Posts tagged Vice President

କିଏ ସମ୍ଭାଳିବେ ରାଜ୍ୟସଭା

ଜୁଲାଇ 21ରେ ଉପରାଷ୍ଟ୍ରପତି ଆସନରୁ ଇସ୍ତଫା ଦେଇଛନ୍ତି ଜଗଦୀପ ଧନଖଡ଼। କାର୍ଯ୍ୟକାଳ ସରିବାକୁ ଆହୁରି ଦୁଇବର୍ଷ ବାକି ଥିଲା ବେଳେ ଜଗଦୀପ ଧନଖଡ଼ଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଜୋର୍। ରାଜ୍ୟସଭାର ମୁଖ୍ୟ ଦାୟିତ୍ୱ ଉପରାଷ୍ଟ୍ରପତିଙ୍କ ଉପରେ ନ୍ୟସ୍ତ ଥିବାରୁ ମୌସୁମୀ ଅଧିବେଶନ ସୁପରିଚାଳନା ପାଇଁ ଯଥାଶୀଘ୍ର ନିର୍ବାଚନ ହେବ। ଏମିତିରେ ବି ସମ୍ବିଧାନର ଧାରା ୬୮ର ଉପଧାରା ୨ ଅନୁଯାୟୀ ମୃତ୍ୟୁ, ଇସ୍ତଫା, ଅପସାରଣ କିମ୍ବା ଅନ୍ୟ କୌଣସି କାରଣରୁ ଉପରାଷ୍ଟ୍ରପତି ପଦ ଖାଲି ହେବା ପରେ ସେହି ପଦବୀ ପୂରଣ ପାଇଁ ଯଥାଶୀଘ୍ର ନିର୍ବାଚନ ହେବା ଜରୁରି। ଏହି ପଦ ପାଇଁ ନିର୍ବାଚିତ ବ୍ୟକ୍ତି ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ପୂରା ୫ ବର୍ଷ ପର୍ଯ୍ୟନ୍ତ ପଦରେ ରହିବେ।

ତେବେ ସୂଚନା ଅନୁଯାୟୀ ଭାରତୀୟ ନିର୍ବାଚନ କମିଶନ ଏହି ପ୍ରକ୍ରିୟା ଆରମ୍ଭ କରିବାର ସମ୍ଭାବନା ରହିଛି। ନୂତନ ଉପରାଷ୍ଟ୍ରପତିଙ୍କ ନିର୍ବାଚନ ପ୍ରକ୍ରିୟା ଗୋଟିଏ ମାସ ମଧ୍ୟରେ ସମାପ୍ତ ହେବ ବୋଲି ଆଶା କରାଯାଉଛି। ଯଦିଓ ଏଥିପାଇଁ ଏପର୍ଯ୍ୟନ୍ତ କୌଣସି ସରକାରୀ ବିଜ୍ଞପ୍ତି ଜାରି ହୋଇନାହିଁ ତଥାପି ସମ୍ଭାବ୍ୟ ପ୍ରାର୍ଥିଙ୍କୁ ନେଇ ଅନୁମାନର ଅଙ୍କକଶା ଚାଲିଛି।ଉପରାଷ୍ଟ୍ରପତି ପ୍ରସଙ୍ଗରେ ବିଭିନ୍ନ ପ୍ରାର୍ଥିଙ୍କ ନାଁ ଚର୍ଚ୍ଚାକୁ ଆସୁଛି। ଯୋଉ ଚର୍ଚ୍ଚାରେ ଅଛନ୍ତି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ବିଜେପିର ବରିଷ୍ଠ ନେତା ସାଙ୍ଗକୁ ବିରୋଧୀ ଦଳର ଚର୍ଚ୍ଚିତ ଚେହେରା ଯିଏ ଏବେ ବିଜେପି ମୁହାଁ । ତେବେ ହାତୀ କାହା ମୁଣ୍ଡରେ ସୁନା କଳସ ଢାଳିବ ତାକୁ ହିଁ ଅପେକ୍ଷା ।
ଉପରାଷ୍ଟ୍ରପତି ରେସରେ ସବୁଠୁ ଆଗରେ ଅଛନ୍ତି ଜେପି ନଡ୍ଡା। ବିଜେପିର ଅଧ୍ୟକ୍ଷ ଭାବରେ କାମ କରି ଆସିଥିବା ନଡ୍ଡା ହୁଏତ ରାଜ୍ୟସଭା ଦାୟିତ୍ୱ ନେଇ ପାରନ୍ତି। ଏମିତିରେ ବି ଦେଖିବାକୁ ଗଲେ ବିଜେପିର ନୂଆ ଅଧ୍ୟକ୍ଷ ନିର୍ବାଚନ ଚୁଡ଼ାନ୍ତ ପ୍ରକ୍ରିୟାରେ ପହଞ୍ଚିଛି। ଖୁବ୍ ଶୀଘ୍ର ବିଜେପିକୁ ନୂଆ ରାଷ୍ଟ୍ରିୟ ଅଧ୍ୟକ୍ଷ ମିଳିବେ । 2020ରୁ ଏ ଦାୟିତ୍ୱ ସମ୍ଭାଳୁଥିବା ଜେପି ନଡ୍ଡା ଏଥିରୁ ମୁକ୍ତ ହେବାକୁ ଯାଉଥିବାରୁ ଏ ନୂଆ ଦାୟିତ୍ୱ ତାଙ୍କୁ ମିଳିପାରେ ବୋଲି ଚର୍ଚ୍ଚା ।

