Category News

ବାଂଲାଦେଶୀଙ୍କୁ ତଡ଼ିବା ମୁଡରେ ନାହିଁ ମୋହନ ସରକାର

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମାନଙ୍କୁ ବାଂଲାଦେଶ ଓ ମିଆଁମାରରୁ ଆସିଥିବା ସନ୍ଦିଗ୍ଧଙ୍କ ଭାରତୀୟ ନାଗରିକତା ଦାବିକୁ ଯାଞ୍ଚ କରିବା ପାଇଁ ୩୦ ଦିନର ଅବଧି ନିର୍ଦ୍ଧାରଣ କରିଥିଲେ ୩୦ ଦିନ ପରେ, ଯଦି ସେମାନଙ୍କ ଦସ୍ତାବିଜ ଯାଞ୍ଚ ହୋଇପାରେ ନାହିଁ, ତେବେ ସେମାନଙ୍କୁ ଦେଶାନ୍ତର କରାଯିବ, ଏହା ଜଣାପଡ଼ିଛି।
ମେ ୧୯ତାରିଖର ନିର୍ଦ୍ଦେଶନାମାରେ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଓ ଦେଶାନ୍ତର କରିବା ପାଇଁ ସେମାନଙ୍କର ବୈଧାନିକ କ୍ଷମତା ପ୍ରୟୋଗ କରିବାକୁ କହିଥିଲାଏହାସହ ଦେଶାନ୍ତର ପୂର୍ବରୁ ବ୍ୟକ୍ତିମାନଙ୍କୁ ରଖିବା ପାଇଁ ଜିଲ୍ଲା ସ୍ତରରେ ପର୍ଯ୍ୟାପ୍ତ ଅଟକ କେନ୍ଦ୍ର ବା Detention Centre ସ୍ଥାପନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ବିଭିନ୍ନ ରାଜ୍ୟରେ ବେଆଇନ ଅନୁପ୍ରବେଶକାରୀଙ୍କ ପାଇଁ Detention Centre ଖୋଲାଯାଇଛି। କିନ୍ତୁ ଓଡ଼ିଶାରେ ଖୋଲାଗଲାଣି କି ? ଦିଲ୍ଲୀ, ମହାରାଷ୍ଟ୍ର, ରାଜସ୍ଥାନ, ହରିୟାଣା ଏବଂ ଗୁଜରାଟରେ ବାଂଲାଦେଶୀ ହଟାଓ ଅଭିଯାନ ଜୋର୍‍ ଧରିଥିବାବେଳେ ଓଡ଼ିଶା ଏତେ ନିଷ୍କ୍ରିୟତା ଦେଖାଇଛି କାହିଁକି? କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ୩୦ ଦିନିଆ କଣ୍ଟ ପୂରଣ କରିପାରିବେ କି ମୋହନ ମାଝୀଙ୍କ ସରକାର? ଡବଲ ଇଞ୍ଜିନ ସରକାର ହୋଇ ମଧ୍ୟ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ପାଳନ କରିବା ବାବଦରେ କୌଣସି ଠୋସ୍‍ ପଦକ୍ଷେପ ନେଇନାହାଁନ୍ତି ଓଡ଼ିଶାର ବିଜେପି ସରକାର।

