Posts tagged ShreeJagannath

ଜଗନ୍ନାଥ ଧାମ-ଆଦି ଶଙ୍କରାଚାର୍ଯ୍ୟଙ୍କୁ ମମତାଙ୍କ ଅପମାନ

ପଶ୍ଚିମବଙ୍ଗର ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ଚର୍ଚ୍ଚା ଯେତିକି, ବିବାଦ ସେତିକି । କାରଣ ସନାତନୀ ମାନଙ୍କର ଚାରି ଧାମ ଯଥା ଜଗନ୍ନାଥ, ବଦ୍ରିନାଥ, ଦ୍ୱାରକାନାଥ ଏବଂ ରାମେଶ୍ୱର ଧାମର ଗରିମା ପ୍ରତି ଏବେ ପ୍ରଶ୍ନ ଉଠିଛି । ଏହି ଚାରି ଧାମକୁ ପ୍ରତିଷ୍ଠା କରିଥିଲେ ଆଦି ଶଙ୍କରାଚାର୍ଯ୍ୟ। କିନ୍ତୁ ସନାତନୀ ବିରୋଧି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୀଘା ମନ୍ଦିର ସହ ଜଗନ୍ନାଥ ଧାମ ଶବ୍ଦ ଯୋଡ଼ିଲେଣି। ଯାହାକୁ ନେଇ ଜଗନ୍ନାଥ ପ୍ରେମୀ ବିରୋଧ କରୁଛନ୍ତି। କାରଣ ଶ୍ରୀକ୍ଷେତ୍ର ବା ପୁରୀକୁ ଜଗନ୍ନାଥ ଧାମ ଭାବରେ ପ୍ରତିଷ୍ଠା କରାଇଛନ୍ତି ଆଦି ଶଙ୍କରାଚାର୍ଯ୍ୟ। କିନ୍ତୁ ମମତା ମାଡାମ୍ କହିଲେଣି ଦୀଘା ହେଉଛି ଜଗନ୍ନାଥ ଧାମ। ଏହାକୁ ନେଇ ପଶ୍ଚିମବଙ୍ଗରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି।
ମନ୍ଦିର ନୁହେଁ, ସାଂସ୍କୃତିକ କେନ୍ଦ୍ର
କେବଳ ଯେ ଓଡ଼ିଶାବାସୀ ଅସନ୍ତୋଷ ପ୍ରକାଶ କରୁଛନ୍ତି ତାହା ନୁହେଁ, ବଙ୍ଗଳାରେ ମଧ୍ୟ ଏହାକୁ ନେଇ ବିରୋଧାଭାଷ ଶୁଭିଲାଣି। ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ କହିଲେଣି, ମମତା ବାନାର୍ଜୀ ଦୀଘାରେ ଯେଉଁ ମନ୍ଦିର ତୋଳିଛନ୍ତି, ତାହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ସରକାରୀ ଟଙ୍କାରେ କୌଣସି ହିନ୍ଦୁ ମନ୍ଦିର ତିଆରି ହୁଏ ନାହିଁ । 250 କୋଟି ଟଙ୍କା ଖର୍ଚ୍ଚ କରି ଜଗନ୍ନାଥ ମନ୍ଦିର ତିଆରି କରିବା ପଛରେ ଭୋଟ୍ ରାଜନୀତି ରହିଛି । ମୁର୍ଶିଦାବାଦର ହିନ୍ଦୁ ନରସଂହାରରେ ଚୁପ୍ ଥିବା ମମତାଙ୍କ ଏ ମନ୍ଦିର ନିର୍ମାଣ ଏକ ଚକ୍ରାନ୍ତ । ଏହା ମନ୍ଦିର ନୁହେଁ। ଏହା ଏକ କଲ୍ଚରାଲ ସେଣ୍ଟର ବା ସାଂସ୍କୃତିକ କେନ୍ଦ୍ର ।

