Category Sports

ନୀରଜ ଚୋପ୍ରାଙ୍କୁ ବଡ଼ ସମ୍ମାନ; ମିଳିଲା Lieutenant Colonel ଗିଫ୍ଟ

ଜାଭେଲିନ୍ ଷ୍ଟାର ନୀରଜ ଚୋପ୍ରାଙ୍କୁ ବଡ଼ ଗିଫ୍ଟ । ପଦ୍ମଶ୍ରୀ ନୀରଜଙ୍କୁ ସେନା ପକ୍ଷରୁ ମିଳିଛି ବଡ଼ ସମ୍ମାନ। ଜାଭେଲିନ୍ ଥ୍ରୋରେ ଦୁଇ ଥର ଅଲିମ୍ପିକ୍ ମେଡାଲିଷ୍ଟ୍ ନୀରଜ ଚୋପ୍ରାଙ୍କୁ ଇଣ୍ଡିଆନ ଆର୍ମୀ ଟେରିଟୋରିଆଲ୍ ଆର୍ମିରେ ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ଅନରାରୀ ରାଙ୍କ୍ ପ୍ରଦାନ କରିଛି । ଏନେଇ ଗେଜେଟ୍ ଅଫ୍ ଇଣ୍ଡିଆରେ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି।

୨୦୧୬ରେ ଭାରତୀୟ ସ୍ଥଳସେନାରେ Junior commissioned officer ଭାବେ ନାଏବ ସୁବେଦାର୍ ରାଙ୍କରେ ଯୋଗ ଦେଇଥିଲେ ନୀରଜ ଚୋପ୍ରା। ୨୦୨୧ରେ ସେ ସୁବେଦାର୍ ଭାବେ ପଦୋନ୍ନତି ପାଇଥିଲେ। ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣପଦକ ଜିତିବା ପରେ, ୨୦୨୨ରେ ପଦ୍ମଶ୍ରୀ ସହ ତାଙ୍କୁ ସେନାରେ ସର୍ବୋଚ୍ଚ ଶାନ୍ତିକାଳୀନ ପୁରସ୍କାର ପରମ ବିଶିଷ୍ଟ ସେବା ମେଡାଲ୍ ମିଳିଥିଲା।୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ଜିତିବା ପରେ ସେ ସୁବେଦାରରୁ ସୁବେଦାର୍ ମେଜର ଭାବେ ପଦୋନ୍ନତି ପାଇଥିଲେ। ଦୋହା ଡାଇମଣ୍ଡ ଲିଗ୍ ଆରମ୍ଭ କରିବା ପୂର୍ବରୁ,ତାଙ୍କୁ ଟେରିଟୋରିଆଲ୍ ଆର୍ମିରେ ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ଅନରାରୀ ରାଙ୍କ୍ ପ୍ରଦାନ କରାଯାଇଛି। ନୀରଜଙ୍କ ପାଇଁ ଏ ସଫଳତାର ନୂଆ ସୋପାନ ଉତ୍ସାହ ଆଣିଦେଇଛି ।

ମେ’୧୬ରୁ IPL

ପୁଣି ଆରମ୍ଭ ହେବାକୁ ଯାଉଛି ବନ୍ଦ ପଡ଼ିଥିବା IPL । ପାକିସ୍ତାନ ସହ ଯୁଦ୍ଧ କାରଣରୁ ମେ ୯ ତାରିଖରୁ IPL ମ୍ୟାଚ୍ ବନ୍ଦ କରାଯାଇଥିଲା । ଦେଶରେ ଯୁଦ୍ଧ ସ୍ଥିତି ଲାଗି ରହିଥିବା ବେଳେ କ୍ରିକେଟ୍ ମ୍ୟାଚ କରିବାକୁ ଠିକ୍ ଭାବିନଥିଲା BCCI । ଆଇପିଏଲ ୨୦୨୫ ର ବାକିଥିବା ମ୍ୟାଚ ଚଳିତ ମାସ ୧୬ ତାରିଖରୁ ଆରମ୍ଭରୁ ହୋଇପାରେ। ଏହାସହ ଚଳିତମାସ ୩୦ ତାରଖରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇପାରେ ବୋଲି BCCI ସୂଚନା ଦେଇଛି।

