Posts tagged Yuvraj Singh

କ୍ରିକେଟ୍‌ରେ ବାପା-ପୁଅଙ୍କ ଷ୍ଟାର୍ ଯୋଡ଼ି

ବାପା ଥିଲେ ମଇଦାନର ଷ୍ଟାର୍, ପୁଅ ବି କିଛଇ କମ୍ ନୁହେଁ । କାହା ପାଇଁ ବାପାଙ୍କ ବ୍ୟାଟ୍ ଓ ବଲ୍ ହିଁ ପ୍ରେରଣାର ଉତ୍ସ ହୋଇଛି ତ ଆଉ କାହା ପାଇଁ ପିଲାଦିନରୁ କ୍ରିକେଟ୍ ମଇଦାନ ହିଁ ପାଲଟିଛି ସେକେଣ୍ଡ ହୋମ୍। ବିଶ୍ୱ କ୍ରିକେଟ୍ ଇତିହାସରେ ଏମିତି ଅନେକ ବାପା-ପୁଅଙ୍କ ଯୋଡ଼ି ରହିଛନ୍ତି, ଯେଉଁମାନେ ନିଜ ନିଜ ସମୟରେ ଦେଶ ପାଇଁ ଖେଳି ଖ୍ୟାତି ଅର୍ଜନ କରିଛନ୍ତି। ବାପାଙ୍କ ପରେ ପୁଅ ମଧ୍ୟ କ୍ରିକେଟ୍ ମଇଦାନରେ ନିଜ ପ୍ରତିଭାର ପରିଚୟ ଦେଇଛନ୍ତି। ଭାରତୀୟ କ୍ରିକେଟ୍‌ରେ ଏଭଳି ଏକ ଚର୍ଚ୍ଚିତ ଯୋଡ଼ି ହେଉଛନ୍ତି ସୁନୀଲ ଗାଭାସ୍କର ଓ ତାଙ୍କ ପୁଅ ରୋହନ ଗାଭାସ୍କର। ସୁନୀଲ ଗାଭାସ୍କର ଟେଷ୍ଟ କ୍ରିକେଟ୍‌ରେ ନିଜ ବ୍ୟାଟିଂର ଯାଦୁ ଦେଖାଇଥିବାବେଳେ ପୁଅ ରୋହନ ମଧ୍ୟ ଭାରତ ପାଇଁ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ସେହିପରି ଭାରତର ପ୍ରଥମ ଟେଷ୍ଟ ଶତକଧାରୀ ଲାଲା ଅମରନାଥଙ୍କ ପୁଅ ମୋହିନ୍ଦର ଅମରନାଥ ମଧ୍ୟ ଭାରତୀୟ କ୍ରିକେଟ୍‌ର ଅନ୍ୟତମ ପରିଚିତ ଚେହେରା। ୧୯୮୩ ବିଶ୍ୱକପ୍ ବିଜୟରେ ମୋହିନ୍ଦରଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ତାଙ୍କ ଭାଇ ସୁରିନ୍ଦର ଅମରନାଥ ମଧ୍ୟ ଭାରତ ପାଇଁ ଟେଷ୍ଟ କ୍ରିକେଟ୍ ଖେଳିଥିଲେ। ବାପାଙ୍କ ପରି ପୁଅ ମଧ୍ୟ ବ୍ୟାଟ୍ ଧରି ଦେଶ ପାଇଁ ଖେଳିବାର ଉଦାହରଣ ହେଉଛନ୍ତି ବିଜୟ ମାଞ୍ଜରେକର ଓ ସଞ୍ଜୟ ମାଞ୍ଜରେକର। ବିଜୟ ମାଞ୍ଜରେକର ଭାରତ ପାଇଁ ଟେଷ୍ଟ ଖେଳି ନିଜର ସ୍ୱତନ୍ତ୍ର ପରିଚୟ ଗଢ଼ିଥିବାବେଳେ ପୁଅ ସଞ୍ଜୟ ଟେଷ୍ଟ ଓ ଦିନିକିଆ କ୍ରିକେଟ୍‌ରେ ନିଜ ଦକ୍ଷତା ପ୍ରମାଣ କରିଥିଲେ। ସେହିପରି ୧୯୮୩ ବିଶ୍ୱକପ୍ ବିଜୟୀ ଦଳର ସଦସ୍ୟ ରୋଜର ବିନ୍ନିଙ୍କ ପୁଅ ଷ୍ଟୁଆର୍ଟ ବିନ୍ନି ମଧ୍ୟ ଭାରତ ପାଇଁ ତିନୋଟି ଫର୍ମାଟ୍‌ରେ ଖେଳିଛନ୍ତି।