ଉପରାଷ୍ଟ୍ରପତି ଆସନକୁ ନେଇ ରିଲିଜିୟନ୍ ଚାଲ୍ ଖେଳିପାରେ ବିଜେପି । ବିଜେପିକୁ ମୁସଲମାନ ବିରୋଧି କହି ଅନେକ ସମୟରେ ସମାଲୋଚନା କରାଯାଉଥିବାରୁ ହୁଏତ ଜଣେ ଅଣହିନ୍ଦୁଙ୍କୁ ମଧ୍ୟ ଏ ଆସନ ମିଳିପାରେ। ଏମିତିରେ ବି ରାଜ୍ୟପାଳ ଆସନ ଛାଡ଼ି ଉପରାଷ୍ଟ୍ରପତି ହେବାର ଉଦାହରଣ କିଛି କମ୍ ନାହିଁ । ସେ ଦୃଷ୍ଟିରୁ ଦେଖିବାକୁ ଗଲେ ବିହାର ରାଜ୍ୟପାଳ ଅରିଫ୍ ମହମ୍ମଦ ଖାଁଙ୍କୁ ଏ ଆସନ ମିଳିବାର ଚାନ୍ସ ବେଶୀ। କେବଳ ବିହାର ରାଜ୍ୟପାଳ ନୁହନ୍ତି ବିହାରର ମୁଖ୍ୟମନ୍ତ୍ରୀ ନୀତୀଷ କୁମାର ମଧ୍ୟ ଚର୍ଚ୍ଚାରେ ଅଛନ୍ତି। ଏମିତିରେ ଦେଖିବାକୁ ଗଲେ ବିଜେପି ଯେ ବିହାରର ମୁଖ୍ୟମନ୍ତ୍ରୀ ଆସନ ଚାହୁଁଛି ତାହା କାହାକୁ ଅଛପା ନାହିଁ । ଯୋଉଥିରେ ବାଧକ ସାଜୁଛନ୍ତି ନୀତୀଷ କୁମାର। ପଲଟୁରାମ କୁହାଯାଉଥିବା ନୀତୀଷ କ୍ଷମତା ନ ମିଳିଲେ କେତେବେଳେ ବି ମଙ୍ଗ ମୋଡ଼ି ପାରନ୍ତି। ସେ ଦୃଷ୍ଟିରୁ ଦେଖିବାକୁ ଗଲେ ହୁଏତ ନୀତୀଷଙ୍କୁ ବି ଗୁରୁତ୍ୱ ମିଳିପାରେ । ନୀତୀଷଙ୍କୁ ଉପରାଷ୍ଟ୍ରପତି ଭାବେ ଥଇଥାନ୍ କରିଦେଲେ ବିଜେପିକୁ ହୁଏତ ବିହାରର CM ସିଟଟା ବି ମିଳିଯାଇପାରେ। 