ଇତି ମଧ୍ୟରେ ଶାହଙ୍କ ନିର୍ଦ୍ଦେଶକୁ ସପ୍ତାହ ବିତିଲାଣି । ଆଉ ଏବେ ମୁଖ୍ୟମନ୍ତ୍ରୀ ମାତିଲେଣି ସରକାରଙ୍କ ବର୍ଷ ପୂର୍ତ୍ତିର ଉତ୍ସବରେ ଏଣୁ ବାଂଲାଦେଶୀ ଓ ରୋହିଙ୍ଗିଆଙ୍କ କଥା କାହିଁକି ଚିନ୍ତା କରିବ ଭାଜପା ସରକାର? ବର୍ଷପୂର୍ତ୍ତି ଉତ୍ସବ ସରୁସରୁ ଆସିଯିବ ରଥଯାତ୍ରାରଥ ପରେ ବର୍ଷା। ବର୍ଷା ପରେ ବନ୍ୟା । ତେଣୁ ବାଂଲାଦେଶୀଙ୍କ କଥା ଭୁଲିଗଲେ ବି ଚଳିବ।ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତି ଭିତରେ ୧୨ ଜଣ ଚିହ୍ନଟ ପାକ୍‍ ନାଗରିକଙ୍କୁ ଦେଶାନ୍ତର ଲାଗି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେକିନ୍ତୁ ମାତ୍ର ଜଣେ ପାକିସ୍ତାନକୁ ଗଲେ । ବାକି ୧୧ ଜଣଙ୍କ ପାଇଁ କେନ୍ଦ୍ର ଠାରୁ ନିର୍ଦ୍ଦେଶ ମଗାଯାଇଛି ବୋଲି ଉଚ୍ଚ ପୋଲିସ କର୍ତ୍ତୃପକ୍ଷ କହିଥିଲେ । କିନ୍ତୁ ଶେଷ ପର୍ଯ୍ୟନ୍ତ କେନ୍ଦ୍ର କ’ଣ କହିଲା ଏବଂ କାହିଁକି ୧୧ ପାକ୍‍ ନାଗରିକଙ୍କୁ ବହିଷ୍କାର କରାଯାଇ ପାରିଲା ନାହିଁ
ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ମାରାତ୍ମକ ଭାବେ ଅଧିକ । କିନ୍ତୁ ୮ବର୍ଷ ପୂର୍ବେ ଯେଉଁ ସାଢ଼େ ୩ ହଜାରରୁ କିଛି ଅଧିକ ବାଂଲାଦେଶୀ କେନ୍ଦ୍ରାପଡ଼ା ଓ ଅନ୍ୟ କେତେକ ଉପକୂଳ ଜିଲାରୁ ଚିହ୍ନଟ ହୋଇଥିଲେ, ସେମାନଙ୍କ ଛଡ଼ା ଆଉ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ବି ହୋଇନାହିଁ । ଏକ ଅଟକଳ ଅନୁସାରେ ଓଡ଼ିଶାରେ ଲକ୍ଷାଧିକ ବାଂଲାଦେଶୀ ନାଗରିକ ବେଆଇନ ଭାବେ ରହୁଛନ୍ତି । ଭାରତରେ ଏମାନଙ୍କ ସଂଖ୍ୟା ୨କୋଟିରୁ ଅଧିକ । ତା’ଛଡ଼ା ରୋହିଙ୍ଗିଆ ମୁସଲମାନ ବି ଅଛନ୍ତି । ରୋହିଙ୍ଗିଆ ମାନଙ୍କୁ ତଡ଼ିବା ବେଳେ ଏହା ବିରୋଧରେ ସେମାନେ ସୁପ୍ରିମକୋର୍ଟକୁ ଯାଇଥିଲେ । ସୁପ୍ରିମକୋର୍ଟ ମେ ୮ ତାରିଖରେ ସ୍ପଷ୍ଟ କରିଦେଲେ ଯେ ଭାରତରେ ରହିବାର ଅଧିକାର ଭାରତୀୟ ନାଗରିକଙ୍କର ଅଛି। ରୋହିଙ୍ଗିଆଙ୍କର ନାହିଁ । ଭାରତ ଏକ ଧର୍ମଶାଳା ନୁହେଁ । ସୁପ୍ରିମକୋର୍ଟଙ୍କ ଏହି ଟିପ୍ପଣୀ ପରେ କେନ୍ଦ୍ର ସ୍ୱରାଷ୍ଟ୍ର ବିଭାଗ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇ ବେଆଇନ ବାଂଲାଦେଶୀ ଓ ରୋହିଙ୍ଗିଆଙ୍କୁ ତଡ଼ିବା ନିମନ୍ତେ କହିଥିଲେ ।ଗତ ୬ ମାସରେ ଦିଲ୍ଲୀରୁ କେବଳ ୭୭୦ ଜଣ ବାଂଲାଦେଶୀଙ୍କୁ ଠାବ କରି ପଠାଇ ଦିଆଯାଇଛି । ସୀମା ସୁରକ୍ଷା ବାହିନୀ ପଶ୍ଚିମବଙ୍ଗରେ ଅନୁପ୍ରବେଶକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଏସ୍‍ଏଫ୍‍କୁ ସମାଲୋଚନା କରିବା ଆରମ୍ଭ କରିଦେଇଛନ୍ତି । ପଶ୍ଚିମବଙ୍ଗ ପରି ଓଡ଼ିଶାରେ ମଧ୍ୟ ବାଂଲାଦେଶୀ ପ୍ରେମୀ ନେତାଙ୍କ ସଂଖ୍ୟା କିଛି କମ ନୁହେଁ । ରାସନ କାର୍ଡ଼ ଓ ଭୋଟର ପରିଚୟ ପତ୍ରଧାରୀ ବାଂଲାଦେଶୀମାନେ ଆମ ଭାଇ ବୋଲି କହି ଭୁବନେଶ୍ୱର ମେୟର ସୁଲୋଚନା ଦାସ ବଡ଼ ହଟହଟା ହୋଇଛନ୍ତି ।

ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସ୍ୱୀକାର କରିସାରିଛନ୍ତି ଯେ ବସ୍ତି ଗୁଡ଼ିକରେ ବାଂଲାଦେଶୀ ଆଡ୍ଡା ଜମାଇ ବସିଛନ୍ତି।ସେମାନେ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଅଛନ୍ତି । ଫେରିବାଲା, କବାଡ଼ିବାଲାଙ୍କ ଭିତରେ ବାଂଲାଦେଶୀଙ୍କ ସଂଖ୍ୟା ଅଧିକ ବିଭିନ୍ନ ବିଲ୍ଡର୍ସଙ୍କ ପାଖରେ କାମ କରୁଥିବା ଲୋକଙ୍କ ଭିତରେ ସେମାନଙ୍କ ସଂଖ୍ୟା କିଛି କମ ନୁହେଁ । ସେମାନେ ବଙ୍ଗଳା କହୁଥିବାରୁ ଅନେକଙ୍କର ଧାରଣା ଯେ ସେମାନେ ପଶ୍ଚିମବଙ୍ଗର ଲୋକ । ସେମାନେ ମଧ୍ୟ ମୁର୍ସିଦାବାଦ କିମ୍ବା ମେଦିନିପୁରର ଲୋକ କହି ଚକମା ଦେଖାଉଛନ୍ତି  ।
ଫିଙ୍ଗର ପ୍ରିଣ୍ଟ ଏବଂ ଫେସିଆଲ୍‍ ରେକଗ୍‍ନିସନ ସିଷ୍ଟମ ଅନୁସାରେ ବାଂଲାଦେଶର ନାଗରିକଙ୍କୁ ଚିହ୍ନଟ କରିବା ପାଇଁ ଯେଉଁ ବ୍ୟବସ୍ଥା ଦିଲ୍ଲୀ, ଗୁଜରାଟ ଏବଂ ମହାରାଷ୍ଟ୍ରରେ ଗ୍ରହଣ କରାଯାଉଛି, ତାହା ମଧ୍ୟ ଓଡ଼ିଶାରେ ଲାଗୁ ହେବା ଜରୁରୀ । ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଗୁଇନ୍ଦା ସୂତ୍ର, ସ୍ଥାନୀୟ ଲୋକ, ନଥିପତ୍ର ଯାଞ୍ଚ ଏବଂ ବାୟୋମେଟ୍ରିକ୍‍ ଚିହ୍ନଟ ପ୍ରକ୍ରିୟାରେ ଧରିହେବ ।