IPL ୨୦୨୫ରେ ମୋଟ ୭୪ ଟି ମ୍ୟାଚ ଖେଳାଯିବାର ଥିଲା । ମେ୮ ତାରିଖ ପର୍ଯ୍ୟନ୍ତ ୫୮ ଟି ମ୍ୟାଚ୍ ଖେଳାଯାଇଛି। ୧୬ ଟି ମ୍ୟାଚ୍ ବାକି ରହିଛି। ୧୨ଟି ଲିଗ୍ ଓ ୪ ଟି ପ୍ଲେ ଅଫ୍ ମ୍ୟାଚ୍ ବାକି ରହିଛି। ଚେନ୍ନାଇ, ମୁମ୍ବାଇ, କୋଲକାତା ଓ ରାଜସ୍ଥାନର ଦୁଇଟି ଲେଖାଏଁ ଲିଗ୍ ମ୍ୟାଚ୍ ବାକି ରହିଛି। ବାକି ଟିମର ୩ ଟି ଲେଖାଏଁ ଲିଗ୍ ମ୍ୟାଚ ବାକି ରହିଛି। ଧର୍ମଶାଳାରେ ଦିଲ୍ଲୀ ଓ ପଞ୍ଜାବ ମ୍ୟାଚ୍‌ ଅଧାରୁ ବନ୍ଦ କରାଯିବା ସହିତ ଆଇପିଏଲକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବାତିଲ କରିଦିଆଯାଇଛି। IPL ଇତିହାସରେ ପ୍ରଥମ ଥର ପାଇଁ ଏମିତି ସ୍ଥିତି ଦେଖିବାକୁ ମିଳିଛି । ଭାରତ ଏବଂ ପାକିସ୍ତାନ ଉଭୟ ଅସ୍ତ୍ରବିରତି ପାଇଁ ରାଜି ହେବା ପରେ ଅଧାରୁ ବନ୍ଦ ହୋଇଥିବା ଟୁର୍ଣ୍ଣାମେଣ୍ଟ ପୁଣି ଥରେ ଖେଳାଯିବା ନେଇ ଚର୍ଚ୍ଚା ଜୋର ଧରିଛି ।

ରୋହିତଙ୍କ ପରେ ବିରାଟ, କ’ଣ ହେବ ଟେଷ୍ଟ ଟିମର ଭବିଷ୍ୟତ

ରୋହିତ ଶର୍ମାଙ୍କ ପରେ ଅବସର ଘୋଷଣା କରିଛନ୍ତି ବିରାଟ କୋହଲି। ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏନେଇ କିଙ୍ଗ୍ କୋହଲି ସୂଚନା ଦେଇଛନ୍ତି। ଟେଷ୍ଟ୍ କ୍ରିକେଟରୁ ସେ ସନ୍ନ୍ୟାସ ନେଇଛନ୍ତି। ୩୬ ବର୍ଷୀୟ କୋହଲି ଅଷ୍ଟ୍ରେଲିଆ ଗସ୍ତରେ ବର୍ଡର-ଗାଭାସ୍କର ଟ୍ରଫି ଖେଳୁଥିବାର ନଜର ଆସିଥିଲେ। ଯେଉଁଠି ଭାରତ ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୩ ସ୍କୋରରେ ହାରିଥିଲା। ବିରାଟଙ୍କ ଟେଷ୍ଟ୍ ଡେବ୍ୟୁ ଜୁନ୍ ୨୦୧୧ ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କିଙ୍ଗ୍ସଟନରେ ହୋଇଥିଲା। ବିରାଟଙ୍କ ଟେଷ୍ଟ କ୍ୟାରିୟର ବେଶ୍ ଚମକପ୍ରଦ ମଧ୍ୟ ଥିଲା ।

