କବି ଗଙ୍ଗାଧର ମେହେର ଓଡ଼ିଆ ଜାତିର ଗର୍ବ ଓ ଗୌରବ ତଥା ଆମ ସଂସ୍କୃତି ର ଆଧାର ଓ ପ୍ରତୀକ। ପ୍ରାତଃ ସ୍ମରଣୀୟ ବିଭୂତି, ତାଙ୍କର ବିସ୍ମୟକର ମୌଳିକ ପ୍ରତିଭା ତଥା କୃତି ଏବଂ କିର୍ତ୍ତିରେ ସମଗ୍ର ବିଶ୍ଵକୁ ଉଦଭାସିତ କରିଥିବା ବେଳେ ସମ୍ବଳପୁର ବିଶ୍ଵବିଦ୍ୟାଳୟ ତାଙ୍କୁ ଏକ ଆଦର୍ଶ ରୂପେ ଗ୍ରହଣ କରିଅଛି। ଏହି ଅମର କାବ୍ୟ ଶିଳ୍ପୀ, ପ୍ରକୃତି ପୂଜକ ଗଙ୍ଗାଧରଙ୍କ ସମ୍ମାନରେ ତାଙ୍କର ପୂଜ୍ୟ ପୂଜା, ଜୀବନୀ, ଆଦର୍ଶ, ତଥା ତାଙ୍କରି ସାରସ୍ଵତ ସମ୍ଭାରର ପ୍ରସାର ସକାଶେ ସମ୍ବଲପୁର ବିଶ୍ଵବିଦ୍ୟାଳୟ ଦ୍ଵାରା ୧୯୮୯ ମସିହାରେ “ଗଙ୍ଗାଧର ଜାତୀୟ ସମ୍ମାନ–କବିତା” (Gangadhar National Award for Poetry) ପ୍ରତିଷ୍ଠା କରାଯାଅଛି।

ସମ୍ବଲପୁର ବିଶ୍ୱବିଦ୍ୟାଳୟର ତତ୍କାଳୀନ ପ୍ରଶାସକ ଶ୍ରୀଯୁକ୍ତ ରାଜେନ୍ଦ୍ର କିଶୋର ପଣ୍ଡା ଏହି ସମ୍ମାନର ପରିକଳ୍ପନା କରିବା ସଙ୍ଗେ ସଙ୍ଗେ ତାକୁ ପୂର୍ଣ୍ଣାଙ୍ଗ ରୂପ ଦେଇଥିଲେ । ଏହି ସମ୍ମାନ ପାଇଁ ଓଡ଼ିଶା ତଥା ଓଡ଼ିଶା ବାହାରର ସାହିତ୍ୟିକ ଓ କବିଙ୍କ ବିଚାର ବିମର୍ଶରେ ଏକ ଆଇନ ପ୍ରଣୟନ ସହ ଅନୁମୋଦିତ କରିଥିଲେ। ଏହି ଆଇନ “Conferment of Award Rules” ନାମରେ ନାମିତ। ଉକ୍ତ ନିୟମ ଅନୁସାରେ ସମ୍ମାନର ନାମ ‘ଗଙ୍ଗାଧର ଜାତୀୟ ସମ୍ମାନ’ କବିତା ରଖାଯାଇଥିଲା। ନିୟମ ଅନୁସାରେ ଏହି ସମ୍ମାନର ଚୟନ ନିମନ୍ତେ ଏକ “ବିଚାରକ ପରିଷଦ” ରହିଛି। ଭାରତ ବର୍ଷର ବିଭିନ୍ନ ଭାଷାରେ କେନ୍ଦ୍ରୀୟ ସାହିତ୍ୟ ଏକାଡେମି ଦ୍ଵାରା ପୁରସ୍କୃତ କବି ସମୁହ ଏହି ପରିଷଦର ସଭ୍ୟ ରହିଅଛନ୍ତି। ନିୟମାବଳୀ ଅନୁସାରେ ଏହାର ଚୟନ କେବଳ କବିତା ପାଇଁ ଉଦ୍ଧିଷ୍ଟ । Rule for 4.1 ଅନୁସାରେ “The Object of the Gangadhar National Award for poetry is to give recognition to an Indian poet for distinguished creative excellence and attainment in Indian Poetry”