ସରିଲା ଟ୍ରମ୍ପ-ଏଲନ୍ ମସ୍କ ଯୋଡ଼ି

ଏଲନ୍ ମସ୍କ ଓ ଟ୍ରମ୍ପଙ୍କ ଯୋଡ଼ିରେ ଫାଟ। ଭାଙ୍ଗିଲା ଟ୍ରମ୍ପ-ଏଲନ୍ ମସ୍କଙ୍କ ଯୋଡ଼ି । ଟ୍ରମ୍ପଙ୍କ ସର୍ବୋଚ୍ଚ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି ଏଲନ ମସ୍କ। ଏନେଇ x ରେ ଏଲନ୍ ମସ୍କ ସୂଚନା ଦେଇଛନ୍ତି । ଏଲନ୍ ଲେଖିଛନ୍ତି, ଟ୍ରମ୍ପ ପ୍ରଶାସନ ସହିତ ମୋର ସମୟ ଶେଷ ହେଲା। DOGE ବା Department of Government Efficiencyର ମୁଖ୍ୟ ପଦ ସମ୍ଭାଳିଥିଲେ ଏଲନ୍ ମସ୍କ । ଟ୍ରମ୍ପଙ୍କ ବଜେଟ୍ ବିଲକୁ ସମାଲୋଚନା କରିଥିଲେ ଏଲନ୍ ମସ୍କ । ବଜେଟ୍ ବିଲକୁ ସମାଲୋଚନା କରିବା ପରେ ସେ ଟ୍ରମ୍ପଙ୍କ ପ୍ରଶାସନରୁ ଇସ୍ତଫା ଦେଇଛନ୍ତି ।

ଟ୍ରମ୍ପ ଦ୍ୱିତୀୟଥର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଏଲନ ମସ୍କଙ୍କୁ DOGE ର ମୁଖ୍ୟ ଭାବେ ନିଯୁକ୍ତ କରିଥିଲେ। ଏହି ବିଭାଗର କାର୍ଯ୍ୟ ଥିଲା ସରକାରୀ ଖର୍ଚ୍ଚ ଅର୍ଥ କମ କରିବା ଏବଂ ଅଯଥା ନିଯୁକ୍ତିକୁ କମାଇବା। ମସ୍କ ଏହି ବିଭାଗର ଦାୟିତ୍ୱ ନେବା ପରେ ଅନେକ ବିଭାଗରୁ ଛଟେଇ କରାଯାଇଥିବା ବେଳେ ସରକାରୀ ଖର୍ଚ୍ଚ କାଟ କରାଯାଇଥିଲା।ଏବେ ଉକ୍ତ ପଦବିକୁ ବାଏ ବାଏ କରିଛନ୍ତି ମସ୍କ। କୁହାଯାଉଛି, ଟ୍ରମ୍ପଙ୍କର ମନଇଚ୍ଛା ନିଷ୍ପତ୍ତି ଏହା ପଛର ବଡ଼ କାରଣ। ଗତ କିଛି ଦିନ ହେବ ଟ୍ରମ୍ପ ଯେଉଁ ନିଷ୍ପତ୍ତି ନେଉଛନ୍ତି ତାହା ବେଶ ବିବାଦୀୟ ହେଉଛି। ଆଉ ଏହି କାରଣରୁ ମସ୍କ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି ।

ସରକାରୀ କ୍ୟାଲେଣ୍ଡର ପ୍ରସ୍ତୁତକର୍ତ୍ତା କେତେ ଭୁଲ କରିବେ?

