Category News

ଏନକାଉଣ୍ଟରରେ ସଫା ମାଓବାଦୀ ସେଣ୍ଟ୍ରାଲ୍ କମିଟି ମୁଖ୍ୟ

ମାଓ ଦମନକୁ ଗୁରୁତ୍ତ୍ୱ ଦେଉଛନ୍ତି ସରକାର। ମାଓବାଦୀଙ୍କ ମୂଳୋତ୍ପାଟନ ପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି। 2026 ସୁଦ୍ଧା ଭାରତ ଆତଙ୍କବାଦ ମୁକ୍ତ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ପହେଲଗାମ ଆକ୍ରମଣର ପାଲଟା ଆକ୍ରମଣ କରି ପାକିସ୍ତାନକୁ ଉଚିତ ଜବାବ ଦେଇଥିବା ଭାରତ ଏବେ ମାଓବାଦୀଙ୍କ ଦମନରେ ମଧ୍ୟ ସଫଳତା ହାସଲ କରିଛି। ବିଭିନ୍ନ ରାଜ୍ୟରୁ, ବିଭିନ୍ନ ଅପରେସନ୍ ମାଧ୍ୟମରେ ମାଓବାଦୀଙ୍କୁ ଦମନ କରିବା କ୍ଷେତ୍ରରେ ଭାରତ ଢେର୍ ସଫଳତା ହାସଲ କରିଛି । ଅପରେସନ୍ ବ୍ଲାକ୍ ଫରେଷ୍ଟ ମାଧ୍ୟମରେ ମାଓ ନିପାତର ମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି।

ଏନକାଉଣ୍ଟରରେ 30 ମାଓବାଦୀ ସଫା
ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ମାଓବାଦୀଙ୍କୁ ଦମନ କରିବା ପାଇଁ ବଡ଼ ଧରଣର ଏନ୍‌କାଉଣ୍ଟର ହୋଇଛି। ମାଓ ମୁକାବିଲା ସହିତ ମାଓବାଦୀଙ୍କ ମୂଳ ନିପାତ ପାଇଁ ହୋଇଛି ବଡ଼ ଧରଣର ଅପରେସନ୍। ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିୟମ ହୋଇଛି । ଏହି ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ବାସବରାଜର  ମୃତ୍ୟୁ ହୋଇଛି । ବାସବରରାଜ ହେଉଛି ମାଓବାଦୀ ସେଣ୍ଟ୍ରାଲ କମିଟିର ମୁଖ୍ୟ  ତା ନିର୍ଦ୍ଦେଶରେ ମାଓବାଦୀ ବିଭିନ୍ନ ହିଂସାମୂଳକ କାର୍ଯ୍ୟରେ ନିୟୋଜିତ ଥିଲେ।  ବାସବରାଜଙ୍କୁ ଧରାଇଦେବାକୁ ଦେଢ କୋଟି ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା। 30 ମାଓବାଦୀଙ୍କ ସହିତ ମାଓବାଦୀ ସେଣ୍ଟ୍ରାଲ କମିଟିର ମୁଖ୍ୟ ବାସବରାଜର ଏନକାଉଣ୍ଟର ମାଓବାଦୀଙ୍କ ମୂଳୋତ୍ପାଟନରେ ଏକ ବଡ଼ ଧରଣର ସଫଳତା ।

ସାବାଡ ହେବେ ସାଇବର ଠକ

ସାବାଡ଼ ହେବେ ସାଇବର ଅପରାଧୀ। ସାଇବର କ୍ରାଇମ୍ ଦିନକୁ ଦିନ ବଢୁଥିଲା ବେଳେ ଏଥିରେ ରୋକ୍ ଲଗେଇବାକୁ ନୂଆ ବ୍ୟବସ୍ଥା ଆଣିଛନ୍ତି କେନ୍ଦ୍ର ସରକାର। ସାଇବର କ୍ରାଇମ୍ ଉପରେ ତ୍ୱରିତ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ e-Zero FIR ଭଳି ନୂଆ ବ୍ୟବସ୍ଥା ପ୍ରଚଳନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ ଆସୁଥିବା Indian Cyber Crime Coordination Centre (I4C) ଯେକୌଣସି ଅପରାଧୀଙ୍କୁ ଦ୍ରୁତଗତିରେ ଧରିବା ପାଇଁ ସକ୍ଷମ ହେବ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କହିବା ଅନୁଯାୟୀ  ଯେଉଁ ଇ-ଜିରୋ FIRର ପ୍ରଚଳନ କରାଯାଇଛି ଏହା ସାଇବର ଠକେଇରେ ରୋକ୍ ଲଗେଇବାରେ ସମର୍ଥ ହେବ।10 ଲକ୍ଷ ଟଙ୍କାରୁ ଅଧିକ ଠକେଇ ମୂଲ୍ୟର ସାଇବର ଆର୍ଥିକ ଅପରାଧ ଅଭିଯୋଗକୁ ସ୍ୱୟଂଚାଳିତ ଭାବରେ FIR ରେ ପରିଣତ କରିଥାଏ। ଯାହା 1930 ହେଲ୍ପଲାଇନ୍ ନମ୍ବର କିମ୍ବା National Cybercrime Reporting Portal (NCRP) ରେ ପଞ୍ଜିକୃତ ହୋଇ ପରବର୍ତ୍ତୀ ପ୍ରକ୍ରିୟାରେ ସହାୟକ ହେବ।