ମାତ୍ର ଅତ୍ୟନ୍ତ କ୍ଷୋଭର ବିଷୟ ଯେ ଗତ ତା ୨୫.୦୬.୨୦୨୫ରିଖ ସମ୍ବଲପୁର ବିଶ୍ଵବିଦ୍ୟାଳୟ ସିଣ୍ଡିକେଟ୍ ସଭା ଦ୍ୱାରା ଉକ୍ତ ଜାତୀୟ କବିତା ସମ୍ମାନକୁ ନ୍ୟୁନ କରାଯାଇ ମୂଳ କବିତା ସମ୍ମାନ”ଙ୍କୁ ରଦ୍ଧ କରାଯାଇ “ଗଙ୍ଗାଧର ମେହେର ସାହିତ୍ୟ ସମ୍ମାନ” କରାଯାଇଛି । ଏହା ଫଳରେ ଭବିଷ୍ୟତରେ କାବ୍ୟ, କବିତା, ସହିତ ପ୍ରବନ୍ଧ, ଗଳ୍ପ, ଉପନ୍ୟାସ, ଶିଶୁସାହିତ୍ୟ, ରମ୍ୟ ରଚନା, ଅନୁବାଦ ପାଇଁ ଉକ୍ତ ପୁରସ୍କାର ପ୍ରଦାନ କରାଯାଇ ପାରିବ । ଏଣୁ ଏହି ନିୟମାବଳୀ ଗୁଡ଼ିକ କୋହଳ କରିବା ପାଇଁ ଏକ କମିଟି ଗଠନ କରାଯାଇଛି ।

ପ୍ରକାଶ ଥାଉ କି, ମୂଳ ନୀୟମାବଳୀ ଅନୁସାରେ ଭାରତୀୟ କାବ୍ୟଧାରାର ବିଭିନ୍ନ ଭାଷାର ବିଶିଷ୍ଟ କବି ମାନେ (ପ୍ରାୟ ତିରିଶରୁ ଉର୍ଦ୍ଧ୍ୱ ଗଙ୍ଗାଧର ଜାତୀୟ ସମ୍ମାନ–କବିତାରେ ସମ୍ମାନିତ ହୋଇ ଆସିଛନ୍ତି। ଯାହା ବିଶ୍ୱବିଦ୍ୟାଳୟକୁ ଜାତୀୟ ସ୍ତରରେ ଗୌରବ ଆଣିଛି। କିନ୍ତୁ ଆଜି କେଉଁ ପରିସ୍ଥିତିରେ ଉକ୍ତ ନିୟମାବଳୀକୁ ବଦଳାଇବାର ପ୍ରୟୋଜନ ଅଛି, ତାହା କେବଳ ବିଶ୍ୱବିଦ୍ୟାଳୟ ଅଧିକାରୀ ହିଁ ଜାଣିଛନ୍ତି । ଏତଦ୍ ଦ୍ୱରା ଅମୃତର କବି, ମଧୁମୟ ଚେତନାର କବି ଗଙ୍ଗାଧର ସମ୍ମାନ ପ୍ରତି ଏହା ଅପମାନ ତଥା ଏକ ପ୍ରଚଣ୍ଡ ଧକ୍କା। ଏହି ପରିବର୍ତ୍ତିତ ବ୍ୟବସ୍ଥା ଅଞ୍ଚଳର ବୁଦ୍ଧିଜୀବୀ, ସାହିତ୍ୟିକ ତଥା ଚିନ୍ତାଶୀଳ ବ୍ୟକ୍ତିମାନଙ୍କୁ ଗଭୀର ଭାବରେ ମର୍ମାହତ କରିଛି । ତେଣୁ ମୂଳ ଚୟନ ନିୟମ ବ୍ୟବସ୍ଥାର ପୁନଃ ସ୍ଥାପନ ନହେଲେ ଏହି ଅସନ୍ତୋଷର ବହ୍ନି ସମାଜର ସମସ୍ତ ବର୍ଗଙ୍କ ନିକଟରେ ପହଞ୍ଚି, ବିରାଟ ଆକାର ଧାରଣ କରିବ ଏଥରେ ସନ୍ଦେହ ନାହିଁ ।