ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସରେ ଗାନ୍ଧୀଙ୍କ ନାଁ କୁ ନେଇ ପରଦାକୁ ଆସୁଛି ନୂଆ ଫିଲ୍ମ। ଯାହାର ନାଁ ରହିଛି ଗାନ୍ଧୀ ଟକ୍ସ। ଯଦିଓ ଏଥିରେ ମହାତ୍ମା ଗାନ୍ଧୀଙ୍କ ଜୀବନିକୁ ନେଇ କୌଣସି ଘଟଣାବଳୀ ନାହିଁ ତଥାପି ଟାଇଟେଲ ମ୍ୟାଚ୍ କରୁଥିବାରୁ ଫିଲ୍ମର ଭଲ କ୍ରେଜ୍ ରହିଛି।ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକୀରେ ଏଭଳି ଫିଲ୍ମ ଆଣି ଗାନ୍ଧୀବାଦୀ ମାନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଛନ୍ତି ଫିଲ୍ମ ମେକର। ଜାନୁଆରୀ 30 ତାରିଖରେ ପ୍ରେକ୍ଷାଳୟକୁ ଆସିଛି ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର ‘ଗାନ୍ଧୀ ଟକ୍ସ’। ସବୁଠୁ ଆଶ୍ଚର୍ଯ୍ୟଜନକ କଥାଟି ହେଉଛି ଏ ଫିଲ୍ମରେ କୌଣସି ଡାଏଲଗ୍ ବା ସଂଳାପ ନାହିଁ। ଫିଲ୍ମର କୌଣସି ଚରିତ୍ର କଥା କହୁ ନାହାନ୍ତି। ବିନା ସଂଳାପରେ ଗତିଶୀଳ ଏହା ଏକ ‘ସାଇଲେଣ୍ଟ ଫିଲ୍ମ’।ଯାହା ଦର୍ଶକଙ୍କ ମଧ୍ୟରେ ବେଶ୍ ଚର୍ଚ୍ଚାରେ ରହିଛି।ବିଜୟ ସେତୁପତି,ଅଦିତି ରାଓ ହାଇଦରି ଏବଂ ଅରବିନ୍ଦ ସ୍ଵାମୀଙ୍କ ଭଳି ଦକ୍ଷ କଳାକାରଙ୍କ ଅଭିନୟକୁ ନେଇ ସୋସିଆଲ ମିଡିଆରେ ପଜିଟିଭ୍ ରିଭ୍ୟୁର ସଂଖ୍ୟା ବଢୁଛି।

ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି କିଶୋର ପାଣ୍ଡୁରଙ୍ଗ ବେଲେକର। ତାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର କାହାଣୀ ଦୁଇଟି ଭିନ୍ନ ସ୍ଥିତିର ମଣିଷଙ୍କୁ ନେଇ ଗତିଶୀଳ। ମୁମ୍ବାଇ ବସ୍ତିରେ ରହୁଥିବା ଜଣେ ବୃଦ୍ଧାଙ୍କ ସେବା କରୁଥିବା ବିଜୟ ସେତୁପତିଙ୍କୁ ଏକ ସରକାରୀ ଚାକିରି ପାଇଁ ୫୦,୦୦୦ ଟଙ୍କାର ଆବଶ୍ୟକତା ରହିଛି। ଅନ୍ୟପଟେ, ଜଣେ କୋଟିପତି ବ୍ୟବସାୟୀ (ଅରବିନ୍ଦ ସ୍ଵାମୀ) ଶତ୍ରୁଙ୍କ ଷଡ଼ଯନ୍ତ୍ର ଯୋଗୁଁ ସର୍ବସ୍ୱ ହରାଇ ଋଣରେ ବୁଡ଼ି ରହିଛନ୍ତି। ଏହି ଦୁଇ ଚରିତ୍ରଙ୍କ ସଂଘର୍ଷ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ପରସ୍ପରକୁ କିଭଳି ଭେଟୁଛି, ତାହା ଚଳଚ୍ଚିତ୍ରରେ ଚମତ୍କାର ଢଙ୍ଗରେ ଦର୍ଶାଯାଇଛି। ବିଜୟ ସେତୁପତିଙ୍କ ଚମତ୍କାର ଅଭିନୟ ଏବଂ ଇମୋସନାଲ ଡ୍ୟାନ୍ସ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେବ।ବିଶେଷ କରି ଶ୍ରୀକୃଷ୍ଣ ବେଶରେ ତାଙ୍କର ଝଲକ ବେଶ୍ ଆକର୍ଷଣୀୟ ହୋଇଛି। ସେହିପରି ଅରବିନ୍ଦ ସ୍ଵାମୀଙ୍କ ଗମ୍ଭୀର ଅଭିନୟ ମଧ୍ୟ ପ୍ରଶଂସାଯୋଗ୍ୟ।

ସଂଳାପ ନ ଥିବା ଏହି ଚଳଚ୍ଚିତ୍ରର ଅସଲ ମେରୁଦଣ୍ଡ ସାଜିଛି ଏ.ଆର. ରହମାନଙ୍କ ସଙ୍ଗୀତ। ତାଙ୍କର ବ୍ୟାକଗ୍ରଉଣ୍ଡ ସଙ୍ଗୀତ କାହାଣୀର ଭାବନାକୁ ଦର୍ଶକଙ୍କ ପାଖରେ ପହଞ୍ଚାଇବାରେ ସଫଳ ହୋଇଛି।ଅରବିନ୍ଦ ସ୍ଵାମୀଙ୍କ ଘରେ ବିଜୟଙ୍କ ଚୋରି କରିବା ଦୃଶ୍ୟ ଏବଂ ଉଭୟଙ୍କ ମଧ୍ୟରେ ହୋଇଥିବା ପ୍ରଥମ ଭେଟକୁ ଫିଲ୍ମର ଶ୍ରେଷ୍ଠ ଦୃଶ୍ୟ ଭାବେ ଗଣାଯାଉଛି। ଯାହା ଭରପୁର ମନୋରଞ୍ଜନର ମାଧ୍ୟମ। ଏହା ସହିତ ଏ ଫିଲ୍ମ ଏକ ସାଇଲେଣ୍ଟ ବ୍ଲାକ୍ କମେଡି ଡ୍ରାମା ଯାହା ଏକ ଯୁବ ଅସୁରକ୍ଷିତ ଗ୍ରାଜୁଏଟ ମହାଦେବଙ୍କ ଜୀବନ ସମସ୍ୟା, ଚାକିରୀ ପାଇଁ ସଙ୍ଘର୍ଷ ସହିତ ପରିବେଶରେ ଘଟୁଥିବା ଅର୍ଥନୈତିକ ଓ ନୀତିଗତ ପରିବର୍ତ୍ତନକୁ ଦେଖାଯାଏ। ଏହି ଫିଲ୍ମକୁ ଇଣ୍ଟରନାସନାଲ୍ ଫିଲ୍ମ ଫେସ୍ଟିଭାଲ ଅଫ୍ ଇଣ୍ଡିଆ (IFFI) 2023 ରେ ଦେଖାଯାଇଥିଲା ତିନି ବର୍ଷ ପରେ ଗାନ୍ଦୀଙ୍କ ତିରୋଧାନ ଦିବସରେ ହିଁ ଏ ଫିଲ୍ମକୁ ହଲକୁ ଅଣାଯାଇଛି । ଯାହାକୁ ନେଇ ଦର୍ଶକ ମଧ୍ୟ ବେଶ୍ ଉତ୍ସାହିତ।