ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛପାଯାଇଥିବା ନୂଆ ବହିରେ ୧୬୭୮ ଭୁଲ୍ ରହିଛି । ନୂଆ ବହି ଛାପିବା ପରିବର୍ତ୍ତେ ବହିରେ ହେଇଥିବା ଭୁଲକୁ ସୁଧାରି ପାଠ ପଢେଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଯାହା ପରେ ବିବାଦ ଆହୁରି ବଢ଼ିଛି । ସରକାରୀ ତଥ୍ୟ ଅନୁସାରେ ୧୦୮୯ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ ମାତ୍ର ଜଣେ ଶିକ୍ଷକ ରହିଥିବାବେଳେ, ୧୯୦୦ଟି ସ୍କୁଲରେ କେବଳ ଗୋଟିଏ ଶ୍ରେଣୀଗୃହ ରହିଛି। ଅନ୍ୟପଟେ ଦେଢ଼ ଲକ୍ଷ ଶିକ୍ଷକ ପଦବି ମଧ୍ୟରୁ ୫୦ ହଜାରରୁ ଅଧିକ ପଦ ଖାଲି ପଡ଼ିଛି। ଅର୍ଥାତ ଏକ ତୃତୀୟାଂଶ ଶିକ୍ଷକ ନାହାନ୍ତି । ଏପରି ସ୍ଥିତିରେ ବହିରେ ଥିବା ଭୁଲ୍ ସଂଶୋଧନ କରି ଶିକ୍ଷକମାନେ ପଢ଼ାଇବାକୁ ଗଣଶିକ୍ଷା ବିଭାଗ କହୁଛି । ଯାହା କି ବାସ୍ତବରେ ସମ୍ଭବ ନୁହେଁ, ପ୍ରଶ୍ନ ଉଠୁଛି ଏତେ କମ୍ ଶିକ୍ଷକ ଥିବା ଶିକ୍ଷାନୁଷ୍ଠାନରେ ଏସବୁ ଭୁଲ୍ ସୁଧାରିବ କିଏ?

ଶିକ୍ଷାଦାନ ଅପେକ୍ଷା ଅଣଶିକ୍ଷା କାର୍ଯ୍ୟରେ ଅଧିକ ମାତ୍ରାରେ ଲିପ୍ତ ରଖୁଛନ୍ତି । ପାଠପଢ଼ା ସହ ଏସ୍ଆଇଆର୍, ବିଏଲ୍ଓ, ଜନଗଣନା, ଭଳି ଅନେକ କାମ ପ୍ରାଥମିକ ଶିକ୍ଷକଙ୍କ ମୁଣ୍ଡରେ ଲଦି ଦିଆଯାଉଛି । ଉଲ୍ଲାସ, ଟିଏଲ୍ଏମ୍, କୃମି ବଟିକା ବାଣ୍ଟିବାଠୁ ଆରମ୍ଭ କରି ଆସ ସ୍କୁଲ ଯିବା କାର୍ଯ୍ୟକ୍ରମରେ ଘରକୁ ଘର ବୁଲି ସର୍ଭେ କରୁଛନ୍ତି ଶିକ୍ଷକ । ମଧ୍ୟାହ୍ନଭୋଜନର ହିସାବ, ଛାତ୍ରଛାତ୍ରୀଙ୍କ ଆଧାରକାର୍ଡ କରାଇବା, ଜାତି ପ୍ରମାଣପତ୍ର କରାଇବା କାମ ବି ଶିକ୍ଷକଙ୍କୁ କରିବାକୁ ପଡ଼ୁଛି। ଏସବୁ କାମରେ ଅବହେଳା ହେଲେ ଟିଚରଙ୍କୁ ପନିସମେଣ୍ଟ ବି ମିଳୁଛି । ୧୬୭୮ ଭୁଲରୁ ଅଷ୍ଟମ ଶ୍ରେଣୀର ବହିରେ ୭୦୫ଟି ଭୁଲ୍ ଥିବା ଚିହ୍ନଟ କରାଯାଇଛି । ପ୍ରଥମ ଶ୍ରେଣୀରେ ୭ଟି ,ଦ୍ୱିତୀୟ ଶ୍ରେଣୀରେ ୧୨ଟି ଓ ଭୁଲ୍ ତୃତୀୟ ଶ୍ରେଣୀ ବହିରେ ୭୫ଟି, ଚତୁର୍ଥ ଶ୍ରେଣୀରେ ୧୩୧, ପଞ୍ଚମ ଶ୍ରେଣୀରେ ୭୫, ଷଷ୍ଠ ଶ୍ରେଣୀ ବହିରେ ୨୮୯, ସପ୍ତମଶ୍ରେଣୀ ବହିରେ ୩୮୭ ଭୁଲ୍ ରହିଛି । ଏହାକୁ ଛାଡ଼ି ଆଉ ଅଧିକ ଭୁଲ୍ ବି ବାହାରି ପାରେ । ହେଭି ୱାର୍କଲୋଡରେ ଥିବା ଶିକ୍ଷକ ପାଠ୍ୟପୁସ୍ତକ ସଂଶୋଧନ କରି ପଢ଼ାଇବା କ’ଣ ସମ୍ଭବ? ତା ଛଡ଼ା ଶିକ୍ଷକ ମାନେ ତ୍ରୁଟି ସଂଶୋଧନ କରୁଛନ୍ତି କି ନାହିଁ ତାକୁ କିଏ ଅନୁଧ୍ୟାନ କରୁଛି? ଏ ଦିଗକୁ ସରକାର ଚିନ୍ତା ନ କଲେ ପ୍ରାଥମିକ ଶିକ୍ଷାର ବିଫଳତା ତାଙ୍କୁ ଭାରି ପଡ଼ିପାରେ । ପିଲାଙ୍କୁ କ୍ୱାଲିଟି ଏଜୁକେସନ ଦେବାରେ ଫେଲ୍ ହେବେ ବିଜେପି ସରକାର