ସାଇବର ଅପରାଧୀଙ୍କ ଉପରେ ତଦନ୍ତକୁ ଦ୍ରୁତ ଗତିରେ କଡ଼ାକଡ଼ି କରିବା ପାଇଁ ଏହି ନୂତନ ବ୍ୟବସ୍ଥାକୁ ସମଗ୍ର ଦେଶରେ ବିସ୍ତାର କରାଯିବ। ମୋଦି ସରକାର ଏକ ‘ସାଇବର-ସୁରକ୍ଷିତ ଭାରତ’ ନିର୍ମାଣ ପାଇଁ ସାଇବର ସୁରକ୍ଷା ଗ୍ରୀଡକୁ ସୁଦୃଢ଼ ​​କରୁଛନ୍ତିଏଥି ସହିତ ଇଲେକ୍ଟ୍ରୋନିକ୍ ଭାବରେ FIR ର ଜାରି କରିବାର ପ୍ରକ୍ରିୟା ଶୀଘ୍ର ସମଗ୍ର ଦେଶରେ ଲାଗୁ କରାଯିବ। ଏହି ପଦକ୍ଷେପ ପୀଡିତଙ୍କ ଦ୍ୱାରା ହରାଇଥିବା ଅର୍ଥର ସହଜ ପୁନରୁଦ୍ଧାର ଏବଂ ସାଇବର ଅପରାଧୀଙ୍କ ବିରୁଦ୍ଧରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନକୁ ସହଜ କରିବ। NCRP ଏବଂ 1930 ହେଲ୍ପଲାଇନ୍ ସାଇବର ଆର୍ଥିକ ଅପରାଧ ସମ୍ବନ୍ଧୀୟ ଅଭିଯୋଗଗୁଡ଼ିକର ସହଜ ରିପୋର୍ଟିଂ ଏବଂ ତ୍ୱରିତ କାର୍ଯ୍ୟାନୁଷ୍ଠାନରେ ସହାୟକ ହେବ।

ପଶାପାଲିରେ ପୋଲାଭରମ୍, ମିଟିଂ କରିବେ ପ୍ରଧାନମନ୍ତ୍ରୀ

ପୋଲାଭରମକୁ ନେଇ ଖୁବ୍ ଶୀଘ୍ର ବଡ଼ ଧରଣର ନିଷ୍ପତ୍ତି ଆସିବାକୁ ଯାଉଛି । ପୋଲାଭରମ୍ ବିବାଦ ତୁଟିବା ନେଇ ଗୋଟାଏ ପ୍ରକାରର ଗ୍ରୀନ୍ ସିଗନାଲ ମିଳି ସାରିଛି। ବନ୍ଦ ହୋଇ ପଡ଼ିଥିବା ପୋଲାଭରମ ପ୍ରକଳ୍ପକୁ ନେଇ ମେ ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ମିଟିଂ ହେବାକୁ ଯାଉଛି। ଯେଉଁଥିରେ ଓଡ଼ିଶା, ଛଡ଼ିଶଗଡ଼, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ରାଜ୍ୟର ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ।