ସରକାରୀ କ୍ୟାଲେଣ୍ଡରରେ ଛୁଟିକୁ ନେଇ ବାରମ୍ବାର ନିଷ୍ପତ୍ତି ବଦଳାଯାଉଛି। ଏମିତି ଲାଗୁଛି ଯେମିତି କ୍ୟାଲେଣ୍ଡର ପ୍ରସ୍ତୁତକର୍ତ୍ତା ଆଦୌ ପ୍ରସ୍ତୁତ ନ ହୋଇ କ୍ୟାଲେଣ୍ଡର ପ୍ରକାଶ କରିଦେଇଛନ୍ତି। ‘ସାବିତ୍ରୀ ବ୍ରତ’ ଛୁଟି ତାରିଖକୁ ନେଇ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ମେ ୨୭ ତାରିଖରେ ସାବିତ୍ରୀ ଅମାବାସ୍ୟା ଛୁଟି ଥିଲାବେଳେ ଏବେ କିନ୍ତୁ ତାରିଖରେ ପରିବର୍ତ୍ତନ ହୋଇଛି। ଛୁଟି ତାରିଖର ଠିକ୍ ୪ ଦିନ ପୂର୍ବରୁ ସରକାର ନିଷ୍ପତ୍ତି ବଦଳାଇଛନ୍ତି। ମେ ୨୭ ପରିବର୍ତ୍ତେ ୨୬ ତାରିଖରେ ସାବିତ୍ରୀ ଅମାବାସ୍ୟା ପାଇଁ ସମସ୍ତ ସରକାରୀ ଅଫିସ ଛୁଟି ହେବ। ପୂର୍ବରୁ ଘୋଷଣା ହୋଇଥିବା ଛୁଟି ତାରିଖରେ ଅଫିସ୍ ଯିବେ ସରକାରୀ କର୍ମଚାରୀ। ତେବେ ଶ୍ରୀମନ୍ଦିର ଦ୍ୱାରା ସ୍ୱୀକୃତିପ୍ରାପ୍ତ ପଞ୍ଜିକା ଅନୁଯାୟୀ ଚଳିତ ମାସ ୨୬ ତାରିଖରେ ‘ସାବିତ୍ରୀ ବ୍ରତ’ ପାଳନ ହେବ। କିନ୍ତୁ ଓଡ଼ିଶା ସରକାରଙ୍କ କ୍ୟାଲେଣ୍ଡରରେ ମେ ୨୭ ତାରିଖରେ ‘ସାବିତ୍ରୀ ବ୍ରତ’ ଲେଖାଯାଇ ସରକାରୀ ଛୁଟି ଘୋଷଣା ହୋଇଥିଲା ସାବିତ୍ରୀ ଅମାବାସ୍ୟାର ଗୋଟାଏ ଦିନ ପରେ ଥିଲା ସାବିତ୍ରୀ ଛୁଟି। ସରକାରୀ କ୍ୟାଲେଣ୍ଡରରେ ତ୍ରୁଟି ଯୋଗୁଁ ବାଧ୍ୟ ହୋଇ ଛୁଟି ତାରିଖ ବଦଳାଇଛନ୍ତି ସରକାର। ତେବେ କଥା ହେଉଛି କ୍ୟାଲେଣ୍ଡର ପ୍ରସ୍ତୁତ କରିଥିବା ଅଧିକାରୀଙ୍କ ଧ୍ୟାନ କୁଆଡ଼େ? କାହିଁକି ବୁଝି ବିଚାରି ସେ କ୍ୟାଲେଣ୍ଡର ପ୍ରକାଶ କରୁନାହାନ୍ତି? ସରକାରୀ କ୍ୟାଲେଣ୍ଡର ପ୍ରିଣ୍ଟ୍ ହେବା ପୂର୍ବରୁ ପ୍ରସ୍ତୁତକର୍ତ୍ତାମାନେ, ଶ୍ରୀମନ୍ଦିର ଦ୍ୱାରା ସ୍ୱୀକୃତିପ୍ରାପ୍ତ ପଞ୍ଜିକାକୁ କାହିଁକି ଅଣଦେଖା କରୁଛନ୍ତି? ଯଦି ସେ ପଞ୍ଜିକାକୁ ଅନୁକରଣ କରି ଥାଆନ୍ତେ ହୁଏତ ଆଜି ଏ ଦିନ ଦେଖିବାକୁ ପଡ଼ି ନଥାଆନ୍ତା।

