Posts tagged Shubman Gill

ରୋହିତ କୋହଲିଙ୍କ ପରେ ଗିଲ୍-ଗମ୍ଭୀର

ରୋହିତ-କୋହଲିଙ୍କ ଯୁଗ ଶେଷ। ଉଭୟଙ୍କ ବିନା ଇଣ୍ଡିଆ ଟିମରେ ଆରମ୍ଭ ହୋଇଛି ଏକ ନୂଆ ଯୁଗ। ସ୍ପଟଲାଇଟରେ ରହିଛନ୍ତି 25 ବର୍ଷୀୟ ୟଙ୍ଗଷ୍ଟାର ଶୁଭମନ୍ ଗିଲ୍। ଲିଡ୍‌ସର ହେଡିଂଲେ ପଡ଼ିଆରେ ଶୁକ୍ରବାର ଠାରୁ ଆରମ୍ଭ ହେବ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ୍। ଏହି ପ୍ରଥମ ମ୍ୟାଚ୍ ସହ ଭାରତୀୟ କ୍ରିକେଟ୍‌ରେ ଆନୁଷ୍ଠାନିକ ଭାବେ ଗିଲ୍-ଗମ୍ଭୀର ଯୁଗର ଶୁଭାରମ୍ଭ ହେବ। ଶୁବମନ ଗିଲ୍‌ଙ୍କ ନେତୃତ୍ୱରେ ପ୍ରଥମ ଥର ଭାରତୀୟ କ୍ରିକେଟ୍ ଦଳ ମ୍ୟାଚ୍ ଖେଳି ନୂଆ ଅଭିଯାନ ଆରମ୍ଭ କରିବ। ଦୁଇ ପୂର୍ବତନ ଅଧିନାୟକ ତଥା ଭାରତୀୟ କ୍ରିକେଟ୍‌ର ଦୁଇ ମହାନ ତାରକା ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଅବସର ପରେ ଗିଲ୍ ଆନୁଷ୍ଠାନିକ ଭାବେ ଏହି ଟେଷ୍ଟ୍‌ରୁ ଭାରତୀୟ କ୍ରିକେଟ୍‌ର ମଙ୍ଗ ଧରିବେ। ମୁଖ୍ୟ ପ୍ରଶିକ୍ଷକ ତଥା ପୂର୍ବତନ ଓପନର୍ ଗୌତମ ଗମ୍ଭୀରଙ୍କ ପାଇଁ ମଧ୍ୟ ଏହା ଏକ ନୂଆ ଅନୁଭୁତି ଆଣିଦବ।

