେବେ ବିଜେପିର ଚେହେରା ?

ଜଗା ପ୍ରଧାନଙ୍କୁ ଜାମିନ

ବିଏମ୍‌ସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ମାଡ଼ ମାରିବା ଘଟଣାରେ ଜେଲରେ ରହିବା ପରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ଜାମିନ ପାଇଛନ୍ତି।  6 ଦିନ ପରେ ଜଗା ପ୍ରଧାନ ବାହାରକୁ ବାହାରିବେ । ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରୁ ଜଗାଙ୍କୁ ଜାମିନ ମିଳିଛି। ୩୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ବଦଳରେ ଜାମିନ ପାଇଛନ୍ତି ଜଗନ୍ନାଥ ପ୍ରଧାନ । BMC ଅଫିସରେ ଅତିରିକ୍ତ କମିଶନରଙ୍କୁ ମାଡ଼ ମାରିବା ଘଟଣାରେ ଗିରଫ ହୋଇଥିଲେ 5 ଅଭିଯୁକ୍ତ। ମାତ୍ର ଜଗା ପ୍ରଧାନଙ୍କୁ ଏ ଆକ୍ରମଣର ମାଷ୍ଟର ମାଇଣ୍ଡ ଦର୍ଶାଇ ତାଙ୍କ ଗିରଫ ଦାବୀ କରିଥିଲେ ଓଏସ ଓ ଓଆରଏସ ସଙ୍ଘ । ଏପରିକି ଜଗାଙ୍କ ଗିରଫ ଦାବୀରେ ସମୁହ ଛୁଟିରେ ରହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ଏବଂ ରାଜସ୍ୱ ମନ୍ତ୍ରୀଙ୍କ ପ୍ରସ୍ତାବ ସତ୍ତ୍ୱେ ଚାକିରୀରେ ଯୋଗ ଦେଇ ନଥିଲେ । ସୁପ୍ରିମକୋର୍ଟର ନିର୍ଦ୍ଦେଶ ଅବମାନନା କରି ଆନ୍ଦୋଳନ ଜାରି ରଖିଥିଲେ । ପ୍ରଶାସନିକ ଅସୁବିଧା ହେତୁ ଜନଜୀବନ ବାଧାପ୍ରାପ୍ତ ହୋଇଥିଲା। ଗତ ଗୁରୁବାର ରାତିରେ ଜୁଲାଇ 3 ରେ  ସମର୍ଥକଙ୍କୁ ଧରି ଡିସିପି କାର୍ଯ୍ୟାଳୟରେ ପହଞ୍ଚିଥିଲେ ଜଗନ୍ନାଥ ପ୍ରଧାନ। ଆତ୍ମସମର୍ପଣ କଲା ପରେ କମିସନରେଟ ପୁଲିସ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିଥିଲା । ଆକ୍ରମଣ ପାଇଁ ଷଡ୍‌ଯନ୍ତ୍ର ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଥିଲା ।

OAS ସଙ୍ଘର ଦାବି ମାନି ଜଗା ଜେଲ୍ ଯାଇଥିଲେ। ଜଗାଙ୍କ ବିରୁଦ୍ଧରେ ଲାଗିଥିଲା ୧୧ଟି ଦଫା  ।-ଭାରତୀୟ ନ୍ୟାୟ ସଂହିତା (BNS) ଦଫା- ୩୩୩, ୧୩୨, ୧୨୧(୧), ୧୨୧(୨), ୩୫୧(୨), ୬୨ ,୩୦୪, ୫୪, ୬୧(୨), ୧୮୯(୨), ୧୯୦/୩(୫) ଦଫା ମଧ୍ୟ ଜଗାଙ୍କଠି ଲଗାଇଥିଲା ଓଏସ ସଙ୍ଘ । ଜୁଲାଇ 4 ରେ ଜାମିନ ପାଇଁ ତାଙ୍କ ଆବେଦନ ନାମଞ୍ଜୁର ହୋଇଥିଲେ । ପରେ ପରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ରହିଥିଲେ ଜଗନ୍ନାଥ । ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରୁ ଆଜି  ଜଗାଙ୍କୁ ମିଳିଲା ଜାମିନ ମିଳିଛି। ତେବେ ଏ ମାମଲାରେ  ବିଏମ୍‌ସିର ଅତିରିକ୍ତ କମିଶନର ରତ୍ନାକର ସାହୁ ମଧ୍ୟ ଗିରଫ ହେବା ଦରକାର ବୋଲି ତାଙ୍କ ସମର୍ଥକ ଦାବି କରିଥିଲେ ।  କମିଶନରଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି । ଏପରିକି ପ୍ରତିପକ୍ଷ ଓକିଲଙ୍କ ପାଖରେ କୌଣସି ଯୁକ୍ତିଯୁକ୍ତ ତଥ୍ୟ ନଥିବା କହିଛନ୍ତି ଜଗାଙ୍କ ଓକିଲ । ଜଗା ପ୍ରଧାନ ଜେଲରୁ ଫେରିବା ପରେ ତାଙ୍କର ଆଭିମୁଖ୍ୟ କଣ ରହିବ ଏବେ ସେ ନେଇ ଚର୍ଚ୍ଚା।