ଯୋଗରାଜ ସିଂହ ଭାରତୀୟ କ୍ରିକେଟ୍‌ର ଜଣେ ପୂର୍ବତନ ଦ୍ରୁତ ବୋଲର। ୧୯୮୧ ମସିହାରେ ସେ ଭାରତ ପାଇଁ ଗୋଟିଏ ଟେଷ୍ଟ ଓ ୬ଟି ଦିନିକିଆ ମ୍ୟାଚ୍ ଖେଳିଥିଲେ। ଆଘାତ ଓ ଅନ୍ୟ ପରିସ୍ଥିତି ଯୋଗୁଁ ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟର ଦୀର୍ଘ ହୋଇପାରିନଥିଲା। ତାଙ୍କ ପୁଅ ଯୁବରାଜ ସିଂହ ଭାରତୀୟ କ୍ରିକେଟ୍‌ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିଥିଲେ। ୨୦୦୦ ମସିହାରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପାଦ ଦେଇଥିବା ଯୁବରାଜ ୨୦୦୭ ଟି-୨୦ ବିଶ୍ୱକପ୍ ଓ ୨୦୧୧ ଦିନିକିଆ ବିଶ୍ୱକପ୍ ବିଜୟର ଅନ୍ୟତମ ନାୟକ ଥିଲେ। ୨୦୧୧ ବିଶ୍ୱକପ୍‌ରେ ସେ ପ୍ଲେୟର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ହୋଇଥିଲେ। ସଚିନ ତେନ୍ଦୁଲକର ଭାରତୀୟ କ୍ରିକେଟ୍‌ର ଅନ୍ୟତମ ମହାନ ଖେଳାଳି। ୧୯୮୯ ମସିହାରେ ମାତ୍ର ୧୬ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପାଦ ଦେଇଥିବା ସଚିନ ୨୦୦ ଟେଷ୍ଟ ଓ ୪୬୩ ଦିନିକିଆ ଖେଳିଛନ୍ତି। ତାଙ୍କ ନାଁରେ ୧୦୦ଟି ଅନ୍ତର୍ଜାତୀୟ ଶତକର ବିଶ୍ୱ ରେକର୍ଡ ରହିଛି। ୨୦୧୧ରେ ଭାରତ ବିଶ୍ୱକପ୍ ଜିତିବା ତାଙ୍କ କ୍ରିକେଟ୍ ଜୀବନର ଏକ ସ୍ମରଣୀୟ ଅଧ୍ୟାୟ।ସଚିନଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ମଧ୍ୟ ବାପାଙ୍କ ପଦାଙ୍କ ଅନୁସରଣ କରି କ୍ରିକେଟ୍‌କୁ ନିଜ କ୍ୟାରିୟର ଭାବେ ବାଛିଛନ୍ତି। ସେ ଜଣେ ବାମହାତୀ ଦ୍ରୁତ ବୋଲର ଓ ଉପଯୋଗୀ ବ୍ୟାଟର। ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିବା ସହ ୨୦୨୩ରେ ଆଇପିଏଲ୍‌ରେ ଡେବ୍ୟୁ କରିଥିଲେ। ସେ ରଣଜୀ ଟ୍ରଫିରେ ଗୋଆ ପକ୍ଷରୁ ମଧ୍ୟ ଖେଳିଛନ୍ତି।ତେବେ ବାପା ସଚିନଙ୍କ ଭଳି ଅର୍ଜୁନ ଏଯାଏଁ ଭାରତୀୟ ସିନିୟର ଜାତୀୟ ଦଳରେ ସ୍ଥାନ ପାଇନାହାନ୍ତି। ତଥାପି କ୍ରିକେଟ୍ ମଇଦାନରେ ନିଜ ପ୍ରଦର୍ଶନ ଜରିଆରେ ନିଜର ସ୍ୱତନ୍ତ୍ର ପରିଚୟ ଗଢ଼ିବାକୁ ଉଦ୍ୟମ ଜାରି ରଖିଛନ୍ତି।