୧୮ବର୍ଷ ପରେ ଗିଲ୍-ଗମ୍ଭୀର ଯୋଡ଼ି ଇଂଲଣ୍ଡରେ ଭାରତୀୟ କ୍ରିକେଟ୍ ଦଳକୁ ଜିତେଇବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବେ। ଭାରତ ଶେଷ ଥର ପାଇଁ ୨୦୦୭ ମସିହାରେ ଇଂଲଣ୍ଡରେ ଟେଷ୍ଟ୍ ଶୃଙ୍ଖଳା ଜିତିଥିଲା। ଏଣୁ ଗିଲ୍-ଗମ୍ଭୀର ଭାରତର ଏହି ୧୮ବର୍ଷର ଅପେକ୍ଷାରେ ବିରାମ ଲଗାଇ ପାରିବେ କି ନାହିଁ ସେ ଚର୍ଚ୍ଚା ଏବେ ଚାରିଆଡ଼େ ଜୋର୍ ଧରିଛି । ଭାରତ ୨୦୨୫-୨୭ ଲାଗି ତା’ର ବିଶ୍ୱ ଟେଷ୍ଟ୍‌ ଚାମ୍ପିଅନସିପ୍ ଅଭିଯାନ ଆରମ୍ଭ କରିବ। ସେଥିପାଇଁ ଏହାର ଗୁରୁତ୍ୱ ବହୁଗୁଣ ବଢ଼ିଛି। କୋହଲି ଓ ରୋହିତଙ୍କ ଅବସର ପରେ ଭାରତୀୟ କ୍ରିକେଟ୍ ଦଳ ମଧ୍ୟ ଏକାଧିକ ଯୁବ ତାରକାଙ୍କୁ ସୁଯୋଗ ଦେଇଛି। ଏହି ଗସ୍ତ ସେମାନଙ୍କ ପାଇଁ ମଧ୍ୟ ବଡ଼ ପରୀକ୍ଷା ଭାବେ ଉଭା ‌ହେବାକୁ ଯାଉଛି । ଭାରତର ସର୍ବକନିଷ୍ଠ ଟେଷ୍ଟ୍ ଅଧିନାୟକ ହେବାର ଗୌରବ ହାସଲ କରିଥିବା ଗିଲ୍‌ଙ୍କ ନେତୃତ୍ୱ ଶୈଳୀ ଉପରେ ମଧ୍ୟ ସମସ୍ତଙ୍କ ଖାସ୍ ନଜର ରହିବ। ଗିଲ୍‌ଙ୍କ ନେତୃତ୍ୱରେ ଭାରତ ୨୦୨୪ ମସିହା ଜୁଲାଇ ମାସରେ ଜିମ୍ବାୱେ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୪-୧ରେ ଜିତିଥିଲା। ଇଂଲଣ୍ଡରେ ମଧ୍ୟ ସେ ଏହି ସଫଳତା ଦୋହରାଇବେ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ଗିଲ-ଗମ୍ଭୀରଙ୍କ ଯୋଡ଼ି ଇଣ୍ଡିଆ ଟିମ ପାଇଁ କେତେ ଶୁଭଙ୍କର ସାବ୍ୟସ୍ତ ହେଉଛି ତାହା ରେଜଲ୍ଟ କହିବ।୧୮ବର୍ଷ ପରେ ଲଗେଇପାରିବେ ତ ହାରିବାରେ ବ୍ରେକ୍।

ରୋହିତଙ୍କ ପରେ କିଏ ?

ଭାରତୀୟ ଟେଷ୍ଟ କ୍ରିକେଟ ଟିମରୁ କ୍ୟାପ୍ଟେନସିପ ଛାଡ଼ିଛନ୍ତି ରୋହିତ ଶର୍ମା। ଅଧିନାୟକ ପଦବୀରୁ ରୋହିତ ଶର୍ମାଙ୍କ ଅବସର ଘୋଷଣା ପରେ ଏହି ସ୍ଥାନ କିଏ ପୂରଣ  କରିବ ତାକୁ ନେଇ ଚର୍ଚ୍ଚା। କାହା ମୁଣ୍ଡରେ ହାତୀ ସୁନାକଳସ ଢାଳିବ ତାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି। ରୋହିତଙ୍କ ସ୍ଥାନ ପୂରଣ କରିବା ନେଇ ଅନେକ କ୍ରିକେଟର ଆଶାୟୀ। ରୋହିତଙ୍କ ପରେ ଯଶପ୍ରୀତ ବୁମରା କ୍ୟାପ୍ଟେନ୍ ହେବା ନେଇ ଆଲୋଚନା ହେଉଥିଲା। ତେବେ ସେ ଆହତ ହେଇଥିବା କାରଣରୁ ତାଙ୍କର ଚାନ୍ସ କମ୍ ବୋଲି ଆକଳନ କରାଯାଉଛି ।
 ଆଉ ଏମିତିରେ ବି ବୋଲର ମାନଙ୍କୁ କ୍ୟାପ୍ଟେନ୍ କରିବାର ପରମ୍ପରା ଭାରତରେ ନାହିଁ। ଅନ୍ୟ ପକ୍ଷରେ ଯୁବ ଖେଳାଳିଙ୍କୁ କ୍ୟାପ୍ଟେନ୍ କରିବା ଉପରେ BCCI ଗୁରୁତ୍ ଦେଉଛି। ପ୍ରତିଭାବାନ ବ୍ୟାଟର ଶୁବମନ ଗିଲ୍‌ କିମ୍ବା ରିଷଭ ପନ୍ତଙ୍କ ମଧ୍ୟରୁ ଜଣଙ୍କୁ ଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ବିଦେଶ ମାଟିରେ ଭଲ ପ୍ରଦର୍ଶନ କରିପାରୁଥିବା ବିସ୍ଫୋରକ କିପର-ବ୍ୟାଟର ରିଷଭ ପନ୍ତଙ୍କୁ ଉପ-ଅଧିନାୟକ ଦାୟିତ୍ୱ ମିଳିପାରେ। ୪୨ରୁ ଅଧିକ ଆଭରେଜ୍‌ ରଖିଥିବା ପନ୍ତ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକାରେ ଶତକ ହାସଲ କରିପାରିଛନ୍ତି। ତାଙ୍କର ୭ଟି ସ୍କୋର ୯୦ରୁ ୯୯ ମଧ୍ୟରେ ରହିଛି। ଏଥିଯୋଗୁ ପନ୍ତଙ୍କୁ ଏହି ଫର୍ମାଟରେ ଅନ୍ୟତମ ଶ୍ରେଷ୍ଠ ବ୍ୟାଟର ବିବେଚନା କରାଯାଉଛି।

