ଭୁବନେଶ୍ୱରରେ ୨୪ ଘଣ୍ଟିଆ ବିଶୁଦ୍ଧ ପାଣି ଯୋଗାଇବା ପାଇଁ ୨୦୧୬ ମସିହାରେ ବିଏମ୍ସି ପକ୍ଷରୁ ଆରମ୍ଭ ହୋଇଥିଲା ୱାଟର୍ ଏଟିଏମ୍ ଓ ଆରଓ ପ୍ଲାଣ୍ଟ ପ୍ରୋଜେକ୍ଟ। ସୌର ଶକ୍ତି ଭିତ୍ତିକ ଏହି ବ୍ୟବସ୍ଥାରେ ସହରର ୪୦ଟି ସ୍ଥାନରେ ୱାଟର୍ ATM ସ୍ଥାପିତ ହୋଇଥିଲା। ଭୁବନେଶ୍ୱରର ଅନେକ ଅଫିସ ଓ ଛକରେ ଲୋକଙ୍କୁ ଏ ସୁବିଧା ମିଳୁଥିଲା । ଜଳଯୋଗାଣ ସହିତ ୱାଟର ପ୍ୟୁରିଫାଏ ପାଇଁ ୪ଟି ROପ୍ଲାଣ୍ଟ ଲାଗିଥିଲା । ପିରାମଲ୍ ୱାଟର ପ୍ରାଇଭେଟ୍ ଲିମିଟେଡ୍ ସହ ବୁକ୍ତି କରିଥିଲା BMC । ୪ କୋଟି ୭୫ଲକ୍ଷ ୯୨ହଜାର ଟଙ୍କା ଖର୍ଚ୍ଚ କରିଥିଲେ ସରକାର । ପାଣି ପିଇବା ପାଇଁ କାର୍ଡ ସିଷ୍ଟମ୍ ଥିଲା । ୩୦ ପଇସାରେ ମିଳୁଥିଲା ଲିଟରେ ପାଣି କଏନ୍ ପକାଇ ମଧ୍ୟ ଲୋକ ପାଣିର ସୁବିଧା ପାଉଥିଲେ ।

୨୦୨୩ ଅକ୍ଟୋବରରେ ପିରାମଲ୍ ୱାଟର ପ୍ରାଇଭେଟ୍ ଲିମିଟେଡ୍ ପ୍ରୋଜେକ୍ଟ ଚଲାଉଥିଲା। ୨୦୨୪ରେ ଆଉଟସୋର୍ସିଂ ସଂସ୍ଥା ପରିଚାଳନା ଦାୟିତ୍ୱ ନେଲା। ମାତ୍ର ବାରମ୍ବାର ଏହି ପ୍ରକଳ୍ପ ଅଚଳ ହେଲା । ନା ପାଣି ପ୍ୟୁରିଫାଏ ହେଲା ନା ଲୋକଙ୍କୁ ପାଣି ମିଳିଲା । ଧିରେ ଧିରେ ପ୍ରୋଜେକ୍ଟ ଅକାମୀ ହୋଇଗଲା। ଛକ ବଜାରରେ ଲଶଗିଥିବା ମେସିନ୍ ଅକାମୀ ହୋଇ ପଡ଼ିଛି। ଯତ୍ନ ଓ ମରାମତି ଅଭାବରୁ ମେସିନଖରାପ ହୋଇ ଚାଲିବା ଅବସ୍ଥାରେ ନାହିଁ । ରାଜ୍ୟ ସରକାର ଯେଉଁ ଲକ୍ଷ୍ୟରେ ଏହି ପ୍ରକଳ୍ପ ସବୁ କରିଥିଲେ ତାହା ପୂରଣ ହେଉନି କି ଲୋକଙ୍କ କାମରେ ଲାଗୁନି। ଯେଉଁଥିପାଇଁ ଶାଗ ମାଛ ଦରରେ ଏବେ ଏସବୁ ନିଲାମ ହେବାକୁ ଯାଉଛି । ବର୍ତ୍ତମାନ ସହରରେ ପାଇପ୍ ଜଳ ଯୋଗାଣ ମାଧ୍ୟମରେ ବିଶୁଦ୍ଧ ଜଳ ମିଳୁଥିବାରୁ ଆରଓ ପ୍ଲାଣ୍ଟର ଆବଶ୍ୟକତା ନାହିଁ ବୋଲି ମତ ରଖୁଛନ୍ତି ୱାଟକୋ ଅଧିକାରୀ । କୋଟି କୋଟି ଟଙ୍କାର ପ୍ରୋଜେକ୍ଟ କାମରେ ନ ଆସିବା ନେଇ ପ୍ରଶ୍ନ ଉଠୁଛି । ତେବେ କେବଳ ଏଇ ଗୋଟାଏ ନୁହେଁ ରାଜ୍ୟର ଅନେକ ପ୍ରକଳ୍ପ ଏମିତି ପରିଚାଳନା ଅଭାବରୁ ସଫଳ ହେଇପାରୁନି। ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ବର୍ବାଦ ହେଉଛି। ପ୍ରପର ପ୍ଲାନିଂ ସହ ପ୍ରୋଜେକ୍ଟର ପରିଚାଳନା ହୋଇଥିଲେ ଆଜି ହୁଏତ 5 କୋଟି ଟଙ୍କା ପାଣିରେ ପଡ଼ି ନ ଥାଆନ୍ତା।