କାହା ଫରରେ ଆସିବ ନିଷ୍ପତ୍ତି?
ଛତିଶଗଡ଼, ଓଡ଼ିଶା ତେଲେଙ୍ଗାନା ଓ ଆନ୍ଧ୍ରକୁ ନେଇ ବସିବ ବୈଠକ । ୪ ରାଜ୍ୟର ହାନିଲାଭ ଉପରେ ନିଆଯିବ ନିଷ୍ପତ୍ତି । ଆନ୍ଧ୍ରରେ ଏବେ NDA ସରକାର ରହିଥିଲା ବେଳେ ବାକି ରାଜ୍ୟରେ ଶାସନ କରୁଛି BJP । ଏ ଦୃଷ୍ଟିରୁ ଆପୋଷ ସମାଧାନ ପାଇଁ ସ୍ଥିତି ପୂରା ଅନୁକୂଳ ରହିଛି । ଏ ଦିଗରେ  କେନ୍ଦ୍ର ଏବଂ ୪  ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ପୋଲାଭରମ୍ ବିବାଦ ବାଟ ଫିଟିବ ବୋଲି ଆଶା କରାଯାଉଛି ତେବେ ଯଦିଓ ଏଥିରେ ଆନ୍ଧ୍ରପ୍ରଦେଶ ଲାଭବାନ ହେବ ଓଡ଼ିଶା କିନ୍ତୁ ବଡ଼ ଧରଣର କ୍ଷତି ସହିବ । ପୋଲାଭରମ୍‌ ପ୍ରକଳ୍ପ ଓଡ଼ିଶାର ମାଲକାନଗିରି ଅଞ୍ଚଳ ପାଇଁ ବିପଦ ଆଣିଦେବ । ଆନ୍ଧ୍ରପ୍ରଦେଶର ଗୋଦାବରୀ ନଦୀ ଉପରେ ନିର୍ମିତ ବହୁମୁଖୀ ପ୍ରକଳ୍ପ ନିର୍ମାଣ ପାଇଁ ଆନ୍ଧ୍ର ସରକାର ଉପଯୁକ୍ତ ପରିବେଶଗତ ଅନୁଧ୍ୟାନ, ଜନଶୁଣାଣି କରିନାହାନ୍ତି। ପୋଲାଭରମ୍‌ ଡ୍ୟାମ୍‌ ନିର୍ମାଣ ଓ ଏହାର ଉଚ୍ଚତା ବୃଦ୍ଧି ଯୋଗୁଁ ସୃଷ୍ଟ ଜଳଭଣ୍ଡାରର ପଛୁଆ ପାଣି ଗୋଦାବରୀର ଉପନଦୀ ଶାବେରୀ ଓ ସିଲେରୁ ଦେଇ ୧୫୦ କିମି ପଛଯାଏ ବୁଡ଼ି ଅଞ୍ଚଳ ସୃଷ୍ଟି କରିବାର ଆଶଙ୍କା ରହିଛି । ପୋଲାଭରମ୍‌ ଡ୍ୟାମ୍‌ ନିର୍ମାଣ ଓ ଏହାର ଉଚ୍ଚତା ବୃଦ୍ଧି ତେଲେଙ୍ଗାନା ଛତିଶଗଡ଼ ପାଇଁ ସମସ୍ୟା ବଢ଼ାଇଛି। ଏହି ବିବାଦ ସମାଧାନ ପାଇଁ ମେ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ  ଆଲୋଚନା କରିବେ।
ଓଡ଼ିଶାର ସ୍ୱାର୍ଥରେ କମ୍ପରମାଇଜ୍ ହେବନି
ପୋଲାଭରମକୁ ନେଇ ଓଡ଼ିଶାର ସ୍ୱାର୍ଥରେ କମ୍ପରମାଇଜ୍ ହେବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସବୁ ଦିଗକୁ ବିଚାର କରି ଓଡ଼ିଶାର ସ୍ୱାର୍ଥକୁ ପ୍ରଭାବିତ କଲାଭଳି ନିଷ୍ପତ୍ତି ନିଆଯିବ ନାହିଁ । ତେବେ ବିଜୁ ଜନତା ଦଳର ସରକାରରେ ଏ ପ୍ରକଳ୍ପକୁ ବିରୋଧ କରାଯାଇଥିଲା ବେଳେ ଏବେ ରାଜ୍ୟରେ ଥିବା ବିଜେପି ସରକାରର ଏ ଦିଗରେ କି ଆଭିମୁଖ୍ୟ ଗ୍ରହଣ କରୁଛି ସେସବୁ ଖୁବ୍ ଶୀଘ୍ର ସ୍ପଷ୍ଟ ହେବ ।