ବିରାଟ କୋହଲି ନିକଟ ଭବିଷ୍ୟତରେ ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ଇଚ୍ଛା ପ୍ରକାଶ କରିଥିବାରୁ ସିଲେକ୍ସନ୍ କମିଟି ତାଙ୍କୁ ଇଂଲଣ୍ଡ ଟୁର୍‌ ପାଇଁ କ୍ୟାପ୍ଟେନ୍ କରି ନ ପାରେ। ତେବେ ଏ ସମସ୍ୟା ଭିତରେ ଯାହାଙ୍କ ନାଁ କୁ ନେଇ ସବୁଠୁ ବେଶି ଚର୍ଚ୍ଚା ହେଉଛି ସେ ହେଉଛନ୍ତି ଶୁଭମନ୍ ଗିଲ୍। ରୋହିତଙ୍କ ପରେ ଶୁଭମନ୍ ଗିଲ୍ ହିଁ ଉପଯୁକ୍ତ କ୍ରିକେଟର ବୋଲି ତାଙ୍କ ଉପରେ ବେଶୀ ଆସ୍ଥା ରଖାଯାଉଥିବା କୁହାଯାଉଛି । ରୋହିତଙ୍କ ଟେଷ୍ଟ କ୍ୟାରିୟରରେ ୧୨ ଶତକ ଏବଂ ୧୮ ଅର୍ଦ୍ଧଶତକ ସାମିଲ ରହିଛି । ସେ ୬୭ ଟେଷ୍ଟରେ ୪୦.୫୭ ହାରରେ ୪୩୦୧ ରନ କରିଛନ୍ତି ।
                  ଅନ୍ୟ ପକ୍ଷରେ ଶୁବମନ ଗିଲ ଟେଷ୍ଟରେ ୧୮୯୩ ରନ କରିଛନ୍ତି। ୩୨ଟି ଟେଷ୍ଟ ଖେଳି ୫ ଶତକ ଓ ୭ ଅର୍ଦ୍ଧଶତକ ସହିତ ୩୫ ଆଭରେଜରେ ରନ ସ୍କୋର କରିଛନ୍ତି। ଭାରତୀୟ କ୍ରିକେଟର ପ୍ରିନ୍ସ ଭାବେ ପ୍ରସିଦ୍ଧି ହାସଲ କରିଥିବା ଗିଲ ବର୍ତ୍ତମାନ IPL ଫ୍ରାଞ୍ଚାଇଜ ଗୁଜରାଟ ଟାଇଟନ୍ସର କ୍ୟାପ୍ଟେନସିପ କରୁଛନ୍ତି। ଗିଲଙ୍କୁ ଭାରତୀୟ କ୍ରିକେଟର ଭବିଷ୍ୟତ ଭାବେ ବିବେଚନା କରାଯାଉଥିବା ବେଳେ ତାଙ୍କୁ କ୍ୟାପ୍ଟେନ ଦାୟିତ୍ୱ ମିଳିବାର ସମ୍ଭାବନାକୁ ଆଡ଼େଇ ଦିଆ ଯାଇ ନପାରେ ।