କୋହଲି ସେତେବେଳେ ପ୍ରଥମ ପାଳିରେ ୪ ଏବଂ ଦ୍ୱିତୀୟ ପାଳିରେ ୧୫ ରନ୍ କରିଥିଲ । ଅନ୍ୟପକ୍ଷରେ କିଙ୍ଗ୍ କୋହଲିଙ୍କ ଅନ୍ତିମ ଟେଷ୍ଟ୍ ଅଷ୍ଟ୍ରେଲିଆ ବିପକ୍ଷରେ ସିଡନୀରେ ଖେଳାଯାଇଥିଲା। ଯାହା ୨୦୨୫ ଜାନୁଆରୀ ମାସରେ ଖେଳାଯାଇଥିଲା। ଏହି ଅନ୍ତିମ ମ୍ୟାଚରେ କୋହଲି ପ୍ରଥମ ପାଳିରେ ୧୭ ଏବଂ ଦ୍ୱିତୀୟ ପାଳିରେ ୬ ରନ୍ କରିଥିଲେ। ତେବେ ବର୍ତ୍ତମାନ ୧୪ ବର୍ଷର ଟେଷ୍ଟ କ୍ୟାରିୟରକୁ ବାଏ ବାଏ କହିଛନ୍ତି କିଙ୍ଗ୍ କୋହଲି। ଟେଷ୍ଟରେ ୧୨୩ ମ୍ୟାଚ୍ ଖେଳି ୯,୨୩୦ ରନ୍ କରିଛନ୍ତି ବିରାଟ। ରୋହିତଙ୍କ ପରେ ବିରାଟଙ୍କ ଅବସର ଇଣ୍ଡିଆର ଟେଷ୍ଟ ଟିମକୁ ପ୍ରଭାବିତ କରିବା ଆଶଙ୍କା କରାଯାଉଛି।

ରୋହିତଙ୍କ ପରେ କିଏ ?

ଭାରତୀୟ ଟେଷ୍ଟ କ୍ରିକେଟ ଟିମରୁ କ୍ୟାପ୍ଟେନସିପ ଛାଡ଼ିଛନ୍ତି ରୋହିତ ଶର୍ମା। ଅଧିନାୟକ ପଦବୀରୁ ରୋହିତ ଶର୍ମାଙ୍କ ଅବସର ଘୋଷଣା ପରେ ଏହି ସ୍ଥାନ କିଏ ପୂରଣ  କରିବ ତାକୁ ନେଇ ଚର୍ଚ୍ଚା। କାହା ମୁଣ୍ଡରେ ହାତୀ ସୁନାକଳସ ଢାଳିବ ତାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି। ରୋହିତଙ୍କ ସ୍ଥାନ ପୂରଣ କରିବା ନେଇ ଅନେକ କ୍ରିକେଟର ଆଶାୟୀ। ରୋହିତଙ୍କ ପରେ ଯଶପ୍ରୀତ ବୁମରା କ୍ୟାପ୍ଟେନ୍ ହେବା ନେଇ ଆଲୋଚନା ହେଉଥିଲା। ତେବେ ସେ ଆହତ ହେଇଥିବା କାରଣରୁ ତାଙ୍କର ଚାନ୍ସ କମ୍ ବୋଲି ଆକଳନ କରାଯାଉଛି ।
 ଆଉ ଏମିତିରେ ବି ବୋଲର ମାନଙ୍କୁ କ୍ୟାପ୍ଟେନ୍ କରିବାର ପରମ୍ପରା ଭାରତରେ ନାହିଁ। ଅନ୍ୟ ପକ୍ଷରେ ଯୁବ ଖେଳାଳିଙ୍କୁ କ୍ୟାପ୍ଟେନ୍ କରିବା ଉପରେ BCCI ଗୁରୁତ୍ ଦେଉଛି। ପ୍ରତିଭାବାନ ବ୍ୟାଟର ଶୁବମନ ଗିଲ୍‌ କିମ୍ବା ରିଷଭ ପନ୍ତଙ୍କ ମଧ୍ୟରୁ ଜଣଙ୍କୁ ଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ବିଦେଶ ମାଟିରେ ଭଲ ପ୍ରଦର୍ଶନ କରିପାରୁଥିବା ବିସ୍ଫୋରକ କିପର-ବ୍ୟାଟର ରିଷଭ ପନ୍ତଙ୍କୁ ଉପ-ଅଧିନାୟକ ଦାୟିତ୍ୱ ମିଳିପାରେ। ୪୨ରୁ ଅଧିକ ଆଭରେଜ୍‌ ରଖିଥିବା ପନ୍ତ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକାରେ ଶତକ ହାସଲ କରିପାରିଛନ୍ତି। ତାଙ୍କର ୭ଟି ସ୍କୋର ୯୦ରୁ ୯୯ ମଧ୍ୟରେ ରହିଛି। ଏଥିଯୋଗୁ ପନ୍ତଙ୍କୁ ଏହି ଫର୍ମାଟରେ ଅନ୍ୟତମ ଶ୍ରେଷ୍ଠ ବ୍ୟାଟର ବିବେଚନା କରାଯାଉଛି।