ବାରମ୍ବାର ବଦଳୁଛି ଛୁଟି ତାରିଖ
ତେବେ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରକାଶିତ ଛୁଟି ତାଲିକାରେ ପରିବର୍ତ୍ତନ ହେବା କିଛି ନୂଆ କଥା ନୁହେଁ। ପୂର୍ବରୁ ପଞ୍ଚାୟତିରାଜ ଦିବସକୁ ନେଇ ମଧ୍ୟ ଛୁଟି ପ୍ରସଙ୍ଗରେ ସରକାର ତାଙ୍କ ନିଷ୍ପତ୍ତି ବଦଳାଇଛନ୍ତି। ଚଳିତ ବର୍ଷ ୫ ମାର୍ଚ୍ଚ ତାରିଖକୁ ପଞ୍ଚାୟତିରାଜ ଦିବସ ଭାବେ ଉଲ୍ଲେଖ କରି ଛୁଟି ଘୋଷଣା ହୋଇଥିଲା।  କିନ୍ତୁ ମାର୍ଚ୍ଚ ୩ ତାରିଖ ଅପରାହ୍ନରେ ୫ ମାର୍ଚ୍ଚକୁ ଛୁଟିଦିନ ନୁହେଁ ବୋଲି ଓଡ଼ିଶା ସରକାର ଘୋଷଣା କଲେ।ମାର୍ଚ୍ଚରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସକୁ ଭାବେ ପାଳନ ନକରିବା ଏବଂ ଛୁଟି ବାତିଲକୁ ନେଇ ବିବାଦ ହୋଇଥିଲା। ଛୁଟି ଘୋଷଣା ହେଇ ସାରିଥିବା ତାରିଖରେ ବି ଅଫିସ୍ ଆସିଥିଲେ ସରକାରୀ କର୍ମଚାରୀ। ଏବେ ପୁଣି ସେହି ଭୁଲର ରିପିଟ ଟେଲିକାଷ୍ଟ ଦେଖିବାକୁ ମିଳିଛି। ମେ ୨୭ ରେ ପ୍ରକାଶିତ ହୋଇଥିବା ସାବିତ୍ରୀ ବ୍ରତଛୁଟି ୨୬ ରେ ମିଳିବ। ଯାହା ଜଣାପଡ଼ୁଛି ଓଡ଼ିଶା ସରକାରଙ୍କ ପ୍ରକାଶିତ ସରକାରୀ କ୍ୟାଲେଣ୍ଡର ଆଦୌ ପଞ୍ଜିକାର ଅନୁଶୀଳନରେ କରାଯାଇ ନାହିଁ। ନହେଲେ ହୁଏତ ଦୁଇ ଦୁଇ ଥର ଛୁଟି ତାରିଖ ବଦଳେଇବାକୁ ପଡ଼ି ନଥାଆନ୍ତା। ଅବଶ୍ୟ ସରକାରଙ୍କ ଏ ନିଷ୍ପତ୍ତିରେ ସରକାରୀ କର୍ମଚାରୀଙ୍କୁ ଲଗାତର ତିନି ଦିନର ଛୁଟି ମିଳିଗଲା। ମେ ୨୪ଚତୁର୍ଥ ଶନିବାର, ୨୫ ରବିବାର ଓ ୨୬ ରେ ସାବିତ୍ରୀ ଛୁଟି ମିଳିଲା ପରେ ଲଗାତର ତିନିଦିନର ଛୁଟି ପାଇ ସିନା ସରକାରୀ କର୍ମଚାରୀ ଖୁସ୍ କିନ୍ତୁ କ୍ୟାଲେଣ୍ଡରରେ ବାରମ୍ବାର ତ୍ରୁଟି ସରକାରଙ୍କ ବିଫଳତାକୁ ସାମ୍ନାକୁ ଆଣୁଛି। ଜନସାଧାରଣ ଓ ବୁଦ୍ଧିଜୀବୀ ମହଲରେ ଏ ପ୍ରଶ୍ନ ଉଠିବା ଆରମ୍ଭ ହୋଇଗଲାଣି ଆଉ କେତେ ଭୁଲ କରିବେ ସରକାରୀ କ୍ୟାଲେଣ୍ଡର ପ୍ରସ୍ତୁତକର୍ତ୍ତା ?