ତେବେ ଏସବୁ ଭିତରେ ରାଜ୍ୟସଭାର ଉପାଧ୍ୟକ୍ଷ ଥିବା ହରିବଂଶ ନାରାୟଣଙ୍କ ନାଁ ମଧ୍ୟ ଚର୍ଚ୍ଚାକୁ ଆସୁଛି। ଜେଡ଼ିୟୁର ରାଜ୍ୟସଭା ସାଂସଦ ହରିବଂଶ ନାରାୟଣ 2018 ଓ 2024 ରେ ରାଜ୍ୟସଭା ଉପାଧ୍ୟକ୍ଷ ହୋଇଛନ୍ତି । ତାଙ୍କୁ ହୁଏତ ଉପରାଷ୍ଟ୍ରପତି କରି ରାଜ୍ୟସଭାର ସ୍ଥାୟୀ ଅଧ୍ୟକ୍ଷ କରାଯାଇପାରେ । ଏ ଲିଷ୍ଟରେ କଂଗ୍ରେସ ନେତା ଶଶୀ ଥରୁରଙ୍କର ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଶଶୀ ଥରୁରଙ୍କୁ କଂଗ୍ରେସ ଏବେ ଭୀଷଣ ଅବହେଳା କରୁଛି ଆଉ ଏମିତିରେ ବି ଶଶୀ ଥରୁର ମୋଦୀ ଶାହଙ୍କ ନିକଟତର ହେଉଛନ୍ତି। ବିଭିନ୍ନ ପ୍ରସଙ୍ଗରେ ମୋଦୀଙ୍କୁ ପ୍ରଶଂସା ମଧ୍ୟ କରୁଛନ୍ତି । ସେ ଦୃଷ୍ଟିରୁ ଦେଖିବାକୁ ଗଲେ ହୁଏତ ଏଭଳି ଅପରଚ୍ୟୁନିଟିକୁ ବିଜେପି ମିସ୍ କରି ନପାରେ  ଶଶୀ ଥରୁରଙ୍କୁ ଉପରାଷ୍ଟ୍ରପତି କରି କଂଗ୍ରେସ ଶିବିରରରୁ ବଡ଼ ଯୋଦ୍ଧାଙ୍କୁ ନିଜ ଆଡ଼କୁ ଆଣିବନି ତ ବିଜେପି?

ଜଗଦୀପ ଧନଖଡ଼ଙ୍କ ଇସ୍ତଫା, କାର୍ଯ୍ୟକାଳ ନ ସରୁଣୁ ଗାଦି ଛାଡ଼ିଛନ୍ତି ତିନି ଉପରାଷ୍ଟ୍ରପତି

ମୌସୁମୀ ଅଧିବେଶନ ପ୍ରଥମ ଦିନରେ ହିଁ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଇସ୍ତଫା ଦେଇଛନ୍ତି । ୨୦୨୫ ଜୁଲାଇ ୨୧ରେ ସେ ଇସ୍ତଫା ଦେଇଛନ୍ତି।ଧନଖଡ଼ଙ୍କ ଇସ୍ତଫା ପରେ ରାଜନୈତିକ ଆଲୋଚନା ତେଜୁଛି । କାର୍ଯ୍ୟକାଳ ସରିବାର 2 ବର୍ଷ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି । ତେବେ କାର୍ଯ୍ୟକାଳ ସରିବା ପୂର୍ବରୁ ଆସନ ଛାଡ଼ିବାରେ ଜଗଦୀପ ଧନଖଡ଼ ପ୍ରଥମ ନୁହନ୍ତି, ତାଙ୍କ ପୂର୍ବରୁ ତିନିଜଣ ଉପରାଷ୍ଟ୍ରପତି କାର୍ଯ୍ୟକାଳ ସରିବା ପୂର୍ବରୁ ହିଁ ଆସନ ଛାଡ଼ିଛନ୍ତି। ରାଷ୍ଟ୍ରପତି ହେବାପାଇଁ ଉପରାଷ୍ଟ୍ରପତି ଆସନରୁ ଇସ୍ତଫା ଦେଇଛନ୍ତି।