ପହଲଗାମ ଆକ୍ରମଣରେ ଲେଡି ୟୁଟୁବର ଲିଙ୍କ୍

ପହଲଗାମ ଆକ୍ରମଣକୁ ନେଇ ଗୋଟାଏ ପରେ ଗୋଟାଏ ତଥ୍ୟ ସାମ୍ନାକୁ ଆସୁଛି । ବିଦେଶି ଶତୃଙ୍କ ପ୍ରତ୍ୟକ୍ଷ ଆକ୍ରମଣ ସହିତ ଲୁଚିଥିବା ଭାରତୀୟ ଦେଶଦ୍ରୋହୀଙ୍କ ମୁଖା ଖୋଲୁଛି । ଦେଶରେ ରହି ଶତୃରାଷ୍ଟ୍ର ସହିତ ଷଡ଼ଯନ୍ତ୍ରରେ ସାମିଲ୍ ଅଛନ୍ତି ଇଣ୍ଡିଆନ୍ ୟୁଟ୍ୟୁବର । ଯେଉଁ ତଥ୍ୟକୁ ନେଇ ତନାଘନା ଆରମ୍ଭ ହୋଇଛି । ପାକିସ୍ତାନ ପାଇଁ ଗୁପ୍ତଚର ସାଜିବା ଅଭିଯୋଗରେ ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଗିରଫ ହୋଇଛନ୍ତି । ଏପ୍ରିଲ ୨୨ରେ ଦକ୍ଷିଣ କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦ ଆକ୍ରମଣ ଦିନ ପାକିସ୍ତାନ ସହ ସେ ଯୋଗାଯୋଗରେ ଥିଲେ ।

ତେବେ କେଉଁ ଉଦ୍ଦେଶ୍ୟରେ ଜ୍ୟୋତି ISI ସହ ସେଦିନ ଯୋଗାଯୋଗରେ ଥିଲେ ଏବଂ କଣ ସବୁ ସେଦିନ କଥାବାର୍ତ୍ତା ହୋଇଥିଲେ ଏବେ ସେସବୁ ଉପରୁ ପରଦା ଉଠାଇବା ପାଇଁ ଜ୍ୟୋତିଙ୍କୁ ୫ ଦିନିଆ ରିମାଣ୍ଡରେ ନିଆଯାଇଛି। ଜ୍ୟୋତି ପ୍ରାୟୋଜିତ ଟ୍ରିପ୍ ରେ ନିୟମିତ ପାକିସ୍ତାନ ଯାଉଥିଲେ, ଥରେ ଚୀନ୍ ବି ଯାଇଛନ୍ତି। ପହଲଗାମ୍ ଆକ୍ରମଣ ପୂର୍ବରୁ ମଧ୍ୟ ସେ ପାକିସ୍ତାନରେ ଥିଲେ। ବ୍ୟାଙ୍କ ଟ୍ରାଞ୍ଜାକ୍ସନ ନେଇ ଡିଟେଲ୍ସର ଯାଞ୍ଚ ଚାଲିଛି। କେଉଁସବୁ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଅଧିକାରୀଙ୍କ ସହ ସେ ଯୋଗାଯୋଗରେ ଥିଲେ, ତାର ବି ଖୋଳତାଡ଼ କରାଯାଉଛି। ଜ୍ୟୋତିକୁ ପାକିସ୍ତାନୀ ଏଜେନ୍ସୀ ଏକ ଆସେଟ୍ ଭଳି ବ୍ୟବହାର କରୁଥିବାର ପ୍ରମାଣ ମିଳିଛି। ଆକ୍ରମଣ ପରେ ସେ ପାକିସ୍ତାନର ପକ୍ଷ ନେଇ ଭିଡ଼ିଓ ଜାରୀ ମଧ୍ୟ କରିଥିଲେ । ତେବେ କେବଳ ଜ୍ୟୋତି ନୁହନ୍ତି ପୁରୀ ଝିଅ ତଥା ଓଡିଆ କଣ୍ଟେଣ୍ଟ କ୍ରିଏଟର ପ୍ରିୟଙ୍କା ସେନାପତି ମଧ୍ୟ ଏବେ ସ୍କାନରରେ । ଜ୍ୟୋତି ମାଲହୋତ୍ରାଙ୍କୁ କିଛି ଗୁପ୍ତ ତଥ୍ୟ ଦେଇଛନ୍ତି କି ନାହିଁ ତାର ଖୋଳତାଡ ଚାଲିଛି। ଜ୍ୟୋତିଙ୍କ ସହିତ ତାଙ୍କର ଫଟୋ ଓ ଭିଡ଼ିଓର ଯାଞ୍ଚ କରିବା ସହ ପାକିସ୍ତାନ କରତାରପୁର ଗସ୍ତ ନେଇ ତଦନ୍ତ ଚାଲିଛି । 

