Posts tagged Western Odisha

ନବୀନଙ୍କ ରାସ୍ତାରେ ମୋହନ:ନେତା ନୁହଁନ୍ତି,ଅଫିସର ବିଶ୍ୱସ୍ତ

1996 ଲୋକସଭା ନିର୍ବାଚନ ସମୟର କଥା, ଓଡ଼ିଶା ଆସିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓ । ବରଗଡ଼ ଜିଲ୍ଲାର ବରଡୋଲ ଏବଂ ଝାରସୁଗୁଡ଼ା ଜିଲ୍ଲାର ବନହରପାଲିର ନିର୍ବାଚନୀ ସଭାରେ ନରସିଂହ ରାଓ ଘୋଷଣା କଲେ ଯେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ ହେବ । KBK ଢାଞ୍ଚାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ ହେବ ବୋଲି ନିଷ୍ପତ୍ତି ହେଲା । କଂଗ୍ରେସର ଏହି ବ୍ରେନ୍ ଚାଇଲ୍ଡକୁ ସ୍ୱରୂପ ଦେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ । ପଶ୍ଚିମ ଓଡ଼ିଶାର 10ଟି ଜିଲ୍ଲା ଏବଂ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ସବଡିଭିଜନକୁ ନେଇ 1998 ନଭେମ୍ବର 11 ତାରିଖରେ ପ୍ରତିଷ୍ଠା ହେଲା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବା WODC । ଏହାର ପ୍ରତିଷ୍ଠାତା ଅଧ୍ୟକ୍ଷ ହେଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ପଶ୍ଚିମ ଓଡ଼ିଶାର ସାମାଜିକ, ସାଂସ୍କୃତିକ ଓ ଆର୍ଥିକ କ୍ଷେତ୍ରରେ ବିକାଶ ନିମନ୍ତେ WODC କାର୍ଯ୍ୟ ଆରମ୍ଭ କଲା। ଏହା ଭିତରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନକୁ 28ବର୍ଷ ବିତିବାକୁ ବସିଲାଣି, ହେଲେ ଏହାର କାର୍ଯ୍ୟାଳୟ ଭୁବନେଶ୍ୱରରେ ରହିଗଲା । ଆହୁରି ବିଡ଼ମ୍ବନା ଏବେ, WODC ଆଉ ରାଜନେତାଙ୍କର ନିୟନ୍ତ୍ରଣରେ ନାହିଁ। ଏବେ ଏଠି ଚାଲିଛି ଅଫିସର୍ ରାଜ୍ । ନବୀନ ପଟ୍ଟନାୟକଙ୍କ ପରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ WODCର ଅଧ୍ୟକ୍ଷ ପଦରେ IAS ଅଫିସର ମାନଙ୍କୁ ବସାଉଛନ୍ତି ।  ପ୍ରଥମେ ସଚୀନ ଯାଦବ ଆଉ ଏବେ ସଂଗ୍ରାମ ମହାପାତ୍ରଙ୍କୁ WODCର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ମୋହନ ମାଝୀ ସରକାର । ଏକଦା ନରସିଂହ ମିଶ୍ର, ଅଇଁଠି ସାହୁ, ସୁନ୍ଦରଗଡ଼ ରାଣୀ ପଦ୍ମିନୀ ଶେଖର ଦେଓ, କିଶୋର ମହାନ୍ତି, ଏବଂ ସୁଭାଷ ଚୌହାନଙ୍କ ପରି ବରିଷ୍ଠ ନେତାମାନେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ହୋଇଥିଲେ। ଏପରିକି ସମ୍ବଲପୁରର ଏକ ପ୍ରତିଷ୍ଠିତ ରାଜନୈତିକ ପରିବାରର ପ୍ରଫେସର ନିରଞ୍ଜନ ପଣ୍ଡାଙ୍କୁ WODCର ଅଧ୍ୟକ୍ଷ ପଦ ଦିଆଯାଇଥିଲା।