ବିରାଟ କୋହଲି ନିକଟ ଭବିଷ୍ୟତରେ ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ଇଚ୍ଛା ପ୍ରକାଶ କରିଥିବାରୁ ସିଲେକ୍ସନ୍ କମିଟି ତାଙ୍କୁ ଇଂଲଣ୍ଡ ଟୁର୍‌ ପାଇଁ କ୍ୟାପ୍ଟେନ୍ କରି ନ ପାରେ। ତେବେ ଏ ସମସ୍ୟା ଭିତରେ ଯାହାଙ୍କ ନାଁ କୁ ନେଇ ସବୁଠୁ ବେଶି ଚର୍ଚ୍ଚା ହେଉଛି ସେ ହେଉଛନ୍ତି ଶୁଭମନ୍ ଗିଲ୍। ରୋହିତଙ୍କ ପରେ ଶୁଭମନ୍ ଗିଲ୍ ହିଁ ଉପଯୁକ୍ତ କ୍ରିକେଟର ବୋଲି ତାଙ୍କ ଉପରେ ବେଶୀ ଆସ୍ଥା ରଖାଯାଉଥିବା କୁହାଯାଉଛି । ରୋହିତଙ୍କ ଟେଷ୍ଟ କ୍ୟାରିୟରରେ ୧୨ ଶତକ ଏବଂ ୧୮ ଅର୍ଦ୍ଧଶତକ ସାମିଲ ରହିଛି । ସେ ୬୭ ଟେଷ୍ଟରେ ୪୦.୫୭ ହାରରେ ୪୩୦୧ ରନ କରିଛନ୍ତି ।
                  ଅନ୍ୟ ପକ୍ଷରେ ଶୁବମନ ଗିଲ ଟେଷ୍ଟରେ ୧୮୯୩ ରନ କରିଛନ୍ତି। ୩୨ଟି ଟେଷ୍ଟ ଖେଳି ୫ ଶତକ ଓ ୭ ଅର୍ଦ୍ଧଶତକ ସହିତ ୩୫ ଆଭରେଜରେ ରନ ସ୍କୋର କରିଛନ୍ତି। ଭାରତୀୟ କ୍ରିକେଟର ପ୍ରିନ୍ସ ଭାବେ ପ୍ରସିଦ୍ଧି ହାସଲ କରିଥିବା ଗିଲ ବର୍ତ୍ତମାନ IPL ଫ୍ରାଞ୍ଚାଇଜ ଗୁଜରାଟ ଟାଇଟନ୍ସର କ୍ୟାପ୍ଟେନସିପ କରୁଛନ୍ତି। ଗିଲଙ୍କୁ ଭାରତୀୟ କ୍ରିକେଟର ଭବିଷ୍ୟତ ଭାବେ ବିବେଚନା କରାଯାଉଥିବା ବେଳେ ତାଙ୍କୁ କ୍ୟାପ୍ଟେନ ଦାୟିତ୍ୱ ମିଳିବାର ସମ୍ଭାବନାକୁ ଆଡ଼େଇ ଦିଆ ଯାଇ ନପାରେ ।