ଏନକାଉଣ୍ଟରରେ ସଫା ମାଓବାଦୀ ସେଣ୍ଟ୍ରାଲ୍ କମିଟି ମୁଖ୍ୟ

ମାଓ ଦମନକୁ ଗୁରୁତ୍ତ୍ୱ ଦେଉଛନ୍ତି ସରକାର। ମାଓବାଦୀଙ୍କ ମୂଳୋତ୍ପାଟନ ପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି। 2026 ସୁଦ୍ଧା ଭାରତ ଆତଙ୍କବାଦ ମୁକ୍ତ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ପହେଲଗାମ ଆକ୍ରମଣର ପାଲଟା ଆକ୍ରମଣ କରି ପାକିସ୍ତାନକୁ ଉଚିତ ଜବାବ ଦେଇଥିବା ଭାରତ ଏବେ ମାଓବାଦୀଙ୍କ ଦମନରେ ମଧ୍ୟ ସଫଳତା ହାସଲ କରିଛି। ବିଭିନ୍ନ ରାଜ୍ୟରୁ, ବିଭିନ୍ନ ଅପରେସନ୍ ମାଧ୍ୟମରେ ମାଓବାଦୀଙ୍କୁ ଦମନ କରିବା କ୍ଷେତ୍ରରେ ଭାରତ ଢେର୍ ସଫଳତା ହାସଲ କରିଛି । ଅପରେସନ୍ ବ୍ଲାକ୍ ଫରେଷ୍ଟ ମାଧ୍ୟମରେ ମାଓ ନିପାତର ମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି।

ଏନକାଉଣ୍ଟରରେ 30 ମାଓବାଦୀ ସଫା
ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ମାଓବାଦୀଙ୍କୁ ଦମନ କରିବା ପାଇଁ ବଡ଼ ଧରଣର ଏନ୍‌କାଉଣ୍ଟର ହୋଇଛି। ମାଓ ମୁକାବିଲା ସହିତ ମାଓବାଦୀଙ୍କ ମୂଳ ନିପାତ ପାଇଁ ହୋଇଛି ବଡ଼ ଧରଣର ଅପରେସନ୍। ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିୟମ ହୋଇଛି । ଏହି ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ବାସବରାଜର  ମୃତ୍ୟୁ ହୋଇଛି । ବାସବରରାଜ ହେଉଛି ମାଓବାଦୀ ସେଣ୍ଟ୍ରାଲ କମିଟିର ମୁଖ୍ୟ  ତା ନିର୍ଦ୍ଦେଶରେ ମାଓବାଦୀ ବିଭିନ୍ନ ହିଂସାମୂଳକ କାର୍ଯ୍ୟରେ ନିୟୋଜିତ ଥିଲେ।  ବାସବରାଜଙ୍କୁ ଧରାଇଦେବାକୁ ଦେଢ କୋଟି ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା। 30 ମାଓବାଦୀଙ୍କ ସହିତ ମାଓବାଦୀ ସେଣ୍ଟ୍ରାଲ କମିଟିର ମୁଖ୍ୟ ବାସବରାଜର ଏନକାଉଣ୍ଟର ମାଓବାଦୀଙ୍କ ମୂଳୋତ୍ପାଟନରେ ଏକ ବଡ଼ ଧରଣର ସଫଳତା ।