2020 ମେ’10 ତାରିଖରେ ତତ୍କାଳୀନ ଅଧ୍ୟକ୍ଷ ସୁଭାଷ ଚୌହାନଙ୍କ ପରଲୋକ ହେଲା। ସେବେଠାରୁ WODC ଚାଲିଯାଇଛି ଅଫିସର ମାନଙ୍କ ନିୟନ୍ତ୍ରଣକୁ । ଦୀର୍ଘ ସାଢ଼େ 6ବର୍ଷ ହେବ ଅଫିସରମାନେ ନିୟନ୍ତ୍ରଣ କରୁଛନ୍ତି WODCକୁ। ପ୍ରଥମେ ଅସିତ ତ୍ରିପାଠୀ, ଆଉ ଫେବ୍ରୁଆରୀ 2025ରୁ IAS ଅଫିସର ସଚିନ୍ ଯାଦବ WODC ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଲେ । ଆଉ 27 ଅକ୍ଟୋବର 2026ରୁ WODCର ଅଧ୍ୟକ୍ଷ ହେଲେ IAS ଅଫିସର ସଂଗ୍ରାମ କେଶରୀ ମହାପାତ୍ର। ନବୀନ ପଟ୍ଟନାୟକ, ପ୍ରଥମେ ଅସ୍ଥାୟୀ ଭାବେ ସୁରେଶ ମହାପାତ୍ର ଏବଂ ପରବର୍ତ୍ତୀ ସମୟରେ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କୁ WODCର ସ୍ଥାୟୀ ଅଧ୍ୟକ୍ଷ କରିଦେଲେ। ରିଟାୟର୍ଡ IAS ଅଫିସର ଅସିତ ତ୍ରିପାଠୀଙ୍କୁ ଅଧ୍ୟକ୍ଷ କରିବା ପଛରେ ଭୈରବ ପାଣ୍ଡିଆନଙ୍କର ପ୍ଲାନ୍। ଉଦ୍ଦେଶ୍ୟ ଥିଲା-ବଲାଙ୍ଗୀର ଜିଲ୍ଲାର ମୂଳନିବାସୀ ଅସିତ ତ୍ରିପାଠୀଙ୍କ ମାଧ୍ୟମରେ ବିଜେଡିର ହେଭିୱେଟ୍ ଅନଙ୍ଗ ଉଦୟ ସିଂହଦେଓଙ୍କ ପରିବାରକୁ କାଉଣ୍ଟର କରିବା । କିନ୍ତୁ ପାଣ୍ଡିଆନଙ୍କର ସେହି ପ୍ଲାନ୍, ବିଜୁ ଜନତା ଦଳକୁ ମହଙ୍ଗା ପଡ଼ିଲା । 2024 ନିର୍ବାଚନରେ ବଲାଙ୍ଗିରର କଣ୍ଟାବାଞ୍ଜି ଆସନରୁ ନବୀନ ପଟ୍ଟନାୟକ ପରାଜିତ ହେଲେ। ଅପରପକ୍ଷରେ ଅନଙ୍ଗ ଉଦୟଙ୍କ ପୁଅ କଳିକେଶ,ବଲାଙ୍ଗିର ଆସନରୁ ବିଜୟୀ ହେଲେ। କିନ୍ତୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧିନରେ ଥିବା 5ଟି ଯାକ ଲୋକସଭା ଆସନରେ ବିଜୁ ଜନତା ଦଳ ପରାଜିତ ହେଲା । ଏପରିକି WODC ଅଧିନରେ ଥିବା 36ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ 18ଟିରେ ବିଜେପି ଜିତିଥିଲା । ବିଜୁ ଜନତା ଦଳ ମାତ୍ର 15ଟି ଆସନରେ ବିଜୟୀ ହୋଇଥିଲା । ଅଫିସର ମାନଙ୍କ ଉପରେ ଭରସା କରି ଫଳ ଭୋଗିଲେ ନବୀନ ପଟ୍ଟନାୟକ। ଏବେ ନବୀନଙ୍କ ରାସ୍ତାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିଜେପିର କୌଣସି ବରିଷ୍ଠ ନେତାଙ୍କୁ WODCର ଅଧ୍ୟକ୍ଷ କରାଯାଇ ପାରନ୍ତା । କିନ୍ତୁ ନିଜ ସରକାରର 28ମାସ ବିତିଥିଲେ ମଧ୍ୟ ବିଜେପିର କୌଣସି ନେତାଙ୍କୁ WODCର ଅଧ୍ୟକ୍ଷ କଲେ ନାହିଁ ମୁଖ୍ୟମନ୍ତ୍ରୀ । ବରଂ IAS ଅଫିସର ସଂଗ୍ରାମ ମହାପାତ୍ରଙ୍କୁ WODCର ଅଧ୍ୟକ୍ଷ କରିଛନ୍ତି ମୋହନ ମାଝୀ । ଯାହାର ଝଟକା ହୁଏତ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିପାରେ। 
ଏ ଷ୍ଟୋରୀ ଲେଖିଛନ୍ତି- ବିଜୟ କେତନ ବରାଳ