୧୯୬୯ ମସିହା ଜୁଲାଇ ୨୦ରେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ ତତ୍କାଳୀନ ଉପରାଷ୍ଟ୍ରପତି ଭି.ଭି.ଗିରି। ୧୯୬୭ ମସିହାରେ ଭି.ଭି.ଗିରି ଉପରାଷ୍ଟ୍ରପତି ହୋଇଥିଲେ। ୧୯୬୯ ମେ ମାସରେ ତତ୍କାଳୀନ ରାଷ୍ଟ୍ରପତି ଜାକିର ହୁସେନଙ୍କ ପରଲୋକ ହେଇଥିବାରୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପ‌ାଇଁ ଶ୍ରୀ ଗିରିଙ୍କୁ ଉପରାଷ୍ଟ୍ରପତି ପଦରୁଓହରିବାକୁ ପଡ଼ିଥିଲା। ଇନ୍ଦିରା ଗାନ୍ଧୀଙ୍କ ଦୃଢ଼ ସମର୍ଥନ କାରଣରୁ ୧୯୬୯ ଅଗଷ୍ଟ ୨୦ରେ ସେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ଉପରାଷ୍ଟ୍ରପତିରୁ ରାଷ୍ଟ୍ରପତି ସାଜିଥିଲେ ଭି.ଭି ଗିରି । ସେ 1967 ମେ 13 ରୁ 1969 ମେ 3 ଯାଏଁ ଉପରାଷ୍ଟ୍ରପତି ଆସନରେ ବସିଥିଲେ।
     ସେହିଭଳି ରାମସ୍ୱାମୀ ଭେଙ୍କଟରମଣ ରାଷ୍ଟ୍ରପତି ହେବା ପାଇଁ ଉପରାଷ୍ଟ୍ରପତି ପଦରୁ ୧୯୮୭ ମସିହାରେ ଇସ୍ତଫା ଦେଇଥିଲେ। ସେ 1984 ମସିହା ଅଗଷ୍ଟ 31 ତାରିଖରୁ 1987 ମସିହା ଜୁଲାଇ 24 ଯାଏଁ ଉପରାଷ୍ଟ୍ରପତି ଆସନରେ ବସିଲା ପରେ ପରବର୍ତ୍ତି ସମୟରେ ରାଷ୍ଟ୍ରପତି ହୋଇଥିଲେ।
ତେବେ ସ୍ଵାଧୀନତା ପରେ କାର୍ଯ୍ୟକାଳ ସରିବା ପୂର୍ବରୁ କୌଣସି ଉପରାଷ୍ଟ୍ରପତି ଇସ୍ତଫା ଦେବା ଏବଂ ରାଷ୍ଟ୍ରପତି ନିର୍ବାଚନ ନ ଲଢ଼ିବା ପ୍ରଥମ ଘଟଣା। ଏ ପର୍ଯ୍ୟନ୍ତ ମୋଟ ୧୪ ଉପରାଷ୍ଟ୍ରପତିଙ୍କ ମଧ୍ୟରୁ ୬ ଜଣ ପରବର୍ତ୍ତୀ ସମୟରେ ରାଷ୍ଟ୍ରପତି ହୋଇଛନ୍ତି। ଯୋଉ ଲିଷ୍ଟରେ ଅଛନ୍ତି Dr S Radhakrishnan, Dr Zakir Hussain, V V Giri, R Venkataraman, Dr Shankar Dayal Sharma ଓ K R Narayanan

ଅବଶ୍ୟ ୨୦୦୨ ପରଠାରୁ ଏହି ପ୍ରକ୍ରିୟା ଏକ ପ୍ରକାରର ବନ୍ଦ ହୋଇଯାଇଛି। ସବୁଥର ୨ ଜଣ ନୂଆ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ଆଇନଜୀବୀରୁ ଉପରାଷ୍ଟ୍ରପତି ହୋଇଥିବା ଜଗଦୀପ ଧନଖଡ଼ ୨୦୧୯ରୁ ୨୦୨୨ ଯାଏ ପଶ୍ଚିମବଙ୍ଗ ରାଜ୍ୟପାଳ ଥିଲେ। ୨୦୨୨ରେ ହଠାତ୍ ତାଙ୍କ ନାଁ ଉପରାଷ୍ଟ୍ରପତି ଭାବେ ସାମ୍ନାକୁ ଆସିଲା। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଧନଖଡ଼ ଇସ୍ତଫା ଦେଇଥିଲା ବେଳେ ପରବର୍ତ୍ତି ଉପରାଷ୍ଟ୍ରପତି କିଏ ହେବେ ତାକୁ ନେଇ ଚର୍ଚ୍ଚା ।