ବେଇମାନ ଟ୍ରମ୍ପ୍, ଭରସା ଯୋଗ୍ୟ ନୁହନ୍ତି

ଭରସା ଯୋଗ୍ୟ ନୁହନ୍ତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପଙ୍କୁ ବିଶ୍ୱାସ କରିବା ଅର୍ଥ ନିଜ ପାଇଁ ବିପଦକୁ ନିମନ୍ତ୍ରଣ କରିବା । ପ୍ରଥମେ ଚୀନକୁ ବର୍ବାଦ କରିବାକୁ ଲଗାଇଲେ ୧୪୫ ପ୍ରତିଶତ ଟାରିଫ୍, ଆଉ ଏବେ ବନ୍ଧୁତାର ହାତ ବଢେଇଛନ୍ତି । ଆମେରିକା ଓ ଚୀନ ଉଭୟ ଉଭୟ ଦେଶ ଉପରେ ଅତିରିକ୍ତ ଟାରିଫ ଲଗାଇବାରୁ ଉଭୟ ଦେଶ ମଧ୍ୟରେ ୬୦୦ ଆରବ ଡଲାର ବ୍ୟବସାୟ ବନ୍ଦ ହୋଇଯାଇଥିଲା । ଏହାଫଳରେ ସପ୍ଲାଏ ଚେନ୍ ପ୍ରଭାବିତ ହେବା ସହ ଅନେକ କମ୍ପାନୀ କର୍ମଚାରୀ ଛଟେଇ ଆରମ୍ଭ କରିଦେଇଥିଲେ । ଏହାକୁ ନେଇ ବିଶ୍ୱ ଅର୍ଥବ୍ୟବସ୍ଥା ଉପରେ ଚାପ ପଡିଥିଲା ।
ଅପ୍ରେଲ ମାସରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେଭଳି ବିଶ୍ୱର ଅନେକ ଦେଶ ଉପରେ ଟାରିଫ୍ ଲଗାଇଲେ ତାହା ସାରା ବିଶ୍ୱକୁ ଚମକାଇଦେଲା । ଚୀନକୁ ବର୍ବାଦ କରିବାକୁ କହି ଟ୍ରମ୍ପ ଚୀନ ଉପରେ ୧୪୫ ପ୍ରତିଶତ ଟାରିଫ୍ ଲଗାଇଥିଲେ । ଲାଗୁଥିଲା ଯେମିତ ଆମେରିକା ଚୀନର ସମସ୍ତ ବ୍ୟବସାୟକୁ ବର୍ବାଦ କରିଦେବ । ଟ୍ରମ୍ପ ତାଙ୍କ ଭାଷଣରେ ଚୀନକୁ ବର୍ବାଦ କରିଦେବା କଥା  ମଧ୍ୟ କହିଥିଲେ।

କିନ୍ତୁ ଅଚାନକ୍ ଟ୍ରମ୍ପଙ୍କ ମନ ବଦଳିଯାଇଛି । ଏବେ ଟାରିଫ୍ ଲଗାଇ ଚୀନକୁ ବର୍ବାଦ କରିବା ପରିବର୍ତ୍ତେ ଚୀନ ସହ ବ୍ୟବସାୟକୁ ବ୍ୟାପକ କରୁଛନ୍ତି ଏହାସହ ଏବେ ୧୪୫ ପ୍ରତିଶତ ଟାରିଫରୁ ୧୧୫ ପ୍ରତିଶତ ଟାରିଫ୍ ପ୍ରତ୍ୟାହାର କରିଛନ୍ତିଅର୍ଥାତ ଏବେ ଚୀନ ଉପରେ ମାତ୍ର ୩୦ ପ୍ରତିଶତ ଟାରିଫ୍ ଲଗାଇବ ଆମେରିକା । ୧୨୫ ପ୍ରତିଶତ ଟାରିଫ୍ ହ୍ରାସ କରି ମାତ୍ର ୧୦ ପ୍ରତିଶତ ଲଗାଇବ ବୋଲି ଘୋଷଣା କରିଛି ।  
     ଭାରତ ପାକିସ୍ତାନ ଯୁଦ୍ଧ ସମୟରେ ମଧ୍ୟ ହସ୍ତକ୍ଷେପ କରି ଯୁଦ୍ଧ ବନ୍ଦ କରାଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଭାରତର ଶକ୍ତି ସାମର୍ଥ୍ୟ ଥାଇ ସୁଦ୍ଧା ଟ୍ରମ୍ପଙ୍କ ପ୍ରସ୍ତାବ ଯୋଗୁଁ ଅସ୍ତ୍ରବିରତି ଘୋଷଣା କରିଛି ।

ତେବେ ପାକିସ୍ତାନକୁ ଭିତିରି ସମର୍ଥନ ଦେଉଥିବା ଆମେରିକା କଥାରେ ଭରସା କରି ଭାରତ ଆଉ ବିଶ୍ୱାସଘାତକତାର ଶିକାର ହେବନି ତ?