ଟିକିପୁଅଙ୍କ ପାଇଁ ନେତା ବଡ଼
ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାକୁ ନେଇ ବିବାଦରେ ଫସିଲେଣି ଶ୍ରୀମନ୍ଦିର ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ(ଟିକିପୁଅ) ଦାସ ମହାପାତ୍ର। ଯଦିଓ ଶ୍ରୀମନ୍ଦିର ପୁଷ୍ପାଳକ ନିଯୋଗ, ମହାସୁଆର ସେବାୟତ, ସିଂହାରୀ ସେବକଙ୍କୁ, ଦୀଘା ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଯିବାକୁ ବାରଣ କରାଯାଇଥିଲା। କିନ୍ତୁ ଶ୍ରୀମନ୍ଦିରର କିଛି ସେବକ, ଅର୍ଥ ଲୋଭରେ ସେହି ନିର୍ଦ୍ଦେଶକୁ ଅବମାନନା କରିଛନ୍ତି । ମମତା ବାନାର୍ଜୀଙ୍କ ଦ୍ୱାରା ନିର୍ମିତ ମନ୍ଦିର, ଜଗନ୍ନାଥ ମନ୍ଦିରର ପରମ୍ପରା ବିରୋଧି ଜାଣି ମଧ୍ୟ ଦୀଘା ମନ୍ଦିର ପ୍ରତିଷ୍ଠା ଉତ୍ସବ ସଂପାଦନ କରିଛନ୍ତି । ନିଜକୁ ଜଗନ୍ନାଥଙ୍କ ସାନଭାଇ କହୁଥିବା ଟିକିପୁଅ, ମମତାଙ୍କ ଟେକ ରଖିବାକୁ ଯାଇ ନିମ୍ନସ୍ତରକୁ ଖସି ଯାଇଛନ୍ତି । ଶ୍ରୀମନ୍ଦିରର ଚତୁର୍ଦ୍ଧା ମୂରତିଙ୍କ ନବକଳେବର ପାଇଁ ବ୍ୟବହୃତ ଦାରୁରୁ ଦୀଘା ମନ୍ଦିରର ଶ୍ରୀବିଗ୍ରହ ନିର୍ମାଣ ହୋଇଛି ବୋଲି ବଙ୍ଗଳା ମିଡିଆକୁ ପ୍ରତିକ୍ରିୟା ଦେଇଛନ୍ତି ଟିକିପୁଅ।
ଅବଶ୍ୟ ଟିକି ପୁଅଙ୍କର ଜଗନ୍ନାଥ ସଂସ୍କୃତି ବିରୋଧି କାର୍ଯ୍ୟକଳାପ ପୂର୍ବରୁ ଦୃଶ୍ୟମାନ ହୋଇଛି । ପୂର୍ବତନ ମନ୍ତ୍ରୀ ଅରୁଣ ସାହୁଙ୍କୁ ଖୁସି କରାଇବା ପାଇଁ ଟିକିପୁଅ, ପୂର୍ବରୁ ଜଗନ୍ନାଥ ସଂସ୍କୃତି ବିରୋଧି କାମ କରିଛନ୍ତି । 2015 ମସିହାର ନବକଳେବର ସମୟରେ ଦାରୁ ସଂଗ୍ରହ ପାଇଁ ସେବାୟତମାନେ ଯାଇଥିଲେ। ସେହି ସମୟରେ ବିଜୁ ଜନତା ଦଳର ନେତା ଟିକିପୁଅ, ସେବାୟତଙ୍କ ବିଶ୍ରମାସ୍ଥଳୀରେ ତତ୍କାଳୀନ ମନ୍ତ୍ରୀ ଅରୁଣ ସାହୁଙ୍କୁ ଦାରୁ ସଂଗ୍ରହକାରୀ ଦଇତାପତିଙ୍କ ଗହଣରେ ଶୁଆଇ ଥିଲେ। ଯାହାକୁ ନେଇ ବହୁତ ବିବାଦ ହୋଇଥିଲା। କିନ୍ତୁ ସେ ସମୟରେ ନବୀନ ପଟ୍ଟନାୟକ ସରକାର, ଟିକିପୁଅ ଏବଂ ଅରୁଣ ସାହୁଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ।
କିନ୍ତୁ ଏବେକାର ବିଜେପି ସରକାର ପ୍ରତିକ୍ରିୟାଶୀଳ । ନବକଳେବର ଦାରୁ ପଶ୍ଚିମବଙ୍ଗକୁ ଯିବା ପ୍ରସଙ୍ଗରେ ଶ୍ରୀମନ୍ଦିର ପରିଚାଳନା କମିଟି ଏବେ ପ୍ରଶ୍ନ ଘେରରେ। ମହାପ୍ରଭୁଙ୍କ ଦାରୁ ଅପ-ବ୍ୟବହାରର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଜଗନ୍ନାଥଙ୍କ ଦାରୁ ଦୀଘାକୁ କିପରି ଗଲା, ତାହର ତଦନ୍ତ ଆରମ୍ଭ ହେଲାଣି।

ପ୍ରଦୀପଙ୍କ ବିରୋଦ୍ଧ, ଗଜପତିଙ୍କୁ ଚିଠି
ଦୀଘା ଜଗନ୍ନାଥ ମନ୍ଦିରକୁ କୌଣସି ମତେ ମମତା ବାନାର୍ଜୀ, ଜଗନ୍ନାଥ ଧାମ କହି ପାରିବେ ନାହିଁ ବୋଲି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ କହୁଛନ୍ତି। ଯଦିଓ ଜଗନ୍ନାଥ ମନ୍ଦିର ନିର୍ମାଣକୁ ନେଇ ଏତେଟା ବିରୋଧ ହୋଇନାହିଁ ମାତ୍ର ଚାରି ଧାମ ମଧ୍ୟରେ ପୁରୀର ସ୍ୱତନ୍ତ୍ର ସ୍ଥାନ ରହିଥିଲା ବେଳେ ମମତା ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ ଭାବେ ନାମିତ କରିବାକୁ ସେ ବିରୋଦ୍ଧ କରିଛନ୍ତି । ବାଲୁକାଶୀଳ୍ପି ସୁଦର୍ଶନ ପଟ୍ଟନାୟକ ମଧ୍ୟ ଅସନ୍ତୋଷ ପ୍ରକାଶ କରି ଗଜପତି ମହାରାଜା ଦିବ୍ୟସିଂହ ଦେବ ଚିଠି ଲେଖି ହସ୍ତକ୍ଷେପ ଲୋଡିଛନ୍ତି।
ତେବେ ଚକ୍ରାନ୍ତ କରି ଓଡ଼ିଶାର ରସଗୋଲା ଓ ପଟ୍ଟଚିତ୍ର ଉପରେ ଜିଆଇ ଟ୍ୟାଗ୍ ନେଲା ପରେ ଜଗନ୍ନାଥ ଧାମଙ୍କୁ ହାଇଜାକ୍ କରିବାକୁ ଚାହୁଁଥିବା ମମତାଙ୍କୁ ଜଗନ୍ନାଥ ପ୍ରେମୀ ବିରୋଦ୍ଧ କରୁଛନ୍ତି । କିନ୍ତୁ ନିଜକୁ ମହାପ୍ରଭୁଙ୍କ ସାନଭାଇ କହୁଥିବା ଟିକିପୁଅ, କିଛି ଅର୍ଥ ପାଇଁ ଅନର୍ଥ କରୁଛନ୍ତି। ଏବେ ଲୋକେ କହିଲେଣି ଏଇଟା ଦଇତାପତି ନା’ କଳାପାହାଡ଼?