ଅନୁମାନ ଏବଂ ଆକଳନର ଅନ୍ତ ଘଟିଛି। ପୁଣିଥରେ ରାଜ୍ୟ ବିଜେପି ସଭାପତି ହୋଇଛନ୍ତି ମନମୋହନ ସାମଲ। ନିଜ ରାଜନୈତିକ କ୍ୟାରିୟରରେ ଥରେ ମାତ୍ର ବିଧାୟକ ହୋଇଥିବା ମନମୋହନ ସାମଲଙ୍କ ସାଙ୍ଗଠନିକ କ୍ଷମତାକୁ ସାଲ୍ୟୁଟ ମାରିଛନ୍ତି କେନ୍ଦ୍ରୀୟ ବିଜେପି । ପ୍ରଥମ ଥର ପାଇଁ ବିଜେପି ସରକାରରେ ଥିବାବେଳେ ଦଳର ସଭାପତି ଭାବେ ଗୁରୁତ୍ୱପୂର୍ଣ୍ଣ ଆସନରେ ପୁଣି ମନମୋହନଙ୍କୁ ବସାଇଛନ୍ତି ହାଇକମାଣ୍ଡ । ହ୍ୟାଟ୍ରିକ୍ ମାରି ପୁଣିଥରେ ବିଜେପିର ମଙ୍ଗୁଆଳ ସାଜିଛନ୍ତି ମନମୋହନ ସାମଲ । ସଞ୍ଜୟ ଜଶୱାଲଙ୍କ ଉପସ୍ଥିତିରେ ମନମୋହନ ସାମଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେପି ତରଫରୁ ଏକମାତ୍ର ପ୍ରାର୍ଥୀ ଭାବେ ସେ ନାମାଙ୍କନ କରିଥିବାରୁ ବିନା ଦ୍ୱନ୍ଦରେ ରାଜ୍ୟ ସଭାପତି ଭାବେ ମନୋନୀତ ହେଇଛନ୍ତି । 8 ତାରିଖ 11ଟାରେ ଏ ନେଇ ବିଦ୍ଧିବଦ୍ଧ ଘୋଷଣା ହେବ ।
1999ରୁ 2004 ଯାଏଁ ପ୍ରଥମ ଥର ରାଜ୍ୟସଭାପତି ହୋଇଥିଲା ବେଳେ 24 ମାର୍ଚ୍ଚ 2023ରୁ ସାମଲ ଦ୍ୱିତୀୟ ଥର ପାଇଁ ସଭାପତି ହୋଇଥିଲେ । ପୁଣିଥରେ ସେ ମଙ୍ଗ ସମ୍ଭାଳିବା ସହ ସଭାପତି ହିସାବରେ ହ୍ୟାଟ୍ରିକ୍ ମାରିଛନ୍ତି ।

1980 ରେ ବିଜେପି ପ୍ରତିଷ୍ଠା ହେବା ପରଠାରୁ ଓଡ଼ିଶାରେ 9 ଜଣ ରାଜ୍ୟ ସଭାପତି ହୋଇଛନ୍ତି। ତେବେ 45 ବର୍ଷର ଇତିହାସରେ ସର୍ବାଧିକ ବର୍ଷ 1980ରୁ 1988 ଯାଏଁ ବିଶ୍ୱଭୁଷଣ ହରିଚନ୍ଦନ 8 ବର୍ଷ ସଭାପତି ହୋଇଥିଲେ। ତାଙ୍କ ପରେ ଜୁଏଲ ଓରାମ 1997,2004 ଓ 2009ରେ ତିନିଥର ପାଇଁ ସଭାପତି ହୋଇଛନ୍ତି । ତେବେ ଜୁଏଲଙ୍କ ପରି ମନମୋହନ ସାମଲ ମଧ୍ୟ ହ୍ୟାଟ୍ରିକ୍ ମାରିଛନ୍ତି। 1999 ଓ 2023 ପରେ 2025ରେ ବି ହାତେଇଛନ୍ତି ବିଜେପି ସଭାପତିର ଆସନ ।
BJP ପାଇଁ ଶୁଭଙ୍କର ମନମୋହନ
ତେବେ ମନମୋହନ ସାମଲ ହେଉଛନ୍ତି ଏକମାତ୍ର ସଭାପତି ଯାହାଙ୍କ ସମୟରେ ଓଡ଼ିଶାରେ ବିଜେପି କ୍ଷମତାକୁ ଆସିଛି। 2000 ମସିହାରେ ବିଜେଡି ବିଜେପିର ମେଣ୍ଟ ସରକାର ହୋଇଥିଲା ବେଳେ ରାଜ୍ୟ ବିଜେପି ସଭାପତି ଥିଲେ ମନମୋହନ ସାମଲ। ସେହିଭଳି 2024ରେ ରାଜ୍ୟରେ ବିଜେପି ଏକାକି ସରକାର ଗଠନ କରିଥିଲା ବେଳେ ଓଡ଼ିଶା ବିଜେପିର ସଭାପତି ଥିଲେ ମନମୋହନ ସାମଲ। 2000 ମସିହାରେ ମେଣ୍ଟ କରି ସରକାର କରିବା ଓ 2024ରେ ମେଣ୍ଟ ଆଲୋଚନାକୁ ପ୍ରତ୍ୟାଖାନ କରି ସରକାର କରିବା ପଛର ମୁଖ୍ୟ ବିନ୍ଧାଣି ହେଉଛନ୍ତି ମନମୋହନ ସାମଲ। ତେଣୁ ମନମୋହନ ସାମଲଙ୍କୁ ସୁସଙ୍ଗଠକ ବା ଜଣେ ଭାଗ୍ୟବାନ ବ୍ୟକ୍ତି ହିସାବରେ ବିଚାର କରି କେନ୍ଦ୍ରୀୟ ନେତୃତ୍ୱ ତାଙ୍କୁ ତୃତୀୟଥର ପାଇଁ ରାଜ୍ୟ ବିଜେପି ସଭାପତି କରିଛନ୍ତି ।

କେନ୍ଦ୍ରୀୟ ନେତୃତ୍ୱଙ୍କ ପସନ୍ଦ ମନମୋହନ ସାମଲ
2024 ନିର୍ବାଚନରେ ଚାନ୍ଦବାଲି ଆସନରୁ ବିଜୟୀ ହୋଇଥିଲେ ହୁଏତ ମନମୋହନ ସାମଲ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ଥାଆନ୍ତେ । ଏପରିକି 2000 ମସିହାରେ ଧାମନଗର ଆସନରୁ ମାନସ ମଲିକଙ୍କଠାରୁ ହାରି ନଥିଲେ ବିଜେଡି-ବିଜେପି ମେଣ୍ଟ ସରକାରରେ ଉପମୁଖ୍ୟମନ୍ତ୍ରୀ ହୋଇ ଥାଆନ୍ତେ । କିନ୍ତୁ ନାଁ ଚାନ୍ଦବାଲିରେ ନା ଧାମନଗରରେ ମତଦାତା ମନମୋହନ ସାମଲଙ୍କ ଉପରେ ଆସ୍ଥାପ୍ରକଟ କଲେ? ମାତ୍ର କେନ୍ଦ୍ରୀୟ ନେତୃତ୍ୱଙ୍କ ଆସ୍ଥା ମନମୋହନଙ୍କ ଉପରେ ରହିଥିଲା ଏବଂ ରହିଛି ମଧ୍ୟ…