ସାବାଡ ହେବେ ସାଇବର ଠକ

ସାବାଡ଼ ହେବେ ସାଇବର ଅପରାଧୀ। ସାଇବର କ୍ରାଇମ୍ ଦିନକୁ ଦିନ ବଢୁଥିଲା ବେଳେ ଏଥିରେ ରୋକ୍ ଲଗେଇବାକୁ ନୂଆ ବ୍ୟବସ୍ଥା ଆଣିଛନ୍ତି କେନ୍ଦ୍ର ସରକାର। ସାଇବର କ୍ରାଇମ୍ ଉପରେ ତ୍ୱରିତ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ e-Zero FIR ଭଳି ନୂଆ ବ୍ୟବସ୍ଥା ପ୍ରଚଳନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ ଆସୁଥିବା Indian Cyber Crime Coordination Centre (I4C) ଯେକୌଣସି ଅପରାଧୀଙ୍କୁ ଦ୍ରୁତଗତିରେ ଧରିବା ପାଇଁ ସକ୍ଷମ ହେବ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କହିବା ଅନୁଯାୟୀ  ଯେଉଁ ଇ-ଜିରୋ FIRର ପ୍ରଚଳନ କରାଯାଇଛି ଏହା ସାଇବର ଠକେଇରେ ରୋକ୍ ଲଗେଇବାରେ ସମର୍ଥ ହେବ।10 ଲକ୍ଷ ଟଙ୍କାରୁ ଅଧିକ ଠକେଇ ମୂଲ୍ୟର ସାଇବର ଆର୍ଥିକ ଅପରାଧ ଅଭିଯୋଗକୁ ସ୍ୱୟଂଚାଳିତ ଭାବରେ FIR ରେ ପରିଣତ କରିଥାଏ। ଯାହା 1930 ହେଲ୍ପଲାଇନ୍ ନମ୍ବର କିମ୍ବା National Cybercrime Reporting Portal (NCRP) ରେ ପଞ୍ଜିକୃତ ହୋଇ ପରବର୍ତ୍ତୀ ପ୍ରକ୍ରିୟାରେ ସହାୟକ ହେବ।

ସାଇବର ଅପରାଧୀଙ୍କ ଉପରେ ତଦନ୍ତକୁ ଦ୍ରୁତ ଗତିରେ କଡ଼ାକଡ଼ି କରିବା ପାଇଁ ଏହି ନୂତନ ବ୍ୟବସ୍ଥାକୁ ସମଗ୍ର ଦେଶରେ ବିସ୍ତାର କରାଯିବ। ମୋଦି ସରକାର ଏକ ‘ସାଇବର-ସୁରକ୍ଷିତ ଭାରତ’ ନିର୍ମାଣ ପାଇଁ ସାଇବର ସୁରକ୍ଷା ଗ୍ରୀଡକୁ ସୁଦୃଢ଼ ​​କରୁଛନ୍ତିଏଥି ସହିତ ଇଲେକ୍ଟ୍ରୋନିକ୍ ଭାବରେ FIR ର ଜାରି କରିବାର ପ୍ରକ୍ରିୟା ଶୀଘ୍ର ସମଗ୍ର ଦେଶରେ ଲାଗୁ କରାଯିବ। ଏହି ପଦକ୍ଷେପ ପୀଡିତଙ୍କ ଦ୍ୱାରା ହରାଇଥିବା ଅର୍ଥର ସହଜ ପୁନରୁଦ୍ଧାର ଏବଂ ସାଇବର ଅପରାଧୀଙ୍କ ବିରୁଦ୍ଧରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନକୁ ସହଜ କରିବ। NCRP ଏବଂ 1930 ହେଲ୍ପଲାଇନ୍ ସାଇବର ଆର୍ଥିକ ଅପରାଧ ସମ୍ବନ୍ଧୀୟ ଅଭିଯୋଗଗୁଡ଼ିକର ସହଜ ରିପୋର୍ଟିଂ ଏବଂ ତ୍ୱରିତ କାର୍ଯ୍ୟାନୁଷ୍ଠାନରେ ସହାୟକ ହେବ।