ଯୁଦ୍ଧ ପାଇଁ IPL ସ୍ଥଗିତ

ଭାରତ ଓ ପାକିସ୍ତାନ ମଧ୍ୟରେ ଘମାଘୋଟ ଲଢେଇକୁ ନେଇ ଅନେକ କିଛି ପରିବର୍ତ୍ତନ ଘଟୁଛି। ଭାରତର ଅତର୍କିତ ଆକ୍ରମଣରେ ଛାନିଆ ପାକିସ୍ତାନ। ଯଦିଓ ଭାରତର ସାମର୍ଥ୍ୟ ଆଗରେ ପାକିସ୍ତାନର ସତ୍ତା ନାହିଁ, ତଥାପି ପାଲଟା ଆକ୍ରମଣର ସମ୍ଭାବନାକୁ ବି ଏଡ଼ାଇ ଦିଆଯାଇ ନପାରେ। ଏ ସବୁ ପରିସ୍ଥିତିକୁ ଅନୁଧ୍ୟାନ କରି  IPL ସିଜିନ 18 ବନ୍ଦ ହୋଇଛି। ଭାରତ-ପାକିସ୍ତାନ ଯୁଦ୍ଧ ଯୋଗୁଁ ଏଭଳି ବଡ ନିଷ୍ପତ୍ତି ନିଆଯାଇଛି। ଶୁକ୍ରବାର IPL ୨୦୨୫ ଉପରେ BCCI ଚୂଡ଼ାନ୍ତ ନିଷ୍ପତ୍ତି ନେଇଛି । ବାହାର ଦେଶର ପ୍ଲେୟର ନିଜ ଦେଶକୁ  ଫେରିବାକୁ ଚାହୁଁଛନ୍ତି। BCCI ବିଦେଶୀ ଖେଳାଳିମାନଙ୍କୁ ଘରକୁ ପଠାଇବା କ୍ଷେତ୍ରରେ ପ୍ରାଥମିକତା ଦେଇଛି ।

ଭାରତ-ପାକିସ୍ତାନ ଉତ୍ତେଜନା ଯୋଗୁଁ ବୁଧବାର ପଞ୍ଜାବ ଏବଂ ଦିଲ୍ଲୀ ମ୍ୟାଚକୁ ମଝିରେ ବାତିଲ କରାଯାଇଥିଲା। ଏହା ସହିତ ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମକୁ ଖାଲି କରାଯାଇଥିଲା। ଖେଳାଳିମାନଙ୍କୁ ଧର୍ମଶାଳାରୁ ଦିଲ୍ଲୀ ଆଣିବା ପାଇଁ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଲାଯାଇଛି। ଖେଳାଳି ଏବଂ ସହାୟକ କର୍ମଚାରୀଙ୍କୁ ପ୍ରାଥମିକତା ଭିତ୍ତିରେ ଆଣିବା ପାଇଁ BCCI ବନ୍ଦେ ଭାରତ ଟ୍ରେନର ବ୍ୟବସ୍ଥା କରିଛି।
BCCI ସଚିବ ଦେବଜିତ ସାଇକିଆ କହିଛନ୍ତି, ‘‘ବର୍ତ୍ତମାନ ପରିସ୍ଥିତି ଭଲ ନାହିଁ, ସେଥିପାଇଁ ଆମେ ମେ ୮ତାରିଖର ମ୍ୟାଚ୍ ବାତିଲ କରିଛୁ । ପଡ଼ୋଶୀ ଦେଶ ପରିସ୍ଥିତିକୁ ଆହୁରି ଖରାପ କରିବାକୁ ଚେଷ୍ଟା କରୁଛି । ଖେଳାଳି, ଦର୍ଶକ ଏବଂ ସହାୟକ କର୍ମଚାରୀଙ୍କ ସୁରକ୍ଷା ଆମର ପ୍ରାଥମିକତା । ଆମେ ଜାତିର ସର୍ବୋତ୍ତମ ସ୍ୱାର୍ଥ ପାଇଁ  ନିଷ୍ପତ୍ତି ନେଇଛୁ।’’